Latest Odisha News

BREAKING NEWS

‘କଙ୍ଗନା ହେଉଛନ୍ତି ବର୍ଷା ଦିନିଆ ବେଙ୍ଗ, ନିର୍ବାଚନ ସରିଲେ ସେ ପୁଣି ମୁମ୍ବାଇ ଫେରିଯିବେ’

ମନାଲି: ହିମାଚଳ ପ୍ରଦେଶର ଚାରିଟି ଆସନ ମଧ୍ୟରୁ ବର୍ତ୍ତମାନ ସମୟରେ ମଣ୍ଡି ଚର୍ଚ୍ଚାରେ ରହିଛି । ଏହା ପଛର କାରଣ ହେଉଛି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ବିଜେପି ପକ୍ଷରୁ ଟିକେଟ୍ ଦିଆଯାଇଛି । କଂଗ୍ରେସ ରାଜ୍ୟ ସଭାପତି ପ୍ରତୀଭା ସିଂ ବର୍ତ୍ତମାନ ଏଠାରୁ ସାଂସଦ ଅଛନ୍ତି ଏବଂ ଏଥର ତାଙ୍କ ପୁଅ ତଥା ମନ୍ତ୍ରୀ ବିକ୍ରମାଦିତ୍ୟ ସିଂଙ୍କୁ କଂଗ୍ରେସ ପକ୍ଷରୁ ଟିକେଟ ଦିଆଯାଇଛି । ଏହି ସମୟରେ ପ୍ରତୀଭା ସିଂ ଦାବି କରିଛନ୍ତି ଯେ ମଣ୍ଡିରେ କଂଗ୍ରେସ ଜିତିବାକୁ ଜନସାଧାରଣ ଚାହୁଁଛନ୍ତି ।

ଏହାରି ଭିତରେ ଏକ ରାଜନୈତିକ ବୟାନବାଜି ଦେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ବିକ୍ରମାଦିତ୍ୟ ସିଂ । ସେ କଙ୍ଗନାଙ୍କୁ କଡା କଡାକ୍ଷ କରି କହିଛନ୍ତି ଯେ, ‘କଙ୍ଗନା ହେଉଛନ୍ତି ବର୍ଷା ଦିନିଆ ବେଙ୍ଗ, ନିର୍ବାଚନ ସରିଗଲେ ସେ ପୁଣି ମୁମ୍ବାଇ ଫେରିଯିବେ । ନିର୍ବାଚନ ପ୍ରଚାର ସମୟରେ କଙ୍ଗନା ଯାହା କରୁଛନ୍ତି ଲାଗୁଛି ଯେପରି ଫିଲ୍ମ ସୁଟିଂ ଚାଲିଛି । ନିଜର ବେଶଭୂଷା ବଦଳାଇ ଦେଲେ କେହି କେବେ ଜନତାଙ୍କ ହୃଦୟ ଜିତିପାରିବେନି କି ଲୋକଙ୍କ ସମସ୍ୟା ବୁଝିପାରିବେନି’ ।

ସେ ଆହୁରି କହିଛନ୍ତି, ‘ମୁମ୍ବାଇର ପାଣିପାଗ ବର୍ତ୍ତମାନ ଗରମ ରହିଛି, ହିମାଚଳପ୍ରଦେଶରେ ଏବେ ପାଣିପାଗ ଭଲ ଅଛି ତେଣୁ ଏହାର ମଜା ନେବାକୁ କଙ୍ଗନା ଏଠାକୁ ଆସିଛନ୍ତି । ଏବେ ତାଙ୍କର ଫିଲ୍ମ ଭଲ ଚାଲୁନି ସେଥିପାଇଁ ହିମାଚଳ ଛୁଟି କାଟିବାକୁ ଆସିଛନ୍ତି । ଦୁଇ ରୁ ତିନି ମାସ ପରେ ପୁଣି ସେ ମୁମ୍ବାଇ ଫେରିଯିବେ’ ।

ବିକ୍ରମାଦିତ୍ୟ କହିଛନ୍ତି ଯେ, ‘ଆମେ ନିରନ୍ତର ଲୋକଙ୍କ ମଧ୍ୟରେ ରହିଛୁ ଯେତେବେଳେ ରାଜ୍ୟରେ ବିପର୍ଯ୍ୟୟ ଘଟିଲା, ଆମେ ଲୋକଙ୍କୁ ସାହାଯ୍ୟ କରିଥିଲୁ । ବିରୋଧୀ ଦଳମାନେ କୁହନ୍ତୁ ବିପର୍ଯ୍ୟୟ ସମୟରେ ସେମାନେ କେଉଁଠି ଥିଲେ । ଆମେ ମଣ୍ଡି ଲୋକଙ୍କ ପାଖକୁ ଯାଇ ଆମର ମତ ଉପସ୍ଥାପନ କରିବୁ ଏବଂ ଜିତିବୁ, ଆମେ ନିର୍ବାଚନ ଜିତିବା ପାଇଁ ସଂଗ୍ରାମ କରୁଛୁ ଏବଂ ଦିଲ୍ଲୀରେ ସ୍ୱର ଉତ୍ତୋଳନ କରିବୁ’ ।

Leave A Reply

Your email address will not be published.