Latest Odisha News

BREAKING NEWS

ଭାରତରେ କରୋନାର ନୂଆ ଷ୍ଟ୍ରେନ୍, ଜାଣନ୍ତୁ କେତେ ମାରାତ୍ମକ…

ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଭୂତାଣୁର ନୂଆ ରୂପ ସାମ୍ନାକୁ ଆସିଛି । କରୋନାର ନୂଆ ଷ୍ଟ୍ରେନ୍ ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲରୁ ଫେରିଥିବା ଲୋକଙ୍କ ଠାରେ ଚିହ୍ନଟ ହୋଇଛି । ୪ ଜଣଙ୍କ ଠାରେ ଦକ୍ଷିଣ ଆଫ୍ରିକା ଓ ଜଣଙ୍କ ଠାରେ ବ୍ରାଜିଲ୍ ଭାରିଆଣ୍ଟ ମିଳିଛି । କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ପରେ ଆଲର୍ଟ ମୋଡରେ ସରକାର ।

ଦକ୍ଷିଣ ଆଫ୍ରିକା ଭାରିଆଣ୍ଟ କଣ ?

୪ ଜଣଙ୍କ ଠାରେ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୨ ଜଣ ଅଙ୍ଗୋଲା ଓ ତଞ୍ଜାନିଆରୁ ଭାରତ ଫେରିଥିବା ବେଳେ ଅନ୍ୟ ୨ ଜଣ ଦକ୍ଷିଣ ଆଫ୍ରିକାରୁ ଆସିଛନ୍ତି । ଏହି ୪ ଜଣ ଜାନୁଆରୀ ମାସରେ ଭାରତ ଫେରିଛନ୍ତି ।

ଆଇସିଏମ୍ଆର୍ ନିର୍ଦ୍ଦେଶକ ଜେନେରାଲ ବଳରାମ ଭାର୍ଗବଙ୍କ ଅନୁସାରେ, SARS-CoV-2 ଦକ୍ଷିଣ ଆଫ୍ରିକା ଷ୍ଟ୍ରେନର 20H/501Y.V2 ଅଥବା B.1.351 କୁହାଯାଉଛି । କରୋନାରେ ଏହି ଷ୍ଟ୍ରେନ୍ କେବଳ ଦକ୍ଷିଣ ଆଫ୍ରିକାରୁ ସୃଷ୍ଟି ହୋଇଛି । ଏହାର ପ୍ରଥମ ମାମଲା ୨୦୨୦ ଡିସେମ୍ବରରେ ସାମ୍ନାକୁ ଆସିଥିଲା ।

କେତେ ମାରାତ୍ମକ ?

ବ୍ରିଟେନ୍ ଷ୍ଟ୍ରେନ୍ ଭଳି କରୋନାର ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ ଦ୍ରୁତଗତିରେ ବିସ୍ତାର ହେଉଛି । ଏହି ଷ୍ଟ୍ରେନ୍ ଯୁବକମାନଙ୍କୁ ମଧ୍ୟ ଆକ୍ରାନ୍ତ କରୁଛି । ଦକ୍ଷିଣ ଆଫ୍ରିକାରେ କରୋନାର ଏହି ଷ୍ଟ୍ରେନରେ କମ୍ ବୟସର ଲୋକ ବି ସଂକ୍ରମିତ ହେଉଛନ୍ତି । ତେବେ, ବର୍ତ୍ତମାନ ଯାଏ ଭୂତାଣୁ କେତେ ଘାତକ ସେନେଇ କୌଣସି ତଥ୍ୟ ଆସିନାହିଁ ।

ତେବେ, ଏହି ଷ୍ଟ୍ରେନକୁ ନେଇ ଦକ୍ଷିଣ ଆଫ୍ରିକା ସରକାର ଜାରି କରିଥିବା ବୟାନ ବେଶ୍ ଚିନ୍ତାଜନକ । ଦକ୍ଷିଣ ଆଫ୍ରିକା ସରକାର କହିଛନ୍ତି- ଏହି ଷ୍ଟ୍ରେନ୍ ବିରୋଧରେ ଆଷ୍ଟ୍ରାଜେନକା-ଅକ୍ସଫୋର୍ଡ ଭ୍ୟାକ୍ସିନ୍ ଫଳପ୍ରଦ ନୁହେଁ । ଏଥିପାଇଁ ଦକ୍ଷିଣ ଆଫ୍ରିକା ସରକାର ଭାରତରୁ ନେଇଥିବା ଟିକାର ପ୍ରୟୋଗ ବନ୍ଦ କରି ଦେଇଛନ୍ତି ।

ବ୍ରାଜିଲ୍ କରୋନା ଷ୍ଟ୍ରେନ୍

କରୋନାର ବ୍ରାଜିଲ୍ ଷ୍ଟ୍ରେନକୁ 20J/501Y.V3 ଅଥବା P.1 କୁହାଯାଉଛି । ଚଳିତବର୍ଷ ଜାନୁଆରୀ ଆରମ୍ଭରେ ଏହି ଷ୍ଟ୍ରେନ୍ ବ୍ରାଜିଲରୁ ଫେରିଥିବା ଯାତ୍ରୀଙ୍କ ଠାରେ ମିଳିଥିଲା । ବିଶେଷକରି ୧୦ରୁ ୪୦ ବର୍ଷ ବୟସ୍କଙ୍କ ଠାରେ ଏହି ଷ୍ଟ୍ରେନ୍ ଚିହ୍ନଟ ହୋଇଛି । ଏନ୍ଆଇଆଇଡି ଅନୁସାରେ ଏହି ଭୂତାଣୁ ୧୨ ଥର ମ୍ୟୁଟେସନ୍ କରେ ।

ଅର୍ଥାତ୍ କରୋନାର ନୂଆ ଷ୍ଟ୍ରେନ୍ କେବଳ ଶୀଘ୍ର ବ୍ୟାପୁନାହିଁ ବରଂ ଏଥିରେ କମ୍ ବୟସ୍କ ଜଲଦି ସଂକ୍ରମିତ ହେଉଛନ୍ତି । ଏଥିପାଇଁ ଭାରତରେ ୨ଟି ଯାକ ଷ୍ଟ୍ରେନ୍ ଚିହ୍ନଟ ପରେ ଚିନ୍ତା ବଢ଼ିଛି । କାରଣ ଭାରତରେ ଏବେ ଯାଏ ଅଧିକ ବୟସ୍କ ଲୋକଙ୍କ ଠାରେ ବେଶୀ କରୋନା ସଂକ୍ରମଣ କେସ୍ ମିଳିଥିଲା ।

ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଥିବା ୫ ଜଣଙ୍କ ସହ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ କ୍ୱାରେଣ୍ଟାଇନ୍ କରାଯାଇଛି । ଏହାବ୍ୟତୀତ୍ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନରେ ସଂକ୍ରମିତ ଲୋକଙ୍କ ନମୁନା ନେଇ ଲାବରେ ଷ୍ଟ୍ରେନକୁ ଆଇସୋଲେଟ୍ କରିବା ପାଇଁ ଚେଷ୍ଟା ଚାଲିଛି । ଯେତେବେଳେକୁ ବ୍ରାଜିଲ୍ ଷ୍ଟ୍ରେନକୁ ଅଲଗା କରାଯାଇ ସାରିଛି । ଏଥିସହ ଏହି ନୂଆ ଷ୍ଟ୍ରେନ୍ ଉପରେ ଭ୍ୟାକ୍ସିନ୍ କେତେ ପ୍ରଭାବଶାଳୀ ତାର ଅନୁସନ୍ଧାନ ଚାଲିଛି ।

ତେବେ ନୂଆ ଷ୍ଟ୍ରେନକୁ ନେଇ କୌଣସି ସ୍ପଷ୍ଟ ଚିତ୍ର ନ ଆସିବା ଯାଏ ସାବଧାନ ରହିବାକୁ ପଡ଼ିବ । ଏଥିପାଇଁ ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲରୁ ଫେରୁଥିବା ସମସ୍ତ ଯାତ୍ରୀଙ୍କୁ କରୋନାର ଆରଟି-ପିସିଆର ପରୀକ୍ଷା କରିବାକୁ ବାଧ୍ୟତାମୂଳକ କରାଯାଇଛି ।

Leave A Reply

Your email address will not be published.