Latest Odisha News

BREAKING NEWS

‘ମଧ୍ୟପ୍ରଦେଶ ରାଜନୀତି’, ବିଜେପି ଭୋଗିବ କଂଗ୍ରେସ ଦଶା !

ଭୁବନେଶ୍ୱର: ଭାଙ୍ଗିଯିବ କି ମଧ୍ୟପ୍ରଦେଶର ବିଜେପି ସରକାର ? ତିନି ବର୍ଷ ତଳେ ମଧ୍ୟପ୍ରଦେଶରେ କଂଗ୍ରେସର କମଲନାଥ ସରକାରର ଯେଉଁ ଅବସ୍ଥା ହୋଇଥିଲା ଏବେ ବିଜେପିର ଶିବରାଜ ସିଂ ଚୌହାନଙ୍କ ସେହି ଅବସ୍ଥା ହେବ କି ?

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବାତାବରଣ ସରଗରମ ହୋଇଥିବା ବେଳେ ଏମିତି କିଛି କଳ୍ପନା ଜଳ୍ପନା ଏବେ ପ୍ରକାଶ ପାଇଛି। ସେତେବେଳେ କଂଗ୍ରେସ ସରକାରକୁ ଭାଙ୍ଗିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ମନ୍ତ୍ରୀ ଏଭଳି କିଛି ସଂକେତ ଦେବା ପରେ ମଧ୍ୟପ୍ରଦେଶରେ ହଟଚମଟ ସୃଷ୍ଟି ହୋଇଛି।

ସେମାନଙ୍କ କଥା ନ ମାନିଲେ ସାମୁହିକ ଇସ୍ତଫା ଦେବେ ବୋଲି କହିଛନ୍ତି ସିନ୍ଧିଆ ଗୋଷ୍ଠୀର ମନ୍ତ୍ରୀ। ଆସନ୍ନ ନିର୍ବାଚନ ପୂର୍ବରୁ ବିଜେପି ମଧ୍ୟରେ ଲଢେ଼ଇ ତୀଵ୍ର ହୋଇଛି। ଏହି କ୍ରମରେ ପୂର୍ବତନ ମନ୍ତ୍ରୀ ତଥା ଟାଣୁଆ ବିଜେପି ନେତା ଦୀପକ ଯୋଶୀ ବିଜେପି ଛାଡି କଂଗ୍ରେସରେ ମିଶି ସାରିଛନ୍ତି। ସେମିତି ଅନେକ ପୂର୍ବତନ ବିଜେପି ବିଧାୟକ ମଧ୍ୟ ହାତ ଧରି ସାରିଲେଣି।

ଏବେ ମଧ୍ୟପ୍ରଦେଶ ବୁନ୍ଦେଲଖଣ୍ଡ କ୍ଷେତ୍ରରେ ବିଜେପି ନେତାଙ୍କ ଲଢେଇ ତୀଵ୍ର ହୋଇଛି। ଶିବରାଜଙ୍କ ସରକାରରେ ମନ୍ତ୍ରୀ ଗୋପାଳ ଭାର୍ଗବ, ସିନ୍ଧିଆଙ୍କ ସମର୍ଥକ ମନ୍ତ୍ରୀ ଗୋବିନ୍ଦ ସିଂ ରାଜପୁତ ଏବଂ ପରିବହନ ମନ୍ତ୍ରୀ ଭୁପେନ୍ଦ୍ର ସିଂଙ୍କ ମଧ୍ୟରେ ଲଢେ଼ଇ ତୀଵ୍ର ହେବା ଦେଖିବାକୁ ମିଳିଛି।

ଏହି ଲଢେଇ ସମ୍ପର୍କିତ ଅଭିଯୋଗ ଶିବରାଜଙ୍କ ନିକଟରେ ମଧ୍ୟ ପହଂଚିଛି। ଏପରିକି ସଂଗଠନର ପଦାଧିକାରୀଙ୍କ ନିକଟରେ ମଧ୍ୟ ଏ ନେଇ ଅଭିଯୋଗ ହୋଇଛି। ଏପରିକି ନଗର ଉନ୍ନୟନ ମନ୍ତ୍ରୀ ଭୁପେନ୍ଦ୍ର ସିଂଙ୍କ ଉପରେ ଅସନ୍ତୁଷ୍ଟ ଗୋଷ୍ଠୀ ସାମୁହିକ ଇସ୍ତଫା ଦେବା କଥା ଜଣାଇଦେଇଥିବା ଚର୍ଚ୍ଚା ହେଉଛି।

ଅସନ୍ତୁଷ୍ଟ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଭେଟିବା ପରେ ବିଜେପି ପ୍ରଦେଶ ଅଧ୍ୟକ୍ଷ ବି ଡି ଶର୍ମା, ସଂଗଠନ ମହାମନ୍ତ୍ରୀ ହିତାନନ୍ଦଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି। ଏହା ରାଜ୍ୟସ୍ତରରେ ସମାଧାନ ନ ହେଲେ ଅସନ୍ତୁଷ୍ଟ ଗୋଷ୍ଠୀ ଦିଲ୍ଲୀ ଯିବାକୁ ଚେତାବନୀ ଦେଇଛନ୍ତି। ଯାହାକୁ ନେଇ ଦଳର ଅଡୁଆ ବଢିଛି।

ସେପଟେ ଖୋଦ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ଗୁନାର ବିଜେପି ସାଂସଦ କେ ପି ଯାଦବଙ୍କ ମୁହାଁମୁହିଁ ହୋଇଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ଗୁନା ଲୋକସଭା ଆସନରୁ ଯାଦବ ସିନ୍ଧିଆଙ୍କୁ ହରାଇଥିଲେ।

ଏବେ ନିର୍ବାଚନ ପୂର୍ବରୁ ଯାଦବ ସିନ୍ଧିଆଙ୍କ ବିରୋଧରେ ଖୋଲାଖୋଲି ବର୍ଷିବା ଆରମ୍ଭ କରିଛନ୍ତି। ଗ୍ବାଲିଅର ଶିବପୁରୀ ଜିଲ୍ଲାରେ ସିନ୍ଧିଆ ସମର୍ଥକମାନଙ୍କ ପକ୍ଷରୁ ଆୟୋଜିତ ବୈଠକରେ ନିମନ୍ତ୍ରଣ କରାଯାଇ ନ ଥିବାରୁ ସେ ସିନ୍ଧିଆଙ୍କୁ ଟାର୍ଗେଟ କରିଛନ୍ତି। ଯାଦବ ସମ୍ପ୍ରଦାୟର ଏକ ବୈଠକରେ ସାଂସଦ କେ ପି ଯାଦବଙ୍କୁ ଡକାଯାଇ ନ ଥିଲା।

ଖୋଦ ନିଜ ସମ୍ପ୍ରଦାୟର ବୈଠକରେ ସାଂସଦଙ୍କୁ ଡକା ନ ଯିବା ଯୋଗୁ ଖପ୍ପା ହୋଇଛନ୍ତି ସାଂସଦ। ସେ କ୍ଷେତ୍ରର ନିର୍ବାଚିତ ପ୍ରତିନିଧି ହୋଇଥିବାରୁ ତାଙ୍କୁ ବୈଠକକୁ ଡକା ନ ଯିବା ଅତ୍ୟନ୍ତ ଚିନ୍ତାଜନକ ବୋଲି ସେ କହିଛନ୍ତି। ଏହା ସମାଜକୁ ଭୁଲ ବାର୍ତ୍ତା ଦେଉଛି ବୋଲି ସେ କହିଛନ୍ତି।

ବିଜେପି ମଧ୍ୟରେ କଳି ଉଗ୍ର ରୂପ ନେଉଥିବାରୁ କଂଗ୍ରେସ ଏହାର ଫାଇଦା ନେବାକୁ ଉଦ୍ୟମ କରିଛି। ମଧ୍ୟପ୍ରଦେଶ କଂଗ୍ରେସ ପକ୍ଷରୁ ବିଜେପି ସାଂସଦ କେ ପି ଯାଦବଙ୍କର ଏକ ଭିଡିଓ ପୋଷ୍ଟ କରାଯାଇଛି। ଯେଉଁଥିରେ ଯାଦବ ସିନ୍ଧିଆଙ୍କୁ ପୁଣିଥରେ ତାଙ୍କ ସହ ନିର୍ବାଚନ ଲଢ଼ିବା ସମ୍ପର୍କରେ ମତ ଦେବା ସହ ସେଥିରୁ ସେ କେତେ ଲୋକପ୍ରିୟ ଜଣାପଡିବ ବୋଲି କହୁଥିବା ଦେଖିବାକୁ ମିଳିଛି।

ଏପରିକି ସିନ୍ଧିଆଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ଯାଦବ। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଆଗକୁ ନିର୍ବାଚନ ଥିବାବେଳେ ମଧ୍ୟପ୍ରଦେଶ ବିଜେପି ମଧ୍ୟରେ ସିନ୍ଧିଆ ଓ ମୂଳ ବିଜେପି ଦୁଇ ଗୋଷ୍ଠୀ ହୋଇଯାଇଛନ୍ତି।

ସେପଟେ କଂଗ୍ରେସ ଏସବୁ ସ୍ଥିତିର ବେଶ ଫାଇଦା ନେବା ସହ ଏହାର ବ୍ୟାପକ ପ୍ରଚାର ପ୍ରସାର କରୁଥିବା ଦେଖିବକୁ ମିଳିଛି। ଏପରିକି ଆଗକୁ ଏହି କନ୍ଦଳ ବିସ୍ଫୋରକ ରୂପ ନେଇପାରେ ବୋଲି କୁହାଯାଉଛି।

Leave A Reply

Your email address will not be published.