Latest Odisha News

BREAKING NEWS

ବିଦା ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଦେ, ବିଜେପି କହୁଛି ଯେମିତି ହେଲେ ରଖିବୁ!

ଭୁବନେଶ୍ୱର: ସିନ୍ଦେ ଗୋଷ୍ଠୀ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ସମ୍ପର୍କିତ ନିଷ୍ପତ୍ତି ଶୁଣାଣି ପ୍ରସଙ୍ଗକୁ ନେଇ ରାଜନୀତି ଥମିବାର ନାଁ ନେଉନି। ଏହି ଶୁଣାଣିରେ ବହୁ ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ମହାରାଷ୍ଟ୍ର ବାଚସ୍ପତିଙ୍କୁ କଡା ସମାଲୋଚନା କରିଥିବା ବେଳେ ତୁରନ୍ତ ଏହି ମାମଲାର ଫଇସଲା କରିବାକୁ କହିଥିଲେ। ଯାହାକୁ ନେଇ ମହାରାଷ୍ଟ୍ର ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିଲା। ଏହା ପରେ ବାଚସ୍ପତି ତତ୍ପର ହୋଇଛନ୍ତି।

ଠିକ ଏଭଳି ସମୟରେ ସୁପ୍ରିମକୋର୍ଟ ବାଚସ୍ପତି ରାହୁଲ ନରୱେକରଙ୍କୁ ଡିସେମ୍ବର ୩୧ ତାରିଖ ସୁଦ୍ଧା ମାମଲାର ଶୁଣାଣି ସାରିବାକୁ ନିର୍ଦେଶ ଦେଇଛନ୍ତି। ଏହି ମାମଲାର ଶୁଣାଣି ପାଇଁ ଏକ ଟାଇମଲାଇନ ସ୍ଥିର କରିବାକୁ ଅକ୍ଟୋବର ୧୩ ଓ ୧୮ ତାରିଖରେ କୋର୍ଟ ବାଚସ୍ପତିଙ୍କୁ ନିର୍ଦେଶ ଦେଇଥିଲେ।

ଶିବସେନା ଉଦ୍ଧବ ଗୋଷ୍ଠୀ ପକ୍ଷରୁ ବାଚସ୍ପତି ଜାଣିଶୁଣି ଏ ପ୍ରସଙ୍ଗରେ ବିଳମ୍ବ କରୁଥିବା ଅଭିଯୋଗ କରାଯାଉଛି। ତେଣୁ ସିନ୍ଦେ ଗୋଷ୍ଠୀ ବିଧାୟକଙ୍କ ବିରୋଧରେ ହୋଇଥିବା ଅଯୋଗ୍ୟ ଘୋଷଣା ସମ୍ପର୍କିତ ମାମଲାର ଶୁଣାଣି ଡିସେମ୍ବର ୩୧ ତାରିଖ ସୁଦ୍ଧା ସରିବାକୁ ସର୍ବୋଚ୍ଚ କୋର୍ଟ ନିର୍ଦେଶ ଦେଇଛନ୍ତି।

ସେପଟେ ଅଯୋଗ୍ୟ ଘୋଷଣା ସମ୍ପର୍କିତ ମାମଲାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନାଁ ରହିଥିବାରୁ ଶାସକ ସିନ୍ଦେ ବିଜେପି ଓ ଅଜିତ ସରକାର ଅଡୁଆରେ ପଡିଛି। ତେଣୁ ଆଗକୁ ଘଟିବାକୁ ଥିବା ସ୍ଥିତିକୁ ସମ୍ମୁଖୀନ ହେବାକୁ ବିଜେପି ଯୋଜନା କରୁଥିବା ସୂଚନା ମିଳୁଛି।

ଏପରିକି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିଶଙ୍କ ଏ ପ୍ରସଙ୍ଗରେ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଅଯୋଗ୍ୟ ଘୋଷଣା କରାଯିବ ନାହିଁ। ଏପରିକି ଯଦି ଏମିତି ହେଲା ତାହେଲେ ତାଙ୍କୁ ବିଧାନପରିଷଦ ସଦସ୍ୟ ଭାବେ ନିର୍ବାଚିତ କରାଯିବ ଓ ସେ ମୁଖ୍ୟମନ୍ତ୍ରୀ ରହିବେ।

ଆଗାମୀ ନିର୍ବାଚନ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ହିଁ ଲଢ଼ାଯିବ ବୋଲି ଫଡନାଭିଶ କହିଛନ୍ତି। ତେଣୁ ଗୋଟିଏ ପଟେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଓ ଫଡନାଭିଶଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ବଢିଛି।

ମହାରାଷ୍ଟ୍ର ରାଜନୀତିରେ ବହୁ ମାସ ଧରି ଏଭଳି ଉତ୍ଥାନପତନ ଲାଗି ରହିଛି। ତେଣୁ ଏବେ ବାଚସ୍ପତି ଆଉ ବିଳମ୍ବ କରିପାରିବେ ନାହିଁ ଓ କୋର୍ଟଙ୍କ ନିର୍ଦ୍ଧାରିତ ସମୟସୀମା ଅନୁଯାୟୀ ନିଷ୍ପତ୍ତି ନେବାକୁ ବାଧ୍ୟ ହେବେ।

ଦେଶରେ ନିର୍ବାଚନ ମାହୋଲ ସରଗରମ ହେଉଥିବା ବେଳେ ମହାରାଷ୍ଟ୍ର ରାଜନୀତି ଏବେ ଚଳଚଞ୍ଚଳ ହୋଇଉଠିଛି। ତେଣୁ ଆଗକୁ ଯଦି ମୁଖ୍ୟମନ୍ତ୍ରୀ ସିନ୍ଦେ ଅଯୋଗ୍ୟ ଘୋଷିତ ହେଲେ ତାହେଲେ ସିନ୍ଦେ ବିଜେପି ସରକାର କି ପଦକ୍ଷେପ ନେଉଛନ୍ତି ଓ ଉଦ୍ଧବ ଗୋଷ୍ଠୀର ଆଭିମୁଖ୍ୟ କଣ ହେଉଛି ତା ଉପରେ ରାଜନୈତିକ ମହଲର ନଜର ରହିଛି।

Leave A Reply

Your email address will not be published.