ମହାବାହୁଙ୍କୁ ଚିଠି…

ମହାବାହୁଙ୍କୁ ଚିଠି

ଶ୍ୱେତା ରାଉତ

ହେ’ମହାବାହୁ,
ତୁମେ କେବେ ପଚାରିନ ସେ କେମିତିଅଛି
କେଉଁ ପ୍ରାବଲ୍ୟତାକୁ ନେଇ ବଞ୍ଚିଛି
କେବେ ଦେଖିନାହଁ
ଜୀବନର ବାସ୍ତବ ସ୍ୱରୂପ ଖୋଜି ଖୋଜି
ସେ କେମିତି ବନ୍ଦୀ ହୋଇଯାଇଛି
ତମସାଚ୍ଛନ ମାୟା ସଂସାରରେ !
ପାରିବ ଯଦି ତୁମ ଦେବତ୍ବର ଦିବ୍ୟ  ଦୃଷ୍ଟି ନେଇ
ଓହ୍ଲାଇ ଆସ ମର୍ତ୍ତ୍ୟକୁ
ଦେଖିଯାଅ କେମିତି ଏଠି
ଶବ ବି ଶୋଷଣ ହୁଏ ଜହ୍ଲାଦର ଦୂଷିତ ଦୃଷ୍ଟିରେ
ଆଡମ୍ବରପୂର୍ଣ୍ଣ ସଂସ୍କାରର ଅନ୍ତକରଣରୁ
ଉଡିଯାଏ ଆତ୍ମା
ଧର୍ମ ବାହୁନୁଥାଏ ଅଧର୍ମର ଛାଇତଳେ
କ୍ଷୀଣ ହୋଇଯାଏ ନ୍ୟାୟର ମର୍ଯ୍ୟାଦା ।
ତାକୁ ପଚାର,
ନ୍ୟାୟ ପାଇଁ କେତେ ନୟାନ୍ତ ହେଲାଣି ସେ
କେତେ ଲୁଣ୍ଠକର ଅବଗୁଣକୁ ଆଦରି
ଧର୍ଯ୍ୟର ଉଆସ ତୋଳିଛି ହୃଦୟରେ
ଭୋକିଲା ପେଟକୁ ସାନ୍ତ୍ବନା ଦେଇଛି
ଆଞ୍ଜୁଳେ ଲୁହରେ।
ଛାଲ ପଡିଥିବା ପାଦ ଦ୍ୱୟକୁ
ଭଲଭାବେ ଦେଖିନିଅ ପାଷାଣ ଇଶ୍ୱର
ଯେଉଁ  ପାଦହଳକ ଅହରହ ଧାଉଁଥାଏ ତୁମ ମନ୍ଦିର ବେଢାକୁ
ଟିକେ ନିରୋଳା ବିଶ୍ବାସ ନେଇ।
ତୁମ ତଥାସ୍ଥୁ ଆଶାରେ ଭୋକମାରି
କେମିତି ଛଟପଟ ହୁଏ ସେ,
ଦେଖିନିଅ ସ୍ୱଚକ୍ଷୁରେ
ଏକ ବିଧ୍ୱଂସ ଭିତରେ କେମିତି
ଅହରହ ଜଳୁଛି ତା ଜୀବନ ।
ଏବେ ତୁମେ ସ୍ଥାଣୁ ପାଲଟି ପାର
ନେଇପାର ମୌନ ଅବତାର
ଶେଷ ଉତ୍ତର କହିଦିଅ ତାକୁ
କାହିଁକି ତୁମର ଏ ଅବିଚାର
ନୃସଂଶ ପକ୍ଷପାତିତା ?
ଉତ୍ତର ଅପେକ୍ଷାରେ ଶ୍ୱେତା।।
—————————————-
ରାଉତ କମ୍ପ୍ଲେକ୍ସ, କଟକ ରୋଡ଼, ଭୁବନେଶ୍ୱର