Latest Odisha News

BREAKING NEWS

ଆଜି ମଧ୍ୟ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଗ୍ରାହକ ଅସୁବିଧାର ସମ୍ମୁଖୀନ

ଭୁବନେଶ୍ୱର: ବଡ଼ଦିନ ଖ୍ରୀଷ୍ଟମାସ ପରି ଜାତୀୟ ଛୁଟି ଦିବସ ପରଦିନ ଅର୍ଥାତ ଆଜି ବୁଧବାର ଦିନ ଦେଶବ୍ୟାପୀ ଧର୍ମଘଟ ଯୋଗୁଁ ସମସ୍ତ ସରକାରୀ ତଥା ଘରୋଇ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିଛି ।

ବ୍ୟାଙ୍କ ଅଫ ବରୋଦା ସହିତ ଦେନା ବ୍ୟାଙ୍କ ଏବଂ ବିଜୟା ବ୍ୟାଙ୍କର ମିଶ୍ରଣକୁ ବିରୋଧ କରି ଦେଶର ପ୍ରାୟ ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ ବୁଧବାର ଦିନ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି ।

ଦେଶର ବ୍ୟାଙ୍କ କର୍ମଚାରୀ ସଂଘର ମିଳିତ ମଞ୍ଚ (ୟୁଏଫବିୟୁ) ପକ୍ଷରୁ ବୁଧବାର ଦିନ ଏହି ଧର୍ମଘଟ ହେଉଥିବା ନେଇ ପୂର୍ବରୁ ଅଧିକାଂଶ ବ୍ୟାଙ୍କ ଗୁଡ଼ିକ ସେମାନଙ୍କର ଗ୍ରାହକମାନଙ୍କୁ ଅବଗତ କରିଛନ୍ତି । ବୁଧବାର ଦିନ ଏହି ବ୍ୟାଙ୍କ ଧର୍ମଘଟକୁ ମିଳିତ ବ୍ୟାଙ୍କ ମଞ୍ଚର ‘ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡ଼େରେସନ’ (ଏଆଇବିଓସି), ‘ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲଇସ୍ ଆସୋସିଏସନ’ (ଏଆଇବିଇଏ), ‘ନ୍ୟାସନାଲ କନଫେଡ଼େରେସନ ଅଫ ବ୍ୟାଙ୍କ ଏମ୍ପ୍ଲଇଜ’ (ଏନସିବିଇ) ଏବଂ ନ୍ୟାସନାଲ ଅର୍ଗାନାଇଜେସନ ଅଫ ବ୍ୟାଙ୍କ ୱର୍କର୍ସ (ଏନଓଡ୍ଲ୍ୟୁ) ଗୁଡ଼ିକ ସମର୍ଥନ କରୁଛନ୍ତି ।

କେନ୍ଦ୍ର ସରକାର କେତେକ ସରକାରୀ ଯୋଜନା ଯଥା – ଜନ ଧନ ଯୋଜନା, ମୁଦ୍ରା, ସୋସିଆଲ ସିକ୍ୟୁରିଟି ଇନସ୍ୟୁରାନ୍ସ ଏବଂ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଗୁଡ଼ିକୁ ବ୍ୟାଙ୍କ ମାଧ୍ୟମରେ କାର୍ଯ୍ୟକାରୀ କରିବା ଫଳରେ ବ୍ୟାଙ୍କ ଗୁଡ଼ିକ ଅନେକ ଅସୁବିଧାର ସମ୍ମୁଖୀନ ହେବା ସହିତ ଗ୍ରାହକମାନଙ୍କୁ ସେମାନଙ୍କ ସେବା ଦେବାରେ ସମସ୍ୟା ଉପୁଜୁଛି । ଏହା ସତ୍ୱେ ଏହି ମିଶ୍ରଣ ଫଳରେ ୟୁନିୟନର ସମସ୍ତ ବ୍ୟାଙ୍କ ଗୁଡ଼ିକ ଅଧିକ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି ବୋଲି ବ୍ୟାଙ୍କ ୟୁନିୟନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଏହି ଧର୍ମଘଟରେ ସାମିଲ ନହୋଇ କେତେକ ଘରୋଇ ବ୍ୟାଙ୍କ ଗୁଡ଼ିକ ସ୍ୱାଭାବିକ ଭାବେ ଖୋଲା ରହିବ ।

ଚଳିତ ସପ୍ତାହରେ ଏହା ହେଉଛି ଦେଶରେ ୨ୟ ବ୍ୟାଙ୍କ ଧର୍ମଘଟ ।

ଗତ ଡ଼ିସେମ୍ବର ୨୧ ତାରିଖରେ ଏଆଇବିଓସି ଆହ୍ୱାନରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ହୋଇଥିଲା । ବେତନ ସଂଶୋଧନ ସମେତ ଅନ୍ୟାନ୍ୟ ଦାବି ପୂରଣ ଲାଗି ଏହି ବ୍ୟାଙ୍କ କର୍ମଚାରୀମାନେ ଦେଶବ୍ୟାପୀ ଧର୍ମଘଟ କରିଥିଲେ ।

ତେବେ ସବୁଠୁ ବଡ଼କଥା ହେଲା ଗତ ୨୨ ଓ ୨୩ ତାରିଖରେ ବ୍ୟାଙ୍କ ଗୁଡ଼ିକ ଛୁଟି ରହିଥିବାରୁ କେବଳ ୨୪ ତାରିଖରେ ବ୍ୟାଙ୍କ ଖୋଲାଯାଇ ଗ୍ରାହକମାନେ ବ୍ୟାଙ୍କ ସେବା ପାଇପାରିଥିଲେ । କିନ୍ତୁ ତହିଁପରଦିନ ଅର୍ଥାତ୍ ୨୫ ତାରିଖରେ ବଡ଼ଦିନ ଯୋଗୁଁ ଜାତୀୟ ଛୁଟି ଯୋଗୁଁ ଦେଶର ସମସ୍ତ ବ୍ୟାଙ୍କ ଛୁଟି ଯୋଗୁଁ ବନ୍ଦ ରହିଥିଲା ।

ବୁଧବାର ୨୬ ତାରିଖର ଏହି ଧର୍ମଘଟ ଯୋଗୁଁ ବ୍ୟାଙ୍କସେବା ବାଧାପ୍ରାପ୍ତ ହେବା ସଙ୍ଗେ ସଙ୍ଗେ ଗ୍ରାହକମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

Leave A Reply

Your email address will not be published.