ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୧
ମୂଳ ଉର୍ଦ୍ଦୁ : ଗୁଲଜାର
୧୯୯୮ ମସିହା ଅଗଷ୍ଟ ୧୪ ତାରିଖ,ଶୁକ୍ରବାର । ସମୟ ଆସନ୍ନ ସନ୍ଧ୍ୟା । ଏକ କାରରେ ବସି ମୁଁ ଯାତ୍ରା କରୁଥାଏ ୱାଘାସୀମା ଅଭିମୁଖେ । ମୋ ସାଙ୍ଗରେ ଥାଆନ୍ତି ବିଶିଷ୍ଟ ସାମ୍ବାଦିକ କୁଲଦୀପ ନାୟାର । ନାୟାର ସା’ବ ଗଲା କେଇବର୍ଷ ଧରି ଏପରି ଏକ ଯାତ୍ରା ନିୟମିତ ଭାବେ କରି ଆସୁଥିଲେ । ଏ ଯାତ୍ରା ତାଙ୍କ ପାଇଁ ତୀର୍ଥଯାତ୍ରା ସଙ୍ଗେ ସମାନ ଥିଲା । ପ୍ରତି ବର୍ଷ ଅଗଷ୍ଟ ୧୪ ତାରିଖ ଦିନ ସନ୍ଧ୍ୟାରେ ସେ ନିର୍ଦ୍ଦିଷ୍ଟ ସମୟରେ ଭାରତ ପାକିସ୍ତାନ ସୀମାର ୱାଘାଠାରେ ପହଞ୍ଚନ୍ତି । ତାଙ୍କ ସାଙ୍ଗରେ କିଛି ଲେଖକ, କଳାକାର ଓ ଚିନ୍ତକ ଥାଆନ୍ତି । ସୂର୍ଯ୍ୟାସ୍ତ ବେଳକୁ ଉଭୟ ଦେଶର ସୀମାନ୍ତ ରକ୍ଷୀମାନେ ସୀମା ଫାଟକକୁ ବନ୍ଦ୍ କରିବା ସହ ନିଜ ନିଜ ରାଷ୍ଟ୍ରର ଜାତୀୟ ପତାକାକୁ ଅବରୋହଣ କରନ୍ତି ଏବଂ ତା’ ସାଙ୍ଗକୁ ନାୟାର ସା’ବ ଏବଂ ତାଙ୍କର ବନ୍ଧୁମାନେ ଭାରତ-ପାକିସ୍ତାନ ବନ୍ଧୁତ୍ୱର ସ୍ଲୋଗାନମାନ ଦିଅନ୍ତି ।
ସେଇଦିନ ମଧ୍ୟରାତ୍ରିରେ ସେମାନେ ମହମବତି ଜଳାଇ ଭାରତ ସ୍ୱାଧୀନତା ପ୍ରାପ୍ତିର ଶୁଭ ଅବସରକୁ ସ୍ୱାଗତ ଜଣାନ୍ତି ।
ମାର୍ଗ ଯେତିକି ଦୀର୍ଘ ଥିଲା ସେତିକି ସଳଖ ଲାଗୁଥିଲା । ଧୀରେ ଧୀରେ ସନ୍ଧ୍ୟା ନଇଁଆସିଲା ଓ ଚତୁର୍ଦିଗ ଅନ୍ଧାରରେ ହଜିଯିବାକୁ ଆରମ୍ଭ କଲା । ନାୟାର ସା’ବ୍ ହଠାତ୍ ଭାବପ୍ରବଣ ହୋଇ କହିଉଠିଲେ, ‘ଆମେ ଯଦି ନାକସିଧା ପଡ଼ିଥିବା ରାସ୍ତାରେ ଯାତ୍ରା କରିବା, ଯଦି ଆମର ପଥରେ କୌଣସି ତାରବାଡ଼ କି ଫାଟକ ଅନ୍ତରାୟ ସୃଷ୍ଟି ନକରିବ, ଯଦି ଆମକୁ ବାଟରେ କେହି ଅଟକାଇ ଆମ ଭିସା ଓ ପାସପୋର୍ଟ ନମାଗିବେ, ତା’ହେଲେ ଆମେ ସିଧା ଯାଇ ପାକିସ୍ତାନ ବୁଲି ଆସିପାରିବା । ଆଚ୍ଛା, ମୋତେ କହିଲେ, ଆମେ ଯଦି ଥରେ ଯାଇ ପାକିସ୍ତାନ ବୁଲି ଆସିବା, ତା’ହେଲେ କଣ ସେ ଦେଶଟାକୁ ଚୋରାଇ ଆଣିବା? ” ହଁ, ମୁଁ ମାନୁଛି, ଚୋର,ତସ୍କର ସବୁଠାରେ ଅଛନ୍ତି, କିନ୍ତୁ ସେମାନେ ଚୋରି କରିବାକୁ ଦରିଆପାର ହୁଅନ୍ତି ନାହିଁ କି ଗୋଟିଏ ଦେଶର ସୀମା ଡେଇଁ ଅନ୍ୟ ଦେଶକୁ ଯାଆନ୍ତି ନାହିଁ ।”
ତା’ପରେ କେଇଟି ମୁହୂର୍ତ୍ତର ନିରବତା ପରେ ସେ ପୁଣି କହିଲେ, “ଯେତେହେଲେ, ସୀମା ଆରପଟ ବି ମୋ ନିଜ ଭୂଇଁ । ସେ ଦେଶରେ ମୁଁ ଢେର୍ କିଛି ଛାଡ଼ିଆସିଛି, ଢେର୍ କିଛି ଏବେ ସୁଦ୍ଧା ସେଠାରେ ରହିଛି ।”
ମୋ ଆଖିର ପ୍ରଶ୍ନିଳ ଦୃଷ୍ଟିକୁ ସେ ସମ୍ଭବତଃ ଠିକ୍ଭାବେ ଠଉରାଇ ପାରିଲେ ଓ କହିଲେ, “ମୋ ଦୀନାନାଥ ମାଷ୍ଟ୍ରେ, ମୌଲବୀ ମହମ୍ମଦ ଇସମାଇଲ୍… ମୁଁ ପ୍ରଥମକରି ଉର୍ଦ୍ଦୁ ଅକ୍ଷର ପଢ଼ିଥିବା ଅକ୍ଷରମାଳା ବହି… ମୋ ସ୍କୁଲବ୍ୟାଗ୍- ସବୁ ତ ସେଇ ସୀମା ଆରପଟେ ରହିଗଲା । ମୋ ଚେର ତ ସେ ଭୂଇଁରେ ରହିଗଲା । ଆମେ କେବଳ ସେଇ ଗଛର କେଇଟା ଶାଖାକୁ କାଟିଆଣି ଏଠାରେ ଯାହା ରୋପଣ
କରିଛୁ ।”
ନାୟାର ସା’ବ୍ ବେଳକୁ ବେଳ ଅଧିକ ଭାବପ୍ରବଣ ହୋଇ ଉଠୁଥିଲେ । ତାଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇ ଆସୁଥିଲା । ସେଦିନ ଯାତ୍ରା ଆରମ୍ଭ କରିବା ବେଳଠାରୁ ତାଙ୍କ ନିଜ ଜନ୍ମସ୍ଥାନ ସିଆଲକୋଟ କଥା ସେ ବାରମ୍ବାର ଦୋହରାଇ ଚାଲିଥାଆନ୍ତି ।
ମୋର ସବୁ ଦାଦା, ବଡ଼ବାପା, ସମ୍ପର୍କୀୟ ଭାଇ ଓ ଭଉଣୀମାନେ ସେଇ ଆଖପାଖରେ ରହୁଥିଲେ । ଆମ ଘରର ଠିକ୍ ଆଗରେ ଗୋଟିଏ ବଡ଼ ଚଉକ ଥିଲା । ସେ ଚଉକରେ କୌଣସି ଲୁହାବାଡ଼ ବୁଜାଯାଇ ନ ଥିଲା । ତେଣୁ ସମସ୍ତଙ୍କର ସେଠାକୁ ଅବାଧ ପ୍ରବେଶ ଥିଲା । ଚଉକର ଆରପଟକୁ ଆଉ କେଇଜଣଙ୍କ ଘର । ଚାରିଆଡ଼େ ବିସ୍ତୀର୍ଣ୍ଣ ଖାଲି ଜାଗା । ତେଣୁ କେହି କାହାର ଜାଗାରୁ ଚାଖଣ୍ଡେ କି ହାତେ ଜୋର ଜବରଦସ୍ତ ମାଡ଼ି ବସିବାର ପ୍ରଶ୍ନ ଉଠୁ ନ ଥିଲା । ଆମ ପଟକୁ ଲାଗି ଗୋଟିଏ ବଡ଼ ଝଙ୍କାଳିଆ ଅଶ୍ୱତ୍ଥ ଗଛ ଥିଲା । ଗଛଟା ବେଶ୍ ପୁରୁଣା ଓ ବଡ଼ । ସେଇ ଗଛମୂଳେ ଗୋଟିଏ କବର ଥିଲା । କେହି ଜାଣି ନ ଥିଲେ ସେ କବରଟି କାହାର । କିନ୍ତୁ ମୋ ମା’ ଆମ ସମସ୍ତଙ୍କୁ କହନ୍ତି ଯେ ସେ କବରଟି ହେଲା ପୀରବାବାଙ୍କର ।
ମୋ ମା’ ଅଶ୍ୱତ୍ଥ ଗଛମୂଳକୁ ପୂଜା କରିବାକୁ ଗଲାବେଳେ ଗଛର ଗଣ୍ଡିରେ ତିଲକ ଓ ସିନ୍ଦୂର ଟିପାଟିଏ ମାରିଦିଏ ଓ କବର ପାଖରେ ଦୀପଟିଏ ଜାଳିଦେଇ ଆସେ । ଅଶ୍ୱତ୍ଥ ଗଛରେ ସିନ୍ଦୁର ମାରିସାରି ସେ ତାର ସିନ୍ଦୁରବୋଳା ଆଙ୍ଗୁଠିକୁ ପ୍ରତିଦିନ କବରର ଇଟାରେ ପୋଛିପକାଏ । ସିନ୍ଦୁର ଲଗାଇସାରି ଦୀପ ଜାଳେ । ଅଶ୍ୱତ୍ଥ ଗଛ ସାମ୍ନାରେ ସେ ଦୀପକୁ ଉପରକୁ ଟେକି ଦେଖାଏ ଓ ଶେଷରେ କବରର ଗୋଟିଏ ପଟକୁ ଥିବା କାନ୍ଥକୁରାରେ ଦୀପଟିକୁ ଜଳେଇ ଘରକୁ ଫେରେ । ମୋ ମା’ର ପୂଜାରୁ ଅଶ୍ୱତ୍ଥ ଗଛ ପ୍ରସାଦ ପାଏ ଓ ପୀରବାବାଙ୍କ କବର ବି ।
ଯେଉଁଦିନ ଘରେ କିଛି କଳିଝଗଡ଼ା ଲାଗିଥିବ, ମା’ ପୂଜାସାରି ଅଶ୍ୱତ୍ଥ ଗଛକୁ ଆଉଜି ଦଣ୍ଡେ ଥକ୍କାମାରି ଠିଆ ହୋଇପଡ଼ି ମନକୁ ମନ ପୀରବାବାଙ୍କ ସାଙ୍ଗରେ କଥାବାର୍ତ୍ତା କରେ । ବେଳେବେଳେ ସେଇଠି ବସିପଡ଼ି ନୀରବରେ ଆଖିରୁ ଲୁହଗଡ଼ାଇ କାନ୍ଦେ । ମନଭରି କାନ୍ଦିସାରିବା ପରେ ତା’ ମନ ଆପେଆପେ ହାଲୁକା ହୋଇଯାଏ ଓ ସେ ଘରକୁ ଲେଉଟିଆସେ । ତାକୁ ଲାଗେ, ତା’ ସାଙ୍ଗରେ ପୀରସା’ବ୍ ବି ଆମ ଘରକୁ ଆସିଛୁନ୍ତି । ବିଚରା ପୀରସା’ବଙ୍କ ଆତ୍ମାକୁ ମୁକ୍ତି ମିଳେନି ।
ପରୀକ୍ଷାବେଳେ, ପର୍ବପର୍ବାଣିରେ, ସୁଖରେ,ଦୁଃଖରେ, ମା’ ପୀରବାବାଙ୍କ କବର ପାଖକୁ ଯାଇ ମୁଣ୍ଡିଆମାରେ ଓ ତାଙ୍କ ଆଶୀର୍ବାଦ ଲୋଡ଼େ । ମୋଟ ଉପରେ ଆମ ଘରର ସବୁ କଥାରେ ପୀରସା’ବଙ୍କ ଦଖଲ ଥାଏ । ଏଥର ପୂରା ଖାଣ୍ଟି ପଞ୍ଜାବୀ ଭାଷାରେ ନାୟାର ସା’ବ୍ କହିବାକୁ ଆରମ୍ଭ କଲେ, ” ମା’ମନରେ ଯଦି କୌଣସି ପ୍ରଶ୍ନ ଉଠିଲା, ସିଏ ତା’ର ଉତ୍ତର ଲାଗି ପୀର ସା’ବଙ୍କ କବର ପାଖକୁ ଦୌଡ଼ିଯାଏ । କିନ୍ତୁ ଆମେ ଯଦି କେବେ ପୀର ସା’ବଙ୍କ କବର ପାଖରେ କିଛି ପଚାରୁ, ଆମକୁ କୌଣସି ଉତ୍ତର ମିଳେନା । ହେଲେ ମା’ ତା’ର ପ୍ରତିଟି ପ୍ରଶ୍ନର ଜବାବ ପାଏ ।
ବେଳେବେଳେ ମା’କୁ ସ୍ୱପ୍ନରେ ପୀର ସା’ବ୍ ଦେଖାଦିଅନ୍ତି । ସେଇ ସ୍ୱପ୍ନରେ ସେ ମା’ଙ୍କୁ କଣ ସବୁ ଘଟିଯାଇଛି ଓ ଆଗକୁ କଣ ଘଟିବାକୁ
ଅଛି ସେ ବିଷୟରେ ବିସ୍ତୃତ ସୂଚନା ମଧ୍ୟ ଦିଅନ୍ତି ।
ଆମେ ସେତେବେଳେକୁ ୱାଘା ସୀମାନ୍ତରେ ପହଞ୍ଚି ସାରିଥିଲୁ । ସନ୍ଧ୍ୟା ନଇଁ ଆସୁଥାଏ । ଦିନ ସରିସରି ଯାଉଥାଏ । ପାରମ୍ପରିକ ଔପଚାରିକତା ସହକାରେ ଦୁଇ ଦେଶର ସୀମାନ୍ତ ରକ୍ଷୀମାନେ ନିଜ ନିଜ ରାଷ୍ଟ୍ରର ଜାତୀୟ ପତାକାକୁ ଅବତରଣ କରାଇନେଲେ । ଏଠାରେ ଧ୍ୱଜାବତରଣ ଏକ ଆଡ଼ମ୍ବରପୂର୍ଣ୍ଣ ଉତ୍ସବ । ସୀମା ଆରପଟେ ଏ ଦୃଶ୍ୟ ଦେଖିବାକୁ ଯେତିକି ଲୋକ ରୁଣ୍ଡ, ସୀମା ଏପାଖରେ ସେତିକି ଲୋକଙ୍କ ସମାଗମ ହୋଇଥାଏ । ଚିତ୍ରତାରକା ରାଜ ବବର୍ ଆସି ଆମ ସହ ଯୋଗଦେଲେ । ଆରପଟ ସୀମାନ୍ତରେ ଅସ୍ମା ଜାହାଙ୍ଗୀର ଆସି ଅଳ୍ପ ସମୟ ମଧ୍ୟରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା । ଆମେ ତାଙ୍କୁ ଅପେକ୍ଷା କରୁଥିଲୁ । ସେ ପର୍ଯ୍ୟନ୍ତ ଅସ୍ମା ମାଡାମ୍
ଆସି ପହଞ୍ଚି ନ ଥାନ୍ତି । କାରଣ, ତାଙ୍କ ୱାଘାଯାତ୍ରା ଉପରେ ପାକିସ୍ତାନ ସରକାରଙ୍କ ତରଫରୁ କଟକଣା ଜାରି କରାଯାଇଥାଏ ।
ସନ୍ଧ୍ୟା ଗତ ହୋଇ ରାତି ହେଲା । ରାତ୍ରୀର ବୟସ କ୍ରମେ ବଢ଼ିବଢ଼ି ଚାଲିଲା । ଠିକ୍ ମଧ୍ୟରାତ୍ର ବେଳକୁ ଆମେ ମହମବତି ଜାଳିଲୁ ଓ ଭାରତ-ପାକିସ୍ତାନ ବନ୍ଧୁତା କାଏମ ରହୁ ବୋଲି ସ୍ଲୋଗାନମାନ ଦେଲୁ । ଆମ କଣ୍ଠ ଯେତେବେଳେ ଶୁଖିଆସିଲା ଓ ଶରୀର ଅବଶ ଲାଗିଲା, ଆମେ ସେତେବେଳେ ୱାଘା ସୀମାନ୍ତରୁ ଫେରିଲୁ ।
ତା’ପର ଦିନ ଆମେ ଦିଲ୍ଲୀ ଫେରୁଥାଉ । କିନ୍ତୁ, ସିଆଲକୋଟଠାରେ କିଛି ସମୟ ବିତାଇବା ଲାଗି ମୁଁ ଚାହୁଁଥିଲି । ତେଣୁ ମୁଁ କୁଲଦୀପ ସା’ବଙ୍କୁ ପୁଣିଥରେ ପୀରବାବାଙ୍କ ବିଷୟରେ ପଚାରିବସିଲି ।
” ନାୟାର ସା’ବ୍, ଆପଣ କହୁଛନ୍ତି ଆପଣଙ୍କ ମା’ ସ୍ୱପ୍ନରେ ପୀରବାବାଙ୍କୁ ଅନେକଥର ଦେଖିଥିଲେ । ପୀରବାବା ଦେଖିବାକୁ କେମିତିକିଆ, ସେକଥା ତ ସିଏ ନିଶ୍ଚୟ ଆପଣଙ୍କୁ କହିଥିବେ?”
ନାୟାର ସା’ବ୍ ଏକଥା ଶୁଣି ଭାବ ଗଦଗଦ ହୋଇଗଲେ । ଏଥର ହସିହସି ସେ କହିଲେ, “ମୁଁ ମୋ ସାମ୍ବାଦିକ ଜୀବନ ଅନୁସନ୍ଧାନମୂଳକ ସାମ୍ବାଦିକତାରୁ ଆରମ୍ଭ କରିଥିଲି । ତେଣୁ ଏପରି ପ୍ରଶ୍ନଟି ମୁଁ ମୋ ମା’ଙ୍କୁ ପଚାରିବା ସ୍ୱାଭାବିକ । ପୀରବାବା ଦେଖିବାକୁ ଅବିକଳ ସେଇ ଭଳିଆ ।”
ମୁଁ କିଛି ବୁଝି ନପାରିବା ପରି ବ୍ୟସ୍ତବିବ୍ରତ ହୋଇ ପଚାରିଲି, ‘ସତେ ନା କ’ଣ? ଆପଣ ତାଙ୍କୁ ଭେଟିଛନ୍ତି? ଦେଖିଛନ୍ତି? କେବେ? କେଉଁଠି? କିପରି?
ନାୟାର ସା’ବ୍ ଏଥର ଭାବଗମ୍ଭୀର କଣ୍ଠରେ ପୁଣି ତାଙ୍କ କଥା ଆରମ୍ଭ କଲେ ।
୧୯୭୫ ମସିହା । ସେଇ ବର୍ଷ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଥାଆନ୍ତି । ଦେଶର ବହୁ ବଡ଼ ବଡ଼
ନେତାଙ୍କୁ ଜେଲରେ ଭରା ଯାଇଥାଏ । ଚିନ୍ତାଶୀଳ ବ୍ୟକ୍ତିଙ୍କ ଦଶ ବି ଅନୁରୂପ । ସେମାନଙ୍କ ଭିତରେ ମୁଁ ସାମିଲ ଥାଏ । ମୋର ସ୍ପଷ୍ଟ ମନେଅଛି, ସେଦିନ ଜୁଲାଇ ୨୪ ତାରିଖ, ଶୁକ୍ରବାର । ଦିଲ୍ଲୀର ତିହାର ଜେଲରେ ମୋତେ ରଖାଯାଇଥାଏ । ମୋତେ କୁହାଯାଇଥାଏ ଯେ ଆଉ କେଇଦିନ ପରେ ମୋତେ ମୁକ୍ତ କରିଦିଆଯିବ । ମୁଁ ସମସ୍ତଙ୍କୁ ପଚାରୁଥାଏ, ମୋତେ ଗିରଫ କରିବା ଲାଗି କିଏ ନିର୍ଦ୍ଦେଶ ଦେଇଛି । ଜେଲର୍ କେବଳ ଗୋଟିଏ ଶବ୍ଦରେ ତାଙ୍କତ ଉତ୍ତର ଦିଅନ୍ତି, ‘ମାଡାମ୍’ । ୟା’ଭିତରେ ଆଉ କିଛିଦିନ ଗତ ହୋଇଗଲା । କିନ୍ତୁ ମୋର ଜେଲରୁ ମୁକୁଳିବାର କୌଣସି ସୂଚନା ମିଳୁନଥାଏ । ମୁଁ ଜେଲର୍ ସା’ବ୍ଙ୍କୁ ଅନୁରୋଧ କଲି ଯେ ମୋର କେଇଖଣ୍ଡ ବହି ଓ ଟିପାଖାତା
ଆଣି ମୋତେ ଜେଲରେ ଦିଆଯାଉ । ଜେଲର୍ ଦୟାପରବଶ ହୋଇ ମୋର ଏପରି ଅନୁରୋଧ ପୂରଣ କଲେ । ଏପରିକି ମୋ ସେଲ୍ ଭିତରେ ଖଣ୍ଡିଏ ଛୋଟ ଟେବୁଲ୍ ଓ ଚୌକିଟିଏ ପକାଇବାର ବନ୍ଦୋବସ୍ତ କରିଦେଲେ ।
ଯେତେବେଳେ ମୋର ଜେଲ୍ ରହଣି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲମ୍ବିପାରେ ବୋଲି ଆଶଙ୍କା ହେଲା, ମୋ ମନରେ କିପରି ଏକ ଅନିଶ୍ଚିତ ଭାବ ସୃଷ୍ଟିହେଲା । ମୁଁ ଥରେ ତାଙ୍କୁ ପଚାରିଲି, “ମୁଁ ଜେଲରୁ କେବେ ମୁକ୍ତିପାଇବି?”
ନାୟାର ସା’ବ୍ ଏତିକି କହି ନିରବରେ ମୋ ମୁହଁକୁ ଲକ୍ଷ୍ୟକଲେ । ଧୀରେ ଧୀରେ ତାଙ୍କ କଣ୍ଠସ୍ୱର କ୍ଷୀଣ ହୋଇ ଆସୁଥାଏ । ମୁଁ ତାଙ୍କୁ ପଚାରିଲି, ‘ଇଏ ‘ତାଙ୍କୁ’ ବୋଲି ଯାହାଙ୍କୁ ସମ୍ବୋଧନ କରୁଛନ୍ତି ସିଏ କିଏ? ଆପଣ ପ୍ରକୃତରେ କାହାକୁ ପଚାରିଲେ?’
ନାୟାର ସା’ବ୍ ଚଟାପଟ୍ ଉତ୍ତର ଦେଲେ, ‘ପୀରବାବାଙ୍କୁ’ ।
:‘ଓଃ…’
:‘ସିଏ ମୋତେ ସ୍ୱପ୍ନରେ ଦେଖାଦେଲେ । ଦେହରେ ସବୁଜ ରଙ୍ଗର ଆଲଖାଲା । ମୁହଁରେ ଧୋବ ଫରଫର ଲମ୍ବା ଦାଢ଼ି । ପୀରବାବା ଠିକ୍ ଏମିତି ବୋଲି ମୋ ମା’ ମୋତେ କହିଥିଲେ । ତାଙ୍କ ମୁଣ୍ଡରେ ସେ କିଛି ବାନ୍ଧିଥିଲେ କି ପିନ୍ଧିଥିଲେ ସେକଥା ମୋର ଠିକ୍ ମନେ ପଡ଼ୁନି ।
: ସିଏ ଆପଣଙ୍କୁ କଥା କହିଲେ? ମୁଁ ଉତ୍କଣ୍ଠାର ସହ ପରାରିଲି ।
: ବାବା ମୋତେ କହିଲେ ଯେ ଆସନ୍ତା ଗୁରୁବାର ଦିନ ମୁଁ ଜେଲରୁ ମୁକୁଳିବି ।
:ସେ ଆଉ କିଛି କହିଥିଲେ ?
:‘ହଁ । ସିଏ ଆହୁରି କହିଲେ ଯେ ତାଙ୍କୁ ଭାରି ଶୀତ ଲାଗୁଚି । ତେଣୁ ମୁଁ ତାଙ୍କୁ ଖଣ୍ଡେ ଚଦର ଦେବି ।’ ନାୟାର ସା’ବ୍ ହସିହସି କହିବାରେ ଲାଗିଥାଆନ୍ତି ।
ଆପଣ ଗୁରୁବାର ଦିନ ଜେଲରୁ ମୁକୁଳିଲେ?
ନା, ମୁଁ ଆଦୌ ବିଶ୍ୱାସ କରୁ ନ ଥାଏ । ମୋତେ ଭାରି ଅସ୍ୱସ୍ତିବୋଧ ବି ଲାଗୁଥାଏ । ମୁଁ ଜେଲରେ ରହିଥିବାରୁ ମୋତେ ଖରାପ ବି ଲାଗୁ ନ ଥାଏ । କାରଣ ଜେଲ୍ରେ ମୋର କୌଣସି ପ୍ରକାର ଅସୁବିଧା ବି ହେଉନଥାଏ । ବରଂ ବେଶ୍ ଆରାମରେ ଥାଏ । କିନ୍ତୁ ମୁଁ ଚିନ୍ତା କରୁଥାଏ ଯେ ପୀରବାବାଙ୍କ ପ୍ରତିଶ୍ରୁତି ଓ ଭବିଷ୍ୟବାଣୀ ଯେକୌଣସି ମତେ ହେଉ, ସତ୍ୟ ବୋଲି ପ୍ରମାଣିତ ହେଉ । ତାଙ୍କ କଥା ଭୁଲ୍ ବୋଲି ଗ୍ରହଣ କରିବାକୁ ମୁଁ ଆଦୌ ପ୍ରସ୍ତୁତ ନଥିଲି । ଶେଷରେ, ମୋର ସବୁଦିନିଆ ଅଭ୍ୟାସ ପରି ମୁଁ ସେଦିନ ବି ଢେର୍ ରାତି ପର୍ଯ୍ୟନ୍ତ ଲେଖାପଢ଼ା କଲି ଓ ତା’ପର ଦିନ ସକାଳେ ଡେରିରେ ଉଠିଲି ।
ତା’ପର ଦିନ ୧୯୭୫ ମସିହା ସେପ୍ଟେମ୍ବର ୧୧ ତାରିଖ, ଶୁକ୍ରବାର । ସକାଳୁ ମୁଁ ଶେଯ ଛାଡ଼ିଲାବେଳକୁ ଜେଲର୍ ସା’ବ୍ ଧଇଁସଇଁ ହୋଇ ଆସି ମୋ ପାଖରେ ପହଞ୍ଚି ମୋତେ ମୋର ଜେଲମୁକ୍ତି ଆଦେଶନାମାଟି ଦେଖାଇଲେ । ମୁଁ ସ୍ତବ୍ଧ ହୋଇଗଲି । ଆଶ୍ଚର୍ଯ୍ୟ ବି । ମୁଁ ତାଙ୍କୁ ଏହି ଆଦେଶନାମାଟି କେତେବେଳେ ମିଳିଲାବୋଲି ପଚାରିଲି । ସେ କହିଲେ, ‘ଗତକାଲି ରାତିରେ ବାସ୍ତବିକ୍ ଅର୍ଡରଟା ମୋ ପାଖରେ ପହଞ୍ଚିଲା । କିନ୍ତୁ ସେତେବେଳକୁ ଖୁବ୍ ଡେରି ହୋଇ ଯାଇଥାଏ । ମୁଁ ଡ୍ୟୁଟିକୁ ଆସିଲା ବେଳକୁ ଆହୁରି ବିଳମ୍ବ ହୋଇଗଲା । ମୁଁ ଆସି ଦେଖିଲି, ଆପଣ ଆପଣଙ୍କ ପଢ଼ା ଟେବୁଲ ଉପରେ ବସି କିଛି ଲେଖାଲେଖି କରୁଛନ୍ତି । ଆପଣଙ୍କର ତ କଡ଼ା ନିର୍ଦ୍ଦେଶ ଲେଖାପଢ଼ା କଲାବେଳେ କେହି ଯେପରି ଆପଣଙ୍କୁ ଡିଷ୍ଟର୍ବ ନକରନ୍ତି । ତେଣୁ… ।
ମୁଁ ଅଜାଣତରେ ଚିତ୍କାର କରିଉଠିଲି । ‘ତା’ମାନେ ଗତକାଲି…ଗତକାଲି ଆପଣ ଏ ଅର୍ଡର ପାଇଛାନ୍ତି!’ ଜେଲର୍ ଆବାକାବା ହୋଇ ‘ହଁ’ ବୋଲି କହି ମୋତେ ମୁହଁ ମେଲାକରି ଚାହିଁରହିଲେ ।
କିଛି ସମୟ ପରେ ସେ ମୋତେ ପଚାରିଲେ, ‘ଆପଣ କ’ଣ ଏ ବିଷୟରେ ପୂର୍ବରୁ ସୂଚନା ପାଇଥିଲେ?’ ଗର୍ବର ସହ ମୁଁ କହିଲି, “ହଁ, ଅବଶ୍ୟ ପାଇଥିଲି ।”
ନାୟାର ସା’ବ୍ ଆଉ ଗୋଟିଏ ଘଟଣା ମୋ ଆଗରେ ବଖାଣି ବସିଲେ । ତାଙ୍କ ମା’ ତାଙ୍କୁ କହିଥିଲେ, ‘ବେଟା, ତୁ ନିଶ୍ଚେ କେବେ ସିଆଲକୋଟ ଯାଇ ପୀରବାବାଙ୍କ କବର ଉପରେ ଚାଦରଟିଏ ଚଢ଼େଇ ଆସିବୁ । ସତରେ ତାଙ୍କୁ ଭାରି ଶୀତ ହେଉଥିବ । ବିଚରା ବୁଢ଼ାଲୋକ!’ ଏକଥା କହିଲା ବେଳକୁ ମା’ ଆଖିରେ ଲୁହ ଜକେଇ ଆସିଥିଲା ।
ମୁଁ ହଠାତ୍ ସିଆଲକୋଟ ଯାଇପାରି ନ ଥିଲି । କାରଣ ପାକିସ୍ତାନ (ସିଆଲକୋଟ) ଯିବାଲାଗି ଭିସାଟିଏ ଯୋଗାଡ଼ କରିବା ସେତେବେଳେ ଏତେ ସହଜ ନଥିଲା । ମୋ ମା’ଙ୍କର ୧୯୮୦ ମସିହାରେ ଦେହାନ୍ତ ହେଲା । ମା’ ଚାଲିଯିବା ପରେ ମୁଁ ସିଆଲକୋଟ ଯାଇ ପୀରବାବାଙ୍କ କବର ଉପରେ ଚଦରଟିଏ ଚଢ଼େଇ ଆସିବା ଲାଗି ମୋ ମନ ସଦାବେଳେ ଉଚ୍ଛନ୍ନ ହେବାକୁ ଲାଗିଲା । ଶେଷରେ ମୁଁ ସିଆଲକୋଟ ଗଲି । କିନ୍ତୁ ସେଠାରେ ପହଞ୍ଚିଲା ପରେ ଯାହା ଦେଖିଲି ମୋତେ ଆଶ୍ଚର୍ଯ୍ୟ ଲାଗିଲା ।
ସିଆଲକୋଟ ସମ୍ପୂର୍ଣ୍ଣ ଏକ ନୂଆ ସହରରେ ପରିଣତ ହୋଇ ସାରିଥିଲା । ସବୁକିଛି ନୂଆ । ସତେ ଯେମିତି ଜୀବନରେ ମୁଁ ପ୍ରଥମ ଥରପାଇଁ ଏ ସ୍ଥାନକୁ ଆସୁଛି! ଆମ ପୈତୃକ ଘରେ ଏବେ ଅନ୍ୟ କେହି ଅପରିଚିତ ଲୋକ ରହୁଥିଲେ । ଚୌକ ଚାରିକଡ଼େ ଛୋଟ
ବଡ଼ ଦୋକାନମାନ ଖୁନ୍ଦି ହୋଇ ଯାଇଥିଲା । ପୂରାପୂରି ଏକ ଜନଗହଳ ବଜାର ପାଲଟି ସାରିଥିଲା । ମୁଁ ସହଜରେ ପୀରବାବାଙ୍କ କବରକୁ ଠଉରାଇ ପାରିଲିନି । ଅନେକ ଲୋକଙ୍କୁ କବରଟି ବିଷୟରେ ପଚାରିଲି । କିନ୍ତୁ କେହି ସେପରି କବରକୁ ଆଖପାଖରେ ଦେଖିଥିବା କଥା କହିଲେନି । ମୁଁ କବରଟି ଥିବା ସ୍ଥାନ ପାଖରେ ପହଞ୍ଚି ସାରିଥିଲି । ସେଠାରେ ଦିନେ ଅଶ୍ୱତ୍ଥ ଗଛଟିଏ ଥିଲା । ଏବେ କିନ୍ତୁ
ସେଠାରେ ଗଛଟି ନ ଥିଲା କି କବରଟି ଦିଶୁ ନ ଥିଲା । ଜଣେ ଦୋକାନୀ ମୋତେ କହିଥିଲେ ଯେ ସେ ସେଠାରେ କୌଣସି କବର ଦେଖି ନ ଥିଲେ । ମୁଁ ପୁଣି ଥରେ ତାଙ୍କୁ ଭେଟିବାଲାଗି ଖୋଜି ବୁଲିଲି ।
ଯେଉଁ ଦିନ ମୁଁ ସିଆଲକୋଟରୁ ଫେରିବି, ସେଇଦିନ ତାକୁ ହଠାତ୍ ବଜାର ବାହାରେ ଭେଟିଲି । ସେ ମୋତେ ପଚାରିଲେ- ‘ସିଏ କବରଟି କାହାର?’ ମୁଁ କହିଲି, “ସେ କବରଟି ପୀରବାବାଙ୍କର ।”
କିଛି ସମୟ ଥଙ୍ଗମଙ୍ଗ ହୋଇ ସେ କହିଲା, ‘ହଁ, ଆମ ଦୋକାନ କଡ଼କୁ ଲାଗି କବରଟିଏ ଥିଲା । ଆମେ ତ ‘ମୋହାଜିର’(ଭାରତରୁ ଯାଇ ପାକିସ୍ତାନରେ ବସବାସ କରୁଥିବା ଶରଣାର୍ଥୀ)ସାଜି ପାକିସ୍ତାନ ପଳେଇ ଆସିଥିଲୁ । ତେଣୁ ପ୍ରଥମେ ଆସି ଖଣ୍ଡିଏ ଦୋକାନ କଲୁ ଓ ସମସ୍ତେ ସେଇ ଦୋକାନଘରେ ରହୁଥିଲୁ । ଆମପାଇଁ କୌଣସି ଅଲଗା କୋଠରି ନ ଥିଲା । ତେଣୁ କିଛିଦିନ ପରେ, ଆମେ ସେଠାରୁ କବରଟା ହଟେଇଦେଲୁ ।’ ମୁଁ ମନେ ମନେ ଭାବିଲି, ଜୀବନର ଆବଶ୍ୟକତା ଶେଷକୁ ଗୋଟିଏ କବରକୁ ବି ଦୂରେଇଦେଲା!’
ମୁଁ ଭାରତ ଫେରିଆସିଲି । ସିଆଲକୋଟରେ ପୀରବାବାଙ୍କ କବର ଉପରେ ପକାଇବାକୁ ନେଇଥିବା ଚାଦରଖଣ୍ଡିକ ମୋ ପାଖରେ ସେମିତି ସୁରକ୍ଷିତ ଥାଏ । ଦିନେ ତାକୁ ନେଇ ଦିଲ୍ଲୀର ନିଜାମୁଦ୍ଦିନ୍ ଅଉଲିଆଙ୍କ ଦରଘାକୁ ଯାଇ ସେଠାରେ ଚଢ଼େଇଦେଇ ଆସିଲି ।’
ଆପଣ ଆଉ କେବେ ପୀରବାବାଙ୍କୁ ସ୍ୱପ୍ନରେ ଦେଖି ନାହାନ୍ତି?
ନା, ସବୁବେଳେ ଭାବେ, ପୀରବାବା ବିପଦବେଳେ ଆଉ ଥରେ ମୋତେ ସ୍ୱପ୍ନରେ ଦେଖାଦେବେ । ତାଙ୍କୁ ସ୍ୱପ୍ନରେ ଭେଟିଲେ କିଛି ପଚାରିବି ବୋଲି ମନେ ମନେ ପାଞ୍ଚେ । ମୋର ବିଶ୍ୱାସ ଯେ ତାଙ୍କ ପାଖରେ ସବୁ ପ୍ରଶ୍ନର ଉତ୍ତର ଅଛି । ହେଲେ ଆଉ କେବେ ତାଙ୍କୁ ସ୍ୱପ୍ନରେ ଭେଟିବାରୁ ସୁଯୋଗ ପାଇନି । ମୋତେ ବେଳେବେଳେ ଲାଗେ, ମୋ ମା’ଙ୍କ ସହ ପୀରବାବାଙ୍କ ଆତ୍ମା ବି ମୁକ୍ତି ପାଇସାରିଛି!
ଋୂପାନ୍ତରଣ: ସୁଭାଷ ଶତପଥୀ
Comments are closed.