ଏମିତି ହୁଏ ପ୍ରଥମ ଥର
ଫିର୍ଦୋଷୀ ତବସୁମ୍
ଏମିତି କିଛି ହୁଏ ପ୍ରଥମ ଥର
ତୁମେ ଦେଖି ମତେ ବୋଧେ
ଆଉ କିଛି ଦେଖିବା ଭୁଲିଯାଇଥିଲ
ଚକିତ ଥିଲ ତୁମେ
ଅପଲକ ଅନାଇ
ମଜ୍ଜି କହିଥିଲ,”ତୋ ସୁଢ଼ଳ ନୟନର
ପ୍ରେମ ପିଆଲାରେ ମତୁଆଲା ମୋର ଏ ମନ।”
ରୋମାଞ୍ଚରେ ଭରିଯାଇଥିଲା
ମୋର ମନ ସବୁଜ ଦିଗନ୍ତ
ମହୁଲ ଫୁଲ ମହମହ ହୋଇ ବାସୁଥିଲା
ମନ କମଳଟି ଖିଲିଖିଲି ହୋଇ ହସି ଚମକୁଥିଲା,
ବୋଧେ ଏମିତି କିଛି ହୁଏ ପ୍ରଥମଥର।
ସବୁ ଲାଗୁଥିଲା ନୂଆ
ଅନେକ ରଙ୍ଗୀନ ଚିତ୍ରଥିଲା
ମୋ ପ୍ରେମ କବିତାରେ
ତୁମେ ସର୍ବଶ୍ରେଷ୍ଠ ନାୟକ ମୋ ଜୀବନର
ତୁମ ଯୌବନର ସୁରଭି ଠାଣି ଆଗରେ
ଫିକା ଲାଗେ ଦୁନିଆର ସବୁ ଯୌବନ
ସାଜି ତ ଥିଲି ମୁଁ ବି ସୁନ୍ଦରୀ ଷୋଡ଼ଶୀ
ଭରି ଆଖିରେ ଆଖିଏ ଲାଜ
ମହକୁଥିଲା ଚତୁର୍ଦିଗ
ଆଖିରେ ଆଖି,ହାତରେ ହାତ,ଓଠରେ ଓଠ
କହିଯାଏ ବହିଯାଏ ଚୁମ୍ବନର ଗୀତ
ହଁ ଏମିତି କିଛି ହୁଏ ପ୍ରଥମ ଥର!
ପ୍ରେମ ଋତୁରେ ବିରହର ଋତୁଟିଏ ବି ଥାଏ
ଜାଣି ନ ଥିଲି
ଜାଣି ନ ଥିଲି,
ଦୁଷ୍ଟ ପବନ ଜଖମ ବି ଦିଏ
ସୂର୍ଯ୍ୟ, ଚନ୍ଦ୍ର, ତାରା ସବୁ ଅର୍ଥହୀନ ହୋଇଯାଏ
ଆକାଶର ମେଘ, ଚନ୍ଦ୍ର ବିଜୁଳିରେ
ଆଉ ମନ ମୟୂରୀ ହୋଇ ନାଚୁନି
ନା ପ୍ରଫୁଲ ପବନ ବହୁଛି ମୋ ଦିଗକୁ
ତୁମର ଥାଇ ନ ଥିବାଟା ଖାଲି ଖାଁ ଖାଁ ପରି ଲାଗୁଛି
ବିଚ୍ଛେଦର ଗୀତ ଗାଇ ଗାଇ ଲୁହସବୁ ଧାର ଧାର
ବୋଧେ ଏମିତି ହୁଏ ପ୍ରଥମ ଥର !
ହେଲେ ଆଜି ଦିନଟି
କେମିତି ତୁମେ ଯାଇପାର ଭୁଲି
ମୋ ଜନ୍ମଦିନଟି ଥିଲା
ତୁମ ପାଇଁ ସର୍ବଦା ଉନ୍ମାଦର ସ୍ୱପ୍ନପରି
ଅନାଇ ବସିଛି ବଡ଼ ଆଶାରେ
ପୁଣିଥରେ ଫେରି ଆସିବ
ଆନନ୍ଦର ଗୀତଗାଇବ ସ୍ପନ୍ଦନ
ଚକଚକ ହୋଇଯିବ
ମୁଁ ହୋଇଯିବି ପୁଣି ଆଶ୍ଚର୍ଯ୍ୟ
ଖୋଲି ମୋ ଜନ୍ମଦିନର ଉପହାର।