Latest Odisha News

BREAKING NEWS

ଅନୁବାଦ ଗଳ୍ପ : କ୍ଷତିପୂରଣ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧

ମୂଳ ହିନ୍ଦୀ: ନାରାୟଣ ଭାରତୀ                                                                                             
ଓଡ଼ିଆ ରୂପାନ୍ତର: ସୁଭାଷ ଶତପଥୀ

“ଆଚ୍ଛା ଭାଇ, ଏଠି କ୍ଷତିପୂରଣ ଟଙ୍କା ଦେବା କଥା କେଉଁ ବାବୁ ବୁଝୁଚନ୍ତି?” ଜୋହରମଲ୍‍ ଦ୍ୱିତୀୟ ନମ୍ବର କ୍ୟାମ୍ପ୍‍ ଅଫିସ୍‍ ବାରଣ୍ଡାରେ ରୁଣ୍ଡ ହୋଇଥିବା ଲୋକମାନଙ୍କୁ ପଚାରିଲା ।

“ମଉସା, ଏଠି ତ କ୍ଷତିପୂରଣ ଟଙ୍କା ମିଳୁନି । ଏଠି କେବଳ ନିଜର କ୍ଷୟକ୍ଷତି ବିଷୟ ଓ ତା’ର ମୂଲ୍ୟ ଲେଖି ଅର୍ଜି ଦିଆଯାଉଚି ।” ପାଖରେ ଠିଆ ହୋଇଥିବା ଜଣେ ଲୋକ ସାମାନ୍ୟ ହସି ଜୋହରମଲର ଏପରି ନିରୀହ ପ୍ରଶ୍ନର ଉତ୍ତର ଦେଲା ।

“ମଉସା, ଏଇଆଡ଼େ ଆସନ୍ତୁ । ମୁଁ ବି ଗୋଟିଏ ଅର୍ଜି ଦେଉଚି । ଏଇ ବାବୁ ସେସବୁ ଟାଇପ୍‍ କରୁଚନ୍ତି ।” ଟାଇପିଷ୍ଟ୍‍ ପାଖରେ ବସିଥିବା ଆଉ ଜଣେ ଅପରିଚିତ ଲୋକ କହିଲା ।

“ଭାଇ, ମୁଁ ତ ଏମିତିକା ଅର୍ଜି କେମିତି ଲେଖିବାକୁ ହବ ସେକଥା ବି ଜାଣିନି । ହଁ, ମୋ ପୁଅ ଅବଶ୍ୟ ଇଂଲିଶ ସ୍କୁଲରେ ପଢ଼ୁଚି । ହେଲେ ଏଠି ଅଫିସର ବାବୁମାନଙ୍କର ମର୍ଜି ଅନୁସାରେ ଲେଖିବା ଦରକାର । ନ ହେଲେ ପୁଣି ସେମାନେ ପରେ କହିବେ- ଏଇଟା ପୂରଣ କରିନ, ସେଇଟା ଲେଖିନ, ଆହୁରି କେତେ କଅଣ । ସେଇଥିଲାଗି ମୋ କହିବା କଥାଟା ହେଲା, ଯଦି ଆମ ଅର୍ଜି ଲେଖିବାକୁ ଅଫିସ୍‍ର ବାବୁମାନଙ୍କୁ ଟଙ୍କେ କି ଦି’ଟଙ୍କା ହାତଗୁଞ୍ଜା ଦିଆଯାଏ, ତା’ହେଲେ ଆମେ କ’ଣ ଗରିବ ହୋଇଯିବା?”

କେହି ଜଣେ ଜୋହରମଲକୁ ନିଜ ପାଖରେ ବସିବା ଉଦ୍ଦେଶ୍ୟରେ ଡାକିଲା, “ଆସ ମଉସା, ଏଇଠି ଆସି ବସ ।” ଜୋହରମଲ ବେଞ୍ଚ୍‍ଟି ଉପରେ ବସି ପଡ଼ୁପଡ଼ୁ ଦୀର୍ଘଶ୍ୱାସଟିଏ ଛାଡ଼ି କହିଲା, “ହେ ଭଗବାନ! ଏଇ ଗଲାକାଲି ମାଣିକଲାଲ୍‍ କହୁଥିଲାଯେ ଯାହାର ଯାହା ଧନସମ୍ପତ୍ତି କ୍ଷତି ନଷ୍ଟ ହେଇଚି କି ଯିଏ ଯାହା ସମ୍ପତ୍ତି ଆରପଟେ (ପାକିସ୍ତାନରେ) ଛାଡ଼ିଆସିଚି, ସରକାର ସେସବୁ କ୍ଷତିପୂରଣ ଭରଣା କରିବେ । ସେଇଥିଲାଗି କାଳେ ସରକାର ଦରଖାସ୍ତ ମଗାଉଛନ୍ତି । କାହାର କେତେ ସମ୍ପତ୍ତି କ୍ଷତି ଘଟିଚି ସରକାର ଏଇ ଦରଖାସ୍ତରୁ ସେସବୁ ଜାଣିପାରିବେ । ମୁଁ ଭାବୁଚି, ଆମେମାନେ ଏତେ ଏତେ ସମ୍ପତ୍ତି ହରେଇଚୁ ଯେ ସେସବୁ ଅର୍ଜି ଲେଖି ଜଣେଇବା ଦରକାର ।”

ଏତିକି କହି ଜୋହରମଲ୍‍ ନିଜ ପକେଟରୁ ବିଡ଼ିଖଣ୍ଡେ କାଢ଼ି ସେଥିରେ ନିଆଁ ଧରେଇଲା ।

“ଆରେ ଭାଇ, ତୁମେ କ’ଣ ଭାବୁଚ ସରକାର ଏଇ ଅର୍ଜି ଦେଖି ଟଙ୍କା କାଢ଼ି ଆମ ହାତକୁ ଖଡ଼ଖଡ଼ କରି ଗଣିଦେବେ! ଏସବୁ କେବଳ ଆକଳନ । କେହି ଜାଣିନାହାନ୍ତି ସରକାର ସତରେ କ’ଣ କରିବାକୁ ଯାଉଚନ୍ତି । ଆମେ ଯଦି ଲିଖିତ ଦରଖାସ୍ତ ନଦେବା ତା’ହେଲେ କ୍ଷୟକ୍ଷତି ପରିମାଣ ଜଣା ପଡ଼ିବନି । ଆଉ ଯଦି ସୌଭାଗ୍ୟବଶତଃ ସରକାର କ୍ଷତିପୂରଣ ଦେବେ ବୋଲି ଯେଉଁ ପ୍ରତିଶ୍ରୁତି ଦେଇଚନ୍ତି ସେକଥା ପୂରଣ କରିବେ ବୋଲି ନିଷ୍ପତ୍ତି ନିଅନ୍ତି, ତା’ହେଲେ ହୁଏତ କିଛି ମିଳିବ । ନହେଲେ ଆମେ କେବଳ ସରକାରଙ୍କୁ ଗାଳି ଦେଇ ଚାଲିଥିବା, ଅଭିଶାପ ବର୍ଷୁଥିବା ।

ତେଣୁ ମନରୁ ଏପରି ଆଶା ପୋଛିଦେବା ଦରକାର । ଆରେ, ଯାହା ଭାଗ୍ୟରେ ଅଛି, ସେଇଆ ହିଁ ଘଟିବ । ଯଦି ଆମକୁ କିଛି କ୍ଷତିପୂରଣ ନମିଳେ, ତା’ହେଲେ ବର୍ତ୍ତମାନଠାରୁ ଆଉ ଭଲା ଆମକୁ ଅଧିକ କି ଦୁର୍ଦ୍ଦଶା ଭୋଗ କରିବାକୁ ପଡ଼ିବ ?” ଜୋହରମଲ ପାଖରେ ବସିଥିବା ଅନ୍ୟ ଜଣେ ବୃଦ୍ଧବ୍ୟକ୍ତି କହିଲେ । ପାଖରେ ବସି ଟାଇପ୍‍ କରୁଥିବା ଟାଇପିଷ୍ଟ୍‍ ବାବୁ ତାଙ୍କ ଅଙ୍ଗୁଳି ଚାଳନା ସହ ଧୀର ଗଳାରେ କହିଚାଲିଲେ, “ପଶ୍ଚିମ ପଟକୁ ସର୍ବସାଧାରଣ ରାସ୍ତା, ପୂର୍ବ ପଟକୁ ଖାନ୍‍ ମହମ୍ମଦଙ୍କ କୋଠାଘର, ଉତ୍ତର ପଟକୁ ଶେଠ୍‍ ଫଗୁନମଲଙ୍କ
ଅତିଥିଶାଳା- ମୋଟ ସ୍ଥାନ ହେଲା ତିନି ହଜାର ବର୍ଗଫୁଟ, ଦି’ମହଲା ଘର ।” ଏତିକି କହି ସେ ତାଙ୍କ ପାଖକୁ ଲାଗି ବସିଥିବା ଲୋକମାନଙ୍କ ଆଡ଼କୁ ମୁହଁ ବୁଲେଇ ଚାହିଁଲା । ଗୋଟି ଗୋଟି କରି ସମସ୍ତ ଫାରମ ପୂରଣ କଲା ।

ଏଥର ଜୋହରମଲ ଆଡ଼କୁ ଚାହିଁ ପଚାରିଲା, “ହଁ, ତୁମର କ’ଣ ଦରକାର, କହିଲ ?”

“ଭାଇ, ତୁମେ ମତେ ଯାହା କହିବ ମୁଁ ସେଇଆ ଲେଖିବି । ଆମେ ତ ଆମ ସଂସାର, ଆମ ମାନସମ୍ମାନ, ଆମର ବନ୍ଧୁବାନ୍ଧବ, ସବୁକିଛି ସେଠି ଛାଡ଼ିଆସିଚୁ । ପୁଣି କେତେବେଳେ ଭଗବାନଙ୍କର ଆମ ଉପରେ ଦୟା ହେଉଚି କେଜାଣି? ଆମ ଉଜୁଡ଼ା ସଂସାର ପୁଣି କେବେ ସଜାଡ଼ିହେବ ସେକଥା କିଏ କହିବ?”

“ତୁମ ନାଁ କଣ?”
“ମୋ ନାଁ? ଆଜ୍ଞା, ମୋ ନାଁ ଜୋହରମଲ ।”

ଟାଇପିଷ୍ଟ ବାବୁ ତାଙ୍କ ଟାଇପ ରାଇଟରର ଅକ୍ଷରବୋର୍ଡ଼ ଉପରେ କେଇଥର ଅଙ୍ଗୁଳିଚାଳନା କରି କହିଲେ,
“ଜୋହରମଲ…ହଁ…ଜୋହରମଲ….ବାପାଙ୍କ ନାଁ…?”
“ଜୋହରମଲ, ବାପା ନାଁ ଭାଇ ୱାସିଓମଲ ।”

ପୁଣି ଥରେ ନିଜର ଅଙ୍ଗୁଳିକୁ କେଇଟା ଅକ୍ଷର ଉପରେ ବାଡ଼େଇ ନେଇ ଟାଇପିଷ୍ଟ ବାବୁ ପଚାରିଲେ, “ତୁମ ସାଙ୍ଗିଆ କଣ?”

“ନଙ୍ଗଦେବ ।”

ଟାଇପିଷ୍ଟ ଏ ଶବ୍ଦଟିକୁ ବାଡ଼େଇନେଲେ । “ଆଚ୍ଛା, ତୁମେ ପାକିସ୍ତାରରେ କେଉଁଠି ରହୁଥିଲ? କେଉଁ ତାଲୁକ, କେଉଁ ଜିଲ୍ଲାରେ?”
“ହଁ, ହଁ ହେଲା । ଗାଁ ହେଲା ହଲ୍ଲା, ତାଲୁକ କମ୍ବର, ଜିଲ୍ଲା ଲାରକାନା ।”

ଟାଇପିଷ୍ଟ ଏସବୁ ଶବ୍ଦ କେଇଟାକୁ ଚଟାପଟ୍‍ ଟାଇପ କରିନେଇ ପୁଣି ପଚାରିଲେ, “ ତୁମେ ତୁମ ସମ୍ପତ୍ତି ତାଲିକା ବିବରଣୀ ସାଙ୍ଗରେ ଆଣିଛ?”

“ କି ତାଲିକା?”

“ସ୍ଥାବର, ଅସ୍ଥାବର, ସବୁ ସମ୍ପତ୍ତି ତାଲିକା । ଯେମିତି ତୁମର କେତେ ଜମି ଥିଲା, କେଇ ବଖରା ଘର ଥିଲା, ସେସବୁ କେଉଁଠି କେଉଁଠି ଥିଲା, ସେସବୁର ଆକାର ଓ ଆନୁମାନିକ ମୂଲ୍ୟ କେତେ? ଜମିବାଡ଼ି ସବୁ ଲିଜରେ ନେଇଥିଲ ନା କିଣିଥିଲ? ଯଦି କିଣିଥିଲ, କେତେ କେତେ ଟଙ୍କା ଦେଇ କିଣିଥିଲ? ସେସବୁ କିଣାବିକାରେ ତୁମେ ସରକାରଙ୍କୁ ଟ୍ୟାକ୍ସ ଦେଇଥିଲ ବୋଲି ରେଭିନ୍ୟୁ ଅଫିସରଙ୍କ ପାଖରୁ କିଛି ରସିଦ ପାଇଥିଲ କି ନାହିଁ ? ଯଦି ପାଇଥିଲ ସେ ରସିଦ ତୁମ ପାଖରେ ଏବେ ଅଛି କି ନାହିଁ? ସେ ଜମିର ମୂଲ୍ୟ କେତେ ଦେଇ କିଣିଥିଲ? ସବୁ ଜିନିଷର ହିସାବ ଦରକାର ।”

ଜୋହରମଲ ଆବାକାବା ହୋଇ ଟାଇପିଷ୍ଟ ବାବୁଙ୍କ ମୁହଁକୁ ଚାହିଁ ରହିଲା । ଏସବୁ କଥା ତା’ କାନରେ ସେ ପ୍ରଥମ ଥର ଲାଗି ଶୁଣୁଥିଲା । ସିଏ ମନେ ମନେ ଭାବିଲା, ‘ଏସବୁ କାଗଜପତ୍ର ତ ମୋ ପାଖରେ ନାହିଁ । ମାଣିକମଲ ତ ମତେ କହିଥିଲା, ତୁମେ ଯାହା ଯାହା କହିବ ସେସବୁ ଏମାନେ ଲେଖି ରଖିବେ, ହେଲେ ଏମାନେ ତ… । ତେବେ ସିଏ ଯାହା ହେଉ ମୁଁ ବି ଜାତିରେ ସିନ୍ଧି । ଏଇ ପରିଚୟ କ’ଣ ମୋ ପାଇଁ ଯଥେଷ୍ଟ ନୁହେଁ ?’

ଜୋହରମଲକୁ ଏଥର ଚିନ୍ତାମଗ୍ନ ହୋଇ ପଡ଼ିବାର ଦେଖି ଟାଇପିଷ୍ଟ ବାବୁ ତାଙ୍କୁ ପୁଣି ଥରେ ପଚାରିଲେ, “ପାକିସ୍ତାନରେ ତୁମେ କେତେ ମୂଲ୍ୟର ସମ୍ପତ୍ତି ଛାଡ଼ି ଆସିଛ ? କେଇଟା ଘର, କେତେ ଜମିବାଡ଼ି ଓ ଅନ୍ୟାନ୍ୟ ସମ୍ପତ୍ତି?”

ହଠାତ୍‍ ସ୍ୱପ୍ନଦେଖି ଚିହିଁକି ଉଠିଲା ପରି ଜୋହରମଲ କହିଉଠିଲା, “ଆଚ୍ଛା ଭାଇ, ମୋ ସମ୍ପତ୍ତିବାଡ଼ିର ହିସାବ ହେଲା ଏଇଆ… ମତେ ତୁମେ ପ୍ରଥମେ ଟିକେ ହଡ଼ବଡ଼େଇ ଦେଲ ।

ହଉ, ଏଥର ଲେଖ । ଜୋହରମଲ, ପିତା- ୱାସିଓମଲ, ସାଙ୍ଗିଆ- ନଙ୍ଗଦେବ । ସାରା ସନ୍ଧୁ ପ୍ରଦେଶକୁ ମୁଁ ପାକିସ୍ତାନରେ ଛାଡ଼ିଆସିଚି । ତେଣୁ ମୋ କ୍ଷତିପୂରଣ ଅର୍ଜିରେ ମୁଁ ସାରା ସନ୍ଧୁ ପ୍ରଦେଶକୁ ଫେରି ପାଇବା ଲାଗି ଦାବି କରୁଚି । ମତେ ମୋ ସିନ୍ଧୁ ପ୍ରଦେଶକୁ ଫେରେଇ
ଦିଆଯାଉ । ଆଉ ତା’ର ପ୍ରମାଣ ହେଲା ଜୋହରମଲ ଜଣେ ସିନ୍ଧି । ତା’ ମାତୃଭାଷା ହେଲା ସିନ୍ଧି, ଆଉ ତା’ର ସଂସ୍କୃତି ହେଲା ସିନ୍ଧି ।”

“ମଉସା, ତୁମେ ବଡ଼ ଅଜବ ଲୋକ । ଏକଥା ଭଲା ତୁମ କ୍ଷତିପୂରଣ ଅର୍ଜିରେ ମୁଁ କେମିତି ଲେଖିବି? ସାରା ସିନ୍ଧୁ ପ୍ରଦେଶରୁ ତୁମର ଜମିଜମା କେତେ?”

“ମୁଁ ସିନ୍ଧୁ ପ୍ରଦେଶରେ କ’ଣ ଛାଡ଼ି ଆସିଛି? କେତେ ଜମିଜମା ଛାଡ଼ି ଆସିଚି? ମୁଁ ମୋର ଅତି ପ୍ରିୟ ସିନ୍ଧୁ ପ୍ରଦେଶକୁ ଗୋଟାପଣେ ଛାଡ଼ି ଆସିଛି । ସିନ୍ଧୁ ପ୍ରଦେଶ ଯଦି ମୋର ନୁହେଁ, ତା’ ହେଲେ ସିଏ କାହାର? ଆମେ ସିନ୍ଧିମାନେ ଆମର ସବୁ ସୁଖ,ଶାନ୍ତି ଓ ଆନନ୍ଦକୁ ସେଠି ଛାଡ଼ିଆସିଚୁ । ଜୀବନ ବିକଳରେ ଏଠିକି ପଳେଇ ଆସିଚୁ ।“ତୁମେ ଯଦି ସେକଥା ଭାବୁଥାଅ, ତା’ହେଲେ ସେଇଟା ତୁମର ଭ୍ରମ । ସେ ଧାରଣ ତୁମ ମନରୁ ପୋଛି ପକାଅ ।” “ମୋର ଏ ଶରୀରର ପ୍ରତିଟି ଅଙ୍ଗ ପ୍ରତ୍ୟଙ୍ଗରେ ସିନ୍ଧୁ ପ୍ରଦେଶର ସ୍ମୃତି ଜଡ଼ିରହିଚି । ମୁଁ ଜଣେ ସିନ୍ଧି ଓ ସିନ୍ଧୁପ୍ରଦେଶ ଗୋଟାପଣେ ମୋର ।

ତେଣୁ ତାକୁ ଫେରିପାଇବା ଲାଗି ମୋର କ୍ଷତିପୂରଣ ଅର୍ଜିରେ ଲେଖିବାର ସମସ୍ତ ଅଧିକାର ଅଛି । ମୁଁ ଶୁଣିଛି, ପଞ୍ଜାବୀମାନେ ସେମାନଙ୍କ ପଞ୍ଜାବ ଫେରିପାଇଲେ । ବଙ୍ଗାଳୀମାନେ ସେମାନଙ୍କ ବଙ୍ଗଳା ଫେରିପାଇଲେ । ତା’ହେଲେ ଆମେ କି ପାପ କରିଚୁ ଯେ ଆମକୁ ଆମ ସିନ୍ଧୁପ୍ରଦେଶକୁ ଫେରାଯିବ ନାହିଁ?” ଜୋହରମଲ ଗୋଟାପଣେ ଭାବାବେଗରେ ଏକା ନିଃଶ୍ୱାସକେ ଏତେସବୁ କଥା କହିଗଲା ।

ଜୋହରମଲର ଏପରି କଥା ଶୁଣି ପାଖରେ ବସିଥିବା ଲୋକମାନେ ହୋ ହୋ ହୋଇ ହସିଉଠିଲେ । ଏପରିକି ହାକିମବାବୁ ବି ନିଜ ହସକୁ ଚାପି ରଖି ନପାରି ମୁରିକି ହସିଲେ । ଜୋହରମଲ ସମସ୍ତଙ୍କ ଆଡ଼କୁ ଥରେ ଆଖି ଘୂରେଇ ଚାହିଁଲା ଓ ପୁଣି କହିବାକୁ ଆରମ୍ଭ କଲା, “ଆଚ୍ଛା, ମୁଁ ଆପଣଙ୍କୁ ସମସ୍ତଙ୍କୁ ଏଇ କଥାଟି ଉପରେ ବିଚାର କରିବାଲାଗି ଅନୁରୋଧ କରୁଚି । ଆମେ ସମସ୍ତେ ତ ସିନ୍ଧୁ ପ୍ରଦେଶ ଛାଡ଼ି ଆସିଚେ । ଆପଣମାନଙ୍କୁ ସମସ୍ତଙ୍କୁ ହାକିମବାବୁ ଏମିତିକିଆ ଜଟିଳ ପ୍ରଶ୍ନ ପଚାରିଚନ୍ତି ନା ମତେ ବୁଢ଼ାଲୋକ ଦେଖି ପରିହାସ କରୁଚିନ୍ତ?”

“ନାଇଁ ମଉସା, ମୁଁ ତୁମକୁ ପରିହାସ କରୁନି । ସରକାରଙ୍କର ଯାହା ନୀତି ନିୟମ ମୁଁ କେବଳ ସେଇଆ ପଚାରୁଚି । ସରକାରଙ୍କର ଜାଣିବା କଥା, ଯିଏ ଯେତେ ପରିମାଣର ବ୍ୟକ୍ତିଗତ ଧନସମ୍ପତ୍ତି ପାକିସ୍ତାନରେ ଛାଡ଼ି ଆସିଚି, ସେସବୁ ଟିକିନିଖି ଭାବେ ହିସାବ କରି ଦାବି କରିପାରିବ । ଆଉ କିଛି ନୁହଁ । ତୁମେ ନିଜେ ଦେଖ, ଅନ୍ୟମାନେ ସେମାନଙ୍କ ଅର୍ଜିରେ କେମିତି କ୍ଷତିପୂରଣ ତାଲିକା ଦେଇଚନ୍ତି । ମୁଁ ଗୋଟିଏ ଅର୍ଜି ପଢ଼ି ଶୁଣଉଛି ।

ତୋଫାନମଲ, ପିତା- ଗୋନୁମଲ ପ୍ରେମଚଲାନୀ, ଗାଁ- ସଜାୱାଲ, ତାଲୁକ- ମିରୋଖାନ୍‍, ଜିଲ୍ଲା- ଲାରକାନା । ତା’ର କ୍ଷତିପୂରଣ ତାଲିକା ହେଲା ଦି’ଟା ଘର- ସେଥିରୁ ଗୋଟିଏ ଏକମହଲା କୋଠା । ଘରର ଆକାର ହେଲା ଦି’ହଜାର ବର୍ଗଫୁଟ । ପଶ୍ଚିମମୁହାଁ । ଜମିବାଡ଼ି ହେଲା ପଚାଶ ଏକର- ମୋଟ ସମ୍ପତ୍ତିର ପରିମାଣ ପନ୍ଦର ହଜାର ଟଙ୍କା । ତେଣୁ ସିଏ ପନ୍ଦର ହଜାର ଟଙ୍କାର କ୍ଷତିପୂରଣ ଦାବି କରିଚି ।”

ଏକଥା ଶୁଣି ଜୋହରମଲର ମୁହଁ ଏକବାରେ ଶେତା ପଡ଼ିଗଲା । ସେ ସ୍ୱପ୍ନରେ ସୁଦ୍ଧା ବିଶ୍ୱାସ କରୁନଥିଲା ଯେ ସିନ୍ଧି ଲୋକମାନେ ଏତେ ଶୀଘ୍ର ସେମାନଙ୍କର ପ୍ରିୟ ସିନ୍ଧୁ ପ୍ରଦେଶକୁ ଭୁଲିଯିବେ ଓ ନିଜେ ନିଜର ଜମି କେଇ ଏକର ଅବା ଘର କେଇଟା ସକାଶେ କ୍ଷତିପୂରଣ ଦାବି କରିବସିବେ । ହାକିମଙ୍କ ଆଡ଼େ ମୁହଁ ବୁଲେଇଆଣି ସେ କହିଲା, “ସା’ବ୍‍, ଆପଣ କ’ଣ ସିନ୍ଧି ଲୋକ ନୁହନ୍ତି? ଆପଣଙ୍କ ବାପା ଅଜା ସିନ୍ଧିଲୋକ ନଥିଲେ? ଆପଣ କ’ଣ ସକ୍କୁର ନଦୀର ପାଣି ପିଇ ନାହାନ୍ତି? ସିନ୍ଧୁ ନଦୀରେ କେବେ ଗାଧୋଇ ନାହାନ୍ତି ? ଆଉ ଆପଣ ନିଜେ କହୁଚନ୍ତିଯେ ମୁଁ ମୋ ସିନ୍ଧୁ ପ୍ରଦେଶକୁ କ୍ଷତିପୂରଣ ଅର୍ଜିରେ ଦାବି କରି ପାରିବିନି ? ସିନ୍ଧୁ ପ୍ରଦେଶ ହେଲା ଆମ ବାପଜେଜେଙ୍କ ଭୂଇଁ,
ଆମ ନିଜର ଜନ୍ମଭୂମି । ତା’ରି ପାଣି ପବନରେ ଆମେ ଜନ୍ମ ନେଇଚୁ, ବଢ଼ିଚୁ, ଖେଳିଚୁ, ବୁଲିଚୁ । ତା’ ଉପରେ ଆମ ଅଧିକାର କ’ଣ ଦିନ କେଇଟାରେ ଲୋପ ପାଇଗଲା! ରଜବ୍‍, ରମଜାନ୍‍, ମେହବୁବ୍‍ଙ୍କ ଭଳିଆ ଭାଇଙ୍କୁ ତ ଆମେ ସବୁଦିନ ଲାଗ ହରେଇ ବସିଚୁ । ସେମାନଙ୍କ ବନ୍ଧୁତା କ’ଣ ମୁଁ ଆଉ ଫେରିପାଇବି?”

ଜୋହରମଲ ପୁଣି ଥରେ ଭାବାବେଗରେ ଗୋଟାପଣେ ଆବିଷ୍ଟ ହୋଇପଡ଼ିଲା । ତା’ ଆଖିରୁ ଧାର ଧାର ଲୁହ ଗଡ଼ିଆସିଲା ।
ଟାଇପିଷ୍ଟ ବାବୁ ତାକୁ ପୁଣି ଥରେ ବୁଝାଇବାକୁ ଯାଇ କହିଲେ, “ହେଲେ ମଉସା ? ”

ଟାଇପିଷ୍ଟ ବାବୁଙ୍କ କଥା ପ୍ରତି ଧ୍ୟାନ ନଦେଇ ସିଏ ପୁଣି କହିଚାଲିଲା, “ହଉ, ତୁମେମାନେ ଯାହା ଉଚିତ ଭାବୁଛ , ସେଇଆ କର । ସେଇଆ ଠିକ୍‍ । ମୋର କିଛି କ୍ଷତିପୂରଣ ନେବାର ନାଇଁ କି ଦାବି ଦରଖାସ୍ତ କରିବାର ନାହିଁ । ସିନ୍ଧୁ ପ୍ରଦେଶ ଯଦି ନର୍କକୁ ଗଲା ମୋର ସେଥିରେ ଅବା ଯାଏ ଆସେ କେତେ? ମୋର ଅବା କ’ଣ କ୍ଷତି ଘଟିଲା? ମୁଁ କାଇଁକି ଭଲା ତୁମ ଆଗରେ ମୋ କ୍ଷୟକ୍ଷତିର ଚିଠା ପେଶ୍‍ କରିବି ? ମୋ ଘରବାଡ଼ି କି ଜମିଜମା ଅପେକ୍ଷା ମୋର ସାଙ୍ଗସାଥୀ ଓ ପ୍ରିୟଜନମାନେ ଅଧିକ ମୂଲ୍ୟବାନ । ସିନ୍ଧୁ ପ୍ରଦେଶ ହେଲା ମୋ ଜନ୍ମମାଟି । ମୁଁ କେବଳ ସେ ଜାଗା ଛାଡ଼ି ଏଠିକି ପଳେଇ ଆସିଲି ମୋ ଜ୍ୱାଇଁର ଜିଦ୍‍ ଓ ଝିଅର କାନ୍ଦଣା ଦେଖି:  ନହେଲେ ସିନ୍ଧୁ
ଭୂଇଁ ଛାଡ଼ି ଜମ୍ମାରୁ ଏଠିକି ଆସିନଥାନ୍ତି ।”

ବିଚରା ଟାଇପିଷ୍ଟ ବାବୁ ମନେ ମନେ ଭାବୁଥିଲେ ଜୋହରମଲ ଯାହା ସବୁ କହିଯାଉଚି, ସେସବୁ ଅକ୍ଷରେ ଅକ୍ଷରେ ସତ । ସେ ମନକୁ ମନ କହିହେଲେ, ‘ ସତରେ, ଯଦି ଆମର କୌଣସି ଗୋଟିଏ ଦାବି ଥାଏ ତା’ହେଲେ ସେଇଟା ସିନ୍ଧୁ ପ୍ରଦେଶ । ଆମେ ସିନ୍ଧୁ ପ୍ରଦେଶ ଫେରି ପାଇବା ଦରକାର ।’ ତା’ର ବି ସିନ୍ଧୁ ପ୍ରଦେଶରେ ଅନେକ ସାଙ୍ଗସାଥୀ ଅଛନ୍ତି- ଅନୱାର, ହୁସେନ ମହମ୍ମଦ, ଅଲ୍ଲୀ ଓ ଆହୁରି ଅନେକ । ସେମାନଙ୍କ ସାଥିରେ ସିଏ ରମଜାନ ଗାର୍ଡନରେ ଖେଳିଚି, ବୁଲିଚି । ପୁଣି ସିଏ ନୁରନ୍‍କୁ ଭଲ ପାଉଥିଲା, ଗାଁ ହାଜିଙ୍କ ଝିଅ ନୁରନ୍‍ । ତା’ର ମନେ ପଡ଼ିଗଲା, ଲୁହଭରା ଆଖିରେ ନୁରନ୍‍ ତାକୁ କହିଥିଲା, “ମୋତେ ଭୁଲିଯିବନି । ଆଲ୍ଲା ଯଦି ଚାହାନ୍ତି, ତୁମେ ପୁଣି ମୋ ପାଖକୁ ଫେରିଆସିବ ଓ ତୁମ ଘରଦ୍ୱାର, ଜମିବାଡ଼ି ସବୁ କିଛି ଫେରିପାଇବ ।” ଏସବୁ କଥା ଗୋଟି ଗୋଟି ହୋଇ ତା’ ମନରେ ନାଚି ଉଠୁଥାଏ । ତା’ ଆଖି ଆଗରେ ଏବେ ସମଗ୍ର ସିନ୍ଧୁ ପ୍ରଦେଶର ମାନଚିତ୍ର ସତେକି ଦୃଶ୍ୟ ହେଲା- ସେଇ ପରିଚିତ ଶସ୍ୟକ୍ଷେତ, ସାଙ୍ଗସାଥୀ, ଅସଂଖ୍ୟ ପରିଚିତ ମୁହଁ । ସେ ଚିନ୍ତାକଲା, ‘ଆମରି ପରି କୋରିଆ ଦେଶ ବି ଦି ଭାଗ ହୋଇଚି । ଏବେସୁଦ୍ଧା ସେ ଲୋକମାନେ ଦୁଇ କୋରିଆର ମିଶ୍ରଣ ଲାଗି ସଂଗ୍ରାମ ଚଳାଇଚନ୍ତି ।

ହଠାତ୍‍ ସମ୍ବିତ୍‍ ଫେରିପାଇବା ପରି ଟାଇପିଷ୍ଟ ବାବୁ କହି ଉଠିଲା, “ ହଁ ମଉସା, ଆମକୁ ସତରେ ସିନ୍ଧୁ ପ୍ରଦେଶକୁ ଫେରିଯିବାକୁ ପଡ଼ିବ । ସିନ୍ଧୁ ପ୍ରଦେଶ ଆମର, ତୁମର, ଆମ ସମସ୍ତଙ୍କର । ତୁମ ଦାବି ଯଥାର୍ଥ । ମଉସା, ତୁମେ ଠିକ୍‍ କଥା କହିଚ । ସରକାରଙ୍କ ଦୃଷ୍ଟିରେ କି ତାଙ୍କ ନିୟମ ଅନୁସାରେ ହୁଏତ ଏଇଟା ଭୁଲ୍‍ ହୋଇଥାଇପାରେ ହେଲେ ଏଇ ଦାବିଟା ହିଁ ପ୍ରକୃତ ଦାବି । ଏଇଟା କେବଳ ତୁମ ଦାବି ନୁହେଁ, ଏଇଟା ମୋର ଦାବି ଓ ପ୍ରତ୍ୟେକ ସିନ୍ଧି ଲୋକର ଦାବି । ମଉସା, ମନଦୁଃଖ କରନା । ସମୟ ଚାଲିଯାଇନି । ବରଂ ସମୟ ଆସୁଚି, ଯେତେବେଳେ ସିନ୍ଧୁ ପ୍ରଦେଶକୁ ଫେରି ପାଇବା ଲାଗି ସବୁ ସିନ୍ଧି ଲୋକ ଦାବି କରିବସିବେ । ସେମାନଙ୍କ ନିଦ ଭାଙ୍ଗୁଚି, ସେମାନେ ନିଶ୍ଚୟ ସ୍ୱର ଉଠାଇବେ- ସିନ୍ଧୁ ପ୍ରଦେଶ ପାଇଁ, ସିନ୍ଧିୟତ୍‍ ପାଇଁ । ଯେତେବେଳେ ଭାରତ ଓ ପାକିସ୍ତାନରେ ଗଣତନ୍ତ୍ର ସୁପ୍ରତିଷ୍ଠିତ
ହେବ, ସେତେବେଳେ ଏଇ କୃତ୍ରିମ ବିଭାଜନର ପ୍ରାଚୀର ଆପେଆପେ ଭୁଶୁଡ଼ି ପଡ଼ିବ । ସେତେବେଳେ, ତୁମେ, ମୁଁ ଓ ଆମେ ସମସ୍ତେ ଆମ ପ୍ରକୃତ କ୍ଷତିପୂରଣ ପାଇପାରିବା ।

 

Leave A Reply

Your email address will not be published.