Latest Odisha News

BREAKING NEWS

ଭବାନୀପାଟଣାରେ ଆରମ୍ଭ ହେଲା ‘କଳାହାଣ୍ଡି ଡ଼ାଏଲଗ’, କଳାହାଣ୍ଡିର ବିକାଶର ବାର୍ତ୍ତା ଆଲୋଚିତ

ଭବାନୀପାଟଣା: କଳାହାଣ୍ଡି ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳରୁ ଆଜି ଓଡ଼ିଶାର ଶଷ୍ୟଡ଼ାଲା ଭାବେ ପରିଣତ ହୋଇଛି । ଜିଲ୍ଲାବାସୀଙ୍କ ଉଦ୍ୟମ ତଥା ଅନବରତ ପ୍ରୟାସ ଫଳରେ ହିଁ ଏହା ସମ୍ଭବ ହୋଇପାରିଛି ବୋଲି ‘କଳାହାଣ୍ଡି ଡ଼ାଏଲଗ’ କାର୍ଯ୍ୟକ୍ରମକୁ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଭବାନୀପାଟଣାଠାରେ ଆରମ୍ଭ ହୋଇଥିବା କଳାହାଣ୍ଡି ଡ଼ାଇଲଗ୍ କାର୍ଯ୍ୟକ୍ରମ ଅବସରରେ ରୁୱାଣ୍ଡାର ହାଇକମିଶନର୍ ଆର୍ନେଷ୍ଟ ବାମୁସିଓ ଯୋଗଦେଇ ଆଫ୍ରିକା ଓ ଏସିଆରେ ତାଙ୍କର ଅଭିଜ୍ଞତା ଉପସ୍ଥାପନ କରିବା ସହିତ କଳାହାଣ୍ଡିର ଏକ ସକରାତ୍ମକ ପରିବର୍ତ୍ତନ ଏବଂ ଏକ ବିକାଶ ମଡ଼େଲ ପାଇଁ ରାସ୍ତା ଉନ୍ମୁକ୍ତ ହେବ ବୋଲି କହିଛନ୍ତି ।

ଏହି ‘କଳାହାଣ୍ଡି ଡ଼ାଏଲଗ’ କାର୍ଯ୍ୟକ୍ରମରେ ପଦ୍ମଭୂଷଣ ଡ଼ଃ ଶାମ୍ ପିଟ୍ରୋଡ଼ା ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ନିଜର ସନ୍ଦର୍ଭ ଉପସ୍ଥାପନା କରି କଳାହାଣ୍ଡିର ବିକାଶ ଏବଂ ସମ୍ଭାବନା ନେଇ ସେ ଖୁବ୍ ଉତ୍ସାହିତ ବୋଲି କହିଛନ୍ତି । ରାଜ୍ୟ ଯୋଜନା ବୋର୍ଡ଼ର ସ୍ୱତନ୍ତ୍ର ସଚିବ ତଥା ‘କଳାହାଣ୍ଡି ଡ଼ାଏଲଗ’ର ଅଧ୍ୟକ୍ଷ ସୁଜିତ କୁମାର ପ୍ରାରମ୍ଭିକ ସୂଚନା ଦେବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

‘କଳାହାଣ୍ଡି ଡ଼ାଏଲଗ’ର ଉଦଘାଟନୀ ଉତ୍ସବରେ ଜଳସେଚନ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ, ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ, ପୂର୍ବତନ ରାଜ୍ୟସଭା ସଦସ୍ୟ ଏ.ଭି. ସ୍ୱାମୀ, ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଗୋପବନ୍ଧୁ ବେହେରା ପ୍ରମୁଖ ଯୋଗଦେଇଥିଲେ ।

ଭବାନୀପାଟଣାରେ ଅନୁଷ୍ଠିତ ହୋଇଥିବା ‘କଳାହାଣ୍ଡି ଡ଼ାଏଲଗ’ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ଇଣ୍ଡିଆ ସେଣ୍ଟର ଫାଉଣ୍ଡେସନର ଅଧ୍ୟକ୍ଷ ବୈଭବକାନ୍ତ ଉପାଧ୍ୟାୟ, ପୂର୍ବ ରାଷ୍ଟ୍ରପତିଙ୍କ ପ୍ରେସ ସଚିବ ସତ୍ୟନାରାୟଣ ସାହୁ, ରିଲାଏନ୍ସ ଗ୍ରୁପ ପ୍ରେସିଡ଼େଣ୍ଟବିଜୟ ସାହୁ, ଓୟୁଏଟିର ଉପକୂଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

ଏହି ଅବସରରେ କଳାହାଣ୍ଡି ଜିଲ୍ଲାପାଳ ଡ଼. ଗାଭାଲି ପରାଗ ହର୍ଷଦ ଜିଲ୍ଲାର ବିକାଶ ଉପରେ ଏକ ତଥ୍ୟଭିତ୍ତିକ ସନ୍ଦର୍ଭ ଉପସ୍ଥାପନ କରିଥିଲେ । ସନ୍ଧ୍ୟାରେ ଜେଏନୟୁର ଡ଼. ଚିନ୍ତାମଣି ମହାପାତ୍ର, ଜଗନ୍ନାଥ ମୁଣ୍ଡା ପ୍ରମୁଖ ବିକାଶ ଅଭିମୁଖେ କଳାହାଣ୍ଡିର ଜୟଯାତ୍ରା ଉପରେ ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.