ଗପ: ଭୂତ

✍️ଶ୍ରୀୟା                                                                     

“ଭୂତ ଭୂତ ଭୂତ ! ବାରି ଆଡ଼େ ସନା ଭୂତ ଦେଖିଛି !”

ଆମେ ଚମକି ପଡ଼ିଲୁ ! କାକାଙ୍କ ଦେହତ୍ୟାଗ କରିବାର ମାସଟିଏ ପୁରି ନଥାଏ । ଏତଦବ୍ୟତୀତ ସନା ବି ଅନେକ ଥର ଆମକୁ କହିଛି , ସତେ ଯେମିତି କେହି ଜଣେ ତାକୁ ଚାହିଁ ରହିଛି । ନେପଥ୍ୟରୁ ଧୀମା ସ୍ୱରରେ ନାଁ ଧରି ଡାକୁଛି । ଯେତେ ହେଲେ ବି ପାଞ୍ଚ ଛଅ ବର୍ଷର ପିଲାଟେ ।

ଏତେ କମ ବୟସରେ ପିତାଙ୍କୁ ହରେଇବାର ଅର୍ଥ ସେ ମଧ୍ୟ ହୃଦୟଙ୍ଗମ କରିପାରିନି । ଖୁଡ଼ି ଆଗେ ଆଗେ ଦଉଡ଼ି ଗଲେ । ମୁଁ ବାଡ଼ି ଖଣ୍ଡେ ଧରି ଗାଁ ଲୋକଙ୍କୁ ଡାକିବାକୁ ଗଲି । ଆମେ ଛ ସାତ ଜଣ ହୋ ହାଲ୍ଲା କରି ବାଡ଼ି ବୁଲେଇ ଗଲା ବେଳକୁ ଖୁଡ଼ି ଅଚେତ ହୋଇ ପଡିଛନ୍ତି ରାସ୍ତାରେ ! ଘରର ଅନ୍ୟ ସଦସ୍ୟ ବୃନ୍ଦ ଟେକା ପଥର ପକାଉଛନ୍ତି ବାରି ଆଡ଼େ । କାମ କରୁଥିବା ଝିଅଟେ ଆସି କହିଲା , ଭାଇ ଭୂତ ହୁଁ ହାଁ ବି କରୁଛି ।

ମୋର ହାତ ଥରିଲାଣି ସେତେବେଳକୁ । ଦେଖୁ ଦେଖୁ ଅଧା ବୟସର ପିଲା ଦିଟା ଅନ୍ଧାଧୁନ ବାଡ଼ି ବୁଲେଇ ବୁଲେଇ ମାଡ଼ିଗଲେ ବାରି ଆଡ଼େ । ସେଠୁ ଶବ୍ଦ ଆସିଲା “ହେ , କଣ କରୁଚ ? ମାରିବ ନା କଣ ? ମତେ କାଇଁ ବାଡ଼ଉଛ ?” ଲଣ୍ଠନ ଧରି ମୁଁ ଭିତରକୁ ପଶି ଦେଖେ ତ ଜେଜେ ଠିଆ ହେଇଛନ୍ତି ସାମ୍ନାରେ । ଉଆଁସ ରାତିରେ ସେ ପିନ୍ଧିଛନ୍ତି ଧଳା ଧୋତି ଆଉ ଓଢ଼ିଛନ୍ତି ଧଳା ଗାମୁଛା । ରାତିରେ ଏପଟ ସେପଟ ଖାଇଛନ୍ତି ବୋଧେ ଅଡ଼ି ମାରୁଛନ୍ତି ଶିଆଳ ପରି ! ମୋତେ ଦେଖି ସିଧା କଷିଦେଲେ ଦୁଇଟି ଗରମ ଚାପୁଡ଼ା ! ” ବାଡ଼ି ବୁଲେଇବା ପାଇଁ ତୁ କହିଥିଲୁ ନା ??” ସନା ହସୁଥିଲା ଜେଜେଙ୍କୁ ଦେଖି, ମୁଁ ମୋ ଗାଲ ଆଉଁସିବାରେ ବ୍ୟସ୍ତ ଥିଲି ।