Latest Odisha News

BREAKING NEWS

ରାଜ୍ୟରେ ଖୁବ୍ ଶୀଘ୍ର ପର୍ଯ୍ୟଟକଙ୍କ ପାଇଁ ଖୋଲିବ ୪୦ଟି ଇକୋଟୁରିଜିମ୍ ସ୍ଥଳ

ଭୁବନେଶ୍ୱର : କରୋନା ମହାମାରୀ ବିଶ୍ୱ ପର୍ଯ୍ୟଟନକୁ ପ୍ରଭାବିତ କରିଛି । ତେଣୁ ମହାମାରୀ ପରେ ସମୁଦ୍ରକୂଳ ରିସର୍ଟ, ଆଦିବାସୀ ଅଞ୍ଚଳ, ପାହାଡିଆ ସ୍ଥାନ, ଜଙ୍ଗଲ ଓ ପ୍ରକୃତି ଶିବିରରେ ଥିବା ୪୦ ଟି ଇକୋଟୁରିଜିମ୍ ସ୍ଥଳକୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବାକୁ ଯୋଜନା ରହିଥିବା କହିଛନ୍ତି ରାଜ୍ୟ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ।

ଓଡ଼ିଶା କର୍ପୋରେଟ୍ ଫାଉଣ୍ଡେସନ୍ ତରଫରୁ ଆୟୋଜିତ ୱେବିନାର ‘ଓଡିଶାର ପର୍ଯ୍ୟଟନରେ ପୁଞ୍ଜି ନିବେଶ ଏବଂ ଉଦ୍ୟୋଗୀକରଣରେ ସୁଯୋଗ’ ରେ ଯୋଗ ଦେଇ ଶ୍ରୀ ଯାଦବ ଏହା କହିଛନ୍ତି । ଓଡିଶାରେ ୪୮୫ କିମି ଦୀର୍ଘ ଉପକୂଳ ହୋଇଥିବା ବେଳେ ପ୍ରାୟ ୪୦ ପ୍ରତିଶତ ଜଙ୍ଗଲ ରହିଛି । ହୋଟେଲ, ରିସର୍ଟ, ସମ୍ମିଳନୀ କକ୍ଷ, ଥିମ ପାର୍କ, ମନୋରଞ୍ଜନ ସୁବିଧା ଆଦି ପାଇଁ ନିବେଶକମାନଙ୍କ ନିମନ୍ତେ ରାଜ୍ୟରେ ପ୍ରାୟ ୩୦୦ ଏକରର ଲ୍ୟାଣ୍ଡବ୍ୟାଙ୍କ ରହିଛି । ସିଙ୍ଗଲୱିଣ୍ଡୋ ପ୍ରଣାଳୀ ମାଧ୍ୟମରେ ପ୍ରକଳ୍ପଗୁଡିକର ଅନୁମୋଦନ କରାଯାଉଛି । ଆଗାମୀ ୨-୩ ବର୍ଷ ମଧ୍ୟରେ ଓଡିଶା ପର୍ଯ୍ୟଟନ କ୍ଷେତ୍ର ବିଶ୍ୱର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ମଧ୍ୟରେ ସ୍ଥାନ ପାଇବ ।

ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ, ଓଡିଶା (ହାରୋ) ତଥା ସ୍ୱସ୍ତି ଗ୍ରୁପର ଅଧ୍ୟକ୍ଷ ଜେ.କେ. ମହାନ୍ତି କହିଥିଲେ ଯେ ଅନ୍ୟ ରାଜ୍ୟର ହୋଟେଲ ଶିଳ୍ପ ତୁଳନା କଲେ ଆମ ରାଜ୍ୟରେ ବହୁ କିଛି କରିବାର ଆବଶ୍ୟକତା ରହିଛି । କେରଳରେ ୯୩ ଟି, ମହାରାଷ୍ଟ୍ରରେ ୯୦ଟି ଷ୍ଟାର ହୋଟେଲ୍ ଥିବା ବେଳେ ଆମ ରାଜ୍ୟରେ କେବଳ ୯ ଟି ଅଛି । ତେଣୁ ହୋଟେଲ ଶିଳ୍ପ ସମୃଦ୍ଧ ହେବା ଦରକାର ।

ରାଜ୍ୟର ପର୍ଯ୍ୟଟନସ୍ଥଳୀର ଉଚ୍ଚକୋଟୀର ଭିଡିଓ ପ୍ରସ୍ତୁତ କରି ପ୍ରଚାର ପ୍ରସାର କରିବା ଆବଶ୍ୟକ । ରାଜ୍ୟ ବିଶ୍ୱ ପର୍ଯ୍ୟଟନକୁ ମାନଚିତ୍ରରେ ସ୍ଥାନ ଦେବା ନିମନ୍ତେ ଡିଜ୍‌ନି ୱାର୍ଲଡ ଭଳି ମେଗା ବା ବଡ ନିବେଶକଙ୍କର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଖୁବ୍ ଶୀଘ୍ର ସ୍ୱସ୍ତି ଗ୍ରୁପ ପୁରୀରେ ଏକ ବିଚ୍ ରିସୋର୍ଟ କରିବାକୁ ଯାଉଥିବା ଶ୍ରୀ ମହାନ୍ତି ଘୋଷଣା କରିଥିଲେ ।

ପୂର୍ବତନ କେନ୍ଦ୍ରୀୟ ଟିକସ ବୋର୍ଡର ଅଧିକାରୀ ଶ୍ରୀ ପ୍ରସନ୍ନ ଦାଶ ଯୋଗ ଦେଇ କହିଥିଲେ ଯେ ଭିତ୍ତିଭୂମୀ, ଗମନାଗମନ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ପର୍ଯ୍ୟଟନ କ୍ଷେତ୍ରକୁ ସମୃଦ୍ଧ କରିଥାଏ, ଯେଉଁଥିରେ ଆମେ ଅନ୍ୟ ରାଜ୍ୟ ତୁଳନାରେ ପଛୁଆ ଅଛେ । ପର୍ଯ୍ୟଟନ ସ୍ଥଳୀରେ ଆମ ଐତିହ୍ୟ ପରମ୍ପରା ସମ୍ବନ୍ଧୀୟ ସଂଗ୍ରହାଳୟ, ମନୋରଞ୍ଜନ ପୂର୍ଣ୍ଣଖେଳ ଯେପରିକି ରିଭର ରାଫ୍ଟିଙ୍ଗ, ସ୍କୁବା ଡାଇଭିଙ୍ଗ, ପାହାଡଚଢା ସହ ଭଲ ହୋଟେଲ ସୁବିଧା କରିବାର ଆବଶ୍ୟକତା ରହିଛି । ଏଥି ସହ ଭିତରକନିକା ଏବଂ ଚିଲିକାରେ ଚାଲୁଥିବା ବୋଟ୍‌ରେ ପରିବର୍ତ୍ତନ ଆଣିବାକୁ ରାଜ୍ୟ ସରକାରଙ୍କୁ ଶ୍ରୀ ଦାଶ ପ୍ରସ୍ତାବ ଦେଇଥିଲେ ।

ପୁର୍ବତନ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ କହିଥିଲେ ଯେ ପ୍ରାଥମିକ ଭାବେ ରାଜ୍ୟ ସରକାର ପ୍ରଥମେ ୬-୭ ଟି ପର୍ଯ୍ୟଟନ ସ୍ଥଳୀକୁ ବିଚାରକୁ ନେଇ ଏହାର ସାମଗ୍ରିକ ବିକାଶ ଉପରେ ଧ୍ୟାନ ଦେବା ଉଚିତ୍ । ଏହି ଦିଗରେ ସହାଯ୍ୟ କରିବା ନିମନ୍ତେ ଓସିଏଫ ତରଫରୁ ଏକ କମିଟି ଗଠନ କରାଯାଇ ସରକାରଙ୍କୁ ସମସ୍ତ ସହଯୋଗ ଦେବା ନିମନ୍ତେ ଆଗେଇ ଆସିବାକୁ ସେ ପ୍ରସ୍ତାବ ଦେଇଥିଲେ ।

ସେଲ୍‌ର ପୂର୍ବତନ କାଯ୍ୟକାରୀ ନିର୍ଦ୍ଦେଶକ ତୁଷାର ସାହୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିଲେ । ଓଡିଶା ପର୍ଯ୍ୟଟନ ବିଭାଗର ପ୍ରକଳ୍ପ ପରିଚାଳନା ୟୁନିଟର ନାହାର ମହମ୍ମଦ ଓଡିଶା ପର‌୍ୟ୍ୟ ଟନ କ୍ଷେତ୍ରରେ ନିବେଶ ଏବଂ ଉଦ୍ୟୋଗୀମାନଙ୍କ ନିମନ୍ତେ ସୁଯୋଗ ଓ ଉଦ୍ୟୋଗୀମାନଙ୍କ ସହଯୋଗରେ ରାଜ୍ୟ ପର୍ଯ୍ୟଟନ ବିଶ୍ୱରେ ବେଶ ପରିଚିତ ହୋଇପାରିବ ବୋଲି ମତ ଦେଇଥିଲେ ।

ଲଣ୍ଡନରେ ରହୁଥିବା ପ୍ରବାସୀ ଓଡିଆ ସୁକାନ୍ତ ସାହୁ କହିଥିଲେ ଯେ ଓଡିଶାର ତୀର୍ଥସ୍ଥଳ, ମନୋରଞ୍ଜନସ୍ଥଳୀ, ଜଙ୍ଗଲ ଏବଂ ଆଦିବାସୀ ଅଞ୍ଚଳର ବିକାଶ କରିପାରିଲେ ଆମ ରାଜ୍ୟର ପର୍ଯ୍ୟଟନରେ ବିକାଶ ହୋଇପାରିବ । ସେହିପରି ବାହାରିନ୍‌ରେ ରହୁଥିବା ଅରୁଣ କୁମାର ପ୍ରହରାଜ କହିଥିଲେ ଯେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ହୋଇପାରିଲେ ରାଜ୍ୟର ବିକାଶ ହୋଇପାରିବ

ଏହି ଆଲୋଚନାଚକ୍ରରେ ବିଭିନ୍ନ ନିବେଶକ, ପ୍ରବାସୀ ଓଡିଆ, ହୋଟେଲିୟର, ପ୍ରମୁଖ ସରକାରୀ କର୍ମଚାରୀ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ଏବଂ ବିଭିନ୍ନ ଟ୍ରାଭେଲ ଏଜେଣ୍ଟ ଯୋଗ ଦେଇଥିଲେ ।

Leave A Reply

Your email address will not be published.