Latest Odisha News

BREAKING NEWS

ଜାଣନ୍ତୁ, ଆସାମର କେଉଁ ଅଭୟାରଣ୍ୟରେ ରହିଛି ଗୋଟିଏ ଶିଙ୍ଗ ଥିବା ଗଣ୍ଡା

ସହରର ଜନଗହଳିପୂର୍ଣ୍ଣ ପରିବେଶରୁ କିଛିକ୍ଷଣ ପାଇଁ ବାହାରି ଆସି ଏକ ଶାନ୍ତ ବାତାବରଣରେ ସମୟ କଟାଇବାକୁ ଚାହୁଁଥିଲେ ବୁଲିଚାଲନ୍ତୁ ପୋବିଟୋରା ବନ୍ୟପ୍ରାଣୀ ଅଭୟାରଣ୍ୟ।

ଆସାମର ମୋରିଗାଓଁ ଜିଲ୍ଲାରେ ରହିଛି ଏହି ପୋବିଟୋରା ବନ୍ୟପ୍ରାଣୀ ଅଭୟାରଣ୍ୟ । କେହି କେହି ଏହାକୁ ପବିଟୋରା ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟ କହିଥାନ୍ତି। ପ୍ରାୟ ୩୮.୮ ବର୍ଗ କି.ମି. ପର୍ଯ୍ୟନ୍ତ ପରିବ୍ୟାପ୍ତ ଏହି ଅଭୟାରଣ୍ୟରେ ମୁଖ୍ୟତଃ ଗୋଟିଏ ଶିଙ୍ଗ ଥିବା ଗଣ୍ଡାମାନଙ୍କୁ ଦେଖିବାକୁ ମିଳିଥାଏ।

ତଥ୍ୟ ଅନୁଯାୟୀ, ପୋବିଟୋରାକୁ ୧୯୭୧ ମସିହାରେ ପ୍ରଥମେ ଏକ ସଂରକ୍ଷଣ କ୍ଷେତ୍ର ଭାବେ ଘୋଷଣା କରାଯାଇଥିବାବେଳେ ୧୯୮୭ରେ ଏହାକୁ ଏକ ବନ୍ୟପ୍ରାଣୀ ଅଭୟାରଣ୍ୟର ମାନ୍ୟତା ମିଳିଥିଲା।

ଏହି ଅଭୟାରଣ୍ୟଟି ଗୋଟିଏ ଶିଙ୍ଗ ଥିବା ଗଣ୍ଡାମାନଙ୍କ ପାଇଁ ସ୍ବତନ୍ତ୍ର ପରିଚୟ ହାସଲ କରିଥିଲେ ମଧ୍ୟ, ଏଠାରେ ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ ମଧ୍ୟ ଦେଖିବାକୁ ମିଳିଥାଏ । ଯେମିତିକି ଚିତାବାଘ, ଜଙ୍ଗଲୀ ଘୁଷୁରି, ବୋବାଉଥିବା ହରିଣ, ଜଙ୍ଗଲୀ ମଇଁଷୀ, ହାତୀ ଇତ୍ୟାଦି।

ତା’ଛଡ଼ା ପ୍ରାୟ ୩୭୫ ପ୍ରଜାତିର ପକ୍ଷୀମାନଙ୍କ ପାଇଁ ଏହା ଏକ ସୁରକ୍ଷିତ ଆବାସସ୍ଥଳୀ କହିଲେ ଭୁଲ୍‌ ହେବନାହିଁ। ଶୀତଦିନେ ପାଖାପାଖି ଦୁଇ ହଜାରରୁ ଊର୍ଦ୍ଧ୍ୱ ଭ୍ରମଣକାରୀ ପକ୍ଷୀ ଏଠାକୁ ଉଡି ଆସିଥାନ୍ତି, ଯାହା ହେଉଛି ଏଠାକାର ଏକ ନିଆରା ଆକର୍ଷଣ।

ସେହିପରି ଏହି ଅଭୟାରଣ୍ୟ ଭିତରେ ରହିଛନ୍ତି
ବିଭିନ୍ନପ୍ରଜାତିର ସରୀସୃପ, ଯାହାକି ଦେଖିବା ପାଇଁ ଏକ ସ୍ବତନ୍ତ୍ର ଗ୍ୟାଲେରି ବି ତିଆରି କରାଯାଇଛି।ପୋବିଟୋରାରେ ଥିବା ହାତୀମାନଙ୍କ ପିଠିରେ ବସି ଅଭୟାରଣ୍ୟ ଭିତରେ ବୁଲିବାର ମଜା ହିଁ କିଛି ନିଆରା। ଏଥିପାଇଁ କିଛି ଶୁଳ୍କ ଦେବାକୁ ହୋଇଥାଏ। ତା’ଛଡ଼ା ଅଭୟାରଣ୍ୟ ମଧ୍ୟରେ ଥିବା ବିଭିନ୍ନ ପ୍ରକାରର ବୃକ୍ଷଲତା ବି ଏଠାକାର ପରିବେଶକୁ ବେଶ୍‌ ମନୋରମ କରିଥାନ୍ତି।

କେଉଁ ସମୟରେ ଯିବେ:

ବର୍ଷର ଯେ କୌଣସି ସମୟରେ ଏଠାକୁ ଯିବାର ସୁବିଧା ରହିଛି। ହେଲେ ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ର ଅନୁଯାୟୀ, ଅକ୍ଟୋବରରୁ ମେ’ ହେଉଛି ଏଠାକୁ ବୁଲିଯିବା ପାଇଁ ଉପଯୁକ୍ତ ସମୟ। କାରଣ ଏହାପରେ ବର୍ଷାଦିନ ଆସିଯାଏ। ବର୍ଷାଦିନରେ ଗଲେ ଏଠାରେ ପଶୁପକ୍ଷୀଙ୍କୁ ନିକଟରୁ ଦେଖିବାରେ ସମସ୍ୟା ଉପୁଜିଥାଏ।

କେମିତି ଯିବେ:

ଗୁଆହାଟିର ପୂର୍ବ ଦିଗରୁ ପୋବିଟୋରା ଅଭୟାରଣ୍ୟଟି ପ୍ରାୟ ୩୦ କି.ମି. ଦୂରରେ ଅବସ୍ଥିତ। ତେଣୁ ଗୁଆହାଟିରୁ ସଡ଼କପଥରେ ପ୍ରାୟ ୧ ଘଣ୍ଟାର ରାସ୍ତା ଅତିକ୍ରମ କରି ଗଲେ ପଡେ ଏହି ଅଭୟାରଣ୍ୟ।

Leave A Reply

Your email address will not be published.