କୃତଘ୍ନ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

କଳାପଥର ଗାଁରୁ ଆସି ରାହାସପୁରରେ ଚାକିରି କରୁଥାନ୍ତି ଚନ୍ଦନ ମାଷ୍ଟ୍ରେ । ପୂରା ନାଁ ଚନ୍ଦନ ଜୟପୁରିଆ। ପ୍ରାଥମିକ ବିଦ୍ୟାଳୟରେ ସିନା ଶିକ୍ଷକ, କିନ୍ତୁ ଯୋଗ୍ୟତା ଥିଲା ହାଇସ୍କୁଲ ମାଷ୍ଟ୍ର ହେବାର। ଜୀବନ ତମାମ ସବୁ ଶ୍ରେଣୀରେ ପ୍ରଥମ । ପଚାଶ ବର୍ଷ ତଳେ ମାଟ୍ରିକରେ ପ୍ରଥମ ଶ୍ରେଣୀରେ ପାସ୍ କରିଥିବାରୁ ତାଙ୍କୁ ଇଞ୍ଜିନିୟରିଂରେ ସିଧାସଳଖ ସିଟ୍ ମିଳିଥିଲା ନାମ ଲେଖାଇବା ପାଇଁ । ବାପାଙ୍କ ସହିତ ଇଞ୍ଜିନିୟରିଂ ସ୍କୁଲକୁ ବି ସେ ଯାଇଥିଲେ ନାଁ ଲେଖାଇବାକୁ। କିନ୍ତୁ ମନକୁ କଣ ଛୁଇଁଲା କେଜାଣି, ସେ ବାପାଙ୍କୁ କହିଲେ, ଚାଲ ଗାଁକୁ ଫେରିଯିବା । ମତେ ଇଞ୍ଜିନିୟର ହେବାର ନାହିଁ । ମୁଁ ଅଧିକ ପାଠ ପଢ଼ି ଶିକ୍ଷକ ହେବି । ଯାହା ଫଳରେ ମୋ ଦ୍ୱାରା କିଛି ପିଲା ଅନ୍ତତଃ ଉପକୃତ ହେବେ । ବାପାଙ୍କୁ କଥାଟା ମନ ପାଇଲା । ସେଇଠୁ ସେମାନେ ଗାଁକୁ ଫେରି ଆସିଲେ । ସତକୁ ସତ ପ୍ରଥମେ ସ୍ନାତକ ଓ ତା ପରେ ବି.ଏଡ୍ ପଢ଼ି ସେ ଶିକ୍ଷକ ହେଲେ । ଗଣିତ, ଇଂରାଜୀ, ବିଜ୍ଞାନ, ସାହିତ୍ୟ, ଚିତ୍ରାଙ୍କନ, ଖେଳକୁଦ କେଉଁଥିରେ ବି କମ୍ ନଥିଲେ ସେ । ଜଣେ ଅଲରାଉଣ୍ଡର ଶିକ୍ଷକ ଚନ୍ଦନ ଜୟପୁରିଆ । ଏ ସବୁଠୁ ଉର୍ଦ୍ଧ୍ୱରେ ସେ ଜଣେ ଜଣାଶୁଣା ଛାତ୍ରବତ୍ସଳ ଶିକ୍ଷକ। ପିଲାମାନେ ଖୁବ୍ ଭଲ ପାଆନ୍ତି ତାଙ୍କୁ।

କଳାପଥର ଗାଁରୁ ଆସି ପ୍ରାୟ ଚାଳିଶ କିଲୋମିଟର ଦୂରରେ ରାହାସପୁରରେ ସେ ଯେତେବେଳେ ଶିକ୍ଷକତା କଲେ, ସେତେବେଳେ ସେହି ସ୍କୁଲର ଆଉ ଜଣେ ଶିକ୍ଷକ ଖୁବ୍ ଲୋକପ୍ରିୟ ଥିଲେ । କାରଣ ଗାଁ ଗହଳିର ପିଲାଙ୍କୁ ଟିଉସନ୍ ପଢ଼ାଇ ମାଟ୍ରିକ୍ ପାସ୍ କରାଇବାରେ ସେ ଥିଲେ ସିଦ୍ଧହସ୍ତ । ସେଥିପାଇଁ ତାଙ୍କର ବେଶ୍ ଚାହିଦା ବି ଥିଲା । କିନ୍ତୁ ଚନ୍ଦନ ସାର୍ ଆସିବା ପରେ ସେ ଚାହିଦା ଟିକେ କମିବାରେ ଲାଗିଲା । ଏହାର ମୂଳ କାରଣଟି ହେଲା, ସ୍କୁଲ ଚାକିରିରେ ମିଳୁଥିବା ସରକାରୀ ଦରମା ବ୍ୟତୀତ ସେ କେବେ କୌଣସି ପିଲାଠୁ ଟଙ୍କାଟିଏ ବି ନେଇନାହାନ୍ତି । ଗାଁର ଗରିବ ପିଲାମାନଙ୍କୁ ବହିପତ୍ର ମାଗଣାରେ ଯୋଗାଇବା ସହିତ, ସେମାନଙ୍କୁ ନିଜ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପାଠ ପଢ଼ାନ୍ତି ଚନ୍ଦନ ସାର୍ । ନିଜ ଗାଁଠୁ ଦୂରରେ ଥିବାରୁ, ତାଙ୍କ ଗାଁର କିଛି ପିଲା ବି ଆସି ତାଙ୍କ ଘରେ ରହି ପାଠ ପଢ଼ନ୍ତି । ସେ ନିଜ ପାଖରେ ରଖି ପାଠ ପଢ଼ାଇଥିବା ନାରାୟଣ ପରମଗୁରୁ ଆଉ ଫଣୀନ୍ଦ୍ରଭୂଷଣ ନନ୍ଦ ଏବେ ବିଶ୍ୱବିଦ୍ୟାଳୟରେ ପ୍ରଫେସର । ଜଣେ ଦିଲ୍ଲୀରେ ଏବଂ ଆଉ ଜଣେ ଚେନ୍ନାଇରେ । ଜଣେ ଫିଜିକ୍ସର ପ୍ରଫେସର ତ ଆଉ ଜଣେ ଇଂରାଜୀ ସାହିତ୍ୟର ।

ସର୍ବଦା ଚଳଚଞ୍ଚଳ, ହସହସ ତଥା ସଦାନନ୍ଦୀ ଚନ୍ଦନ ସାର୍ କିନ୍ତୁ ସେଦିନ ନିଜକୁ ଧିକ୍କାର କରୁଥାନ୍ତି । ଡାକ୍ତରଖାନାର ବେଡ୍ ଉପରୁ ଉଠିବାକୁ ବଳ ପାଉନଥାଏ, ତଥାପି ଚେଷ୍ଟା କରୁଥାନ୍ତି ନିଜେ ନିଜେ ଉଠିବା ପାଇଁ । ତାଙ୍କ ପୁଅ, ପୁତୁରା ଆଉ ଦୁଇ ଜଣ ଛାତ୍ର ତାଙ୍କୁ ହାତ ଧରି ଉଠାଇବାକୁ ଚେଷ୍ଟା କଲାବେଳେ, ସେ ଟିକିଏ ଉଠୁଥାନ୍ତି ପୁଣି ଗଳିପଡୁଥାନ୍ତି । ପିଲାମାନେ କହିଲେ, ଆପଣ ବ୍ୟସ୍ତ ହେଉଛନ୍ତି କାହିଁକି .. ଆଉ କିଛି ଦିନ ବିଶ୍ରାମ ନିଅନ୍ତୁ । ସମ୍ପୂର୍ଣ୍ଣ ସୁସ୍ଥ ହେଇଗଲା ପରେ, ଉଠିଲେ ହେବନି । .. ଚନ୍ଦନ ସାର୍ କିନ୍ତୁ ଏକଥାକୁ ଶୁଣିବାକୁ ନାରାଜ । କାରଣ ଦଶ ଦିନ ହେଲାଣି ସେ ଡାକ୍ତରଖାନାରେ । ସେଆଡ଼େ ସ୍କୁଲ କେମିତି ଥିବ, ସ୍କୁଲର ପିଲାମାନେ କେମିତି ଥିବେ, ସେ କଥାକୁ ନେଇ ତାଙ୍କର ଚିନ୍ତା । ଏଇ ମାସରେ ହିଁ ତାଙ୍କ ଚାକିରି କାର୍ଯ୍ୟକାଳ ସରୁଛି । ତେଣୁ ସେ ଚାହୁଁନାହାନ୍ତି, ଶେଷ ସମୟରେ ସ୍କୁଲରେ କିଛି ଅସୁବିଧା ହେଉ । ବରଂ ସେ ଅସୁସ୍ଥ ଥାଆନ୍ତୁ, କିନ୍ତୁ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ନହେଉ । ସେ ବାରମ୍ବାର ଘୋଷି ହେଉଥାନ୍ତି ଗୋଟିଏ କଥା । ତା ପରେ ସେହି କଥାକୁ ନେଇ ସେ ନିଜକୁ ଧିକ୍କାର କରୁଥାନ୍ତି । ସେ ଅବସର ନେବାକୁ ବସିଛନ୍ତି, କିନ୍ତୁ ଏପଟେ ପୁଅ ଏଯାଏଁ ଆତ୍ମନିର୍ଭର ହୋଇପାରିନି । ତା ପାଠପଢ଼ା ବି ସରିନି । ଏଭଳି ସ୍ଥଳେ, ତାଙ୍କରି ଯଦି କିଛି ହୋଇଯାଏ, ତାହେଲେ କଣ ହେବ । ସେଇ ଚିନ୍ତା ତାଙ୍କୁ ଘାରିଛି ।

ଏତିକି ବେଳେ ଚନ୍ଦନ ସାରଙ୍କ ପୁଅ ତୀର୍ଥଙ୍କର ପଚାରିଲା, ବାପା  କାହା କଥାକୁ ନେଇ ଏତେ ବ୍ୟସ୍ତ ହୋଇପଡୁଛ? ଅନ୍ତତଃ ମୋତେ ତ  କୁହ। କହିବେ ,  କହିବେନି,  କହିବେ,  କହିବେନି  ଏହି ଦ୍ୱନ୍ଦ୍ୱ ଭିତରେ ଶେଷକୁ ସତକଥାଟି କହିଦେଲେ ସେ ତୀର୍ଥଙ୍କରକୁ । ଆଠ ବର୍ଷ ତଳେ ଯେତେବେଳେ ତୀର୍ଥଙ୍କର ଷଷ୍ଠ ଶ୍ରେଣୀରେ ପଢୁଥିଲା, ସେତେବେଳେ ଚନ୍ଦନ ସାର୍ ନିଜ ଘରେ କିଛି ପିଲାଙ୍କୁ ରଖି ପାଠ ପଢ଼ାଉଥିଲେ । ସେମାନଙ୍କ ଭିତରେ ଥିଲା ପାଖ ଗାଁର ପିଲା ବିଶ୍ୱରଥ ବିଶ୍ୱାଳ। ଯଦିଓ ଦୁଇ ହଳ ପୋଷାକ ଯୋଗାଡ଼ କରିବା ବା ଦୁଇ ଖଣ୍ଡ ନୂଆ ବହି କିଣିବା ତା ପକ୍ଷେ ସମ୍ଭବ ନଥିଲା, କିନ୍ତୁ ତାର ଅହଂକାର କିଛି କମ୍ ନଥିଲା ।

ତାର ଅମାପ ଜମିବାଡ଼ି, ଘର, ସମ୍ପତ୍ତି ସବୁ କିଛି ଅଛି ବୋଲି ସେ ଯେତିକି ବାହାଦୂରୀ ମାରୁଥିଲା, ତାଠୁ ଅଧିକ ଦୁଃଖୀ ଥିଲା ମନେ ମନେ । କାରଣ ତାର ଉଚ୍ଚଶିକ୍ଷା ପାଇଁ ଯେଉଁ ଆର୍ଥିକ ସହାୟତା ଦରକାର, ତାକୁ ଯୋଗାଡ଼ କରିବା ତା ପକ୍ଷେ ସମ୍ପୂର୍ଣ୍ଣ ଅସମ୍ଭବ । ତଥାପି ପାଠପଢ଼ାର ଆବଶ୍ୟକ ଖର୍ଚ୍ଚ ଯୋଗାଡ଼ କରିବା ପାଇଁ ସେ ନିଜ ବାପାଠୁ ଆରମ୍ଭ କରି ଦାଦା, ପିଉସା, ମାମୁଁ  କାହାକୁ ବି ଛାଡ଼ିନି । କିନ୍ତୁ କିଛି ସଫଳତା ମିଳୁପାରୁନି । ଶେଷରେ ସେ ସାହସ ଜୁଟାଇ ପଚାରିଲା ଚନ୍ଦନ ସାରଙ୍କୁ, ସାର୍ ମୋତେ ଟିକିଏ ଆର୍ଥିକ ସହାୟତା ଯୋଗାଇ ପାରିବେ? ମୁଁ ଆପଣଙ୍କୁ କଥା ଦେଉଛି, ଚାକିରି କରିବା ମାତ୍ରେ ମୋର ପ୍ରଥମ କାମ ହେବ, ଆପଣଙ୍କୁ ଆପଣଙ୍କ ଅର୍ଥ ଫେରାଇବା । ଦରକାର ପଡ଼ିଲେ, ମୁଁ ମୋର ଜମି ବିକି ଆପଣଙ୍କ ପଇସା ଫେରାଇଦେବି । କିନ୍ତୁ ଆପଣ ବର୍ତ୍ତମାନ ପାଇଁ ମୋତେ ସାହାଯ୍ୟ କରନ୍ତୁ। ଉଚ୍ଚଶିକ୍ଷା ପ୍ରତି ଆଗ୍ରହ ଏବଂ ଆଗକୁ ବଢ଼ିବାର ଇଚ୍ଛାକୁ ସମ୍ମାନ ଦେଇ ନିଜ ଜୀବଦ୍ଦଶାରେ ସାଇତି ରଖିଥିବା ଟଙ୍କାରୁ ଦୁଇ ଲକ୍ଷ ଟଙ୍କା ଦେଲେ ବିଶ୍ୱରଥ ହାତରେ । ଖୋଲାଖୋଲି କହି ଦେଇଥିଲେ ଯେ, ଏଇଟା ତୋର ଶିକ୍ଷାଋଣ । ଥରେ ପାଠପଢ଼ା ସରିଲା ପରେ ତତେ ଯେମିତି ହେଲେ କାମ କରିବାକୁ ପଡ଼ିବ, କାରଣ ସେତେବେଳେ ମୁଁ ଅବସର ନେବାକୁ ବସିଥିବି, ଆଉ ମୋ ପୁଅ ତୀର୍ଥଙ୍କର କଲେଜରେ ପଢ଼ିଲା ଭଳି ହୋଇଯାଇଥିବ । ତାର ପାଠ ପଢ଼ା ପାଇଁ ତୋତେ ଏ ଋଣ ସୁଝିବାକୁ ପଡ଼ିବ । ଏ କଥାରେ ସମ୍ପୂର୍ଣ୍ଣ ରାଜି ହୋଇଥିଲା ବିଶ୍ୱରଥ ।

ବଡ଼ କଲେଜରେ ପଢ଼ି ନିଜର ଡିଗ୍ରୀ ସାରିବା ପରେ ଏବେ ଏକ ବହୁଦେଶୀୟ କମ୍ପାନିରେ ଉଚ୍ଚପଦସ୍ଥ ଅଧିକାରୀ ବିଶ୍ୱରଥ । ନିଜ ପାଇଁ ଗାଡ଼ି, ଘରଦ୍ୱାର ସବୁ କିଛି କରିସାରିଲାଣି ସେ । କିନ୍ତୁ ନିଜ ଆଡୁ ଚନ୍ଦନ ସାରଙ୍କଠୁ ନେଇଥିବା ଶିକ୍ଷାଋଣ ସୁଝିବାର ନାଁ ନେଉନି ସେ । ତେଣେ ତୀର୍ଥଙ୍କର ବି.ଏ. ପଢ଼ିବା ପରେ ବାହାରକୁ ଯାଇ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିବାକୁ ଚାହୁଁଛି । ହେଲେ ଘରେ ପଇସା ନାହିଁ । ଏଭଳି ସ୍ଥଳେ, ଏତେ ବର୍ଷ ଧରି ଚୁପ୍ ରହିଥିବା ଚନ୍ଦନ ସାର୍, ଦିନେ ବିଶ୍ୱରଥର ଘରକୁ ଯାଇ, ତାକୁ ସେ ଦେଇଥିବା ପଇସା ବିନା ସୁଧରେ ଫେରାଇବାକୁ କହିଲେ । କିନ୍ତୁ ଚନ୍ଦନ ସାରଙ୍କୁ କୃତଜ୍ଞତା ଜଣାଇବା ବା ଅର୍ଥ ଫେରସ୍ତ କରିବା ତ ଦୂରର କଥା ଓଲଟା ଗାଳିଗୁଲଜ କଲା । ନିଜ ଘର ଭିତରୁ ଧକ୍କା ଦେଇ ବାହାରକୁ ବାହାର କରିଦେଲା ତାଙ୍କୁ । ଜୀବନ ତମାମ ସମସ୍ତ ଛାତ୍ରଙ୍କ ପ୍ରିୟ ଶିକ୍ଷକ ଥିବା ଚନ୍ଦନ ସାର୍ ସେଦିନ ଅପମାନିତ ହୋଇ ବାହାରିଲେ ବିଶ୍ୱରଥର ଘରୁ। ବାହାରେ ସେହି ଗାଁର ଗଦାଏ ଲୋକ ଏକାଠି ହୋଇଥାନ୍ତି । ସେଥିରେ ଥାଆନ୍ତି ପୁରୁଷ, ମହିଳା ଏବଂ ସ୍କୁଲ ପିଲା ସମସ୍ତେ । ବାହାରେ ଏତେ ଲୋକଙ୍କୁ ଦେଖି, ପ୍ରଥମେ ଟିକିଏ ଶଙ୍କି ଯାଇଥିଲେ ଚନ୍ଦନ ସାର୍ । ତା ପରେ ନିରୁଦ୍ୱିଗ୍ନ ଭାବେ ଲୋକଙ୍କ ମୁହଁକୁ ଜଳ ଜଳ ଦେଖୁଥାନ୍ତି ସେ । ତାଙ୍କ ଅପଲକ ଆଖିରୁ ଧାର ଧାର ବହି ଯାଉଥାଏ ଲୁହ । ସେ କିଛି କହିବାକୁ ଚାହୁଁଥାନ୍ତି .. କିନ୍ତୁ କିଛି କହିପାରୁନଥାନ୍ତି । ମନେ ମନେ ନିଜକୁ ଧିକ୍କାର କରୁଥାନ୍ତି ସେ । ଧୀରେ ଧୀରେ ଚାଲି ଚାଲି ସେ ଆସି ପହଞ୍ଚିଲେ ନିଜ ଘରେ । ତଥାପି ତାଙ୍କ ଆଖିରୁ ଲୁହ ଶୁଖୁନଥାଏ । ହଠାତ୍ ଖଟ ଉପରେ ବସିପଡ଼ିଲେ ସେ। ଦେଖୁ ଦେଖୁ ମାତ୍ର ଅଧଘଣ୍ଟାଏ ଭିତରେ ଶହେ ଚାରି ଜର । ତା ପରେ ମନେ ହେଉଥିଲା ସତେ ଯେମିତି ସେ ନିଜ ଭିତରେ ନିଜେ ତିଳ ତିଳ ହୋଇ ଜଳୁଛନ୍ତି ।

ସେଦିନଠୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଯେ, ଆଜି ଟିକିଏ ସୁସ୍ଥ ଅନୁଭବ କରୁଛନ୍ତି । ତଥାପି ଯେତେବେଳେ ବି ତାଙ୍କୁ ବିଶ୍ୱରଥର ବ୍ୟବହାର ମନେ ପଡୁଛି, ସେତେବେଳେ ତାଙ୍କ ଦେହଟା ଥରି ଉଠୁଛି । କିନ୍ତୁ ଶିକ୍ଷକ ଭାବରେ ତାର ଅମଙ୍ଗଳ କେବେ ପାଞ୍ଚିନାହାନ୍ତି ସେ । ହେଲେ ସେଦିନ ଯେତେବେଳେ ତା ଘରେ ଅପମାନିତ ହୋଇ ବାହାରକୁ ଆସିଥିଲେ ଚନ୍ଦନ ସାର, ସେତେବେଳେ ତାଙ୍କ ମୁହଁରୁ ବାହାରି ଆସିଥିଲା, କୃତଘ୍ନ  ମୋର ଏ ଲୁହର ମୂଲ୍ୟ ତତେ ଦେବାକୁ ପଡ଼ିବ ବିଶ୍ୱରଥ ।

ବାପାଙ୍କଠାରୁ ଏ ସବୁ କଥା ଶୁଣି ସାରିଲା ପରେ ବି ସମ୍ପୂର୍ଣ୍ଣ ନିର୍ବିକାର ଥିଲା ତୀର୍ଥଙ୍କର । ଡାକ୍ତରଙ୍କ ସହ ଆଲୋଚନା ପରେ ଶେଷକୁ ବାପାଙ୍କୁ ଘରକୁ ନେଇ ଫେରିଛି ସେ । ଏହାରି ଭିତରେ ଅନେକ ଦିନ ବିତିଗଲାଣି । ସେବେଠାରୁ ତୀର୍ଥଙ୍କର ଆଉ ସ୍ନାତକୋତ୍ତର ଶିକ୍ଷା ପାଇଁ କେବେ ବାହାରକୁ ଯାଇପାରିନି । ବରଂ ତା ପାଠପଢ଼ାରେ ଡୋରି ବନ୍ଧାହୋଇଯାଇଛି, କହିଲେ ଚଳେ । ଓଲଟା ବାପାଙ୍କ ଅବସର ପରେ, ନିଜ ପରିବାର ଚଳାଇବା ପାଇଁ ଏକ ଘରୋଇ ସ୍କୁଲରେ ଶିକ୍ଷକତା କରୁଛି ତୀର୍ଥଙ୍କର । ସେପଟେ ବିଶ୍ୱରଥ ଉପରେ ସତେ ଯେମିତି ଆକାଶ ଛିଣ୍ଡି ପଡ଼ିଛି । ସେ କାମ କରୁଥିବା ବହୁଦେଶୀୟ କମ୍ପାନିରେ ଏମିତି କିଛି ଘୋଟାଲାରେ ସମ୍ପୃକ୍ତି ଅଭିଯୋଗରେ କମ୍ପାନିରୁ ବରଖାସ୍ତ ହୋଇଛି ସେ । ଦୁଇ ଦିନ ତଳେ ଖବରକାଗଜରେ ଏ ଖବର ପ୍ରକାଶ ପାଇବା ପରେ, ଏବେ ଲୋକ ଲଜ୍ଜାରେ ବାହାରକୁ ବାହାରିପାରୁନି ବିଶ୍ୱରଥ । ଚାକିରି ନାହିଁ .. ରୋଜଗାର ନାହିଁ ..ତା ସାଙ୍ଗକୁ ସମାଜରେ ଥିବା ସାମାନ୍ୟତମ ପ୍ରତିଷ୍ଠା ବି ସେ ହରାଇଛି । ନିଜର ଏ ଦଶା ପାଇଁ ସେ କାହାକୁ ଦାୟୀ କରିବ କିଛି ଭାବିପାରୁନି । ବରଂ ଅନୁଶୋଚନା ଓ ଆତ୍ମଗ୍ଲାନି ଭିତରେ ବାରମ୍ବାର ତାକୁ ଦିଶି ଯାଉଛି ଚନ୍ଦନ ସାରଙ୍କ ମୁହଁ ଏବଂ ତାଙ୍କ ଆଖିରୁ ଝରି ଯାଉଥିବା ଲୁହର ଧାର । ଆଉ ତା କାନରେ ଗୁଞ୍ଜରିତ ହେଉଛି .. କୃତଘ୍ନ .. ତୋତେ ଦିନେ ନା ଦିନେ ମୋ ଲୁହର ମୂଲ୍ୟ ସୁଝିବାକୁ ପଡ଼ିବ ।

ବିଭାଗୀୟ ମୁଖ୍ୟ,
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି
ମୋହାଲି, ପଞ୍ଜାବ, ପିନ୍- ୧୪୦୪୨୩
ଫୋନ୍- ୯୯୩୭୨୫୨୪୬୪