ସମାଜ ନା ସରକାର କିଏ ଦାୟୀ ?

୨୦୧୬ ମସିହା ଅଗଷ୍ଟ ମାସରେ ଗୋଟିଏ ଘଟଣା ଚହଳ ପକେଇଥିଲା ସାରା ଦେଶରେ । ଦେଶ କ’ଣ ତା’ପରେ ତ ବିଦେଶରେ ବି ସେଇ ଲୋକଟିର ନାଁ ଶୁଣାଗଲା ଯେ କି ନିଜର ମୃତା ପତ୍ନୀଙ୍କ ଶବକୁ କାନ୍ଧରେ ଦୀର୍ଘ ୧୦ କି.ମି. ରାସ୍ତା କାନ୍ଧେଇ କାନ୍ଧେଇ ଆସିଥିଲେ ।

ଦାନ ମାଝିଙ୍କ ଘଟଣାର ଏବେ ନିକଟରେ ପୁଣି ପୁନରାବୃତ୍ତି ହୋଇଛି । ସେ ଥିଲେ ଦାନ ଆଉ ଇଏ ହେଉଛନ୍ତି କବୀର ଭୋଇ । ଦାନ ମାଝି ମୃତ ସ୍ତ୍ରୀକୁ ଧରି ୧୦ କି.ମି. କାନ୍ଧେଇ ଚାଲିଥିଲେ, କିନ୍ତୁ କବୀର ପୁରୀରୁ କଟକ ୯୦କି.ମି. ରୋଗିଣା ସ୍ତ୍ରୀ ଯେ କି କାଳେ ବଞ୍ଚିଯିବା ଆଶାରେ ଟ୍ରଲିରେ ଭିଡ଼ି ଭିଡ଼ି ଚାଲୁଥିଲେ । କିନ୍ତୁ ଫରକ ଥିଲା ଏତିକି ଯେ ଜିଲ୍ଲା ହସ୍ପିଟାଲରୁ ଦାନ ମାଝିଙ୍କୁ ଗାଁକୁ ୧୦ କି.ମି. ମୃତା ସ୍ତ୍ରୀଙ୍କୁ କାନ୍ଧେଇ ଚାଲିବାକୁ ପଡ଼ିଥିଲା । କାରଣ ବାଟରେ ଗଣମାଧ୍ୟମର ପ୍ରଭାବ ଫଳରେ ତାଙ୍କୁ ଆମ୍ବୁଲାନ୍ସଟିଏ ମିଳିପାରିଥିଲା । କିନ୍ତୁ ଏଠି କେମିତି କାହା ନଜରକୁ ଆସିଲେ ନାହିଁ କବୀର ଆଉ ତାଙ୍କ ରୋଗିଣା ସ୍ତ୍ରୀ ।

ମାଇଲ୍ ମାଇଲ୍ ସେ ଅତିକ୍ରମ କରୁଥିଲେ, ସାକ୍ଷୀଗୋପାଳରୁ କଟକ ରାସ୍ତାରେ । ରାସ୍ତା କଡ଼ରେ ଅନେକ ଲୋକ ଯାଉଥିଲେ କେମିତି କାହାର ନଜରକୁ ଆସିପାରିନଥିଲେ କବୀର ଶୁଣିଲେ ସତରେ ଆଶ୍ଚର୍ଯ୍ୟ ଲାଗୁଛି । କବୀରଙ୍କ କହିବା ଅନୁସାରେ ସ୍ଥାନୀୟ ଡାକ୍ତର ତାଙ୍କୁ ଫେରେଇଦେଲେ, କହିଲେ ସ୍ତ୍ରୀର ଅବସ୍ଥା ଖରାପ ଆମେ ଆଉ କିଛି ଚିକିତ୍ସା କରିପାରିବୁ ନାହିଁ । ସେଇ ଡାକ୍ତରଖାନାରେ ଡାକ୍ତର ଏବଂ କର୍ମଚାରୀମାନଙ୍କ ମାନବିକତା ହଜିଗଲା ସେଇ ଗରିବ ଲୋକଟି ଟଙ୍କା ଅଭାବ ହେତୁ କେମିତି ବଡ଼ ମେଡିକାଲ୍‌ରେ ପହଞ୍ଚିବ ବୋଲି । କେମିତି ଲୋକଙ୍କ ମାନବିକତା ହଜିଯାଇଛି ବୋଲି ସତରେ ମନରେ ପ୍ରଶ୍ନ ଉଠୁଛି । ବାଟରେ ଆସିଲା ବେଳେ ଅନେକ ଲୋକ ତ ଦେଖୁଥିବେ ତା’ହେଲେ ସେତେବେଳେ ସେମାନଙ୍କ ମାନବିକତା କୁଆଡ଼େ ଯାଉଛି ? ଆମେ ଏବେ ସବୁଠାରୁ ଗୋଟିଏ ବଡ଼ ଆଉ ସୁନ୍ଦର ଉପାୟଟିଏ ପାଇଛେ ତା’ହେଲା ସବୁବେଳେ ଆମର ବ୍ୟବସ୍ଥାକୁ ଦାୟୀ କରିଦେଲେ ଆମେ ଆମ କର୍ତ୍ତବ୍ୟରୁ ହାଲ୍‌କା ହୋଇଯିବା ଆଉ ସେଇଠି ସବୁ କଥା ସରିଗଲା ବୋଲି ଭାବିନେବା । କିନ୍ତୁ ଭୁଲିଯାଉଛେ ତା’ସାଙ୍ଗରେ ଆମେ ଆମର ମାନବିକତାକୁ ମଧ୍ୟ ଭୁଲିଯାଉଛେ ।

କବୀରଙ୍କୁ ଆମ୍ବୁଲାନ୍ସ ମିଳିନଥିଲା ସତ, କିନ୍ତୁ ସେଇ ଚିିକିତ୍ସାଳୟରେ କେମିତି କାହାର ମାନବିକତା ହଜିଯାଇଥିଲା ଯେ ସେମାନେ କ’ଣ ପାଇଁ ଆମ୍ବୁଲାନ୍ସର ବ୍ୟବସ୍ଥା କରିପାରିନଥିଲେ । ପ୍ରଶ୍ନ ଉଠେ ସତରେ ସେତେବେଳେ ଆମେ ସବୁବେଳେ ସରକାରୀ ବ୍ୟବସ୍ଥାକୁ ଆଙ୍ଗୁଠି ଦେଖେଇ ଦେଉଛେ ଅତି ସହଜରେ । କିନ୍ତୁ ଆମ ନିଜ ଉପରକୁ ଆଙ୍ଗୁଠି ଉଠେଇବାର ପ୍ରୟାସ ଟିକେ ବି ରଖୁନେ । ସରକାରଙ୍କ ମାଳମାଳ ଯୋଜନାକୁ ପାଇପାରୁନି ଗରୀବଟିଏ । ତା’ପାଇଁ ଯଦି ଆମେ ସରକାରୀ ବ୍ୟବସ୍ଥାକୁ ଦାୟୀ କରିବା ତା’ହେଲେ ଏହିଭଳି ଗରିବ କବୀର ମାନଙ୍କ ପାଇଁ ସାମାଜିକ ଗୁରୁଦାୟୀତ୍ୱ କ’ଣ ରହିବ ? କବୀରଙ୍କ ଘଟଣାକୁ ଦେଖିଲେ ବ୍ୟସ୍ତ ଲାଗୁଛି । କେଇପଦ ସହାନୁଭୂତିର ଦୁଇପଦ କଥାରେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିଥାନ୍ତା ।

କିଏ ଯଦି ଟିକିଏ ଚେଷ୍ଟା କରିଥାନ୍ତେ, ଅତି ସୁବିଧାରେ ଆମ୍ବୁଲାନ୍ସଟିଏ ମିଳିପାରିଥାନ୍ତା, ଆଜି କବୀରଙ୍କ ସ୍ତ୍ରୀ ମଧ୍ୟ ବଞ୍ଚିପାରିଥାନ୍ତେ । କିନ୍ତୁ ଆମେ ତ ଆମର ପାରିବାପଣ ମାନବିକତାକୁ ଏହିପରି ଭାବେ ହଜେଇ ଦେଉଛେ, ଆଉ କବୀରଙ୍କ ଏହି ପରିସ୍ଥିତିି ପାଇଁ ସବୁବେଳେ ଆମେ ସରକାରଙ୍କୁ ଦାୟୀ କରୁଛେ । ଆମ ସରକାରଙ୍କର ଦାୟିତ୍ୱ ରହିଛି, କିନ୍ତୁ ଆମର ବି ତ କିଛି ଦାୟିତ୍ୱ ରହିଛି ମୋ ମନରେ ଗୋଟିଏ ପ୍ରଶ୍ନ ବହୁତ ଆଲୋଡନ ସୃଷ୍ଟି କରୁଛି । ଏହି ଜାଗାରେ ଆମେ କାହାକୁ ଦାୟୀ କରିବା ଆମ ମାନସିକତା ନାଁ ସରକାର ?

(କ୍ୱାଟର ନମ୍ବର-୧୧/୪, ୟୁନିଟ୍‌-୪, ଭୁବନେଶ୍ୱର  ମୋ-୯୯୩୭୭୩୪୪୬୧)