Latest Odisha News

BREAKING NEWS

ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ: ସୁନ୍ଦରଗଡ଼ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ମନରେ ଭରିଛି ନୂଆ ସ୍ବପ୍ନ

ସୁନ୍ଦରଗଡ଼ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଧାରା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧିନରେ ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ୬୭ଟି ସରକାରୀ ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ ହୋଇଛି । ଏହା ଫଳରେ ଏବେ ରୂପାନ୍ତରିତ ସ୍କୁଲରେ ତିଆରି ହୋଇଛି ସ୍ମାର୍ଟ କ୍ଲାସରୁମ, ଆଧୁନିକ ବିଜ୍ଞାନାଗାର, ନୂତନ ପାଠାଗାର ଓ ଇ-ଲାଇବ୍ରେରି, ଉନ୍ନତ ଖେଳପଡ଼ିଆ । ଏହା ସହିତ ସ୍ବଚ୍ଛ ଶୌଚାଳୟ ଏବଂ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ସରକାରୀ ହାଇସ୍କୁଲର ପରିବେଶକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି ।

 

ଏଭଳି ସରକାରୀ ସ୍କୁଲରେ ପାଠ ପଢ଼ି ଭବିଷ୍ୟତରେ ଇଞ୍ଜିନିୟର ହେବାର ସ୍ବପ୍ନ ରଖିଛନ୍ତି ଟାଙ୍ଗରପାଲି ବ୍ଲକ୍ ଟିପିଏସ୍ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର ସଦାଶିବ ବାଗ୍ । ସଦାଶିବଙ୍କ କହିବା କଥା, ଆଗରୁ ଆମେ ପୁରୁଣା ବେଞ୍ଚ ଡେସ୍କରେ ବସି ପାଠ ପଢୁଥିଲୁ । ଶ୍ରେଣୀଗୃହରେ ମଧ୍ୟ ଆବଶ୍ୟକ ଲାଇଟର ବ୍ୟବସ୍ଥା ନଥିଲା । ଶିକ୍ଷକ ଶିକ୍ଷୟିତ୍ରୀମାନେ ପୁରୁଣା କଳାପଟା ଓ ଚକଖଡ଼ି ବ୍ୟବହାର କରି ପଢ଼ାଉଥିଲେ । ଫଳରେ ପାଠ ପଢ଼ାରେ ବେଶୀ ମନ ଲାଗୁ ନଥିଲା । ଏବେ କିନ୍ତୁ ସ୍କୁଲର ଚେହେରା ପୂରା ବଦଳିଯାଇଛି । ସ୍କୁଲ ଘର ଚକାଚକ ହୋଇଥିବା ବେଳେ, ଶିକ୍ଷାଦାନ ପାଇଁ ସ୍ମାର୍ଟ କ୍ଲାସରୁମ କରାଯାଇଛି ସେହିପରି ଘରୋଇ ସ୍କୁଲମାନଙ୍କରେ ସ୍ମାର୍ଟ କ୍ଲାସରୁମରେ ପାଠପଢ଼ା ହୁଏ ବୋଲି ଶୁଣିଥିଲି । କିନ୍ତୁ ଆଜି ଆମ ସ୍କୁଲରେ ସ୍ମାର୍ଟ କ୍ଲାସରୁମ ଦେଖି ବହୁତ ଖୁସି ଲାଗୁଛି । ଇ-ଲାଇବ୍ରେରି, ଆଧୁନିକ ବିଜ୍ଞାନାଗାର ଏବଂ କମ୍ପ୍ୟୁଟର ଲ୍ୟାବ୍ ଆଦି ସୁବିଧା ହେବା ଫଳରେ ଏବେ ପାଠପଢ଼ା ଅଧିକ ପ୍ରଭାବଶାଳୀ ହୋଇପାରୁଛି । ମୋର ଡାକ୍ତର ହେବାର ସ୍ୱପ୍ନ ପୂରଣ ହୋଇ ପାରିବ ବୋଲି ଦୃଢ଼ ବିଶ୍ୱାସ ରହିଛି ବୋଲି କହିଛନ୍ତି ବାଲିଶଙ୍କରା ବ୍ଲକ୍ ବନ୍ଧବାହାଲ ସରକାରୀ ହାଇସ୍କୁଲର ନବମ ଶ୍ରେଣୀର ଛାତ୍ରୀ ରୋଶ୍ନୀ ସାହୁ ।

କେବଳ ସଦାଶିବ ବାଗ୍ କିମ୍ବା ରୋଶନୀ ସାହୁ ନୁହନ୍ତି, ରାଜ୍ୟ ସରକାରଙ୍କ ୫-ଟି ଅଭିଯାନ ଅଧୀନରେ ଚାଲିଥିବା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଜରିଆରେ ସୁନ୍ଦରଗଡ଼ ଜିଲ୍ଲାର ଶହ ଶହ ଛାତ୍ରଛାତ୍ରୀଙ୍କ ମନରେ ଭବିଷ୍ୟତର ସ୍ୱପ୍ନ ପୂରଣ କରିବାକୁ ନୂଆ ଆଶା ସୃଷ୍ଟି ହୋଇଛି । ବିଶେଷକରି ଜିଲ୍ଲାର ଗ୍ରାମାଞ୍ଚଳ ଓ ଖଣି ପ୍ରଭାବିତ ଅଞ୍ଚଳର ପିଲାଙ୍କ ମନରେ ସ୍କୁଲର ଏହି ନୂଆ ବ୍ୟବସ୍ଥା ନୂତନ ଉତ୍ସାହ ସୃଷ୍ଟି କରିଛି । ଦିନେ ଯେଉଁମାନେ ସରକାରୀ ହାଇସ୍କୁଲରେ ପାଠ ପଢ଼ିବାକୁ ଆଗ୍ରହ ଦେଖାଉ ନଥିଲେ, ଆଜି ସେମାନଙ୍କ ପାଇଁ ସ୍କୁଲର ଏହି ନବକଳେବର ଏକ ବଡ଼ ଆକର୍ଷଣ ହୋଇଛି ।

 

 

 

ଦିନ ଥିଲା ସରକାରୀ ହାଇସ୍କୁଲରେ ପିଲାମାନେ ପୁରୁଣାକାଳିଆ କଳାପଟାରେ ପାଠ ପଢ଼ୁଥିଲେ । କିନ୍ତୁ ଏବେ ସେହି ସ୍ଥାନରେ ଆସି ଯାଇଛି ଅତ୍ୟାଧୁନିକ ସ୍ମାର୍ଟ ବୋର୍ଡ । ଏହା ସାହାଯ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଭିଡିଓ ଏବଂ ପିପିଟି ଆଦି ବ୍ୟବହାର କରି ପିଲାଙ୍କୁ ସମ୍ପୂର୍ଣ୍ଣ ନୂଆ ଢ଼ାଞ୍ଚାରେ ପାଠ ପଢ଼ାଉଛନ୍ତି । ଦିନେ ପିଲାମାନେ ଯେଉଁସବୁ ବିଷୟକୁ କେବଳ ବହିର ପୃଷ୍ଠାରେ ଦେଖୁଥିଲେ ଏବେ ଆଖି ଆଗରେ ଡିଜିଟାଲ ବୋର୍ଡରେ ତା’ର ଭିଡିଓ ଓ ଆନିମେସନ ଆଦି ଦେଖି ଆକର୍ଷିତ ହେଉଛନ୍ତି । ତେଣୁ ପାଠ ବୁଝିବା ଓ ମନେରଖିବା ସହଜ ହୋଇପାରିଛି ।

କୁତ୍ରା ସରକାରୀ ହାଇସ୍କୁଲର ଛାତ୍ର ମୁକେଶ ମିଞ୍ଜଙ୍କ କହିବା କଥା, ଆମ ସ୍କୁଲରେ ଆଗରୁ ବିଜ୍ଞାନାଗାର ନଥିଲା । ଆମେ କେବଳ ବହିରେ ଚିତ୍ର ଦେଖି ବିଭିନ୍ନ ବିଷୟ ଜାଣୁଥିଲୁ । କିନ୍ତୁ ଏବେ ଆମ ସ୍କୁଲରେ ଆଧୁନିକ ବିଜ୍ଞାନାଗାର ହେବା ଫଳରେ ବିଭିନ୍ନ ବୈଜ୍ଞାନିକ ଉପକରଣକୁ ନିଜ ହାତରେ ଛୁଇଁ ପାରୁଛୁ । ଏହା କିପରି ବ୍ୟବହାର କରାଯାଏ ତାହା ମଧ୍ୟ ଜାଣିବାର ସୁଯୋଗ ମିଳୁଛି । ଫଳରେ ଯାହା ଆମେ ଦିନେ ବହି ଦେଖି ବା ଶିକ୍ଷକଙ୍କଠାରୁ ଶୁଣି କେବଳ କଳ୍ପନା କରୁଥିଲୁ ଆଜି ତାହା ନିଜେ ପ୍ରୟୋଗ କରି ଅନୁଭବ କରିପାରୁଛୁ ବୋଲି କହିଛନ୍ତି ମୁକେଶ ।

ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ବିଜ୍ଞାନାଗାରକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ସେଠାରେ ଦୂରବୀକ୍ଷଣ ଯନ୍ତ୍ର, ଅଣୁବୀକ୍ଷଣ ଯନ୍ତ୍ର, ମଣିଷ ଶରୀର ବିଜ୍ଞାନ ବୁଝିବା ପାଇଁ ମଡେଲ, ଚୁମ୍ବକୀୟ ଶକ୍ତି, ବିଭିନ୍ନ ରାସାୟନିକ ପ୍ରୟୋଗ ଆଦି ଲାଗି ଆବଶ୍ୟକ ଉପକରଣ ରଖାଯାଇଛି । ବିଜ୍ଞାନ ଶିକ୍ଷକମାନଙ୍କୁ ଏହିସବୁ ଉପକରଣ ବ୍ୟବହାର କରି ପିଲାମାନଙ୍କୁ ପାଠ ପଢ଼ାଇବା ଓ ପ୍ରାକ୍ଟିକାଲ କରିବା ଲାଗି ତାଲିମ ଦିଆଯାଇଛି । ଫଳରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ଏବଂ ଗବେଷଣା ପ୍ରତି ଆଗ୍ରହ ବୃଦ୍ଧି ହୋଇପାରିବ । ଏହାଛଡ଼ା କମ୍ପ୍ୟୁଟର ଲ୍ୟାବରେ ଇଣ୍ଟରନେଟ୍ ବ୍ୟବହାର କରି ପିଲାମାନେ ଆଜି ଦେଶ ଦୁନିଆର ବିଭିନ୍ନ ବିଷୟରେ ଅଧିକ ଜ୍ଞାନ ଆହରଣ କରିପାରୁଛନ୍ତି ।

ସେହିପରି ଟାଙ୍ଗରପାଲି ବ୍ଲକ ଟିପିଏସ୍ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଅଶୋକ କୁମାର ବାଗ୍ କହିଛନ୍ତି, ଆଗରୁ ପିଲାମାନଙ୍କୁ ପାଠ ପଢ଼ାଇବା ବେଳେ ଆମେ କୌଣସି ଉପକରଣ ଦେଖାଇ ପାରୁନଥିଲୁ । ହେଲେ ଏବେ ଆଉ ସେ ଅସୁବିଧା ନାହିଁ । ଆମ ପାଖରେ ଏବେ ଆଧୁନିକ ବିଜ୍ଞାନାଗାର ସହ ବିଭିନ୍ନ ଉପକରଣ ରହିଛି । ଥିଓରି ସହିତ ଆମେ ଏବେ ନିୟମିତ ପ୍ରାକ୍ଟିକାଲ କରି ଦେଖାଇ ପାରୁଛୁ । ହାଇସ୍କୁଲ ସ୍ତରରେ ଆଜି ଏଭଳି ସୁଯୋଗ ମିଳିପାରି ଥିବାରୁ ପିଲାମାନଙ୍କର ଡାକ୍ତର, ଇଞ୍ଜିନିୟର ଏବଂ ବୈଜ୍ଞାନିକ ହେବାର ସ୍ୱପ୍ନ ପୂରଣ ହୋଇପାରିବ ।

ସୁନ୍ଦରଗଡ଼ ହେଉଛି ହକିର ଗଡ଼ । ତେଣୁ ଛାତ୍ରଛାତ୍ରୀଙ୍କ ମନରେ କ୍ରୀଡ଼ା ମନୋଭାବ ସୃଷ୍ଟି କରିବା ପାଇଁ ରୂପାନ୍ତରିତ ହାଇସ୍କୁଲରେ ଖେଳ ପଡ଼ିଆର ଉନ୍ନତିକରଣ କରାଯାଇଛି । ହାଇସ୍କୁଲ ସ୍ତରରୁ ବିଭିନ୍ନ କ୍ରୀଡ଼ା ଅଭ୍ୟାସ କରି ପିଲାମାନେ ଯେପରି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ସୁଯୋଗ ପାଇବେ ସେଥିପାଇଁ ପ୍ରଶାସନ ପଦକ୍ଷେପ ନେଉଛି । ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ସ୍କୁଲର ଭିତ୍ତିଭୂମିକୁ ସୁଦୃଢ଼ କରାଯିବା ସହ ପାଚେରୀ ଏବଂ କାନ୍ଥବାଡ଼କୁ ଚିତ୍ରିତ କରାଯାଇ ଆକର୍ଷଣୀୟ କରାଯାଇଛି । ହାଇସ୍କୁଲର କାନ୍ଥବାଡ଼ରେ ଲାଗିଥିବା ମହାପୁରୁଷଙ୍କ ବାଣୀ ଓ ଶିକ୍ଷଣୀୟ ବିଷୟ ପିଲାଙ୍କୁ ପ୍ରେରଣା ଦେଉଛି । ତେଣୁ ପାଠପଢ଼ା ଓ ଖେଳକୁଦ ସହ ଛାତ୍ରଛାତ୍ରୀଙ୍କ ସର୍ଜନାତ୍ମକ ବିକାଶ ଦିଗରେ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ନୂଆ କ୍ଷେତ୍ର ସୃଷ୍ଟି କରିପାରିଛି ।

Leave A Reply

Your email address will not be published.