Latest Odisha News

BREAKING NEWS

ରାହୁଲଙ୍କ ପାଇଁ ବିରୋଧୀ ଏକ, ବିଜେପିକୁ ମହଙ୍ଗା ପଡିବନି ତ ?

ଭୁବନେଶ୍ୱର: ରାହୁଲଙ୍କ ସଦସ୍ୟ ପଦ ରଦ୍ଦକୁ ନେଇ ଜାତୀୟ ରାଜନୀତି ଚଳଚଞ୍ଚଳ। ରାହୁଲଙ୍କ ବିରୋଧରେ ଏହି ନିଷ୍ପତ୍ତି ବିରୋଧୀ ଏକତାକୁ ତୀବ୍ର କରିଥିବା ଦେଖାଯାଉଛି। ଦେଶର ପ୍ରମୁଖ ବିରୋଧୀ କଂଗ୍ରେସ ହେଲେ ମଧ୍ୟ ଦେଶର ଅନ୍ୟ ବିରୋଧୀ କଂଗ୍ରେସ ସହ ମିଶି କାର୍ଯ୍ୟ କରିବାକୁ ପସନ୍ଦ କରୁ ନାହାଁନ୍ତି। ବିଜେପିକୁ ସତ୍ତାରୁ ବାହାର କରିବା ବିରୋଧୀଙ୍କ ମୁଖ୍ୟ ଉଦେଶ୍ୟ ହେଲେ ମଧ୍ୟ କଂଗ୍ରେସ ନେତୃତ୍ୱରେ ଏସବୁ କରିବାକୁ ସମସ୍ତେ ଚାହୁଁନାହାଁନ୍ତି।

ଏପରିକି ଖାସ ଏଥିପାଇଁ ବିରୋଧୀଙ୍କ ଉଦେଶ୍ୟ ସଫଳ ହୋଇପାରୁ ନାହିଁ। କଂଗ୍ରେସ କିଛି ବିରୋଧୀଙ୍କୁ ସାଙ୍ଗରେ ନେଇ ଲଢେଇ କରୁଥିବା ବେଳେ ଅନ୍ୟ କିଛି ଆଞ୍ଚଳିକ ଦଳ ଅଲଗା ଗୋଷ୍ଠୀ ହୋଇ କିମ୍ବା ଏକା ଏକା ଲଢ଼ୁଛନ୍ତି। ଯାହାଦ୍ୱାରା ବିରୋଧି ଭୋଟ ଭାଗ ଭାଗ ହେବା ସହ ପରୋକ୍ଷରେ ଏହା ବିଜେପିକୁ ହିଁ ଲାଭ ଦେଉଛି।

ଏପରିକି ଗତ କିଛି ଦିନ ତଳେ ପଶ୍ଚିମବଙ୍ଗ ଆସି ମମତାଙ୍କୁ ଭେଟିଥିବା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ସମଦୁରତା କଥା କହିଥିଲେ। ବିଜେପି କଂଗ୍ରେସ ଉଭୟ ଦଳଠୁ ସମଦୁରତା କଥା କହିଥିଲେ ଅଖିଲେଶ। ଏପରିକି ଓଡିଶା ଗସ୍ତ କରି ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସଂଘୀୟ ବ୍ୟବସ୍ଥାକୁ ଦୃଢ଼ କରିବା କଥା କହିଥିଲେ।

ରାହୁଲଙ୍କୁ ଦଣ୍ଡାଦେଶ ଓ ସାଙ୍ଗେ ସାଙ୍ଗେ ତାଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ହେବା ପରେ କିନ୍ତୁ ରାଜନୈତିକ ଚିତ୍ର ବଦଳିଛି। ରାହୁଲଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ବିରୋଧୀ କେନ୍ଦ୍ରକୁ ସିଧାସଳଖ ଟାର୍ଗେଟ କରିଛନ୍ତି। ସବୁ ବିରୋଧୀ ଏ ପ୍ରସଙ୍ଗରେ ଏକ ହୋଇଯାଇଛନ୍ତି। କଂଗ୍ରେସ ସହ ରହିବାକୁ ପସନ୍ଦ କରୁ ନ ଥିବା ମମତା ବାନାର୍ଜୀଙ୍କ ସମେତ ଭାରତ ରାଷ୍ଟ୍ର ସମିତିର ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିବାଲ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ପ୍ରମୁଖ ରାହୁଲ ବିରୋଧରେ ଏହି ନିଷ୍ପତ୍ତିକୁ କଡା ନିନ୍ଦା କରିଛନ୍ତି।

ସମସ୍ତେ ମିଳିତ ଭାବେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। ବିଭିନ୍ନ ସାମ୍ବିଧାନିକ ସଂସ୍ଥାକୁ ବ୍ୟବହାର କରି ବିରୋଧୀଙ୍କ ସ୍ୱର ଚାପିବାକୁ ବିଜେପି ଲଗାତର ଉଦ୍ୟମ କରୁଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ବିରୋଧୀ ଏହା ବିରୋଧରେ ସ୍ୱର ଉତ୍ତୋଳନ କରି ଆସୁଛନ୍ତି। ଏପରିକି ଏ ପ୍ରସଙ୍ଗ ସର୍ବୋଚ୍ଚ ନ୍ୟାୟାଳୟକୁ ମଧ୍ୟ ଯାଇଛି। ଏଭଳି ସ୍ଥିତିରେ ରାହୁଲଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ବିରୋଧୀଙ୍କୁ ଏକ କରିଦେଇଛି। ସବୁ ବିରୋଧୀ ଏବେ ଏକ ସ୍ୱରରେ ସମାନ କଥା କହୁଛନ୍ତି।

ଏପରିକି ରାହୁଲଙ୍କ ସଦସ୍ୟ ପଦ ରଦ୍ଦ ପରେ ଏହି ସ୍ୱର ଆହୁରି ଶାଣିତ ଓ ତୀବ୍ର ହେବା ଆରମ୍ଭ କରିଛି। ତେଣୁ ରାହୁଲଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ବିରୋଧୀଙ୍କୁ ଗୋଟିଏ ପ୍ଲାଟଫର୍ମକୁ ଆଣିବାକୁ ସହାୟକ ହୋଇଛି ବୋଲି ଚର୍ଚ୍ଚା ହେଉଛି। ଏପରିକି ସିବିଆଇ, ଇଡି, ଆଇଟି ଦ୍ଵାରା ବିରୋଧୀ ଦଳର ନେତା ଓ ଅଣବିଜେପି ଶାସିତ ରାଜ୍ୟକୁ ଟାର୍ଗେଟ କରାଯାଉଥିବା ଅଭିଯୋଗ ହେଉଥିବା ବେଳେ ଏବେ ରାହୁଲଙ୍କ ସଦସ୍ୟ ପଦ ରଦ୍ଦ ହୋଇଛି।

ଆଗକୁ ଅନ୍ୟ ବିରୋଧୀ ନେତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଆଲୋଚନା ହେଉଛି। ତେଣୁ ଭିନ୍ନ ମତ, ଭିନ୍ନ ବିଚାର, ବହୁ ମନୋମାଳିନ୍ୟ, ମତଭେଦ ଯୋଗୁ ଏକାଠି ହୋଇ ପାରୁ ନ ଥିବା ବିରୋଧୀ ଏବେ ରାହୁଲଙ୍କ ସପକ୍ଷରେ ଛିଡା ହୋଇଥିବା କୁହାଯାଉଛି। ଆଗକୁ ଏହା ବିରୋଧୀ ଏକତାର ରୂପ ନେଇପାରେ ବୋଲି ଜୋରଦାର ଆଲୋଚନା ହେଉଛି।

Leave A Reply

Your email address will not be published.