ଗଳ୍ପ : ମୁଢ଼ିଭଜା

ପ୍ରସେନଜିତ ସେଠୀ 

ଅଫିସ୍ଠୁ କିଛି ଦୂରରେ ଷ୍ଟାଫ୍ କ୍ୱାର୍ଟରସ୍। କିଛି ଷ୍ଟାଫ୍ ବିବାହିତ, ଆଉ କେତେ ଜଣ ଅବିବାହିତ। ଯେଉଁମାନେ ବିବାହିତ, ସେମାନେ ନିଜ ପରିବାରକୁ ସାଙ୍ଗରେ ରଖିଛନ୍ତି; ଅବିବାହିତମାନେ ଏକୁଟିଆ। ମୋ କ୍ୱାର୍ଟର ସାମନାରେ, ରଜତ ଓରଫ୍ ରାଜୁର କ୍ୱାର୍ଟର। ରାଜୁର ମୋର ଭଲ ସାଙ୍ଗ। ଅଫିସ୍ ସମୟରେ ବି ଦୁହେଁ ଖାଲି ସମୟ ମିଳିଲେ ଗପସପରେ ମାତିଯାଉ। ଛୁଟି ଦିନମାନଙ୍କରେ ଦୁହେଁ ମିଶି ରେଷ୍ଟୁରାଣ୍ଟ ଯାଉ ଖାଇବା ପାଇଁ, ନହେଲେ ମିଶିକି ରୋଷେଇ କରି ଖାଉ। ସୁଖରେ ଦୁଃଖରେ ଆମେ କେବେ କାହାର ସାଥ ଛାଡୁନା।

ଏବେ ତ କରୋନା ସମୟ। ଦୀର୍ଘ ଛଅ ମାସ ହେବ, ଆମେ ଦୁହେଁ ଘରକୁ ଯାଇନୁ। ଯଦିବା, ଘରକୁ ଯିବା ପାଇଁ ଇଚ୍ଛା ଅଛି, ହେଲେ ସଂକ୍ରମଣ ଭୟରେ ଘରର ମୋହକୁ ତ୍ୟାଗ କରିବାକୁ ପଡୁଛି। ହୋଟେଲ୍ ରେଷ୍ଟୁରାଣ୍ଟ ପ୍ରାୟ ସବୁ ବନ୍ଦ୍ ଅଛି। ବୁଲିବା ପାଇଁ ବି କିଛି ଜାଗା ନାହିଁ। ଅଫିସ୍ ଅଧା କର୍ମଚାରୀରେ ଚାଲୁଛି। ଆଗରୁ ଅତି କମରେ ଅଫିସ୍ କାମରେ ବ୍ୟସ୍ତ ରହି ସମୟ ଜଣା ପଡୁ ନଥିଲା, ହେଲେ ଏବେ ମନ ମାରି ଘରେ ବସିବା ହିଁ ସାର ଯାହା। ତଥାପି ରାଜୁ ଆଉ ମୁଁ କେବେ ବି ବୋର୍ ହେଇନୁ। ପ୍ରାୟ ସମୟ ତାସ, କ୍ୟାରମ୍, ଟେବୁଲ୍ ଟେନିସ ନହେଲେ ବ୍ୟାଡମିଣ୍ଟନ ଖେଳି ଏ ଲକ୍ ଡାଉନ୍ ସମୟଟା ଯେମିତି ସେମିତି ବିତି ଯାଉଛି।

ଗତ ରବିବାର ଦିନ, ସବୁଥର ଭଳି ରାଜୁ ଆଉ ମୁଁ ତାସ ଖେଳୁଥିଲୁ। ତାସ ଖେଳକୁ ମୁଢ଼ି ମିକଶ୍ଚର୍ ର ମଜା ଅତି ନିଆରା। ତା ସାଙ୍ଗକୁ ଟିକେ ସୋରିଷ ତେଲ ଆଉ ପିଆଜ କଟା ମିଶେଇ ଦେଲେ, ପାଟିରୁ ଛାଡ଼ିବ ନାହିଁ। ତାସ ଖେଳ ଚାଲିଥାଏ, ଖେଳରେ ଖେଳରେ ମୁଢ଼ି ତକ ଖିଆ ସରିଗଲା। “ଆରେ ଆଉ ମୁଢ଼ି ନାହିଁ କି ??” ରାଜୁ କହିଲା, ” ଜନ୍ତୁଙ୍କ ଭଳିଆ ଖାଉଛୁ ଆଉ!! ଏତିକି ଥିଲା। ସବୁ ତୋ ପେଟକୁ ଗଲା। ଆଉ ନାହିଁ!!” “ଯାଉନୁ ଦୋକାନରୁ ଦି ଟା ନେଇ ଆସିବୁ!” “ଆରେ ଓଲା, ଆଜି ପରା ସଟଡାଉନ୍। ଦୋକାନ ବଜାର ସବୁ ବନ୍ଦ୍। ତୋତେ ମୁଢ଼ି ଆଣି କିଏ ଦେବ!!” ରାଜୁର ଏତିକି କଥାରେ, ମନଟା ଆମ୍ବିଳା ଆମ୍ବିଳା ଲାଗିଲା। ବିନା ମୁଢ଼ିରେ, ତାସ ଖେଳ, ମନକୁ ଗୋଟେ କେମିତି କେମିତି ଲାଗିଲା। ମାଙ୍କଡ଼କୁ ଅଫିମ ନିଶା ଦେଇ ପୋଷା ବନେଇଲା ଭଳି, ମୁଢ଼ିଟା ବି ମୋର ଗୋଟେ ନିଶା ହୋଇ ଯାଇଛି। ପାଟିରେ ମୁଢ଼ି ନ ପଶିଲେ, କାହିଁ ମନ ରୁଚେନା ଜମା!!

ତାସ ଖେଳ ଚାଲିଥାଏ। ଗୋଟେ ଖାଲି ଜବରଦସ୍ତିଆ ହୋଇ ଖେଳିବା କଥା ଯାହା, ନହେଲେ ଏ ବିରକ୍ତିଆ ସମୟ ଗୁଡ଼ା କେମିତି ଅତିକ୍ରାନ୍ତ ହେବ। କ୍ରିକେଟ ମ୍ୟାଚ୍ ହେଉଥିଲେ, ଟିଭି ଦେଖି କେଡ଼େ ଆରାମରେ ସମୟ ଗୁଡ଼ା ବିତି ଯାଇଥାନ୍ତା। ଏଇ ସମୟରେ, ହଠାତ୍ ମୋ ଆଖି ପଡ଼ିଲା, ରାଜୁର ଥାକ ଉପରେ। “ଆରେ!! କେଡ଼େ କୃପଣଟା କିରେ। ଏଠି ତୋ ଥାକରେ ଡବାରେ ଡବାଏ ମୁଢ଼ି ଅଛି, ହେଲେ ତୁ କହୁଛୁ ମୁଢ଼ି ନାହିଁ। ଛି, ଏଡ଼େ ବଡ଼ କଞ୍ଜୁସ୍ ଟା।” ରାଜୁ କିଛି କହିବାକୁ ଚେଷ୍ଟା କରୁଥିଲା, ମୁଁ ସିଧା ଯାଇ ମୁଢ଼ି ଡବା ଖୋଲି, ପାଟିରେ ମୁଠାଏ ମୁଢ଼ି ପୁରେଇ ଦେଲି। “ଉଁ ହୁଁ। ଛି ଛି। କେଡ଼େ ମଙ୍ଖିଚୁଷ୍ ଟା ବେ। ମଣିଷକୁ ମୁଢ଼ି ଖାଇବାକୁ ମିଳୁନି। ଦେଖିଲାକୁ, ତୁ ଏଠି ଡବାଏ ମୁଢ଼ି ନଷ୍ଟ କରିଦେଲୁ। ସବୁ ସିପି ଯାଇଛି। ଲୁଚେଇ ଲୁଚେଇ ଖାଇଲେ ଏମିତି ହୁଏ। ଛି।” ଏତିକି କହି, ରାଜୁ ମୁହଁକୁ ଦେଖେ, ତା ମୁହଁରେ କେମିତି ଗୋଟେ ଦୁଃଖର ଘନ ବାଦଲ ଘୋଟି ଯାଇଥିଲା। “ଆରେ! ତୁ କଣ କାନ୍ଦୁଣୁ ମାନ୍ଦୁଣୁ ହେଇ ଗଲୁଣୁ। ଏମିତି ଗୋଟେ ସାଙ୍ଗ ହିସାବରେ ଥଟ୍ଟାରେ କହିଦେଲି, ତୁ କିନ୍ତୁ କାନ୍ଦୁଚୁ। ଯାଆ ତୋ ସହ ଆଉ ଥଟ୍ଟା ମଜା କରିବିନି, ଯା।” ହେଲେ ରାଜୁ ସେମିତି କାନ୍ଦି ଚାଲିଥାଏ।

ସେଦିନ ରାଜୁକୁ ମୁଁ ଆଉ ବୁଝାଇ ପାରି ନଥିଲି। ଛବିଶ ବର୍ଷର ରାଜୁ, ସେମିତି ଛଅ ବର୍ଷର ପିଲା ଭଳିଆ କାନ୍ଦି ଚାଲିଥିଲା। ନିଜ ପ୍ରିୟ ସାଙ୍ଗର ଆଖିରେ ଲୁହ ଆଣି ଥିବାରୁ, ନିଜକୁ ଗୋଟେ ଅପରାଧୀ ଭଳିଆ ଅନୁଭବ ହେଉଥିଲା। ସାମାନ୍ୟ ମୁଢ଼ି ପାଇଁ କିଏ କାହିଁ କାନ୍ଦିବ!! ସେଦିନ ରାଜୁର ଏଭଳି କାନ୍ଦିବାର କାରଣ ମୁଁ ଜାଣି ପାରି ନଥିଲି। ଅବଶ୍ୟ କିଛି ଦିନ ପରେ ଜାଣିବାକୁ ପାଇଲି, ରାଜୁ ଛଅ ମାସ ତଳେ ଘରକୁ ଯାଇଥିଲା। ସେତେବେଳେ ତା ମାଆଙ୍କ ହାତଭଜା ମୁଢ଼ି, ସେ ନେଇକି ଆସିଥିଲା। ସେଇ ମୁଢ଼ି ସହ ଯୋଡ଼ି ହୋଇ ରହିଥିଲା, ତା ମାଆର ସ୍ନେହ, ତା ମାଆ ହାତର ସ୍ପର୍ଶ, ତା ମାଆ ହାତରନ୍ଧାର ସ୍ଵାଦ। ଛଅ ମାସ ହେଲାଣି ଘରକୁ ନ ଯାଇ ପାରିବା ତାକୁ ବାଧା ଦେଉଥିଲା। ହୁଏତ, ଏ ଲକଡାଉନ୍ କେବେ ସରିବ, ଏ ଅପେକ୍ଷା କେବେ ଅନ୍ତ ହେବ, ତାକୁ ଜଣା ନଥିଲା। ସେଥିପାଇଁ, ସେ ସାଇତି ରଖିଥିଲା, ତା ମାଆ ହାତ ତିଆରି ମୁଢି ଡବା, ଯାହା ତାକୁ ଘରଠାରୁ, ହଜାର କିମି ଦୂରରେ ବି ତା ଘରର ଉପସ୍ଥିତି ଜଣାଇ ଦେଉଥିଲା।

ସତରେ ମାଆ ହାତ ରନ୍ଧାର ମୋହଟା କେତେ ନିଆରା ନା!!