Latest Odisha News

BREAKING NEWS

ଖଣ୍ଡପଡାରେ କାହାପଟେ ସୌମ୍ୟ ?

ଭୁବନେଶ୍ବର: ଖଣ୍ଡପଡାରେ କାହାକୁ ସୌମ୍ୟଙ୍କ ଆଶୀର୍ବାଦ? ଅନୁଭବ ପଟ୍ଟନାୟକଙ୍କ ସାଥ୍ ଦେବେ ନା ସାବିତ୍ରୀଙ୍କୁ କହିବେ ବିଜୟୀ ଭବଃ ? ନା ବିଜେପିକୁ କରିବେ ସିକ୍ରେଟ ସପୋର୍ଟ ? କେଉଁ ଆଡକୁ ଢଳିବ ସୌମ୍ୟଙ୍କ ସମର୍ଥନ? ଖଣ୍ଡପଡାରେ ବିଜେଡି ସାବିତ୍ରୀ ପ୍ରଧାନଙ୍କୁ ପ୍ରାର୍ଥୀ କରିବା ପରଠୁ ତେଜିଛି ବିଦ୍ରୋହର ନିଆଁ । ଦଳ ଛାଡି ସ୍ବାଧୀନ ଭାବେ ଲଢିବାକୁ ନାମାଙ୍କନ କରିଛନ୍ତି ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ । ସୌମ୍ୟଙ୍କ ସହ ତାଙ୍କ ବୈଠକକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ବିଜେଡି ପ୍ରାର୍ଥୀ ସାବିତ୍ରୀଙ୍କ ସ୍ବାମୀ ବେଣୁଧର ପ୍ରଧାନଙ୍କୁ ଆଶୀର୍ବାଦ ଦେଇଛନ୍ତି ସୌମ୍ୟ। ସେପଟେ ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ବାଇଁଙ୍କୁ ମଧ୍ୟ ସୌମ୍ୟ ସମର୍ଥନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେଣୁ ପ୍ରଶ୍ନ ଉଠୁଛି, କାହାକୁ ମିଳିବ ସୌମ୍ୟଙ୍କ ସମର୍ଥନ ?

ସ୍ବାଭିମାନ ଲଢେଇ ପାଇଁ ମହାମେଣ୍ଟ !

ଦିନେ ଆରପାର୍ ଲଢେଇ ଏବେ ଏକାଠି । ସୌମ୍ୟଙ୍କୁ ବିଜେଡି ଦଳରୁ ବିଦା କରିବା ବେଳେ ତାଙ୍କ ସମାଲୋଚନାରେ ମୁଖର ଥିଲେ ଅନୁଭବ ପଟ୍ଟନାୟକ । ତେବେ ନିଜ ଟିକେଟ୍ କଟିବା ପରେ ସେ ସୌମ୍ୟଙ୍କୁ ଭେଟିଛନ୍ତି । ତାଙ୍କ ସହ ଖଣ୍ଡପଡା ପାଇଁ ଅନ୍ୟତମ ଆଶାୟୀ ଗୟାଧର ପରିଡାଙ୍କୁ ବି ସୌମ୍ୟଙ୍କ ସହ ଦେଖିବାକୁ ମିଳିଛି । ୨୦୧୪ରେ ଖଣ୍ଡପଡା ବିଧାୟକ ରହିଥିଲେ ଅନୁଭବ । ସେହିପରି ଗୟାଧର ପୂର୍ବତନ ଖଣ୍ଡପଡା ବ୍ଲକ ଅଧ୍ୟକ୍ଷ ତଥା ତୃଣମୂଳସ୍ତରରେ ଜଣେ ସଂଗଠକ । ଉଭୟ ସୌମ୍ୟଙ୍କୁ ଭେଟି ଖଣ୍ଡପଡା ପାଇଁ ରଣନୀତି କରିଥିବା କୁହାଯାଉଛି । ଖଣ୍ଡପଡାରେ ଦୁଇ ପୂର୍ବତନ ବିଧାୟକ ହାତ ମିଶାଇ ସମୀକରଣ ବଦଳାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଅନୁଭବଙ୍କ ସହ ମିଟିଂ ବେଣୁଧରଙ୍କୁ ଆଶୀର୍ବାଦ

ଅନୁଭବ ପଟ୍ଟନାୟକଙ୍କ ସହ ସୌମ୍ୟଙ୍କ ବୈଠକକୁ ନେଇ ଚର୍ଚ୍ଚା ଜୋରଦାର ହୋଇଛି । ସେପଟେ ବିଜେଡି ପ୍ରାର୍ଥୀ ସାବିତ୍ରୀ ପ୍ରଧାନଙ୍କ ସ୍ବାମୀ ବେଣୁଧର ପ୍ରଧାନଙ୍କୁ ସୌମ୍ୟ ଆଶୀର୍ବାଦ ଦେଇଛନ୍ତି । ସୋମବାର ସାବିତ୍ରୀ ନାମାଙ୍କନ ଭରିଛନ୍ତି । ବେଣୁଧର ଓ ବିଜେଡି କର୍ମୀ ସୌମ୍ୟଙ୍କୁ ଭେଟି ଆଶୀର୍ବାଦ ମାଗିଥିଲେ । ଆଉ ସେମାନଙ୍କୁ ଆଶୀର୍ବାଦ ଦେଇଛନ୍ତି ସୌମ୍ୟ । ତେବେ ପ୍ରଶ୍ନ ଉଠୁଛି, ପ୍ରକୃତରେ କାହାକୁ ମିଳିବ ସୌମ୍ୟଙ୍କ ସମର୍ଥନ?

ଦୁଷ୍ମନ୍ତଙ୍କୁ ସୌମ୍ୟଙ୍କ ସିକ୍ରେଟ୍ ସମର୍ଥନ !

ନା ଅନୁଭବ ପଟ୍ଟନାୟକ ନା ସାବିତ୍ରୀ ପ୍ରଧାନ, ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ବାଇଁଙ୍କୁ ସମର୍ଥନ ଦେଇପାରନ୍ତି ସୌମ୍ୟ । ଦୁଷ୍ମନ୍ତ ଗତଥର ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢି ଦ୍ବିତୀୟ ନମ୍ବରରେ ରହିଥିଲେ । ଏଥର ବିଜେପିରେ ସାମିଲ ହୋଇ ପ୍ରାର୍ଥୀ ହୋଇଛନ୍ତି । ବିଜେଡି ରାଜନୀତି ଗୋଳିଆ ହେବା ବେଳେ ଦୁଷ୍ମନ୍ତଙ୍କ ପ୍ରତି ଲୋକଙ୍କ ସମର୍ଥନ ବଢୁଥିବା କୁହାଯାଉଛି । ଘସିପୁରାରେ ସୌମ୍ୟଙ୍କୁ ଟିକେଟ୍ ଦେବା ପାଇଁ ରେଡ୍ କାର୍ପେଟ୍ ବିଛାଇଥିଲା ବିଜେପି । ତେବେ କୌଣସି କାରଣରୁ ଡିଲ୍ ଫାଇନାଲ୍ ହୋଇପାରିଲାନି । ତେଣୁ ସୌମ୍ୟଙ୍କ ଗୋପନ ସମର୍ଥନରେ ଦୁଷ୍ମନ୍ତ ଖଣ୍ଡପଡା ମଇଦାନର ଡାର୍କ ହର୍ସ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

କାହିଁକି ଖଣ୍ଡପଡାରେ ସୌମ୍ୟ ଗେମଚେଞ୍ଜର ?

୨୦୧୯ରେ ଖଣ୍ଡପଡା ବିଧାୟକ ହୋଇଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ୧ଲକ୍ଷରୁ ଅଧିକ ଭୋଟ୍ ପାଇ ରେକର୍ଡ ବ୍ୟବଧାନରେ ଜିତିଥିଲେ ସୌମ୍ୟ । ଏହାପୂର୍ବରୁ ୨୦୦୯ ଓ ୨୦୧୪ରେ ବି ଖଣ୍ଡପଡାରୁ ଲଢିଥିଲେ ସୌମ୍ୟ । ୨୦୧୪ରେ ଖୁବ୍ କମ୍ ବ୍ୟବଧାନରେ ସୌମ୍ୟଙ୍କଠାରୁ ଜିତିଥିଲେ ଅନୁଭବ ପଟ୍ଟନାୟକ । ତେଣୁ ଖଣ୍ଡପଡାରେ ସୌମ୍ୟଙ୍କର ନିଜସ୍ବ ଭୋଟବ୍ୟାଙ୍କ ରହିଛି । ବଡ଼ ସଂଗଠନ ସାଙ୍ଗକୁ ଲୋକସଂପର୍କ ବି ଭଲ ରହିଛି । ତେଣୁ ସୌମ୍ୟଙ୍କ ସମର୍ଥନରେ ଭୋଟ୍ ହାତେଇବାକୁ ଉଦ୍ୟମ କରୁଛନ୍ତି ଖଣ୍ଡପଡାର ସବୁ ପ୍ରାର୍ଥୀ ।

ଏଥର ଖଣ୍ଡପଡା ମଇଦାନରେ ନଥାଇ ବି ସୌମ୍ୟଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ବିଜେଡିରୁ ବହିଷ୍କାର ହେବା ପରେ ସୌମ୍ୟ କୌଣସି ଦଳରେ ଯୋଗ ଦେଇନାହାନ୍ତି । ସେ ଘସିପୁରାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢୁଛନ୍ତି। ତେଣୁ ଖଣ୍ଡପଡାରେ ସୌମ୍ୟ ଯେକୌଣସି ଦଳ କିମ୍ବା ନେତାଙ୍କୁ ସମର୍ଥନ ଦେଇପାରିବେ । ବିଜେଡି ଗୋଷ୍ଠୀ କନ୍ଦଳକୁ ନେଇ ଖଣ୍ଡପଡା ରାଜନୀତି ଗୋଳିଆ ପାଣି ହୋଇଥିବା ବେଳେ ସମୀକରଣ ବିଗାଡିପାରନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ  ।

Leave A Reply

Your email address will not be published.