Latest Odisha News

BREAKING NEWS

ସୁପ୍ରିମକୋର୍ଟରେ ଦିଦିଙ୍କୁ ଝଟକା: ED ଚଢ଼ାଉ ବେଳେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପକୁ ନେଇ କୋର୍ଟଙ୍କ କଡ଼ା ଟିପ୍ପଣୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଇଲେକ୍ସନ ଷ୍ଟ୍ରାଟେଜିଷ୍ଟ୍ ସଂସ୍ଥା I-PAC କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଚଢ଼ାଉ ବେଳେ ଯାହା ଘଟିଲା, ତାହାକୁ ନେଇ ସର୍ବୋଚ୍ଚ ଅଦାଲତ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଚଢ଼ାଉ ସ୍ଥଳରେ ପହଞ୍ଚିବା ଏବଂ ତଦନ୍ତରେ ବାଧା ସୃଷ୍ଟି କରିବା ଭଳି ଘଟଣା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି କୋର୍ଟ କହିଛନ୍ତି ।

ମାମଲାର ଶୁଣାଣି ସମୟରେ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଏବଂ ଜଷ୍ଟିସ ଏନ.ଭି. ଅଞ୍ଜାରିଆଙ୍କ ଖଣ୍ଡପୀଠ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଥିଲେ । କୋର୍ଟ କହିଥିଲେ, “ଯଦି କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଚଢ଼ାଉ ଚାଲିଥିବା ସମୟରେ ସେଠାରେ ପହଞ୍ଚିବେ, କେନ୍ଦ୍ରୀୟ ସଂସ୍ଥାମାନେ କିଭଳି ନିରପେକ୍ଷ ଭାବେ କାମ କରିପାରିବେ?”

କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ଏଭଳି ପରିସ୍ଥିତି ସାମ୍ବିଧାନିକ ବ୍ୟବସ୍ଥା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବିପଦରେ ପକାଇପାରେ । ତଦନ୍ତ ପ୍ରକ୍ରିୟାରେ ରାଜନୈତିକ ହସ୍ତକ୍ଷେପକୁ କୌଣସି ପ୍ରକାରେ ଗ୍ରହଣ କରାଯାଇପାରିବ ନାହିଁ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୁପ୍ରିମକୋର୍ଟରେ ଆବେଦନ କରି ଅଭିଯୋଗ କରିଛି ଯେ, କୋଇଲା ସ୍କାମ୍‌ର ତଦନ୍ତ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ I-PAC ମୁଖ୍ୟ ପ୍ରତୀକ ଜୈନଙ୍କ ଘରେ ଚଢ଼ାଉ ସମୟରେ ସେଠାରେ ପହଞ୍ଚିଥିଲେ । କେବଳ ସେତିକି ନୁହେଁ, ସେ ନିଜ ସାଙ୍ଗରେ ଲାପଟପ୍, ମୋବାଇଲ୍ ଫୋନ୍ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ନେଇ ଯାଇଥିବା ED କୋର୍ଟରେ କହିଛି । ଏହା କ୍ଷମତାର ଅପବ୍ୟବହାର ବୋଲି ସଂସ୍ଥା ଦର୍ଶାଇଛି ।

ଅପରପକ୍ଷରେ, ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶ୍ୟାମ ଦିଭାନ କୋର୍ଟରେ ପକ୍ଷ ରଖିଥିଲେ । ସେ କହିଥିଲେ ଯେ, କେନ୍ଦ୍ରୀୟ ସଂସ୍ଥା ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଥିବା ଏହି ବିବାଦ ସଂଘୀୟ ବ୍ୟବସ୍ଥା ବା ‘ଫେଡେରାଲ୍ ଷ୍ଟ୍ରକଚର’ ପାଇଁ ଏକ ଆହ୍ୱାନ । କୌଣସି କେନ୍ଦ୍ରୀୟ ବିଭାଗ ସିଧାସଳଖ ରାଜ୍ୟ ସରକାରଙ୍କ ବିରୋଧରେ ଏଭଳି ମାମଲା କରିବା ଉଚିତ୍ ନୁହେଁ ।

ସୁପ୍ରିମକୋର୍ଟ ଏହି ମାମଲାକୁ ଅତି ଗୁରୁତର ସହ ଗ୍ରହଣ କରିଛନ୍ତି । ପୂର୍ବରୁ କୋର୍ଟ ପଶ୍ଚିମବଙ୍ଗ ପୋଲିସ ଦ୍ୱାରା ED ଅଧିକାରୀଙ୍କ ବିରୋଧରେ ହୋଇଥିବା FIR ଉପରେ ରୋକ୍ ଲଗାଇ ସାରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣିରେ କୋର୍ଟ କ’ଣ ନିର୍ଦ୍ଦେଶ ଦେଉଛନ୍ତି, ତାହା ଉପରେ ସାରା ଦେଶର ନଜର ରହିଛି ।

ନିର୍ବାଚନ ସମୟରେ ଏଭଳି ଆଇନଗତ ଲଢ଼େଇ ପଶ୍ଚିମବଙ୍ଗ ରାଜନୀତିକୁ ଆହୁରି ସରଗରମ କରିଦେଇଛି ।

Leave A Reply

Your email address will not be published.