Latest Odisha News

BREAKING NEWS

ସ୍ପର୍ଶ : ଏକ ପ୍ରେମ କାହାଣୀ

ଭାସ୍ୱତୀ ବସୁ                                                                     

BjdElectrycity

ସିତାରର ତାର ଛୁଇଁ ମୂର୍ଚ୍ଛନା ସୃଷ୍ଟି କଲା ଭଳି କବୀରର ଆଙ୍ଗୁଠି ଛୁଁ ଥିଲା ପାରମିତାର ମଥା ଆଉ କପାଳ। ଆଃ ରିଅଲ ଶିଳ୍ପୀ ତ… ଆବେଶରେ ଆଖି ବନ୍ଦ କରି ଉପଭୋଗ କରୁଥାଏ ପାରମିତା। କେଶ ଗୁଚ୍ଛ ଭିତରେ ଧୀରେ ଧୀରେ ଚାଲୁଥିବା ଆଙ୍ଗୁଠି କପାଳକୁ ଛୁଇଁ ଫେରି ଯାଉଥାଏ ବାରମ୍ବାର ଆଉ ତୃଷିତ ହଉଥାଏ ପାରମିତାର ଗାଲ।
ଏ ଅତୃପ୍ତିରେ ବି ତ ତୃପ୍ତି ଲୁଚି ଥାଏ ।

ଆଜିକୁ କେତେ ବର୍ଷ ହେଇ ଗଲା ଅନିକେତ ତାକୁ ଏମିତି ଛୁଇଁ ନାହାଁନ୍ତି! ସେଇ ଯେବେ ନୂଆ ନୂଆ ପ୍ରେମ ହେଇଥିଲା, ସେତେବେଳେ ସେ ଏଇମିତି ଛୁଉଁ ଥିଲେ। ଏବେ ବି ଛୁଅଁନ୍ତି, କିନ୍ତୁ ଏଇ ଭିରୁପଣ, ଏଇ କେବଳ ମାତ୍ର ସ୍ପର୍ଶ କରିବାର ନିରୁତାପଣ ସେଥିରେ କାହିଁ? ତାଙ୍କ ସ୍ପର୍ଶ ଖୁବ୍ ଭଲ କିନ୍ତୁ ତାହା ଫୋର୍ ପ୍ଲେ ବ୍ୟତିତ ଅନ୍ୟ କିଛି ନୁହେଁ। ସ୍ପର୍ଶ ର ଆରମ୍ଭ ଯେମିତି ବି ହଉ ନା କାହିଁକି, ଶେଷ ହୁଏ ଶାରୀରିକ ମିଳନରେ। ଖୁବ୍ ଆକର୍ଷିତ ହୁଅନ୍ତି ସେ ପାରମିତାର ଶରୀର ପ୍ରତି। ବାହାଘର ର ନ ବର୍ଷ ପରେ ବି ଏ ସୌଭାଗ୍ୟ କେତେ ଝିଅ ପାଆନ୍ତି! ତଥାପି ପାରମିତା ବୁଝି ପାରେନି ଯେ ସେ ନିଜ ଦେହକୁ ନେଇ ଅହଙ୍କାର କରିବ ନା ଅବଶୋଷ !

ଦେହ, ପ୍ରେମକୁ ପ୍ରକାଶ କରିବାର ମାଧ୍ୟମ ହେଇ ପାରେ ହେଲେ ପ୍ରେମ ତ ନୁହେଁ ନା ! ତେବେ କାହିଁକି ସବୁ ଛୁଆଁର ଭବିତବ୍ୟ କେବଳ ଦେହର ମିଳନ ହବ?

ପ୍ରତି ଥର ତା ଦେହ ମନ ତୃପ୍ତ ହେବା ପରେ ମଧ୍ୟ ଖୋଜି ବୁଲେ ଆଉ କିଛିକୁ।

ସଂସାର ଭିତରେ ବୁଡ଼ି ବୁଡ଼ି ଯାଏ ସେ। ଘର ସଜାଡ଼ି, ଶପିଂ କରି, ପିଲା ଦୁଇଟିଙ୍କ ପାଠ ବୁଝି, ଅନିକେତଙ୍କୁ ବିଛଣାରେ ଜାବୁଡ଼ି ଧରି, ତାଙ୍କ ଅସୁବିଧା ବେଳେ ପରାମର୍ଶ ଦେଇ, ରୋଷେଇ କରି…

ଆଉ ନିଜ ପାଇଁ ନିଜ ଠାରୁ ମଝିରେ ମଝିରେ ଚୋରି କରେ ଏଇ କେଇଟି ମୂହୁର୍ତ୍ତ। ଖୁବ୍ ସନ୍ତର୍ପଣେ।
ଗୋଟେ ପ୍ରକାର ନିଷିଦ୍ଧ ଆନନ୍ଦ ମିଳେ ତାକୁ। ହଁ କିଛି ଟଙ୍କା ଖର୍ଚ୍ଚ ହୁଏ ସତ କିନ୍ତୁ ଏଇ ଆନନ୍ଦ ଆଗରେ ସେ ସବୁ ତୁଚ୍ଛ। ଏଇ ଟଙ୍କା କେଇଟା ବି ସେ ଯୋଗାଡ଼ କରେ ନିଜ ଚେଷ୍ଟାରେ। ଅନିକେତ ଅଫିସ୍ ବାହାରି ଗଲା ପରେ ଆଖ ପାଖ ଝିଅଙ୍କ ପାଇଁ ଡ୍ରେସ୍ ସିଲେଇ କରେ, ବ୍ଲାଉଜ୍ ତିଆରି କରେ ଆଉ ଅପେକ୍ଷା କରେ।

ଅପେକ୍ଷା କରେ ପ୍ରତି ମାସର ଏଇ ଦିନଟିକୁ। ଏଭଳି ଏକ ଦିନ ଯୋଉ ଦିନ ଅନିଙ୍କ ଅଫିସ୍ ରେ ମନ୍ଥଲି ମିଟିଂ ଥାଏ। ତାଙ୍କ ଫେରୁ ଫେରୁ ରାତି ଦଶ ବାଜେ।

ପିଲାଙ୍କୁ ଟିଉସନ ଛାଡ଼ି ସେ ଚାଲି ଆସେ କବୀର ପାଖକୁ। ତାର ଏଇ ସ୍ପର୍ଶ ଟିକକ ପାଇବା ପାଇଁ।
ଯୋଉ ସ୍ପର୍ଶ ରେ ତୃପ୍ତି ଥାଏ କିନ୍ତୁ ଆକାଂକ୍ଷା ନ ଥାଏ। କୌଣସି ଦାୟବଦ୍ଧତା ରେ ନିଜକୁ ବାନ୍ଧିବା ନଥାଏ। ଯାହାକୁ

କେବଳ ସେ, କେବଳ ମାତ୍ର ସେ ହିଁ ଉପଭୋଗ କରେ। ଏ ଏକ ଅପୂର୍ବ ସ୍ପର୍ଶ ସ୍ଵାଧୀନତା।

-“ହେଇଗଲା ମାଡ଼ମ ।”

ସେ ଆଖି ଖୋଲେ। ହାଲକା ହସି ଠିଆ ହୁଏ। କାଉଣ୍ଟର ଆଡ଼କୁ ଆଗେଇ ଯାଏ। ପଛରୁ କବୀର ଡାକେ -“ପୁଣି ଆସିବେ ମାଡ଼ମ।”

ସେ ପୂର୍ଣ୍ଣ ଆଖିରେ ଅନାଏ ଏଇ ନିହାତି ସାଧାରଣ ଦିଶୁଥିବା, ଅର୍ଦ୍ଧ ଶିକ୍ଷିତ ଯୁବକଟି ଆଡ଼କୁ। ମନେ ମନେ କୁହେ
-” ଆସିବି କବୀର। ପୁଣି ଆସନ୍ତା ମାସକୁ ଆସିବି। ଆସିବି ତୋ ହାତରୁ ଏଇ ହେଆର୍ ସ୍ପା ର ଆନନ୍ଦ ନବାକୁ।”

Leave A Reply

Your email address will not be published.