Latest Odisha News

BREAKING NEWS

ଉତ୍କଳ ଦିବସ: କିଭଳି ସୃଷ୍ଟି ହେଲା ଓଡ଼ିଶା ପ୍ରଦେଶ,ଜାଣନ୍ତୁ

ଭୁବନେଶ୍ୱର:ଏପ୍ରିଲ ୧ ତାରିଖ, ୧୯୩୬ ମସିହାରେ ସ୍ୱତନ୍ତ୍ର ରାଜ୍ୟର ସମ୍ମତି ପ୍ରାପ୍ତ କଲା ଉତ୍କଳ (ଓଡ଼ିଶା) ।

କିପରି ଥିଲା ଏହି ସମ୍ପୂର୍ଣ୍ଣ ଯାତ୍ରା ଆସନ୍ତୁ ଜାଣିବା…

୧୮୭୫ରେ ବାଲେଶ୍ୱରର ରାଜା ଶ୍ୟାମାନନ୍ଦ ଦେ ଏବଂ ଦେଶବ୍ରତୀ ବିଚିତ୍ରାନନ୍ଦ ଦାସଙ୍କ ଦ୍ୱାରା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ବଙ୍ଗର ତତକାଳୀନ ଲେଫଟନାଂଟ ଗଭର୍ନରଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ସେହିଦିନଠାରୁ ଉତ୍କଳ ସ୍ଵତନ୍ତ୍ର ପ୍ରଦେଶ ଗଠନ ହେବାର ମୂଳଦୁଆ ପଡ଼ିଥିଲା ।

ଏହାପରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଦ୍ୱାରା ୧୮୮୨ରେ ଓଡ଼ିଶାର ପ୍ରଥମ ରାଜନୈତିକ ମଞ୍ଚ ଉତ୍କଳ ସଭା ବା ଓଡ଼ିଶା ଆସୋସିଏସନ ଗଠନ କରାଗଲା ।

୧୮୯୫ରେ ସେଂଟ୍ରାଲ୍ ପ୍ରୋଭିନ୍ସ ଚିଫ କମିଶନରଙ୍କ ପକ୍ଷରୁ ସମ୍ବଲପୁରର କୋର୍ଟ କଚେରିମାନଙ୍କରୁ ଓଡ଼ିଆ ଭାଷା ସଂପୂର୍ଣ୍ଣ ଉଚ୍ଛେଦ ଏବଂ ହିନ୍ଦୀ ଭାଷାର ପ୍ରଚଳନ ଆରମ୍ଭ କରାଯାଇଥିଲା ।

ଏହାକୁ ନେଇ ସମ୍ବଲପୁରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ଜନ-ଆନ୍ଦୋଳନ ଦେଖାଦେଇଥିଲା । ୧୯୦୧ରେ ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜ ଦେବଙ୍କ ନେତୃତ୍ୱରେ ରମ୍ଭା ପ୍ରାସାଦରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କରେ ବିଚାର ଆଲୋଚନା ହୋଇଥିଲା ।

ପଶ୍ଚିମ ଓଡ଼ିଶା ପରେ ଦକ୍ଷିଣ ଓଡ଼ିଶାରେ ଉତ୍କଳ ପ୍ରଦେଶ ଗଠନ ପାଇଁ ଏହା ଥିଲା ପ୍ରଥମ ଉଦ୍ୟମ । ଜାତିର ସ୍ୱାର୍ଥରକ୍ଷା ଉଦ୍ଦେଶ୍ୟରେ ଉତ୍କଳ ହିତୈଷିନୀ ଗଠନ କରାଗଲା ।

୧୯୦୨ରେ ମାନ୍ଦ୍ରାଜରେ ଅନୁଷ୍ଠିତ ଜାତୀୟ କଂଗ୍ରେସ ସମ୍ମିଳନୀରେ ମଧୁସୂଦନ ଓ ଗୌରୀଶଙ୍କର ରାୟଙ୍କ ଯୋଗଦାନ ଦେଇଥିଲେ ଏବଂ ଓଡ଼ିଶା ଡିଭିଜନରେ ଗଞ୍ଜାମ ଜିଲ୍ଲାର ମିଶ୍ରଣ ପାଇଁ ଦାବି ଉପସ୍ଥାପନ କରିଥିଲେ ।

୧୯୦୩ରେ ମଧୁସୂଦନଙ୍କ ବଳିଷ୍ଠ ନେତୃତ୍ୱରେ ଉତ୍କଳ ସମ୍ମିଳନୀର ଜନ୍ମଲାଭ କରିଥିଲା । ୧୯୦୫ରେ ସମ୍ବଲପୁର ଜିଲ୍ଲାକୁ ମଧ୍ୟ ପ୍ରଦେଶରୁ କାଢ଼ି ବଙ୍ଗଳା ପ୍ରେସିଡେନ୍ସି ଅନ୍ତର୍ଗତ ଓଡ଼ିଶା ଡିଭିଜନ୍ ରେ ମିଶ୍ରଣ କରାଗଲା ।

୧୯୧୭ରେ ଉତ୍କଳ ସମ୍ମିଳନୀ ପକ୍ଷରୁ ବିଚ୍ଛିନ୍ନ ଓଡ଼ିଆ ଭାଷାଭାଷୀ ଅଂଚଳକୁ ଗୋଟିଏ ପ୍ରଦେଶ ଅନ୍ତର୍ଗତ କରିବାକୁ ମଟେଂଗୁ-ଚେମସଫୋର୍ଡ କମିଟି ନିକଟରେ ଦାବି ଉପସ୍ଥାପନ କରାଯାଇଥିଲା ।

୧୯୨୭ରେ ସାଇମନ୍ କମିସନ୍ ଙ୍କ ନିକଟରେ ଉତ୍କଳ ସମ୍ମିଳନୀ ପକ୍ଷରୁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦାବି ଉପସ୍ଥାପନ କରାଗଲା । ୧୯୩୧ରେ ଇଂଲଣ୍ଡରେ ଅନୁଷ୍ଠିତ ଗୋଲ ଟେବୁଲ ବୈଠକରେ ରାଜା କୃଷ୍ଣଚନ୍ଦ୍ର ଗଜପତି ଦେବଙ୍କ ଯୋଗ ଦେଇଥିଲେ ଓ ସ୍ୱତନ୍ତ୍ର ରାଜ୍ୟ ଗଠନ ଦାବି କରିଥିଲେ ।

୧୯୩୩ରେ ପାରଳାଖେମୁଣ୍ଡି, ଜୟପୁର ଜମିଦାରିକୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ପରିକଳ୍ପନାରୁ ବାଦ ଦେଇ ଶ୍ୱେତପତ୍ର ପ୍ରକାଶ କରାଯାଇଥିଲା । ଏହା ବିରୋଧରେ ଉତ୍କଳ ସମ୍ମିଳନୀ ମାଧ୍ୟମରେ ବିଶାଳ ଜନ ଆନ୍ଦୋଳନ ସୃଷ୍ଟି ହେଲା ।

୧୯୩୫ରେ ଭାରତ ଶାସନ ଆଇନ ମାଧ୍ୟମରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ବିଚାରାଧୀନ ରହିଲା ।

୧୯୩୬, ଏପ୍ରିଲ ୧- କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, ଗଞ୍ଜାମ ଓ କୋରାପୁଟ ଛଅଟି ଜିଲ୍ଲାକୁ ନେଇ ଭାଷା ଭିତିିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ଗଠନ ହୋଇଥିଲା । ୧୮୭୫ରୁ ଆରମ୍ଭ ହୋଇଥିବା ଓଡ଼ିଶା ପ୍ରଦେଶ ଗଠନର ଉଦ୍ୟମ ୧୯୩୬ରେ ଅର୍ଥାତ ୬୧ ବର୍ଷରେ ପୂରଣ ହୋଇଥିଲା ।

Leave A Reply

Your email address will not be published.