Latest Odisha News

BREAKING NEWS

ପାଲା ଜଗତର ଅଦ୍ୱିତୀୟ ସାଧକ: ଗାୟକ ଭୂଷଣ କରୁଣା ସିନ୍ଧୁ ନାୟକ

ଭୁବନେଶ୍ୱର: ଓଡିଶାର ଜଣେ ସୁପ୍ରତିଷ୍ଠିତ ପାଲା ଗାୟକ ଭାବେ ଜଣାଶୁଣା ସାହିତ୍ୟାଚାର୍ଯ୍ୟ, ଗାୟକ ଭୂଷଣ କରୁଣା ସିନ୍ଧୁ ନାୟକ । ସେ ଏକା ଧାରାରେ ଜଣେ ସଂସ୍କୃତ ଶିକ୍ଷକ, କବି ଓ ଦୃଢ ସଂଗଠକ ଭାବେ ପରିଚିତ । ୧୯୩୦ ମସିହା ମେ ମାସ ୨୫ ତାରିଖରେ ଭଦ୍ରକ ଜିଲ୍ଲା ଧୂଷୁରୀ ନିକଟସ୍ଥ ବ୍ରାହ୍ମଣପାଳ, ସାଗୁଳାଇ ସାହିରେ ଏକ କ୍ଷତ୍ରୀୟ ପରିବାରରେ ଜନ୍ମଗ୍ରହଣ କରିଥିଲେ କରୁଣା ସିନ୍ଧୁ ନାୟକ । ବାପା ଗୋପିନାଥ ନାୟକ ଏବଂ ମାଆଲକ୍ଷ୍ମୀ ଦେବୀ । ପିଲାଟି ଦିନରୁ କରୁଣା ସିନ୍ଧୁ୍ଙ୍କର କଳା, ସାହିତ୍ୟ, ସଂସ୍କୃତି ପ୍ରତି ଅହେତୁକ ଆଗ୍ରହ ରହିଥିଲା । କୋଠାରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଯେତେବେଳେ ନବଣ ଶ୍ରେଣୀରେ ପଢୁଥିଲେ ସେସମୟରେ ସେ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ପାଲା ପରିବେଷଣ କରିଥିଲେ । କରୁଣା ସିନ୍ଧୁଙ୍କୁ ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା ଗାୟକ ପୋଷାକରେ ସଜାଇ ଦେଇଥିଲେ, ମଥାରେ ଚନ୍ଦ୍ରିକା ଖଚିତ ପଗଡି ବାନ୍ଧି ଦେଇ ହାତକୁ ଚାମର ଟେକି ଦେଇ ଆଶିଷ ପ୍ରଦାନ କରି ସାଫଲ୍ୟ କାମନା କରିଥିଲେ ।

କରୁଣା ସିନ୍ଧୁଙ୍କର ବାଲ୍ୟଜୀବନରେ ପରିବାରର ଆର୍ଥିକ ଅବସ୍ଥାସେତେଟା ସ୍ୱଚ୍ଛଳ ନଥିଲା । ଏପରିକି ବିଦ୍ୟାଳୟର ଦେୟ ଦେବା ପାଇଁ ଅସମର୍ଥ ହେବାରୁ କରୁଣା ସିନ୍ଧୁଙ୍କର ପାଠପଢାରେ ପୂର୍ଣ୍ଣଛେଦ ପଡିଥିଲା । ଏହାପରେ ସେ ପାଲାଗାୟନ ପାଇଁ ଆଗ୍ରହୀ ହେଲେ । ବଂଶୀଧର ମିଶ୍ରଙ୍କର ସହଯୋଗରେ ପାଲା ଦଳଟିଏ ଗଢିଲେ । ପାଲାରେ ସଂସ୍କୃତର ଆବଶ୍ୟକତା ରହିଥିବାରୁ ଶ୍ରୀନାୟକ ନିକଟସ୍ଥ ଗୋବିନ୍ଦଜୀଉ ଟୋଲରେ ନାମ ଲେଖାଇ, ୧୯୫୪ ମସିହାରେ ପ୍ରଥମା, ୧୯୫୮ ମସିହାରେ ମଧ୍ୟମା ପାସ୍ କରିଥିଲେ ।

୧୯୬୫ ମସିହାରେ ନଦୀ ଗାଁ ହାଇସ୍କୁଲରେ ସେ ସଂସ୍କୃତ ଶିକ୍ଷକ ଭାବେ ନିଯୁକ୍ତି ପାଇଲେ । ଏହା ପରେ ତାଙ୍କର ପେଷା ସିନା ହେଲା ଶିକ୍ଷକତା, ହେଲେ ନିଶା ପାଲଟିଲା ପାଲାଗାୟନ କରିବା । ପାଲା ଗାଇବା ସହ ସେ ଘରୋଇ ଭାବରେ ପରୀକ୍ଷା ଦେଇ ୧୯୭୦ ମସିହାରେ ଶାସ୍ତ୍ରୀ ଓ ୧୯୭୦ ମସିହାରେ ସଂସ୍କୃତରେ ସର୍ବୋଚ୍ଚ ଡିଗ୍ରୀ ସାହିତ୍ୟାଚାର୍ଯ୍ୟ ପାସ କରିଥିଲେ ।
୧୯୮୦ ମସିହାରେ ରାଜ୍ୟ ପାଲା ଗାୟକ ପରିଷଦର ଶାଖା- ବାଲେଶ୍ୱର ଜିଲ୍ଲା ପାଲା ଗାୟକ ପରିଷଦ ଗଠନ କରି ସେ ଏହାର ସଭାପତି ଦାୟିତ୍ୱ ତୁଲାଇଥିଲେ । ୧୯୮୬ ମସିହା ବାର୍ଷିକ ସମ୍ମିଳନୀରେ ଶ୍ରୀନାୟକଙ୍କୁ ଗାୟକ ଭୂଷଣ ଉପାଧିରେ ଭୂଷିତ କରାଯାଇଥିଲା ।

ବିଂଶ ଶତାବ୍ଦୀରେ ଓଡିଶାରେ ଯେଉଁ କେତେଜଣ ପ୍ରତିଷ୍ଠିତ ତଥା ବାଗ୍ମୀଗାୟକ ଥିଲେ ବା ଅଛନ୍ତି ସେମାନଙ୍କ ମଧ୍ୟରେ ଅନ୍ୟତମ ଗାୟକ ଭୂଷଣକରୁଣାସିନ୍ଧୁ ନାୟକ । ତାଙ୍କର ପାଲା ପରିବେଷଣ ଶୈଳୀ ସ୍ୱତନ୍ତ୍ର । କାଳିଦାସ, ବିଶ୍ୱନାଥ, ମମର୍ଟ୍ଟ, ଶ୍ରୀହର୍ଷ, ଭବଭୂତି, ଚାଣକ୍ୟ ଆଦି ସଂସ୍କୃତ କବିମାଙ୍କର ଅଳଂକାର ପ୍ରୟୋଗରେ ଶ୍ରୀ ନାୟକ ବେଶ୍ ପାରଦର୍ଶୀ । ପାଲାରେ ପ୍ରାଚୀନ ରାଗରାଗିଣୀର ପ୍ରୟୋଗ ଥିଲା ତାଙ୍କ ପାଲାର ସ୍ୱତନ୍ତ୍ରତା । ପାଲାରେ ହଜାର ହଜାର ଦର୍ଶକଙ୍କୁ ବାନ୍ଧି ରଖିବାର କଳା ତାଙ୍କୁବେଶ୍୍ ଜଣାଥିଲା । ଅତି କଠିନ ସଂସ୍କୃତ ସାହିତ୍ୟକୁ ସେ ଅତି ସରଳଭାଷାରେ ଏପରି ବୁଝାଇ ଦେଉଥିଲେ ଯେ, ଲୋକେ ବୁଝିବାକୁ ସକ୍ଷମ ହେଉଥିଲେ ।

ରାଜ୍ୟର ପୁରପଲ୍ଲୀରେ ସଂସ୍କୃତବିଦ୍ୱାନ ପାଲା ଗାୟନାଚାର୍ଯ୍ୟ ଭାବେ ପରିଚିତ ଗାୟକ ଭୂଷଣ କରୁଣାସିନ୍ଧୁ ନାୟକ । ଜଣେ ପ୍ରତିଷ୍ଠିତ ଗାୟକ ଭାବେ ପାଲା ପରିବେଷଣ କରି ସେ ବିଭିନ୍ନ ଅନୁଷ୍ଠାନରୁ ପାଇଛନ୍ତି ଅନେକ ପୁରସ୍କାର ଓ ସମ୍ମାନ । ଏହି ବରେଣ୍ୟ ପ୍ରତିଭା ଏବେ ବୟସର ସାୟାହ୍ନରେ ଉପନୀତ, ଶରୀର ସାଥ୍ ଦେଉନି ସତ ହେଲେ ତାଙ୍କ ମନରେ, ପ୍ରାଣରେ ଏବେବି ଖାଲି ପାଲା ଆଉ ପାଲା ।

Leave A Reply

Your email address will not be published.