Latest Odisha News

BREAKING NEWS

ଲକ୍ ଡାଉନ ଡାଏରୀ: ସରକାରଙ୍କ ସଚେତନତା ବାର୍ତ୍ତାର ଚେହେରା ବିଜୟଲକ୍ଷ୍ମୀ, ଲୋକଙ୍କୁ ସଚେତନ କରୁଥିବାରୁ ଖୁସି

ଭୁବନେଶ୍ୱର: କରୋନା ସଂକ୍ରମଣ ନେଇ ସରକାର ଲୋକଙ୍କୁ ବାରମ୍ବାର ସଚେତନ କରୁଛନ୍ତି । ଏଥି ପାଇଁ ଟିଭିରେ ବିଭିନ୍ନ ପ୍ରକାର ବିଜ୍ଞାପନ ଜରିଆରେ ବିଭିନ୍ନ ପ୍ରସଙ୍ଗରେ ସଚେତନତାର ବାର୍ତ୍ତା ଦିଆଯାଉଛି ।

ତେବେ ଏସବୁ ବାର୍ତ୍ତା ଦେବା ଭିତରେ ଯିଏ ଓଡିଶାବାସୀଙ୍କ ବେଶୀ ପରିଚିତ ହୋଇପାରିଛନ୍ତି ସେ ହେଉଛନ୍ତି ଏସବୁରେ ଭିନ୍ନ ଭିନ୍ନ ଭୁମିକାରେ ଅଭିନୟ କରୁଥିବା ବିଜୟଲକ୍ଷ୍ମୀ ପ୍ରହରାଜ ।

କେତେ ବେଳେ ସେ ବୋଉ ଭୂମିକାରେ ତ କେତେବେଳେ ଜେଜେ ମାଆ ଭୂମିକାରେ ଅଭିନୟ କରି ସମସ୍ତଙ୍କୁ କରୋନାର ଭୟାବହତା ସମର୍କରେ ଜଣାଉଛନ୍ତି ଓ କଣ ପଦକ୍ଷେପ ନେଲେ ଆମେ କିପରି ଏଥିରୁ ବର୍ତ୍ତି ଯାଇପାରିବା ତାହା ନିଜ ଢଙ୍ଗରେ କହୁଛନ୍ତି ।

କିଛି ଦିନ ତଳେ ରାଜ୍ୟ ସରକାରଙ୍କ କରୋନା ମୁକାବିଲା ପଦକ୍ଷେପର ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ ତାଙ୍କୁ ଓଡିଶାର ବୋଉ ବୋଲି ସମ୍ବୋଧନ କରିଥିଲେ ।

ସାଧାରଣତଃ ଘରେ ବୋଉ କି ଜେଜେମାଆଙ୍କ କଥା ଓ ଆକଟକୁ ସମସ୍ତେ ଶୁଣିଥାନ୍ତି । କରୋନା ନେଇ ବି ଏଇ ଜେଜେମାଙ୍କ କଥାକୁ ଏବେ ସାରା ରାଜ୍ୟ ଶୁଣୁଛି । ଆଜି ଜାଣିବା ଏଇ ଜେଜେମାଆ ବା ବିଜୟଲକ୍ଷ୍ମୀ ପ୍ରହରାଜଙ୍କର କେମିତି କଟୁଛି ଏଇ ଲକ୍‌ଡାଉନ ସମୟ, ଆମର ସ୍ୱତନ୍ତ୍ର ସେଗମେଣ୍ଟ ଲକ୍ ଡାଉନ ଡାଏରୀରେ ।

ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ, ୬୯ ବର୍ଷ ବୟସର ବିଜୟଲକ୍ଷ୍ମୀ ସବୁଦିନ ଭୋର ସାଢେ ଚାରିଟାରେ ଉଠିଯାଆନ୍ତି । ନିଜର ନିତ୍ୟକର୍ମ ସାରି ସକାଳ ୫ଟାରେ ଓଁକାର ଓ ସୁପ୍ରଭାତମ କରନ୍ତି ।

ତା ପରେ ପୂଜା ଓ ବେଦ ପାଠ ପରେ ସକାଳ ଜଳଖିଆ ଖାଆନ୍ତି । ପରେ କିଛି ସମୟ ପାଇଁ ନାମ ଲେଖା ସହ ଟିଭି ଦେଖା । ଏଥି ସହ ଘର କାମ ଓ ରୋଷେଇରେ ସାହାଯ୍ୟ କରିଥିନ୍ତି ।

ଦିନ ଗୋଟାଏରୁ ସାଢେ ଗୋଟାଏ ମଧ୍ୟରେ ମଧ୍ୟାହ୍ନ ଭୋଜନ ଶେଷ ପରେ କିଛି ସମୟ ବିଶ୍ରାମ ନିଅନ୍ତି । ତିନିଟା ପରେ କିଛି ଲେଖାଲେଖି କରନ୍ତି । ବେଳେବେଳେ ସିଲେଇପତ୍ର ମଧ୍ୟ କରନ୍ତି ।

ଏବେ ତ ଲକ୍ ଡାଉନ କାହା ସାଙ୍ଗେ ଦେଖା ସାକ୍ଷାତ ହେଉନି । ତେଣୁ ସାଙ୍ଗସାଥୀ ଓ ସମ୍ପର୍କୀୟମାନଙ୍କ ସହ ଫୋନରେ କଥା ହେଉଛନ୍ତି ବିଜୟଲକ୍ଷ୍ମୀ । ସାଢେ ୪ଟା ପରେ ଟିଭିରେ ନ୍ୟୁଜ ଦେଖିବା ସହ ଛାତ ଉପରେ ବୁଲାବୁଲି କରୁଛନ୍ତି ।

ଏହା ପରେ ସନ୍ଧ୍ୟାରେ ଘରେ ସମସ୍ତଙ୍କ ସହ ମିଶି ପ୍ରାର୍ଥନା । ସନ୍ଧ୍ୟାରେ କିଛି ସମୟ ନାତୁଣିକୁ ପାଠ ପଢାନ୍ତି ସେ । ରାତି ୮ଟା ପରେ ରୋଷେଇବାସରେ ସାହାଯ୍ୟ କରିବା ପରେ ରାତ୍ରିଭୋଜନ ସାରି ରାତି ୧୦ଟା ବେଳକୁ ଶୋଇଯାଆନ୍ତି ସେ ।

ପିଲାଟି ବେଳୁ ଅଭିନୟରେ ରୁଚି ରହିଥିବା କହିଛନ୍ତି ବିଜୟଲକ୍ଷ୍ମୀ । ଛୋଟବେଳେ ସ୍କୁଲ୍ ଡ୍ରାମାରେ ଅଭିନୟଠୁ ନେଇ ପରବର୍ତ୍ତୀ ସମୟରେ ସିରିଏଲ୍ ଓ ଓଡିଆ ସିନେମାରେ ଅଭିନୟ କରିସାରିଛନ୍ତି ସେ । ତେବେ ଯେଉଁଦିନ ସୁଟିଂ ଥାଏ ବିଜୟଲକ୍ଷ୍ମୀଙ୍କୁ ବାହାରକୁ ଯିବାକୁ ପଡେ ।

କିନ୍ତୁ ଏବେ ତ କରୋନା ପାଇଁ କେହି ବାହାରକୁ ଯାଉନାହାନ୍ତି, ତେଣୁ ପ୍ରଡକ୍ସନ ଟିମ୍ ଆସି ଘରେ ସୁଟିଂ କରି ନେଇଯାଆନ୍ତି । ନ ହେଲେ ଆଜିକାଲି ଝିଅ ମୁନୁ ମୋବାଇଲରେ ସୁଟିଂ କରି ନିର୍ଦ୍ଦେଶକଙ୍କ ପାଖକୁ ହ୍ୱାଟ୍ସଆପ କରିଦେଉଛି ।

ତେବେ କରୋନା ନେଇ ସାରା ରାଜ୍ୟକୁ ସଚେତନ କରୁଥିବାରୁ ନିଜକୁ ବେଶ୍ ଧନ୍ୟ ମନେ କରନ୍ତି ବିଜୟଲକ୍ଷ୍ମୀ ।

ଏ ନେଇ ସେ କହନ୍ତି ଯେ, “ଏହା ମୋ ପାଇଁ ଏକ ସେବା ସଦୃଶ୍ୟ । ସମସ୍ତଙ୍କୁ ସତର୍କ କରିବା ଓ ସଚେତନ କରିବା କାମ କରି ମୁଁ ସେବା କରୁଛି ବୋଲି ମନେ କରେ । ଏଥି ପାଇଁ ନିଜକୁ ମୁଁ ଧନ୍ୟ ମନେ କରୁଛି ।”

କରୋନାକୁ ନେଇ ସରକାର ବ୍ୟାପକ ଅର୍ଥବ୍ୟୟ କରୁଥିଲେ ମଧ୍ୟ କିଛି ଲୋକେ ସଚେତନ ହେଉ ନ ଥିବାରୁ ସେ ଦଃୁଖପ୍ରକାଶ କରିଛନ୍ତି ।
ରାଜ୍ୟକୁ ଓ ଦେଶକୁ ରକ୍ଷା କରିବା ଆମର ପ୍ରଥମ କର୍ତ୍ତବ୍ୟ ।

ତେଣୁ ଯେଉଁମାନେ ବାହାରୁ ଆସୁଛନ୍ତି ସେମାନେ ଏ ସମ୍ପର୍କରେ ନ ଲୁଚାଇ ଜଣେ ଯୋଦ୍ଧା ସୈନିକ ପରି ଆମ ରାଜ୍ୟକୁ ମହାବିପତ୍ତିରୁ ରକ୍ଷା କରିବା ପାଇଁ ସରକାର ଦେଇଥିବା ନମ୍ବରରେ ପଂଜୀକରଣ କରନ୍ତୁ ବୋଲି ଜେଜେ ମାଆ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

କରୋନା ବିପତ୍ତି ଆଣିଥିବା ବେଳେ କେତେକ ଭଲ କଥା ବି ସାଙ୍ଗରେ ଆଣିଛି । ପାରିବାରିକ ବନ୍ଧନ ଦିନକୁ ଦିନ ଛିଣ୍ଡି ଯାଉଥିବା ବେଳେ ଏହା ଆମକୁ ଏକାଠି କରିଛି ।

ଜେଜେମାଆ କହନ୍ତି, ‘କରୋନା ଭାରି ଅଂହକାରୀ ଓ ଗର୍ବି । ତାକୁ ଘରକୁ ନ ଡାକିଲେ ସେ ଆସେନି । ତେଣୁ ଦରକାର ନ ପଡିଲେ ବାହାରକୁ ଯାଆନ୍ତୁ ନାହିଁ । ଯଦି ଯାଉଛନ୍ତି ଘରକୁ ଫେରିଲେ ହାତ ଗୋଡ ଭଲଭାବେ ଧୁଅନ୍ତୁ । ନିଜେ ପରିଷ୍କାର ହେବା ସହ ଘରକୁ ପରିଷ୍କାର କରି କରୋନାକୁ କୁହନ୍ତୁ ‘ନା’ । ’

 

Leave A Reply

Your email address will not be published.