ବିନୋଦିନୀ ଦାଶ
ମନ ମୋ ମନ୍ଦିର ହୃଦ ସିଂହାସନ
ତୁମେ ସେଠି ନିତ୍ୟ ବାସ,
ଭାବର ଚନ୍ଦନ ବୋଳି ଭଗବାନ
ହୁଏ ମୁଁ ନିତି ହରଷ ।
ନୟନ ବାରିରେ ପଦ ଧୌତ କରି
ସଜାଇ ଭକ୍ତି ପୁଷ୍ପରେ,
ପୁଲକିତ ହୃଦେ ସୁଖଦୁଃଖ ମାଳା
ଗଳାଏ ତୁମ ଗଳାରେ ।
ଅତି ଶୋଭାବନ ଦିଶ ମୋ ନୟନେ
ମନ୍ଦିର ମୋ ଯାଏ ପୂରି,
ମହମହ ବାସ ମହକିତ ହୋଇ
ବାହେ ମୋ ଜୀବନ ତରୀ ।
ମୋ ବାହ୍ୟ ଶରୀର ତୁମ ଆଶ୍ରା ପାଇ
ହୁଅଇ ଚଳଚଞ୍ଚଳ,
ମନ ମନ୍ଦିରରେ ତୁମେ ବିଜେ କରି
ଥାଅ ସଦା ଆଦି ମୂଳ ।
ତୁମ ପ୍ରୀତି ଡୋରେ ବାନ୍ଧି ହୋଇ ନିତି
ବିତୁ ମୋର ଏ ଜୀବନ,
ତୁମର ମୋହର ଏ ଚିର ବନ୍ଧନ
ରହିଥାଉ ଜନ୍ମ ଜନ୍ମ ।
ତୁମ ପାଦେ ମନ ହୃଦୟ ଅର୍ପିଣ
ହେଉଥାଏ ନିଉଛାଳି,
ହେ କରୁଣାକର ପ୍ରଭୁ ଚକ୍ରଧର
ରଖ ମୋ ଏତିକି ଅଳି ।
ଜଗଜ୍ଜନ ପାଇଁ ଆଜି ତୁମ ପାଖେ
କରୁଛି ଏହି ମିନତି,
ସର୍ବ ମନ ମନ୍ଦିରରେ ବିଜେ ହୋଇ
ଆଣ ତାଙ୍କଠି ଜାଗୃତି ।
ନିଜ ନିଜ ମନ ମନ୍ଦିରେ ବସାଇ
ଆତ୍ମାରୂପୀ ଭଗବାନ,
ନିଜେ ସୁଖି ହୋଇ ଆନେ ସୁଖ ବାଣ୍ଟି
ସରବେ କାଟନ୍ତୁ ଦିନ ।
ସର୍ବ ମନ ଯଦି ମନ୍ଦିର ହୋଇବ
ନ ରହିବ ଦୁଃଖ ଚିନ୍ତା,
ତୁମ ନାମ ଘୋଷି ଚାଲିବ ଜଗତ
ବହି ଅମୃତର ବାର୍ତ୍ତା ।
କୁରୁଆଁ, ମୁଗପାଳ, ଯାଜପୁର
Comments are closed.