Latest Odisha News

BREAKING NEWS

ଗଳ୍ପ : ଅନ୍ଧକାରର ଅନୁଭୂତି

ଶ୍ରୀୟା   

ମଧୁ- ଉଆଁସୀ ରାତିଟାରେ ଏକଲା ଛାତ ଉପରେ କାହିଁକି ବସିଛ ଯେ?
ବିକ୍ରମ- କଣ କାମ ଥିଲା କି ମୋ’ ଠି? କହୁନ…
ମଧୁ- ନା, ନା…. ସେମିତି ନୁହେଁ ଯେ, ହେଲେ ବିକ୍ରମ, ଅନ୍ଧାରଟା କଣ ଏତେ ଭଲ ଲାଗେ, ତୁମକୁ?
ବିକ୍ରମ- ଅନ୍ଧାର ଗୋଟେ ଅନୁଭୂତି…..! ନିସ୍ତବ୍ଧ ଅମା ରଜନୀର ଅସ୍ତିତ୍ତ୍ୱ ବିନା, ଆଲୋକର ସମ୍ଭାରକୁ ଉପଲବ୍ଧି କରିବା ଅସମ୍ଭବ ନୁହେଁ କି?
ମଧୁ- ହଁ, ତା’ ସତ । କିନ୍ତୁ ଅନେକ ସମୟରେ ଅନ୍ଧକାର ଜୀବନର ବିଯୁକ୍ତାତ୍ମକ ଦିଗ ଉପରେ ଆଲୋକପାତ କରେ । ଅନେକ ଅକୁହା ବେଦନା, ଅସ୍ପଷ୍ଟ ସିଦ୍ଧାନ୍ତ ସବୁକୁ ଚକ୍ରବ୍ୟୁହରେ ଛନ୍ଦି ଦିଏ । ଅତୀତର କଷ୍ଟ ଏବଂ କ୍ଳେଶ ସବୁ ଗଳା ଚାରିପଟେ ଗୁଡ଼େଇ ତୁଡେଇ ହେବା ପରି ଲାଗେ ।
ବିକ୍ରମ- ରାସ୍ତାକଡ଼ର ଅଳିଆ ଗଦା ଦେଖିଛ ମଧୁ?
ମଧୁ- ହଁ…
ବିକ୍ରମ- ତାକୁ ଦେଖିଲେ ମନରେ କଣ ଆସେ?
ମଧୁ- ସେଇଟା ଦୃଷ୍ଟିକଟୁ । ଅଳିଆ ଗଦା ଦେଖି ଅଶାନ୍ତି ହିଁ ହେବ ନା ମନ!
ବିକ୍ରମ- ଆଉ ଯଦି ସେଇ ଅଳିଆକୁ ରାସ୍ତା କଡ଼ରୁ ଉଠେଇ ନେଇ ଡଷ୍ଟବିନରେ ରଖି ଢ଼ାଙ୍କୁଣୀ ଦେଇ ଦିଆଯାଏ, ତେବେ, ଅଳିଆର ଅସ୍ତିତ୍ତ୍ୱ ତ ହଜିଯିବନି….
ମଧୁ- ତୁମେ କହିବାକୁ କଣ ଚାହୁଁଛ?
ବିକ୍ରମ- କ୍ଳେଶ କ୍ଳାନ୍ତି, ଏସବୁ ମଣିଷର ମାନସିକ ସ୍ଥିତି । ସ୍ଥିତିକୁ ଦେଖିହୁଏନି ମଧୁ, କେବଳ ଅନୁଭବ କରିହୁଏ । ଆଉ ଯାହାକୁ କେବଳ ଅନୁଭବ କରିହୁଏ, ତା ପାଇଁ ଆଲୋକର ଆବଶ୍ୟକତା ହିଁ କଣ?
ମଧୁ- ତେବେ କଣ କହୁଛ ଅନ୍ଧାରରେ ବିତୃଷ୍ନାର ଅନୁଭବ କରିବା ବି ଏକପ୍ରକାର ମାନସିକ ସ୍ଥିତି?
ବିକ୍ରମ- କେବେ ବାୟୁ ଓ ବିରାମ, ତାପ ଓ ତୃଷ୍ନା, ଜାଡ଼ ଓ ଜ୍ୟେଷ୍ଠକୁ ଆଖିରେ ଦେଖିଛ ମଧୁ? ସେମାନଙ୍କ ଉପସ୍ଥିତିକୁ ମନୁଷ୍ୟ ନିଜ ମନ ଆନୁସାରେ ହିଁ ଗ୍ରହଣ କରେ । କାହାକୁ ଜାଡ଼ ଭଲ ଲାଗେ, ତ କାହାକୁ ଜ୍ୟେଷ୍ଠ । ଠିକ ସେମିତି, ଅନ୍ଧକାର ଏକ ଅନୁଭୂତି, ଏକ ସ୍ୱଚ୍ଛ କୁହୁକ ଦର୍ପଣ । ଏ ଦର୍ପଣ ସେଇଆ ଦେଖାଏ, ଯାହା ମଣିଷ ଦେଖିବାକୁ ଚାହେଁ । ବିତୃଷ୍ନାର ସାଗରରେ ବୁଡ଼ି ରହିଲେ ସନ୍ତୋଷ ହଜିଯାଏନି, କି ନିସ୍ତବ୍ଧତା ଭିତରେ ଅନ୍ତଃସ୍ବର ଖୋଜିବାକୁ ଗଲେ ଆତ୍ମାର ଚିତ୍କାର ମରିଯାଏନି ।
ମଧୁ- ମୋଟ ଉପରେ କହିବାକୁ ଗଲେ, ତୁମକୁ ଅନ୍ଧାର ଭଲ ଲାଗେ । ସେଇଆ ତ?
ବିକ୍ରମ- ହଁ, ଆଲୋକର ଅନୁପସ୍ଥିତିରେ ଆତ୍ମାର ଉପସ୍ଥିତି….
ମଧୁ- ଥାଉ ସେତିକି । ଆଜି ଠାରୁ, ଶୋଇଲା ବେଳେ ଲାଇଟ ଲିଭେଇକି ଶୋଇବ । ଏଣେ ଅନ୍ଧାରରେ ତତ୍ତ୍ୱ ଜ୍ଞାନ ଖୋଜୁଛ, ତେଣେ ଶୋଇଲା ବେଳେ ଆଲୁଅ ନ ହେଲେ ଡରୁଚ । କି ଲୋକ ଯେ ତୁମେ….
ବିକ୍ରମ- ହା ହା, ଲୋକଟା ତୁମରି ହିଁ…
ମଧୁ- ଧେତ୍….

Leave A Reply

Your email address will not be published.