Latest Odisha News

BREAKING NEWS

କଂଗ୍ରେସର ସାପ ମନ୍ତବ୍ୟକୁ ପିଏମ୍ ମୋଦିଙ୍କ କାଉଣ୍ଟର, କହିଲେ ‘ଶିବଙ୍କ ଗଳାରେ ଶୋଭାପାଏ ସାପ’  

ବେଙ୍ଗଳୁରୁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଂଗ୍ରେସ ସାପ ସମ୍ବୋଧନ କରିବା ପରେ କର୍ଣ୍ଣାଟକରେ ମୋଦି କାଉଣ୍ଟର କରିଛନ୍ତି । କୋଲାରରେ ଏକ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ବର୍ଷିଛନ୍ତି । ଖଡ଼ଗେଙ୍କ ବିଷାକ୍ତ ସାପ ବୟାନକୁ କାଉଣ୍ଟର କରିବା ନାଁ ନନେଇ କହିଛନ୍ତି, ନାଗ ଭଗବାନ ଶିବଙ୍କ ଗଳାରେ ଶୋଭାପାଏ । ମୋ ପାଇଁ ଦେଶର ଜନତା ଭଗବାନ ଶିବଙ୍କ ଭଳି ।

କର୍ଣ୍ଣାଟକର ଏହି ନିର୍ବାଚନ ଆଗାମୀ ୫ ବର୍ଷ ଲାଗି ବିଧାୟକ, ମନ୍ତ୍ରୀ ଅଥବା ମୁଖ୍ୟମନ୍ତ୍ରୀ ହେବା ଲାଗି ନୁହେଁ । ଏ ନିର୍ବାଚନ ଆଗାମୀ ୨୫ ବର୍ଷରେ ବିକଶିତ ଭାରତର ରୋଡମ୍ୟାପକୁ ଶକ୍ତିଶାଳୀ କରିବା ଲାଗି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ପିଏମ୍ ମୋଦି ଆହୁରି କହିଛନ୍ତି, ୨୦୧୪ ପୂର୍ବରୁ ଦୁର୍ନୀତି କାଳ ଚାଲିଥିଲା । କଂଗ୍ରେସ ସରକାର ସମୟରେ ଲୋକ ସମସ୍ତ ଆଶା ଆଙ୍କାକ୍ଷା ଛାଡ଼ି ଦେଇଥିଲେ । ବିଜେପିକୁ ଦେଇଥିବା ଆପଣଙ୍କ ଗୋଟିଏ ଭୋଟ୍ ସବୁ ସ୍ଥିତିକୁ ବଦଳାଇ ଦେଇଛି । ଆଜି ଭାରତର ଚର୍ଚ୍ଚା ସବୁଠୁ ହେଉଛି । ଅର୍ଥବ୍ୟବସ୍ଥା ମଜଭୁତ୍ ହୋଇଛି । ଜେଡିଏସ୍ ଓ କଂଗ୍ରେସ କର୍ଣ୍ଣାଟକର ବିକାଶରେ ସବୁଠୁ ବଡ଼ ବାଧକ ବୋଲି କହିଛନ୍ତି ମୋଦି ।

ସୂଚନାଯୋଗ୍ୟ, କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଲାଗି ମତଦାନ ଗୋଟିଏ ପର୍ଯ୍ୟାୟରେ ହେବ । ମେ ୧୦ରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ୧୩ ମତଗଣନା କରାଯାଇ ଫଳାଫଳ ପ୍ରକାଶ ପାଇବ । ୨୦୧୮ ବିଧାନସଭା ନିର୍ବାଚନରେ ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକରେ ବିଜେପି ୧୦୪ ଆସନରେ ବିଜୟୀ ହୋଇଥିଲା । ଯେତେବେଳେ କି କଂଗ୍ରେସ ୮୦, ଜେଡିଏସ୍ ୩୭ ଆସନ ହାତେଇଥିଲେ । କୌଣସି ଦଳ ବହୁମତ ପାଇ ନଥିଲେ ।

Leave A Reply

Your email address will not be published.