Latest Odisha News

BREAKING NEWS

ବ୍ୟଙ୍ଗ : ଦୁଇ ନାଆର ନାବିକ

ଓଁ ଅଭିଜ୍ଞାନ ସାହୁ 

ଏଇ ଆମ ମାଡୁଆ ଭାଇ । ବୟସର ସଞ୍ଜ ସମୟକୁ କୁହନ୍ତୁ ଗୋଟେ ଗୁଲୁଗୁଲିଆ କଲେଜ ଝିଅ ସହ ପ୍ରେମ ହେଇଗଲା । କେମିତି କେଉଁ ପରିସ୍ଥିତିରେ ଫେସବୁକିଆ ପ୍ରେମ ହୋଇଗଲା ସେ ଆଉ ଗୋଟେ ଲମ୍ବା କାହାଣୀ । ପ୍ରେମରେ ଉବୁଟୁବୁ ଭାଇଙ୍କୁ ଶୟନେ ସପନେ କେବଳ ସେଇ ସୁନ୍ଦରୀର ଚେହେରା ଦେଖାଗଲା । ‘ଜିଧର ଦେଖୁଁ ଉଧର ଲାଲ୍ । ଲାଲି ଦେଖନେ ଗୟା ଥା ମେଁ ଖୁଦ୍ ହୋଗୟା ଲାଲ୍ ‘ ଭଳି ଅବସ୍ଥା । ଏପଟେ ତାଙ୍କ ହାଵ ଭାବରେ ଲକ୍ଷଣୀୟ ପରିବର୍ତ୍ତନ ଦେଖି ଏକମାତ୍ର ଘରଣୀ ସନ୍ଦେହ କଲେଣି ।

ମୋବାଇଲରେ ପ୍ରେମିକା ସହ ଗପୁଥିବା ବେଳେ ଟେରେଇ ଟେରେଇ ଚାହିଁବା , ଭାଇ ଅନୁପସ୍ଥିତ ଥିବା ବେଳେ ଫୋନ ମେମୋରୀ ଅଣ୍ଡାଳିବା , ଫୋରେନସିକ ଅଫିସର ଭକି ଭଳି ସାର୍ଟ , ରୁମାଲ , ପର୍ସ ଆଦିକୁ ଶୁଙ୍ଘିବା , ତନ୍ନ ତନ୍ନ କରି ପରୀକ୍ଷା କରିବା ସବୁ ଏବେ ଘରଣୀଙ୍କ ପ୍ରମୁଖ କାମ ହୋଇଗଲାଣି ।

କହିବା ବାହୁଲ୍ୟ ଭାଇ ଆମର କେତେବେଳେ ଯେ ଘରଣୀଙ୍କ ସତର୍କ ରାଡାର ଭିତରକୁ ଆସିଗଲେଣି ତାହା ପକ୍ଵବୟସରେ ନୂଆ ନୂଆ ପ୍ରେମରେ ମସଗୁଲ ଭାଇଙ୍କୁ ଅଜଣା ।

ଭାଇଙ୍କ ଚାଟିଙ୍ଗ ସମୟ ଓ କଥା ହେବା ସମୟରେ ଅନିମନ୍ତ୍ରିତ ଅତିଥି ଭଳି ଆସି ଭାଉଜ ପାଖରେ ବସି ଭାଇଙ୍କ ମନ ବହଲେଇବାର ଉପକ୍ରମରେ ରୁହନ୍ତି । କଥା ବାଆଁରେଇ ମଞ୍ଜି କଥାକୁ ଭାଉଜ ଉଦ୍ଭାବନ କରିଥିବା ଲାଇ  ଡିଟେକ୍ଟରରେ ଆଦାୟ କରିବା ଭଳି କାମ ଭାଇଙ୍କୁ ବିରକ୍ତ ଲାଗୁଥିଲେ ବି ନିରୁପାୟ ଥିଲେ । ସେ ଜାଣନ୍ତି ସାବିତ୍ରୀ ଆମବାସ୍ୟାରେ ପାଦ ଛୁଇଁ ମୁଣ୍ଡିଆ ମାରି ପତିଙ୍କ ଖୁସି ପାଇଁ ଜୀବନ ତ୍ୟାଗ କରିବା କଥା କହୁଥିବା ପତ୍ନୀ କାଣିଚାଏ ଏକୁଟିଆ ସମୟ ତ୍ୟାଗ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଦରକାର ପଡ଼ିଲେ ପତି ପରମେଶ୍ବରଙ୍କ ଜୀବନର ବଲକୁ ସ୍କୋୟାର କଟ , ବୋଲରସ ବ୍ୟାକ୍ ଡ୍ରାଇଭ ଖେଳିଲା ଭଳି ଉଡେଇ ବୁଡ଼େଇ ଚୌକା ଛକା ମାରିପାରନ୍ତି ସିନା ଅହେତୁକ ଭାବରେ ପ୍ରାପ୍ତ ପ୍ରେମମୟ ଜୀବନକୁ ତିଳେ ବି ବରଦାସ୍ତ କରିବାର ମୂଡ଼ରେ ନାହାଁନ୍ତି ।

ତେଣୁ ଅନିଚ୍ଛା ସତ୍ତ୍ୱେ ପାଠ କରିନଥିବା ଛାତ୍ର ସାରଙ୍କ ବେତ ଦେଖି ଯେମିତି ତା ସହ ଗତକାଲି ଘଟିଥିବା ଦୁଃଖଦ ଗପ ସବୁ ବଖାଣେ ସେମିତି ଭାଇ ଘରଣୀଙ୍କ ସବୁ ପ୍ରଶ୍ନର ଉତ୍ତର ପାଇଁ ନିତି ନୂଆ ନୂଆ ଇମୋସନାଲ ଗପ ତିଆରି କରି ଘରଣୀଙ୍କ ପ୍ରଶ୍ନର ମୋଡ଼ ବଦଳେଇ ଦେଉଥିଲେ ।

ଏପଟେ ଚାଟିଙ୍ଗ ପାଇଁ ସୁଯୋଗ ମିଳୁନଥିବାରୁ ଭାଇ ବିରହ ବେଦନାରେ ଛଟପଟ ହେଇ ସୁଯୋଗ ଖୋଜୁଥିଲା ବେଳେ ଘରଣୀଙ୍କ ଅନିସନ୍ଧିତ୍ସୁ ଆଖି ତାଙ୍କୁ ବ୍ୟସ୍ତ ବିଚଳିତ କରୁଥିଲା । ସେପଟେ ପ୍ରେମିକା ଅପେକ୍ଷାରେ ଫ୍ୟୁଜ ହୋଇ ଫିଲ୍ମୀ ଡାଏଲଗ ଶୁଣେଇ ଭାଇଙ୍କୁ ଦେବଦାସୀୟ ଭାବନାରେ ବୁଡ଼େଇ ମାରୁଥିଲା । ବିଚରା ଭାଇ ଅବକରେ ତୋ କରେ କ୍ୟା ?

ପତ୍ନୀଙ୍କୁ ଦେଖି ‘ ତୁହି ମେରା ଖୁଦା ତୁହି ମେରା ସଂସାର’ ଗୀତ ଗାଇଲା ବେଳେ ପତ୍ନୀ ଗାଉଛନ୍ତି,’ ସଜନୀରେ ଝୁଟ ମତ୍ ବୋଲନା ଖୁଦା କେ ପାସ୍ ଜାନା ହୈ ।’ ସେପଟେ ପ୍ରେମିକା ପାଇଁ “ଜୋ ତୁମ୍ କୋ ହୋ ପସନ୍ଦ ଓହି ବାତ୍ କରଙ୍ଗେ ,ତୁମ ଦିନ କୋ ଅଗର୍ ରାତ୍ କହ ତୋ ରାତ୍ କହେଙ୍ଗେ ।” ପ୍ରେମିକା ସେପଟୁ ଗାଉଛନ୍ତି ,”ଯୋ ୱଦା କିୟା ହୈ ତୋ ନିଭାନା ପଡେଗା । ରୋକେ ଜମାନା ଚାହେ ରୋକେ ଖୁଦାଇ । ବିଚରା ମାଡୁଆ ଭାଇ । ମନକୁ ମନକୁ ଗାଉଛନ୍ତି “କ୍ୟା ସର୍ତ୍ତେ ମୋହବତ୍ ହୈ କ୍ୟା ସର୍ତ୍ତେ ଜ଼ମାନା ହୈ , ଆୱାଜ୍ ଭି ଝୁକି ହୈ ଔର୍ ଗୀତ୍ ଭି ଗାନା ହୈ ।” ବେଳେ ବେଳେ ଘରଣୀ ମୁହଁ ଓହଳେଇ କହୁଛନ୍ତି , ତୁମେ ମୋତେ ଆଉ ଭଲ ପାଉନ । ଏପଟେ ପ୍ରେମିକା କହୁଛି, ମୋ ପାଇଁ ସମୟ ନାହିଁ ତ ତୁମ ପାଇଁ ମୁଁ କାହିଁ !!

ଆଜି କାଲି ଫୋନବିହୀନ ଭାଇଙ୍କୁ ଦେଖିବାକୁ ମିଳୁଛି ଘର ପାଖ ରାସନ ଦୋକାନ ବାରଣ୍ଡାରେ ମୁହଁ ଓହଳେଇ ବସିଥିବାର । ଭାଉଜ ଭାଇଙ୍କ ଫୋନରେ ଟିଭି ଆପ ଖୋଲି ସିରିଏଲ ଦେଖୁଛନ୍ତି ଭାଇଙ୍କ ପାଖରେ ଫାଙ୍କା ସମୟ ପଡିଛି ବୋଲି ।

ବନମାଳି ଭବନ , ଖାନ୍ ନଗର
କଟକ

Leave A Reply

Your email address will not be published.