Latest Odisha News

BREAKING NEWS

ଗଳ୍ପ : ସଟଡାଉନ ମଟନ୍ କଷା

ପ୍ରଶାନ୍ତ କୁମାର ବେହେରା 

ରବିବାର ଦିନ ବାରଟା ସୁଦ୍ଧା ସୁନୀତା ମଟନ୍ କଷାରେ ଆବଶ୍ଯକୀୟ ପାଣି ଢାଳି ଦେଇ ତରତର ହୋଇ ମୋବାଇଲ୍ ଧରି ଡ୍ରଇଙ୍ଗ୍ ରୁମରେ ବସି ପ୍ରଥମ କଲ୍ କଲା । ସେପଟୁ ରିଙ୍ଗ୍ ସାଉଣ୍ତ ଶୁଣି ସଜାଗ ହୋଇଗଲା କ’ଣ ସବୁ କଥାବାର୍ତ୍ତା କରିବ ତା କଲେଜ ବେଳର ସାଙ୍ଗ ସଞ୍ଜୁ ସହିତ !

” ହଁ, ହେଲୋ … ସଞ୍ଜୁ .. ଆଉ ଖବର କଣ ? ରୋଷେଇ ସରିବା ହେଲାଣି ? ”

” ନାଇଁ , ସରିନି ! ମନଟା ପରା ଭଲ ନାଇଁ ! ଇଏ ଯାଇଥିଲେ ମଟନ୍ ପାଇଁ l ସଟଡାଉନରେ କେଉଁ ଠାଇଁ ବି ପାଇଲେନି l ବାଧ୍ୟ ହୋଇ ଖାଲି ହାତରେ ଫେରିଲେ l ସେଇ ଅଣ୍ତା ଆମଲେଟ୍ କରି ପିଲାଙ୍କୁ ବୁଝେଇଦେବା ଛଡା ବାଟ ଆଉ କାଇଁ ! ” – ସେପଟୁ ଖୁବ୍ ମନ ଦୁଃଖରେ ସଞ୍ଜୁ କହିଲା l

ସୁନୀତା ମନେ ମନେ ବହୁତ ଖୁସି ହୋଇ କହିଲା, ” ଇଏ ଆମର ଭାରି ପାରଙ୍ଗମ l ସ୍କୁଟି ଟା ନେଇ ହେଇ ଗଲେ ତ, ମଟନ୍ ନେଇ ପଳାଇ ଆସିଲେ l ଯାହା କୁହ ରବିବାର ମଟନ୍ ନ ହେଲେ ମନଟା ଜମା ବୁଝେନା ।”

ସୁନୀତା କଥା ଶୁଣି ସଞ୍ଜୁ ମୁହଁ ବିଷାଦରେ ପରିପୂର୍ଣ୍ଣ ହେବା ସହିତ ଖୁବ୍ ଗୁଡେ ଅବଶୋଷ ମନରେ ଧରି କହିଲା, ” ଯାହା ହେଉ, ତମ ବାବୁ ପାରିଲେ, ଆମର ଇଏ ତ ଫେଲ୍ ମାରିଲେ । ”

ସଞ୍ଜୁ ମନରେ ମଟନ୍ କରି ନ କରିପାରିବାର ଦୁଃଖକୁ ବହୁ ଗୁଣିତ କରିଦେଇ ଖୁବ୍ ଖୁସି ମନରେ ସୁନୀତା ଶେଷକୁ ଏତିକି କହି ତା ଫୋନ୍ ଲାଇନ୍ କାଟିଲା – ” ହଉ, ରହୁଛି, ମୋ ମଟନ୍ ଏଣେ ପୁରା ସିଝି ଗଲାଣି l ”

କିନ୍ତୁ ସୁନୀତା ଜାଣେ, ମଟନ୍ କଷାରେ ପାଣି ଦେବାର ନିହାତି ଅଧଘଣ୍ଟା ପରେ ଯାଇ ମଟନ୍ ସିଝିବ l ଏଇ ଭିତରେ ତା’ର ଆଉ କିଛି ସାଙ୍ଗଙ୍କୁ ଫୋନ୍ କରି ମଜା ଉଡ଼ା ଇବା ଠିକ୍ ହେବ ବୋଲି ଭାବି ନେଲା l

ସଞ୍ଜୁର ଫୋନ୍ କାଟିବା ପରେ ପରେ ସୁନୀତା ତା’ ସ୍କୁଲ୍ ସାଙ୍ଗ ସୀମାକୁ ଫୋନ୍ କଲା । ସୀମା ସହିତ କଥା ହେବା ବେଳେ ଜାଣିଲା ଯେ, ସୀମା ତା’ ସ୍ୱାମୀକୁ ସକାଳୁ ସକାଳୁ ଆମିଷ ଆଣିବାକୁ କହିଥିଲା, କିନ୍ତୁ ତା’ ସ୍ୱାମୀ ସଟଡାଉନ୍ କୁ ଆଳ କରି ମାର୍କେଟ୍ ଯିବାକୁ ସିଧାସିଧା ମନା କରିଦେଲା l

ସେଇ ଭିତରେ ସୁନୀତା ସୀମାକୁ ଜଣାଇଦେଲା ଯେ, ତାଙ୍କର ଆଜି ମଟନ ହୋଇଛି ବୋଲି l ବାସ୍ ଏତିକି କଥାରେ ସୀମାକୁ ଆଉ ସମ୍ଭାଳେ କିଏ ? ରାଗିପାଚି କହିଲା, ” ଖାଲି ୟାଙ୍କୁ ତ ଯେମିତି କରୋନା ଅନେଇକି ବସିଛି ମଡ଼ି ବସିବ ବୋଲି ! ସମସ୍ତଙ୍କ ଘରେ ଆଜି ଆମିଷ, ହେଲେ ଆମର ସେଇ ସାଧା l”

ତେବେ ଶେଷକୁ କାମ ଆଳ ଦେଖାଇ ଫୋନ୍ କାଟିବା ପୂର୍ବରୁ ସୁନୀତାକୁ ଜଳଜଳ କରି ଦେଖାଯାଉଥିଲା, ଆଜି ବିନା ଆମିଷରେ ଲଞ୍ଚ୍ ଖାଇବା ବେଳେ ସୀମା ତା’ ସ୍ୱାମୀର କି ଅବସ୍ଥା କରିବ !!

ଦୁଇ ଜଣ ସାଙ୍ଗଙ୍କୁ କଟା ଘା’ ରେ ଚୁନ ଦେଇସାରି , ଶେଷକୁ ସୁନୀତା ସ୍ଥିର କଲା, ଏବେ ସେ ବଦମାସ୍ ମଧୁମିତାକୁ ପାନେ ଦେବାକୁ ହେବ l ମଧୁମିତା ହେଉଛି ତା’ର କଲେଜ ବେଳର ସାଙ୍ଗ ଆଉ ଖୁବ୍ ମୁହଁଖୋର୍ ଝିଅ l ଘର ତା’ର ପୁଣି କଟକରେ । ମୁହେଁ ମୁହେଁ ଯାହା ପାଇବ କହିବ l ସେଥି ପାଇଁ ସୁନୀତାର ମନ ଭିତରେ ତା’ ପ୍ରତି ପ୍ରବଳ ଘୃଣା ଭାବ ଥାଏ, କିନ୍ତୁ ଉପରେ ପ୍ରକାଶ କରି ପାରେନାହିଁ l ଆଜିର ମୌକାରେ ତାକୁ ସାଇଜ୍ କରିବା ଠିକ୍ ହେବ l

ମଧୁମିତାକୁ ଫୋନ୍ ଲଗାଇ ମୁହଁ ମତରେ ଏଣୁ ତେଣୁ କିଛି କଥାବାର୍ତ୍ତା ହୋଇସାରି ନିଜର ଅସଲ ଉଦ୍ଦେଶ୍ୟକୁ ସାମ୍ନାକୁ ଆଣି ଶେଷକୁ ପଚାରିଲା, ” ଆଉ ଆଜି ତମର ଲଞ୍ଚ୍ ରେ କଣ ଖାଦ୍ୟ ହୋଇଛି ? ”

ମଧୁମିତା ସିଧା କହିଲା, ” କଣ ଆଉ ହେବ, ଘରେ ଯାହା ପରିବାପତ୍ର ଥିଲା ସେଇଆକୁ ରାନ୍ଧି ଦେଇଛି ।”

ସୁନୀତା – ” କାଇଁ ଆଜି ପରା ରବିବାର ! ଆମିଷ ବାର ! ମୁଁ ଆଜି ମଟନ୍ କଷା କରିଛି ।”

ସେପଟୁ ଗୋଟେ ନାଗୁଣୀ ପରି ମଧୁମିତା ଗର୍ଜନ କରି ଉଠିଲା, ” ଖାସ୍ ତମରିମାନଙ୍କ ପରି କିଛି ଅମାନିଆଁ ଲୋକଙ୍କ ପାଇଁ ଆଜି ଆମ ଦେଶର ଅବସ୍ଥା ଏଇଆ ! ସରକାରରେ ଥିବା ଦଳ ଓ ବିରୋଧୀ ଦଳମାନେ ତାଙ୍କ ରାଜନୀତି ରୋଟି ସେକିବାକୁ ନିର୍ବାଚନକୁ ସ୍ଥଗିତ ନକରି ଏଇ କରୋନା ହୁ ହୁ ହୋଇ ମାଡି ଚାଲିଥିବା ସ୍ଥିତିରେ ହଜାର ହଜାର ଲୋକଙ୍କ ରାଲି କରାଇବା, ତେଣେ କୁମ୍ଭମେଳା ଆୟୋଜନ କରିବାକୁ ପରମିଶନ୍ ଦେବା ସହିତ ଶହ ଶହ ଲୋକ ଏକାଠି ହୋଇ ହାଇଦ୍ରାବାଦରେ ସମୁହ ନମାଜ୍ କରି ଦେଶକୁ ଏଭଳି ଗମ୍ଭିର ସ୍ଥିତିରେ ପହଞ୍ଚାଇବା ପରେ ଲକଡାଉନ୍ ଆଉ ସଟଡାଉନ୍ କରିଛନ୍ତି l ଆଉ ଏଇ ସମୟରେ ତମ ମାନଙ୍କ ଭଳି କିଛି ଲୋକ ବଜାର ଘାଟରେ ଗାଡିଧରି ବୁଲିବା ସହିତ ରବିବାର ରେ ମାଂସ ନ ଖାଇଲେ ଛାତି ଫାଟିଯାଉଛି ଯେମିତି ! ଏବେ ପ୍ରତିଦିନ ଚାରି ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଭାରତରେ କରୋନାରେ ଆକ୍ରାନ୍ତ ହେଉଥିବା ବେଳେ ପାଖା ପାଖି ଚାରି ହଜାର ଲୋକ ଦୈନିକ ମରୁଛନ୍ତି l କେତେ ଜୀବନ ଅକାଳରେ ଝଡି ଯାଉଛି l ଏଭଳି ସମୟରେ ଏଇ ସଟଡାଉନ୍ ବେଳେ କେଉଁ ହିସାବରେ ତମ ବାବୁଙ୍କୁ ମାର୍କେଟ ପଠାଇ ମାସଂ ଆଣିବାକୁ ବରାଦ୍ ଦେଲ ଭାବିଲେ ସତରେ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ତମ ମୁର୍ଖାମୀ ପଣିଆଁ ଦେଖି ମନରେ ସେତିକି କ୍ଷୋଭ ମଧ୍ୟ ଆସୁଛି l ଅମାନିଆଁ ଲୋକମାନେ ମନରେ ଭାବିଥାନ୍ତି, ତାଙ୍କୁ ଏ କରୋନା ଆଦୌ ଛୁଇଁବ ନାହିଁ, ଆଉ ଏଇ ଧାରଣାରେ ଦୃଢ଼ ରହି ସଟଡ଼ାଉନ୍, ଲକଡାଉନ୍ କୁ ନ ମାନି ବାହାରେ ବୁଲାବୁଲି କରି କରୋନା ଆଣି ଘରେ ପୁରାଉଛନ୍ତି l ଲେବଳ ଏଇଥି ପାଇଁ କରୋନାର ଏଇ ଭୟଙ୍କର ଦ୍ୱିତୀୟ ଲହରି ଏବେ ଭାରତରେ ବିଭିନ୍ନ ଯାଗାରେ ଗୋଷ୍ଠୀ ସଂକ୍ରମଣରେ ରୂପାନ୍ତରିତ ହେଲାଣି l ଆଉ ଏଭଳି ଜଟିଳ ପରିସ୍ଥିତିରେ ଧିକ୍ ତମ ମଟନ୍ ଖିଆ l ”

ମଧୁମିତାକୁ ସାଇଜ୍ କରିବାକୁ ଫୋନ୍ କରିଥିବା ସୁନୀତା ଏ ଭିତରେ ନିଜେ ଏକବାରେ ସାଇଜ୍ ହୋଇସାରିଥାଏ l ଜୀବନ ବିକଳରେ ଏତିକି କହିପକାଇ ଫୋନ୍ କାଟିଦେଲା ,” ହଉ , ମଧୁମିତା ,ପରେ କଥା ହେବା l ରହୁଛି l ”

ସଞ୍ଜୁ ଓ ସୀମା ସହିତ କଥା ହୋଇ ସୁନୀତା ଯେତିକି ଖୁସି ଅର୍ଜନ କରିଥିଲା, ବର୍ତ୍ତମାନ ମଧୁମିତାର ମୁହଁତୋଡ ଜବାବରେ ସେଇ ଖୁସି ବହୁତ ଗୁଡେ ଦୁଃଖରେ ରୂପାନ୍ତରିତ ହୋଇ ସାରିଥାଏ l ମୁହଁଟାକୁ ହାଣ୍ତିଭଳି କରି ଚାଲିଥିବା ଟି.ଭି. ଆଡକୁ ନଜର ପକାଇବାରୁ ଯେଉଁ ନିଉଜ୍ ଚାଲିଥିଲା ସେଥିରେ ସୁନୀତାର ମୁହଁ ଆହୁରି ଆମ୍ୱିଳା ହୋଇଗଲା l

ନିଉଜ୍ ଟା ଥିଲା ଏମିତି – ରାଉରକେଲାରେ ପୋଲିସ୍ ଓ ରାଉରକେଲା ମୁନସୀପାଲଟି କର୍ପୋରେସନର ମିଳିତ ଚଢାଉ l ସପ୍ତାହାନ୍ତ ସଟଡାଉନକୁ ଅମାନ୍ୟ କରି କିଛି ଅମାନିଆଁ ଦୋକାନି ଓ ଗରଖ ଏକାଠି ହୋଇ ଲୁଚେଇ ଚୋରେଇ ମାଂସ ଓ ମାଛ ବିକା କିଣା କରୁଥିବା ବେଳେ ଶହ ଶହ କ୍ୟୁଣ୍ଟାଲ୍ ମାଛ ଓ ମାଂସ ଜବତ l ପରେ ଜବତ ସଜ ମାଛ ଓ ମାଂସକୁ ଡମ୍ପିଂ ୟାର୍ଡରେ ବ୍ଲିଚିଂ ପାଉଡର ମାଶାଇ ନଷ୍ଟକରାଗଲା l

ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ,
ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,
ଜଗତସିଂହପୁର 

Leave A Reply

Your email address will not be published.