Latest Odisha News

BREAKING NEWS

ବ୍ୟଙ୍ଗ : ତୁ ମତେ ଚିହ୍ନି ପାରୁଛୁ

ଓଁ ଅଭିଜ୍ଞାନ ସାହୁ 

ହ୍ଵାଟ୍ସଆପର ବହୁଳ ବ୍ୟବହାର କରୁଥିବା ଲୋକ ନିଶ୍ଚିତଭାବେ ଊଣା ଅଧିକ କିଛି ନା କିଛି ହ୍ଵାଟ୍ସଆପ ଗ୍ରୁପରେ ମିଶିଥିବେ ।
ତା ଭିତରୁ ବହୁଳ ଭାବେ ତିଆରି ହୋଇଥିବା ଗ୍ରୁପ ହେଲା ପିଲାଦିନର ସ୍କୁଲ କିମ୍ବା କଲେଜ ଗ୍ରୁପ । ଗ୍ରୁପର ଆଦ୍ୟ କାଳରେ ଯେତେବେଳେ ପ୍ରତିଦିନ ପ୍ରାୟ ଜଣେ ଜଣେ ନୂଆ ପିଲାଦିନର ସହପାଠୀ କି ସହପାଠିନୀ ଗ୍ରୁପରେ ମିଶନ୍ତି ସେତେବେଳେ ଦିନଯାକ ତାରି ଉପରେ ଚର୍ଚ୍ଚା ଚାଲେ । ଯେମିତିକି ତାର କୋଉ ସେକ୍ସନ ଥିଲା । କୋଉ ଗଳିରେ ରହୁଥିଲା । କୋଉ ସାରଙ୍କ ପାଖରେ ଟିଉସନ ହେଉଥିଲା । ତା ଶଶୁର ଘର ପାଖରେ କାହା ନଣନ୍ଦ ବାହାହେଇଛି ଇତ୍ୟାଦି ଇତ୍ୟାଦି । କିନ୍ତୁ ସବୁଠୁ ଅଧିକ ବ୍ୟବହାର ହେଉଥିବା ବାକ୍ୟଟି ହେଲା ‘ତୁ ମୋତେ ଚିନ୍ହି ପାରୁଛୁ ?’ । ଯିଏ ନୂଆ ଗ୍ରୁପରେ ମିଶିଥିବ ସେ ନିଶ୍ଚିତ ଏ ବାକ୍ୟ ସହ ପରିଚିତ ଥିବ । ମୋ ସହ ବି ସେମିତି ହୋଇଥିଲା । ସତ କଥା ମୁଁ କିନ୍ତୁ କାହାକୁ ଚିହ୍ନି ପାରିନଥିଲି । କାରଣ ସ୍କୁଲ ବେଳର ଯିଏ ସିଙ୍ଗାଣି ନାକୀ ସେ ଆଜି ବିଶ୍ୱ ସୁନ୍ଦରୀ । ସ୍କୁଲ ବେଳେ ଯିଏ ରୋଡ଼ ରୋମିଓ ଭାବେ ଖ୍ୟାତ ଥିଲା, ଏବେ ଟ୍ରିପଲ ଏକ୍ସେଲର ସାର୍ଟ ବି ତା ଥନ୍ତଲ ପେଟର ନାହିକୁ ଘୋଡେଇପାରୁନି । ପିଲା ଦିନେ ଯିଏ ଘରେ ଭଉଣୀକୁ ଦେଖିଲେ ଲାଜ କରୁଥିଲା ସେ ଏବେ ଜଘନ୍ୟ କଲେଜର କୃଷ୍ଣ କଳା ବିଭାଗ ପ୍ରଫେସର । ସୌଜନ୍ୟ ଦୃଷ୍ଟିରୁ ପ୍ରଥମ ଦିନ ଏହିଭଳି ଅନେକ ପ୍ରଶ୍ନର ଉତ୍ତର ମୁଁ ହୁଁ ହାଁରେ ଦେଇଥିଲି । କଥାରେ ଅଛି କୌଣସି ଏକ କଥାକୁ ବାର୍ ବାର୍ ଶୁଣିଲେ ତାହା ଅଭ୍ୟାସରେ ପରିଣତ ହୋଇଯାଏ । ପ୍ରାୟ ଦୁଇ ତିନି ଦିନ ଯାଏଁ ଘରେ ବାହାରେ କିମ୍ବା ଫୋନରେ ଯିଏ ଦେଖାହେଲା ପ୍ରଥମେ ମୋ ପାଟିରୁ ବାହାରୁଥିଲା,” ତୁ ମୋତେ ଚିନ୍ହି ପାରୁଛୁ ? ”

ଆଉ ସେଇ ଅଭ୍ୟାସ ଯୋଗୁଁ ମୋ ସହିତ ଯେଉଁ ଦୁର୍ଘଟଣା ଘଟିଯାଇଛି ଆଶା ମୋର କୋୖଣସି ବନ୍ଧୁଙ୍କ ସହ ସେପରି ଦୁର୍ଘଟଣା ନ ଘଟୁ।

ଘଟଣାଟି ଏହିପରି ଯେ ଗତକାଲି ରାତିରେ ଶୋଇବା ପୂର୍ବରୁ ମୋ ସ୍କୁଲ ଗ୍ରୁପର ହ୍ଵାଟ୍ସଆପର ମେସେଜ ସବୁ ପଢୁଥିଲି। ରୁମରେ ଝାପ୍ସା ଲାଇଟ ଜଳୁଥିଲା। କିଛି ସମୟପରେ ଘରଣୀ କାମ ଦାମ ସାରି ରୁମ୍ କୁ ପଶୁ ପଶୁ ଭୁଲରେ ମୋ ପାଟିରୁ ବାହାରି ପଡ଼ିଲା ‘ତୁ ମୋତେ ଚିହ୍ନି ପାରୁଛୁ ?” ବାସ୍ ତାପରେ କଣ ହେଲା ମୁଁ ଆଉ ଜାଣିନି । ସକାଳେ ଚେତା ଫେରିଲା ପରେ ଦେହ ହାତ ପୁରା ଦରଜ।

ତେଣୁ ବନ୍ଧୁ ଗୋଟିଏ କଥାକୁ ଅନେକ ଥର କହିଲେ କିମ୍ବା ପଢିଲେ ତାହା ଅଭ୍ୟାସରେ ପଡ଼ିଯାଏ। ଆଉ ଯଦି ଅଜାଗା ଓ ଅସମୟରେ ପାଟିରୁ ବାହାରି ଗଲା ତେବେ ଦୁର୍ଘଟଣା ଘଟିବା ନିଶ୍ଚିତ।

ଯାହାହେଉ ମନଦୁଃଖରେ ବସିଛି ଧର୍ମପତ୍ନୀ ସକାଳ ପୂଜାପାଠ ସାରି ଫେରିଲେ । ମନେ ମନେ ଭାବିଲି ବୋଧେହୁଏ ଗୋଟିଏ ବୋଲି ସ୍ୱାମୀଙ୍କ ସହ ସଦ୍ୟ ଘଟିଥିବା ଘଟଣାରେ ଦୁଃଖିତ ଥିବେ ଓ ଠାକୁରଙ୍କୁ ମୋର ଆଶୁ ଆରୋଗ୍ୟ କାମନା କରିଥିବେ। ତଥାପି ନିଲଠା ଭଳି ପଚାରିଲି ଠାକୁରଙ୍କୁ କଣ ମାଗିଲ ?ପତ୍ନୀ କହିଲେ ଆଜି ଠାକୁରଙ୍କୁ ଗୁହାରି ହେଲିଯେ ଯିଏ ସର୍ବପ୍ରଥମେ ଏ ହ୍ଵାଟ୍ସଆପ ଓ ଫେସବୁକ ଉଦ୍ଭାବନ କଲା ଓ ଯିଏ ୟାକୁ ପ୍ରଥମେ ଭାରତକୁ ଆମଦାନୀ କଲା ତାର ଚଉଦପୁରୁଷ ଆଣ୍ଠୁକୁଡ଼ା ହୁଅନ୍ତୁ ।

Leave A Reply

Your email address will not be published.