ଭୁବନେଶ୍ବର: ସରକାରୀ ଅର୍ଥ ଆତ୍ମସାତ କରିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କଲା ଭିଜିଲାନ୍ସ। ୧୬ ଲକ୍ଷରୁ ଊର୍ଦ୍ଧ୍ବ ସରକାରୀ ଟଙ୍କା ହଡ଼ପ କରିଥିଲେ। ବୃଦ୍ଧବୃଦ୍ଧାଙ୍କ ପାଇଁ ଉଦ୍ଦିଷ୍ଟ ସାମାଜିକ ସୁରକ୍ଷା ପେନସନ୍ ଟଙ୍କା ହଡ଼ପ ଅଭିଯୋଗରେ ଭୋଗରାଇ ବ୍ଲକର ୩ ପଞ୍ଚାୟତସ୍ତରୀୟ ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ । ଅଭିଯୁକ୍ତମାନେ ହେଲେ କଖରା ଗ୍ରାମ ପଞ୍ଚାୟତର ପୂର୍ବତନ ପିଇଓ ତଥା ବର୍ତ୍ତମାନ କୁସୁଡ଼ା ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ସୁବ୍ରତ କୁମାର ପତି, କୁମ୍ଭାରମୁଳି ଗ୍ରାମ ପଞ୍ଚାୟତର ପୂର୍ବତନ ପିଇଓ ଚିତ୍ତରଞ୍ଜନ ବାଗସିଂ ଏବଂ ଜଳେଶ୍ୱରପୁର ଗ୍ରାମ ପଞ୍ଚାୟତର ଆକାଉଣ୍ଟାଣ୍ଟ-କମ୍-ଡାଟା ଏଣ୍ଟ୍ରି ଅପରେଟର ଗୌତମ ଦଳାଇ।
୨୦୨୨ରୁ ୨୦୨୫ ମଧ୍ୟରେ ବୃଦ୍ଧବୃଦ୍ଧାଙ୍କୁ ମାସିକ ସାମାଜିକ ସୁରକ୍ଷା ପେନସନ୍ ବଣ୍ଟନ ପାଇଁ ଅଭିଯୁକ୍ତମାନେ ଭୋଗରାଇ ବିଡିଓ କାର୍ଯ୍ୟାଳୟରୁ ବିଭିନ୍ନ ସମୟରେ ଅଗ୍ରିମ ଟଙ୍କା ଉଠାଉଥିଲେ। ହିତାଧିକାରୀଙ୍କୁ ଟଙ୍କା ବଣ୍ଟନ ପରେ ବଳକା ଅର୍ଥ ସରକାରୀ ହିସାବରେ ଜମା କରିବା କିମ୍ବା ଏହାର ହିସାବ ଦେବା ପରିବର୍ତ୍ତେ ଅଭିଯୁକ୍ତମାନେ ଏହାକୁ ଆତ୍ମସାତ କରିଥିବା ତଦନ୍ତରୁ ଜଣାପଡ଼ିଛି।
ତିନି ଅଭିଯୁକ୍ତ ମିଳିତ ଭାବେ ମୋଟ ୧୬ ଲକ୍ଷ ୭୬ ହଜାର ୫୦୦ ଟଙ୍କା ହଡ଼ପ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏନେଇ ବାଲେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଛି। ଗିରଫ ତିନି ଅଭିଯୁକ୍ତଙ୍କୁ ଆଜି ବାଲେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଇଛି। ମାମଲାର ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ।

