ସ୍ୱଚ୍ଛଳ ଶାସନତନ୍ତ୍ର : ଅଚଳ ଅର୍ଥନୀତି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…

ଏବେ ସବୁଆଡେ ଶସ୍ତା ସ୍ଲୋଗାନ୍ । ବସ୍ତାବସ୍ତା ଭାଷଣବାଜିର ରିହାତି-ରାଜନୀତି । ଏ ଦଳ କହୁଚି ସେ ଦଳ ଚୋର, ସେ ଦଳ କହୁଚି ଏ ଦଳ ତସ୍କର । ଲୋକେ କହୁଛନ୍ତି ସବୁ ଦଳ – ପଙ୍ଗପାଳ । ଶାସନତନ୍ତ୍ରର ଶସ୍ୟକ୍ଷେତ୍ରରେ ପ୍ରବେଶ କରିବା ପାଇଁ ସମସ୍ତେ ପାଗଳ । ଆଗେ ଆମର ରାଷ୍ଟ୍ରନୀତିଜ୍ଞ ଥିଲେ – ଯେଉଁମାନଙ୍କ ସଂଖ୍ୟାହ୍ରାସ ଘଟିଛି ଶୋଚନୀୟ ଭାବରେ । ଏବେ ଅବଶ୍ୟ ରାଜନୀତିଜ୍ଞ ଅଛନ୍ତି କେତେକ – ମାତ୍ର ଚଳନ୍ତି ରାଜନୀତିର ଚକ୍ରବ୍ୟୂହରେ ସେମାନେ ନିଷ୍ପ୍ରଭ ଚରିତ୍ର ଜଣେଜଣେ । ବର୍ତମାନର ରାଜନୀତି ଏକପ୍ରକାର ପ୍ରଜାଶୋଷଣଧର୍ମୀ ପ୍ରବୃତି ନହେଲେ ରାଜକୋଷ ଲୁଣ୍ଠନମୁଖୀ ବାଜନୀତି । ରାଜନୀତିକୁ ବାଜନୀତିରେ ବଦଳାଇ ଦେଇଥିବା ଅପଶକ୍ତିର ଆଜ୍ଞାବହ ବର୍ଗ ଗୋଟିଏ ଗୋଟିଏ ଦଳ ଗଢି ସାରା ଦେଶକୁ ଦଖଲ କରିବାକୁ ବ୍ୟଗ୍ର । ଏମାନେ କେବଳ ମିଥ୍ୟାଚାରୀ, ଭ୍ରଷ୍ଟାଚାରୀ, ବ୍ୟଭିଚାରୀ, ଅବିଚାରୀ ବା ମୁଖାଧାରୀ ନୁହନ୍ତି, ଦରକାର ପଡିଲେ ଏମାନେ ବି ଭାରତୀୟ ଗଣତନ୍ତ୍ରର ହତ୍ୟାକାରୀ ହେବାକୁ ହାତ ମିଳାନ୍ତି ପରସ୍ପର ସହିତ ।

ଗୋଟିଏ ଚୂଡାନ୍ତ ବିଡମ୍ବନାର ପର୍ଯ୍ୟାୟରେ ପହଂଚିସାରିଛି ଭାରତବର୍ଷର ରାଜନୀତି । ତାହା ହେଉଛି, କେବଳ ବଣିକବର୍ଗ ଓ ଧନିକବର୍ଗର ସମବାୟ ସମିତିକୁ ନେଇ ଗଢାହେଉଛି ଶାସନ ଓ ପ୍ରଶାସନ ବ୍ୟବସ୍ଥା । କେବଳ ଧନୀଲୋକେ ନିର୍ବାଚନୀ ରାଜନୀତିର ମଇଦାନରେ ଦଳୀୟ ଟିକେଟ୍ ପାଇ ଯାତ୍ରା ଦେଖାଉଛନ୍ତି ଜନଗଣଙ୍କୁ । ଜଣେ ଗରିବ ଲୋକ ଯେତେ ଯୋଗ୍ୟତା, ଦକ୍ଷତା ଓ ଆନ୍ତରିକତାର ଅଧିକାରୀ ହେଉ ପଛେ – ଏ ଚନ୍ଦନଚର୍ଚ୍ଚିତ ଚିହ୍ନା ବ୍ରାହ୍ମଣମାନଙ୍କ ଚିତାଚଇତାନୀ ରାଜନୀତି ତାକୁ ନେତୃତ୍ୱ ସ୍ତରକୁ ଉନ୍ନୀତ କରାଇବାର ସୁଯୋଗ ଦିଏନା । ଗରିବ ଲୋକଟିଏ ଖୁବ୍ ବେଶିରେ ମୁଖିଆ କର୍ମୀ ପର୍ଯ୍ୟନ୍ତ ଯାଇପାରେ, ମାତ୍ର ଟିକେଟ୍ କିଣି ନିର୍ବାଚନ ଜିଣି ନେତା ହେବା କି ମନ୍ତ୍ରୀ ହେବା ତା’ପକ୍ଷରେ ସହଜ ବ୍ୟାପାର ନୁହେଁ ।

ଗଣତନ୍ତ୍ରରୁ ଗରିବ କ୍ରମେ ବିଦାୟ ନେଉଛି । ଗରିବ ନାଆଁରେ ଗୁରୁଗମ୍ଭୀର ଧ୍ୱନି ଦେଇ ଧନ୍ୟ ଏବେ ନିଜକୁ ବୋଲାଉଛି ନେତା – ଏ ଜନତାର ହର୍ତାକର୍ତା-ଦୈବ ବିଧାତା । ବ୍ୟୟବହୁଳ ନିର୍ବାଚନ କେବଳ ନକଲି ନେତୃତ୍ୱର ରାଜନୈତିକ ବିସ୍ତାରବାଦ ନିମନ୍ତେ ବାଟ ଫିଟାଉଛି । ଏହାଦ୍ୱାରା ଜାତୀୟ ସମ୍ପତି ଉପରେ ଶ୍ୱେନଦୃଷ୍ଟି ପକାଉଥିବା ଧନୀ ଧୂର୍ତମାନେ ଜାତୀୟ ବିପତିକୁ ନେଇ ମିନିଟିଏ ବି ମୁଣ୍ଡବ୍ୟଥାରେ ଘାରି ହେଉଥିବା ଉପଲବ୍‌ଧି କରିପାରୁନାହାନ୍ତି କେହି । ‘ଦାରିଦ୍ର‌୍ୟ’ ଏଭଳି ଏକ ସୂତ୍ର, ଯାହାକୁ ନେଇ ଏଠି ଏବେ ରାଜନୈତିକ ଦାରିବୃତି ନିଜ ନିଷିଦ୍ଧ ବଜାର ବିଛାଇବାର ବେଶ୍ ସଫଳ ହୋଇପାରିଛି । କିନ୍ତୁ ଏ ‘ସଫଳତା’ ଆମ ଜାତୀୟ ବ୍ୟର୍ଥତାକୁ ସାରା ଦୁନିଆ ଦରବାରରେ ସାବ୍ୟସ୍ତ କରିସାରିଛି ଶତସହସ୍ରଗୁଣ ।

ଜନତା ଦିନକୁଦିନ ଦରିଦ୍ର ହେଉଥିବାବେଳେ ନେତା ହେଉଛି ଧନୀ ଓ ମାନୀ । ଧନବଳରେ ଏଠି ଆୟତ କରାଯାଇପାରୁଛି ଜନବଳକୁ । ମନୋବଳ ଭାଙ୍ଗିପଡୁଛି ଯୁବପିଢିର । ବାଟବଣା ହେଉଛି ବେକାର ଯୁବକ, ବେରୋଜଗାର ଗରିବ, ନିଃସ୍ୱ କୃଷକ, ନିର୍ଦ୍ଧନ ଶ୍ରମିକ – ସାଧାରଣ ସର୍ବହରା ମଣିଷ । ରାଜନୀତି ଏଠି ଚାଲିଚି ବହୁଦଳୀୟ ଏକ ସୁପରିକଳ୍ପିତ ଯୋଜନାରେ । ସେ ଯୋଜନାର ସୂତ୍ରଧର ହେଉଛନ୍ତି ବିଦେଶୀ ପୁଞ୍ଜି ଉପରେ ପ୍ରତିଷ୍ଠିତ ଦେଶୀ ଶିଳ୍ପପତି ଗୋଷ୍ଠୀ ଏବଂ ସେମାନଙ୍କ ଭତାରେ ପରିପାଳିତ ଓ ପରିଚାଳିତ ଏ ଦେଶର ସୁବିଧାବାଦୀ ନ୍ୟସ୍ତସ୍ୱାର୍ଥ ସ୍ୱଚ୍ଛଳ ରାଜନୈତିକ ନେତୃପକ୍ଷ । ଦେଶ ଓ ଜାତିକୁ ନେଇ ଛଦ୍ମଚରିତ୍ରବର୍ଗ ଟେକି ଦେଉଛନ୍ତି ଭୟଙ୍କର ଭବିଷ୍ୟତ ହାତରେ । ଏଠି ଚଷା ମୂଲିଆ ମାହାଳିଆ ମରୁଚି, ଯୁବକ ଅକାଳ ବାର୍ଦ୍ଧକ୍ୟ କରୁଚି, ଶିଶୁମୃତ୍ୟୁର ହାର ଆହୁରି ବଢୁଚି । ବଂଚୁଛନ୍ତି ସେଇମାନେ – ଯେଉଁମାନେ ଜନଜୀବନକୁ ତଳିତଳାନ୍ତ କରି ସୁଇସ୍‌ବ୍ୟାଙ୍କ୍‌ରେ ନିଜ ସତାଇଶ ପୁରୁଷ ପାଇଁ ସଂପାଦି ରଖିଛନ୍ତି କଳାଟଙ୍କାର ଗୁପ୍ତ ଆକାଉଂଟ୍ !

କୁଆଡେ ଏତେ କଳାଟଙ୍କା ସୁଇସ୍ ବ୍ୟାଙ୍କ୍‌ରେ ଅଛି ଯେ ସେଠୁ ମାତ୍ର ୨୩ ଲକ୍ଷ କୋଟି ଟଙ୍କା ଆସିପାରିଲେ ଭାରତର ପ୍ରତି ଗାଆଁ ପିଛା ପଡିବ ୪ କୋଟି ଟଙ୍କା ଭାଗ ଏବଂ ଏଇ ଭାଗରେ ଗଢିଉଠିବ ଗରିବର ଗଣତନ୍ତ୍ର ! କି ଧୂଆଁବାଣ ! କେବଳ ମିଛମଣିଷମାନଙ୍କ ମଲାଘୋଡାର ଟାଙ୍କ ମାପିବା ବାଗବାଇଶ ଇଏ ! ଗରିବାର ଗଣତନ୍ତ୍ରକୁ ଧୂର୍ତର ଧନତନ୍ତ୍ର କାହିଁକି ବା ବଂଚାଇରଖିବାର ଆନ୍ତରିକ ଉଦ୍ୟମ ବଜାୟ ରଖିବ ?

‘ନେତା’ ଶଦ୍ଦର ଅର୍ଥ ଆଜି ପ୍ରଦୂଷିତ । ଖଚୁଆ, ମିଛୁଆ, ଲାଂଚୁଆ ଚରିତ୍ରର ନାମାନ୍ତର ପାଲଟିଛି ଏଇ ‘ନେତା’ ଶଦ୍ଦ । ଏକ ନକାରାତ୍ମକ ଦୃଷ୍ଟିଭଂଗୀ ବ୍ୟାପିସାରିଛି ଭାରତୀୟ ରାଜନୀତିର ‘ନେତା’ ପଦକୁ ନେଇ । ନେତିବାଚକ ନେତୃତ୍ୱ ଓ ନୀତିରହିତ ରାଜନୀତିରେ ଭାରତବର୍ଷ ନୟାନ୍ତ । ପ୍ରଶାସନ ଆଉ ଜନଗଣଙ୍କ ପ୍ରତ୍ୟୟର ପରୀକ୍ଷା ଦେବାକୁ ଯୋଗ୍ୟ ନୁହେଁ । ସ୍ୱାର୍ଥସେବୀ ଶାସନର ସଇତାନୀ ଚକ୍ର ସିଏ । ହାକିମ ଆଗରେ ହାରିଗୁହାରି କରିକରି ହାରିସାରିଚି ହତାଶ – ପୁଲିସ୍ ପାଖରେ ଫେରାଦି ହେଇ ହେଇ ଫେରାର୍ ହେଇଯାଇଚି ଫକିରା । ଗରିବ ଗଢିବ ଗଣତନ୍ତ୍ର – ଯଦି ହଟିପାରିବ ନକଲି ନେତୃତ୍ୱର ଶାସନତନ୍ତ୍ର, ଧୂର୍ତ ଧଳାହାତୀମାନଙ୍କର ଧନତନ୍ତ୍ର, ଅମାନବିକତାରେ ଅଭ୍ୟସ୍ତ ଅବଶ ଅମଲାତନ୍ତ୍ର ! ନହେଲେ ନିସ୍ତାର ନାହିଁ ।

ନିସ୍ତାର ଦରକାର ଏ ସରକାର ଛତ୍ରଛାୟାଶ୍ରିତ ଅମଲାତାନ୍ତ୍ରିକ ଆଭିମୁଖ୍ୟରୁ । ଅମଲାତନ୍ତ୍ରର ଅଳିଆଗଦାରେ ଆମର ଲକ୍ଷ ଲକ୍ଷ ହେକ୍ଟର ଚାଷଜମିର ଭାଗ୍ୟ ଫିତାବନ୍ଧା ଫାଇଲ୍ ପାଲଟି ସାରିଛି । ପ୍ରଶାସନ କ’ଣ ? କେବଳ ଖଂଟକୁର୍ସିର ଚାରିଖୁରା – ଯେଉଁ ଚାରିଖୁରାରେ ବନ୍ଧା ହୋଇରହିଛି ବଂଧୁକ, ସିଂଦୁକ, ଯୋଜନା, ପରିଚାଳନା । ଜନଗଣଙ୍କ ଜୀବନସଂଗ୍ରାମର ସ୍ୱାଧୀନତା ପାଇଁ ଏ ଚାରୋଟିର ମୁକ୍ତି ଆଗେ ଦରକାର । ଅର୍ଥାତ୍ ବଂଧୁକର ଗୁଳି କୌଣସି ଗରିବ, ଦିନମଜୁରିଆ, ଆଦିବାସୀ କି ଅଧିବାସୀର ଛାତି ଆଡକୁ ଉଦ୍ଦିଷ୍ଟ ନହେଉ – ସିଂଦୁକର ସଂପତି କୌଣସି ଶାସିତ, ଶୋଷିତ, ବଂଚିତ କି ପ୍ରବଂଚିତର ସ୍ୱେଦଶୋଣିତରେ ଉପାର୍ଜିତ ଅର୍ଥଆଡକୁ ତୋଷରପାତୀ ତୀକ୍ଷ୍‌ଣଦୃଷ୍ଟି ନ ପକାଉ-ଯୋଜନାର ଯନ୍ତ୍ରଶାଳା କୌଣସି ଜାତି ବା ଜନଜାତିର ଉନ୍ନୟନ ନିମନ୍ତେ ଅଭିପ୍ରେତ ଅଟକଳକୁ ଅଟ୍ଟହାସ ନ କରୁ – ଏବଂ ପରିଚାଳନାର ପରୀକ୍ଷା ନିରୀକ୍ଷା କୌଣସି ସନ୍ଧି ବା ଅଭିସନ୍ଧିର ଶିକାର ନହେଉ ।ଦୁଃଖର କଥା ଯେ ବର୍ତମାନ ସ୍ୱଚ୍ଛଳ ଶାସନତନ୍ତ୍ରର ଅଚଳ ଅର୍ଥନୀତି ସାରା ଦେଶକୁ ପଙ୍ଗୁତ୍ୱ ଆଡକୁ ମୁହାଁଇ ନେଉଛି । ଆଜିର ଚଂଚକ ରାଜନୀତି ଆଗରେ ଚାଣକ୍ୟ ଅର୍ଥନୀତି ଆଣ୍ଠେଇପଡିଛି ।

ହାୟ !ଅର୍ଥନୀତିଜ୍ଞ ବି କହୁଛନ୍ତି ରାଜନୀତିଆଙ୍କ ବ୍ୟୟବରାଦର ଆୟ-ଆଦାୟ ବାବଦରେ ମୁଣ୍ଡ ନଖେଳାଇବା ପାଇଁ ! ୟା’ଠାରୁ ବଳି ବିଡମ୍ବନା ଆଉ କ’ଣ ଥାଇପାରେ ? ଆଜିର ଭାରତବର୍ଷ ଯେତେବେଳେ ଚଳନ୍ତି ରାଜନୀତିର ଚଳୁକରା ଚରିତ୍ର ଉପରୁ ଆସ୍ଥା ହରାଇବାକୁ ଯାଉଛି, ସେତେବେଳେ ଆମେ ସମସ୍ତେ ଲୋଡୁଚୁ ଅସଲ ଅର୍ଥନୀତିର ହିତୋପଦେଶ । ମାତ୍ର ଆଜି ଅର୍ଥନୀତି ବି ରାଜନୀତିର ରିସ୍ତେଦାର ?ଅର୍ଥନୈତିକ ମାନ୍ଦାବସ୍ଥାର ଆତଙ୍କଜନକ ଆବହାୱାରେ ସାରା ଦୁନିଆକୁ ତ୍ରସ୍ତ କରିରଖିବାକୁ ଚାହୁଁଥିବା ଧୂର୍ତ ଧନତନ୍ତ୍ର ଏବେ ଭାରତବର୍ଷକୁ ନିଜ କଂସେଇଖାନାରେ ପରିଣତ କରି ଧ୍ୱସ୍ତ କରିଦେବ ଉତରପିଢିର ନବଭାରତକୁ ।

ନବଭାରତର ରାଜନୀତି ଏ ଭବସଂକଟକୁ ସାମ୍ନା କରିବ ନା ନାହିଁ ? ବର୍ତମାନର ଭକ୍ଷକ ରାଜନୀତିର ଭସ୍ମାସୁରମାନଙ୍କ କବଳରୁ ଦେଶ ଓ ଜାତିକୁ ବଂଚାଇବାକୁ ହେଲେ ପ୍ରଥମେ ଦରକାର ରାଜନୀତିରୁ ଦଳମାନଙ୍କୁ ଉଚ୍ଛେଦ କରିବାର ଅଭିଯାନ । ଦଳ ପାଇଁ ନୁହେଁ, ଦେଶ ପାଇଁ ଯେଉଁ ରାଜନୀତି – ତାହା ହିଁ ଆମର ଦାବୀ ।

ଯାଜପୁର ରୋଡ, ଯାଜପୁର, ମୋ : ୯୮୬୧୦୩୪୧୬୩