ଗଳ୍ପ :ପ୍ରସ୍ତୁତିର ତିନିସ୍ତର , କଟକରେ ମକର

ଓଁ ଅଭିଜ୍ଞାନ ସାହୁ

(ଏକ)

ହେଇ ଗଲା ଦଶ ତାରିଖ । କଟକରେ ଘରେ ଘରେ ନଟେଇ ପୂଜା ହେଲା । ଗୁଡି ଗୋଲର ସବୁ ସକାଳୁ ଗାଧୋଇ ପାଧୋଇ ସୂତ ପୁତ ଭାବେ ମନ୍ଦିରରେ ତିଳକ ମାରି ନଟେଇ ପୂଜା କଲେ। କାଲି ରାତି ସୁଦ୍ଧା ସୁତା ବତୁରା କାମଟା ସରିଯାଇଥିଲା । ଆଜି ପାଗ ଖରାଟିଆ ହେଇଛି, ସୁତା ସୁଖିବ । ତେବେ ଆଜିର ପ୍ରମୁଖ କାମ ହେଲା କାଚ ଗୁଣ୍ଡ ହେବ । ବୟସ୍କ ଗୋଲରଙ୍କ ଆଜି ଭାରି ଚାହିଦା ଥାଏ । ପାନ ବିଡି ଚା’ ରେ ଆପ୍ୟାୟିତ କରି କାଚ ଗୁଣ୍ଡ ତାଙ୍କୁ ଦେଖେଇବାକୁ ପଡେ । ପୋଖତ ଗୋଲର୍ କାଚଗୁଣ୍ଡରେ ହାତ ମାରି କହିଦେବେ ଆଉ ପାଲିସ ହେବ ନା ଏତିକି । ଗୁଡି ତ ସମସ୍ତେ ଉଡେଇଦେବେ । କିନ୍ତୁ ସୁତାରେ ମାଞ୍ଜା ଦେବା କେବଳ ଅଭିଜ୍ଞ ଲୋକ ହିଁ ପାରିବ । ଆଉ ମାଞ୍ଜାର ସବୁଠୁ ମୁଖ୍ୟ ହେଲା କାଚଗୁଣ୍ଡ ଓ ସୁତାରେ ପାଲିସ ଧରିବା । କେବଳ ବାର ଲାଇଟ କାଚ ଏଥିପାଇଁ ସର୍ବୋତ୍ତମ । ଅନ୍ୟ ଲାଇଟ କି ବୋତଲ କାଚ କେବଳ ଭାଗ ମାପ ଠିକ କରିବା ପାଇଁ ମିଶାହେବ । ସେଥିପାଇଁ ଯେତେ ଲୋକଙ୍କ ଘର ବାହାରେ ମାନେ ଦାଣ୍ଡ ପଟକୁ ଇଲେକ୍ଟ୍ରିକ ବଲବ ଲାଗିଥିଲା ଆଜି ସକାଳୁ ସେ ସବୁ ଉଭାନ । ଅବଶ୍ୟ ମୋ ଭଳି କିଛି ଜାଣିବା ଲୋକ ଆଗରୁ ପହଞ୍ଚ ଜାଗାରେ ଲାଗିଥିବା ସବୁ ଵଲଵ ଖୋଲି ଦେଇଛନ୍ତି ।

(ଦୁଇ)

ଗଲା କାଲି କାଚଗୁଣ୍ଡ ତିଆରି ସରିଯାଇଥିଲା । ରେଜାଟା କାଚକୁ ବହେ ଛେଚିଛି । ଗୁଣ୍ଡ ଠିକ ହେଲା ଭଳି ଲାଗୁଛି । ଆଜି ଅଠା ରନ୍ଧା ହେବା ସହ ମାଞ୍ଜା ପଡିବା କଥା । ଶିରିସ ଅଠା, ଅରାରୁଟ, ନୂଆ ମାଟି ହାଣ୍ଡି, ସୁତା କାଲିଠୁ କିଣା ସରିଛି । ବ୍ଲାକ ହର୍ଷ ବ୍ରାଣ୍ଡର ସୁତା ଆଉ ଅସୁନି ।ପୁରା ଚୌଧୁରୀ ବଜ଼ାର ଘାଣ୍ଟିଲି ସବୁ ଆଡେ ଚାଇନା ସୁତା । ସରକାର ସେ ସୁତାର ବିକ୍ରିକୁ ନିଷିଦ୍ଧ କରିଛନ୍ତି ତଥାପି ବଜ଼ାରରେ ସୁତା ବେଧଡକ ବିକ୍ରି ଚାଲିଛି । ଏଇ ଚାଇନା ସୁତା ଯୋଗୁଁ କେତେ ଯେ ଜୀବନ ଗଲାଣି ତଥାପି ଲୋକ ମାନୁ ନାହାଁନ୍ତି । ଯାହାହେଉ ଶେଷରେ ନନା ଦୋକାନରୁ ବ୍ଲାକ ହର୍ଷ ସୂତା ଅଳ୍ପ ଅଧିକା ଦେଇ ପାଇଗଲି ।

କାଲି ରାତିରୁ ମାଟି ହାଣ୍ଡିଟା ପାଣିରେ ବୁଡ଼େଇ ଥିଲି । ନହେଲେ ଅଠା ରାନ୍ଧିଲା ବେଳକୁ ପାଣି ସବୁ ଶୋଷି ନେବ । ଅଠା ବେଶି ବହଳିଆ କି ବେଶୀ ପାଣିଆ ହେବ ନାହିଁ । ପ୍ରଥମେ ତିନିଟା ଇଟା ରଖି ଚୁଲି କରାହେବ । କିରାସିନି ଦିଆସିଲି ପାଞ୍ଚ ବିଡା ହୋମ କାଠ ଆଉ ଚାରି ପାଞ୍ଚ ମଗ ପାଣି ହାତ ପାଖରେ ରଖିବା ପରେ ହାଣ୍ଡି ଚୁଲିରେ ବସିବ । ପାଣି ନଖ ଉଷୁମ ହେବା ପରେ ସିରିଷ ଖଣ୍ଡ ପକା ହେବ । ସିରିଷ ଖଣ୍ଡ ଟିକେ ବତୁରି ଗଲାପରେ କାଠିରେ ତାକୁ ଅନବରତ ଘାଣ୍ଟିବାକୁ ପଡିବ । ମଝିରେ ମଝିରେ ଭାତ ରାନ୍ଧିଲା ବେଳେ ଭାତ ଚିପି ଦେଖିଲା ଭଳି ଅଠାକୁ ପରୀକ୍ଷା କରୁଥିବ ଆଉ ଆବଶ୍ୟକତା ଅନୁସାରେ ପାଣି ଦେଉଥିବ । ଶେଷରେ ଅରାରୁଟ ପକେଇ ଘାଣ୍ଟିବ । ଅଠା ଦର ପାଣିଆ ଥିବା ବେଳେ ଚୁଲିରୁ ଓହ୍ଲେଇ ଦେବ । ଏପଟେ ମଞ୍ଜା ଦେବା ପାଇଁ ଅତି କମରେ ଛଅ ଜଣ ଦରକାର । ଯେଉଁ ନିମନ୍ତ୍ରିତ ବନ୍ଧୁମାନେ ଏଥିପାଇଁ ଡକା ହେଇଥିବେ ସେମାନଙ୍କୁ ଚା’ ଜଳଖିଆ ଦେଇ ବସେଇଥିବ ଯଦି କିଏ ପଳେଇଲା ତେବେ କଥା ସରିଲା । ଅଠା ଥଣ୍ଡା ହେବା ପୂର୍ବରୁ କାମ ଆରମ୍ଭ ହେବା ଦରକାର । ଏବେତ ପ୍ରଚୁର ପାନ, ଜଣ ପିଛା ଗୋଟେ ଲେଖା ମିନେରାଲ ପାଣି ବୋତଲ ଆଉ ଡିଜେ ସାଉଣ୍ଡ ବକ୍ସ ନଥିଲେ ଲୋକ ମିଳୁନହାନ୍ତି । ଅଠା ପାଗେଇ ଆସିଲାଣି ରହୁଛି । ପରେ ଆଉ ସବୁ କହିବି ।

(ତିନି)

କାଲି ତ ମାଞ୍ଜା କାମଟା ଦିନ ବେଳା ଭଲରେ ଭଲରେ ସରିଗଲା ।ସନ୍ଧ୍ୟାରେ ପେଟି ବାନ୍ଧିବା ପୁଅକୁ ଶିଖେଇଲି । କିଛି ସମୟ ପରେ କହିଲା,” ବାବା ଥାଉ ତୁମେ ପେଟି ବାନ୍ଧି ଦିଅ ମୁଁ ଗୁଡି ଉଡେଇବି । ଏ ପେଟି ବାନ୍ଧିବାଟା ବୋରିଂ କାମ ।” ଆରେ ବିଛା ମନ୍ତ୍ର ନ ଜାଣି ସାପ ଗାତରେ ହାତ ପୁରେଇବୁ ? ଆଗ ପେଟି ବାନ୍ଧେ ତାପରେ ଝାଡ଼ିଦେବୁ ତା ପରେ ଯାଇଁ ନଟେଇ ଧରିବୁ ।” ଦୂରରୁ ତା ପ୍ରିୟ ମାମା ଚିହିଁକି ଆସି କହିଲେ, ” କାହିଁ ତମେ କଣ ସବୁ ବେଳେ ବ୍ୟାଟିଂ କରୁଥିବ ଆଉ ମୋ ପୁଅ ଖାଲି ବଲ ଗୋଟଉଥିବ ? ଏଥର ତୁମେ ବଲ ପକାଅ ମୋ ପୁଅ ବ୍ୟାଟିଂ କରିବ ।” ମନେ ମନେ ଭାବିଲି ବାହାରେ ଏତେ ଲୋକ ମୋ କଥା ଶୁଣୁଛନ୍ତି ଅଥଚ ଘରେ ମୋ କଥାର କିଛି ବି ମୂଲ୍ୟ ନାହିଁ । ଏଠି ମା’ ଯେସନକୁ ପୁଅ ତେସନ । “ଠିକ ଅଛି ତୁମ ପୁଅ ନଟେଇ ଧରୁ ଆଉ ତୁମେ ଗୁଡି ଝାଡ଼ି ଦିଅ ମୁଁ ଚାଲିଲି ।” ସନ୍ଧ୍ୟା ଗଡିଲାଣି ମା’ ପୁଅଙ୍କ ଗୁଡି ଉଡା ଚାଲିଛି । ଅଧା ଗୁଡି ଚିରିଗଲା ପଛେ ଗୋଟେ ବି ଦଶ ଫୁଟ ଉପରକୁ ଟପିଲା ନାହିଁ । କିଛି ସମୟ ପରେ ମା ପୁଅ ଛାତ ଉପରୁ ତଳକୁ ଆସିଲେ। ପଚାରିଲି ,” କଣ ଗୁଡି ଉଡା ସରିଲା ?” ମୋ କଥା ଶୁଣି ପତ୍ନୀ କହିଲେ, ” ଆଉ ଗୋଟାଏ ଦିନରେ ମୋ’ ପୁଅ ପୁରା ଉଡେଇଦେଵ ।” ମୁଁ କହିଲି “ହଁ ଆଜିର ଟ୍ରେନିଂରେ ତ ଅଧା ଗୁଡି ଚିରିଛ କାଲିର ଟ୍ରେନିଂରେ ବାକି ତକ ବି ଚିରି ଦିଅ । ତା ପରେ ମକର ଦିନ ଖାଲି ନଟେଇ ଧରି ଛାତ ରେ ବୁଲିବ ।”
— “ହଁ ତୁମେ ଯୋଉ ଦାମିକା ଗୁଡି ଆଣିଥିଲ ନା ଧରୁ ଧରୁ ଚିରିଯାଉଛି । କେମିତିକା ବାପ କେଜାଣି ଗୋଟାଏ ବୋଲି ପୁଅ ତା ପାଇଁ ଦି’ଟଙ୍କା ଅଧିକା ଖର୍ଚ୍ଚ କରିବାକୁ ହାତ କେମିତି ଅଟକି ଯାଏ କେଜାଣି ! କୋଉଠୁ ଶସ୍ତାରେ ପାଇଥିବ ବୋଧେ ପୁଳାଏ ନେଇଆସିଛ । ”
ମୁଁ ବିରକ୍ତ ହୋଇ କହିଲି, ” ତୁମେ ମା ପୁଅ ଏଠି ଗୁଡି ଉଡାଅ ମୁଁ ପୁରୀ ଚାଲିଲି । ସେଠି ମକର ଚାଉଳକୁ ଭାଙ୍ଗ ପଣା ମୋତେ ଅନେଇଛି.. ।” ମୋ କଥା ସରିଛି କି ନାହିଁ ଶ୍ରୀମତୀ କହିଲେ ,”ତିନି ଦିନ ତ ଛୁଟି ମୁଁ କଣ ଘର ଭିତରେ ଏକୁଟିଆଟି ଖଟୁଥିବି ? ଚାଲ ଆମକୁ ତମ ସାଙ୍ଗରେ ନିଅ । ଏ ଧନ ତୋ ନଟେଇଟା ବି ବ୍ୟାଗରେ ପୂରା । ସେଠି ସମୁଦ୍ର ବାଲିରେ ବେଶି ପବନ ଯେ ଗୁଡି ଭଲ ଉଡିବ । ମୁଁ ଯାଏ ପିଲାଙ୍କ ସାର୍ଟ ପ୍ୟାଣ୍ଟ ଆଉ ମୋ’ ଲୁଗାପଟା ସବୁ ବ୍ୟାଗରେ ରଖେ କାଲି ସକାଳୁ ସକାଳୁ ଯେମିତି ବହାରିଯିବା ।” ତା ପରେ ମୋ ଆଡ଼କୁ ଅନେଇ ପଚାରିଲେ, ” ତୁମେ ଚା ପିଇବ କି ? ଚା ବେଳ ତୁମର ଗଡିଗଲାଣି । ଟିକେ ଆଉ ଟାକି ଯାଅ ,ମୁଁ ପ୍ୟାକିଙ୍ଗଟା ସାରିଦିଏ । ନହେଲେ ନିଉଛଣା ମନ ସବୁ ଗୋଳ ମାଳ କରିଦେବ । ଡ୍ରେସ ପଟା ନେଇଥିବି ଦାନ୍ତ ଘଷା ବ୍ରସ ନବାକୁ ଭୁଲିଯିବି ।”
ସମୟ କଣ ନକରେ ? ପିଲାଟି ଦିନରୁ ଖୋଲାମେଲାରେ ଗୁଡି ହୋଇ ଉଡୁଥିବା ‘ମୁଁ’ ଟି ଆଜି ପତ୍ନୀଙ୍କ ନଟେଇର ସୂତାରେ ।

ବନମାଳୀ ଭବନ
ଖାନ ନଗର , କଟକ