Latest Odisha News

ସୃଷ୍ଟିର ପ୍ରକୃତ ମୂଲ୍ୟାୟନ ହୁଏ ସର୍ବକାଳୀନ ପାଠକମାନଙ୍କ ଗ୍ରହଣଶୀଳତାରେ : ରାମକୃଷ୍ଣ

ସମକାଳୀନ ଓଡ଼ିଆ ସାହିତ୍ୟରେ ସୁପରିଚିତ ନାଁ କବି ରାମକୃଷ୍ଣ l ତାଙ୍କ ସୃଷ୍ଟିର ବଳୟ ମାପିବା ଖୁବ କଷ୍ଟକର l ତାଙ୍କ ରଚନାର ପ୍ରତିଟି ଅକ୍ଷରରେ ବାରି ହୋଇ ପଡ଼େ ତାଙ୍କ ସୃଜନଶୀଳତାର ନିଆରାପଣ l ପାଠକଙ୍କୁ ବାନ୍ଧିରଖେ ତାଙ୍କ ଶବ୍ଦ ଚାତୁରୀର ଚମତ୍କାରିତା l ଅନୁଭବ, ଅନୁଭୂତି ଓ କଳ୍ପନାର ସମ୍ମିଶ୍ରଣରେ ଜୀବନ୍ତ ହୁଏ ତାଙ୍କ ଲେଖନୀ l

ମରୁଭୂମିରେ ମହୋତ୍ସବ,ରାଗ ପୂର୍ବା,ରାଗ ତାଣ୍ଡବ,ରାଗ ବିଦ୍ରୋହ,ରାଗ ଉତ୍ତରା,ଉଠଲା ପାହା (ସମ୍ବଲପୁରୀ କବିତା), ସୃଜନ ଶୃଙ୍ଗାର , ଜୀବନ ଶୃଙ୍ଗାର (ପ୍ରବନ୍ଧ)ବକ୍ରରେଖା (ଗଳ୍ପ) ଇତ୍ୟାଦି ପୁସ୍ତକର ସେ କାଳଜୟୀ ସ୍ରଷ୍ଟା l

ବସନ୍ତ ମୁଦୁଲି ସ୍ମୃତି ସମ୍ମାନ , ପାଟଣାଗଡ଼ ସାହିତ୍ୟ ସଂସଦ ବିଷୁବ ପୁରସ୍କାର ଏବଂ ଅଖିଳ ମୋହନ କବିତା ସମ୍ମାନ ଆଦି ବହୁ ସମ୍ମାନରେ ସେ ସମ୍ମାନିତ l

ଓଡ଼ିଆ ସାହିତ୍ୟର ପ୍ରତିଭାବାନ ସ୍ରଷ୍ଟା ରାମକୃଷ୍ଣଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ l

୧ . ସୃଜନର ସଂଜ୍ଞା କ’ଣ ?

ଉତ୍ତର : ଏଇ ଗୋଟିଏ ଶବ୍ଦ ‘ସୃଜନ’ ଭିତରେ ଲୁଚି ରହିଛି ସ୍ରଷ୍ଟା ଓ ସୃଷ୍ଟି, ଜଗତ ଓ ଜୀବନର ସବୁ ରହସ୍ୟ ଓ ବିସ୍ମୟ l ଏହି ବିଶ୍ବ ବ୍ରହ୍ମାଣ୍ଡର ଉତ୍ପତ୍ତି, ଜଗତ ଓ ଜୀବନର ବିବର୍ତ୍ତନ, ଅକଳ୍ପନୀୟ ଭବିଷ୍ୟତର ରୂପବୈଭବର ଏକ ସାଙ୍କେତିକ ସୂଚନା ହେଉଛି ଏହି ଶବ୍ଦ l ସତ୍ୟର ସାମଗ୍ରୀକ ସୂଚନାଧର୍ମୀ ଏହି ଶବ୍ଦର ସଂଜ୍ଞା ନିରୂପଣ ଅସମ୍ଭବ l ଏହି ମହାନ କର୍ମ ଭିତରେ ବୀଜର ବୃକ୍ଷରେ ରୂପାନ୍ତରଣ, ମାଆର ଗର୍ଭରୁ ଶିଶୁର ଜନ୍ମ, କଢରୁ ଫୁଲର ମୁକୁଳାୟନ ବା କବିତା ରଚନା ପରି କର୍ମକୁ ଆମେ କେଉଁ ଓ କେତେ ଶବ୍ଦରେ ସଂଜ୍ଞାବଦ୍ଧ କରିପାରିବା ? ତଥାପି ନାନା ମୁନୀଙ୍କ ନାନାମତ ରୀତିରେ ସୃଜନର (ଯଦି ଆପଣଙ୍କ ଇଙ୍ଗିତ କବିତା ପ୍ରତି ) ଅଜସ୍ର ସଂଜ୍ଞା ନିରୂପିତ ହୋଇଛି l ତାର ସଂଜ୍ଞା ଖୋଜୁ ଖୋଜୁ କେତେବେଳେ ରୂପନିଏ ଏକ ଦୀର୍ଘ ରଚନା l କବିତା ସମ୍ପର୍କିତ ଏପରି ଅନେକ ଦୀର୍ଘ ରଚନାର ସମାହାର ହେଉଛି ମୋର ‘ସୃଜନ ଶୃଗାଂର’ ପ୍ରବନ୍ଧ ବହି l ପୁଣି ଜଗତ ଓ ଜୀବନର ସର୍ଜନା ପଛର ରହସ୍ୟ ଉଦ୍ଘାଟନ କରିବାକୁ ଯାଇ ଜନ୍ମ ନେଇଛି ଆଉ ଏକ ସତ୍ୟାନୁସନ୍ଧାନ ମୂଳକ ବହି ‘ଅଜ୍ଞାତର ପଦଚିହ୍ନ’ l ଏ ସମସ୍ତ ଚେଷ୍ଟା ସମୁଦ୍ରର ଅଗାଧ ଜଳରାଶିକୁ ଆଞ୍ଜୁଳାରେ ମାପିବା ପରି କଥା l ତଥାପି ଯଦି କହିବାକୁ ପଡ଼େ ତେବେ ସମଦ୍ରକୁ ଶଙ୍ଖେ ପଣା ପରି ଏତିକିମାତ୍ର କହିହେବ ଯେ, ସୃଜନ ହେଉଛି ସେଇ କର୍ମ ଯେଉଁ କର୍ମରେ ବିସ୍ମୟ, ବୈଚିତ୍ର୍ୟ, ସୌନ୍ଦର୍ଯ୍ୟର ନୂତନତା ଥାଏ l କବିତା ସମ୍ପର୍କିତ ସବୁ ପ୍ରଶ୍ନ ଏ ଗୋଟିଏ ଶବ୍ଦର ପରିଧି ଭିତରେ l

୨. କବିତା ଲେଖିବା ଓ କବି ବୋଲି ସ୍ୱୀକୃତି ପାଇବା ପର୍ଯ୍ୟନ୍ତ ଯାତ୍ରା ବିଷୟରେ କିଛି କୁହନ୍ତୁ ।

ଉତ୍ତର : କିଛିଦିନ ପୂର୍ବରୁ ମୋର ସର୍ଜନଶୀଳ ଯାତ୍ରା ସମ୍ପର୍କରେ ଫେସବୁକ୍ରେ ‘ସର୍ଜନାର ଅରଣା ନଈ’ ଶୀର୍ଷକରେ ସବିଶେଷ କହିଛି, ଯାହାକୁ ଯଥେଷ୍ଟ ପାଠକୀୟ ଆଦୃତି ଦେଖିବାକୁ ମିଳିଥିଲା l ଯେଉଁଦିନଠୁ ଜଗତ ଓ ଜୀବନ ତାର ବିସ୍ମୟ, ବୈଚିତ୍ର୍ୟ ଓ ସୌନ୍ଦର୍ଯ୍ୟରେ ମୋତେ ଘେରିବା ଆରମ୍ଭ କଲା ସେଇ ଦିନଠୁ କବିତା ଲେଖା ଆରଂଭ ହେଲା ଆଖିରେ l ତାହା ଶବ୍ଦରୂପ ନେଲା ଶବ୍ଦସହିତ ଆତ୍ମୀୟତା ଓ ସହବାସ ପରେ l କବିତା ଓ ଜୀବନ ଯେଉଁ ରାସ୍ତାରେ ହାତ ଧରାଧରି ହୋଇ ଚାଲିଲେ ସେ ଏକ ଅନ୍ୟମନସ୍କତା ବା ଭିନ୍ନମନସ୍କତାର ଯାତ୍ରା ଯାହା ସମ୍ପର୍କରେ ସଚେତନ ନଥିଲି ମୁଁ, କାରଣ କୌଣସି ଲକ୍ଷ୍ୟ ନଥିଲା, ସ୍ବୀକୃତିର ଅଭିଳାଷ ନଥିଲା ସେ ଯାତ୍ରାରେ l ସେ ସଚେତନତା ଆସିଲା ବାରମ୍ବାର ଅସ୍ବୀକୃତି ପରେ ଦିନେ ଅଚାନକ ସମାବେଶର ଗୋଟେ ସଂଖ୍ୟାରେ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ସମ୍ପାଦିତ କବିତା ବିଭାଗରେ ସବୁତକ ମୋର କବିତା ସ୍ଥାନୀତ ହେବା ପରେ l

୩. ଲେଖିଲା ବେଳେ କେଉଁ ଦିଗକୁ ଅଧିକ ଧ୍ୟାନ ଦିଅନ୍ତି?

ଉତ୍ତର : କବିତା ରୂପ ନେବାର ପ୍ରାକ୍ ଅବସ୍ଥାଟି ଏକ ଭାବମଗ୍ନ ଅବସ୍ଥା l ଏହି ଅବସ୍ଥାରେ ଧ୍ୟାନ କେନ୍ଦ୍ରୀଭୁତ ରହିଥାଏ ଭାବରେ l ଏହିଠି ଥାଏ ସର୍ଜନାର ମୂଳ ଆନନ୍ଦ l ଲେଖିବା ପରବର୍ତ୍ତୀ ଅବସ୍ଥା l ଲେଖୁ ନଲେଖୁ ଅନେକେ ତେଣୁ କବି କବି ଭାବରେ ବଞ୍ଚୁଥିବା ଲୋକବି କବି ବୋଲି କହିବାର ଶୁଣାଯାଏ l ଭାବଭୋଗରେ ଯଦି ସାନ୍ଧ୍ରତା ଓ ପରିପକ୍ବତା ଥାଏ ଏବଂ ଶବ୍ଦ ଯଦି ଉପଲବ୍ଧ ଥାଏ ତେବେ ଭାବ ନିଜେ ଶବ୍ଦ ଚୟନ କରି ତାର ରୂପ ଗ୍ରହଣ କରେ l କବି କେବଳ ଏକ ସମର୍ପିତ ମାଧ୍ୟମ ହୋଇ ରହିଥାଏ l ଶବ୍ଦ ସହିତ ଖେଳି ଚମକ ସୃଷ୍ଟି କରିବା ଏକ ଭିନ୍ନ କଥା l ସେପରି ଶବ୍ଦ ଖେଳରେ ବିଜୁଳୀର ଚମକ ଥାଏ କିନ୍ତୁ ତାହା କ୍ଷଣସ୍ଥାୟୀ l ଭାଷା ବା ଶବ୍ବାଲୋକ ଅନ୍ଧାରରେ ବିଜୁଳୀର ଚମକ ପରି ଉତ୍ତେଜକ, ଭାବାଲୋକ ଜହ୍ନଆଲୁଅ ପରି ଶାନ୍ତ , ଶୀତଳ, ଦୀର୍ଘସ୍ଥାୟୀ l

୪.ଅନୁଭୂତିକୁ ସାଉଁଟି ରୂପ ଦେବା ସହଜ ନା କଳ୍ପନାରେ ରଙ୍ଗ ଭରିବା ସହଜ ?

ଉତ୍ତର: କବିତା ଏକ ସୂକ୍ଷ୍ମ ଓ ଯୌଗିକ କଳା, ତାର ସର୍ଜନା ତେଣୁ ଆଦୌ ସହଜ ନୁହେଁ l କେବଳ ଅନୁଭୂତିର ଶବ୍ଦରୂପଟି କବିତା ନୁହେଁ ବା କେବଳ କଳ୍ପନା ବି କବିତା ନୁହେଁ l କଳ୍ପନା ଖୋଦ୍ ଗୋଟେ ରଙ୍ଗ l ଅନୁଭୂତି ବା ଭାବରେ ସେ ରଙ୍ଗ ଚଢାଇବାକୁ ପଡ଼େ l ଯେମିତି ଖାଣ୍ଟି ସୁନାରେ ଅଳଙ୍କାର ହୁଏନାହିଁ, ତା ସହିତ ଖାଦର ମିଶ୍ରଣ ଦରକାର ପଡ଼େ, ସେମିତି ଭାବ ସହିତ କଳ୍ପନାର ମିଶ୍ରଣରେ ହୁଏ କବିତା l ତୌର୍ଯ୍ୟତ୍ରିକ ପରି ଭାବ, ଭାଷା ଓ କଳ୍ପନାର ସଙ୍ଗମ ହେଉଛି କବିତା l

୫. ପୁରସ୍କାର ଜଣେ ସ୍ରଷ୍ଟାଙ୍କୁ କିପରି ପ୍ରୋତ୍ସାହିତ କରେ ?

ଉତ୍ତର : ପୁରସ୍କାର ଗୋଟେ ବୋଝ, ଗୋଟେ ବନ୍ଧନ , ଗୋଟେ ଦାୟିତ୍ବ l ସର୍ଜନା ପାଇଁ ଦରକାର ସ୍ବାଧୀନତା , ଦାୟିତ୍ବବୋଧରୁ ମୁକ୍ତି l ମୋର ଗୋଟେ ପ୍ରବନ୍ଧ ‘ସାହିତ୍ୟରେ ପୁରସ୍କାର’ ରେ କହିଛି ଯେ ସ୍ରଷ୍ଟାକୁ ବାନ୍ଧି ରଖିବା ପାଇଁ ଏହା ବ୍ୟବସ୍ଥାର ଗୋଟେ ପଘା l ଆଭ ଗୋଟେ ପ୍ରବନ୍ଧ ‘ଯୁବ ଲେଖକର ସମସ୍ୟା’ ରେ ଏକ ପ୍ରସ୍ତାବ ରଖିଥିଲି ଯେ କବିତା ଲେଖାହେଉ, କବିର ନାମ ନରହୁ, ଯେମିତି ନଥିଲା ଅନେକ ବୈଦିକ ରଚନାରେ l କବିତା ରହୁ, ତା ଭିତରକୁ ନିଷିଦ୍ଧ ହେଉ ବ୍ୟକ୍ତିର, କବିର ଅନୁପ୍ରବେଶ l ଅନାମ ସର୍ଜାନର ଯଜ୍ଞକୁଣ୍ଡରେ ଆହୂତି ହେଉ ପୁରସ୍କାର ହାତେଇବାର ଛଳ କପଟ ଓ ପକ୍ଷପାତିତା l କୌଣସି ପୁରସ୍କାର ସୃଷ୍ଟିର ପ୍ରକୃତ ମୂଲ୍ୟାୟନ ନୁହେଁ, କେବଳ ଗୋଟେ ବିଜ୍ଞାପନ ମାତ୍ର l ବହୁପାଠକ ମାନଙ୍କ ଦୃଷ୍ଚି ଆକର୍ଷଣ କରିବା ପରିପ୍ରେକ୍ଷୀରେ ଏହା କେବଳ ଗ୍ରହଣୀୟ, କାରଣ ସୃଷ୍ଟିର ପ୍ରକୃତ ମୂଲ୍ୟାୟନ ହୁଏ ସର୍ବକାଳୀନ ପାଠକମାନଙ୍କ ଗ୍ରହଣଶୀଳତାରେ l

୬. ଓଡ଼ିଆ ସାହିତ୍ୟରେ କବିତାର ପ୍ରଭାବ କେମିତି?

ଉତ୍ତର : କେବଳ ଓଡିଆରେ କାହିଁକି ସବୁ ଭାଷାର ସାହିତ୍ୟରେ କବିତାର ସ୍ଥାନ ସର୍ବାଗ୍ରେ l ସବୁ ଭାଷାର ସାହିତ୍ୟରେ ଭାବର ଆଦ୍ୟ ଶବ୍ଦରୂପ ହେଉଛି କବିତା l କାଳକ୍ରମେ କବିତା ଭିତରୁହିଁ ଜନ୍ମ ନେଇଛି ସାହିତ୍ୟର ଅନ୍ୟସବୁ ରୂପବିଭବ l ତେବେ ପାଠକମାନଙ୍କ ଉପରେ କବିତାର ପ୍ରଭାବ ଓ ଆଦୃତି ଏକ ଭିନ୍ନକଥା l ସାହିତ୍ୟର ଅନ୍ୟ ବିଭାଗ ଅପେକ୍ଷା କବିତା ଏକ ସୂକ୍ଷ୍ମକଳା ହୋଇଥିବା ଦୃଷ୍ଟିରୁ ଏହାର ଗ୍ରାହକ ଅପେକ୍ଷାକୃତ କମ୍, ଯେମିତି ଶାସ୍ତ୍ରୀୟ ସଂଗୀତର l

୭. ଉପେନ୍ଦ୍ର ଭଞ୍ଜଙ୍କ ସମୟର କବିତା ଓ ଏବେର କବିତା ଭିତରେ କେଉଁ ସାମଞ୍ଜସ୍ୟ ରହିଛି?

ଉତ୍ତର : କବିତା ଏକ ନଦୀର ନାମ l ଯେଉଁ ଯେଉଁ ସ୍ଥାନ କାଳ ଦେଇ ପ୍ରବାହିତ ହୁଏ ସେହି ସେହି ସ୍ଥାନ ଓ କାଳର ଭାବରେ ରସାୟିତ ହୁଏ l ସାହିତ୍ୟ ମାତ୍ରେଇ ତେଣୁ ଯୁଗଧର୍ମୀ l ରୂପ ସିନା ବଦଳେ ଜୀବନର ଚିରନ୍ତନ ଭାବ ତା’ ଭିତରେ ପ୍ରବାହିତ ହେଉଥାଏ l ସେଇ ଭାବଟି ହେଉଛି ପ୍ରେମ l ବିଭିନ୍ନ ରୂପରେ ଓ ଭାବରେ କବିତା ମାତ୍ରେଇ ପ୍ରେମର ଅଭିବ୍ୟକ୍ତି l ବୈଦିକ ରଚନାରେ ଯେଉଁ ପ୍ରେମ ବିସ୍ମୟ ଓ କୃତଜ୍ଞତାର ଉଚ୍ଛ୍ବାସ ହୋଇ ପ୍ରବାହିତ ହେଉଥିଲା ଆତ୍ମାନୁରାଗର ରୂପନେଲା ଉପନିଷଦୀୟ ସାହିତ୍ୟରେ l ଯେଉଁ ପ୍ରେମର ବୀଜ ରୀତିଯୁଗର ଶୃଙ୍ଗାରୀ କବିମାନେ ରୋପଣ କରିଥିଲେ ଦେହର ରୂପ ଓ ସ୍ବାଦରେ ଏବେ ତାହା ପ୍ରସାରୀତ ହୃଦୟ, ମନ ଓ ଚେତନାର ବିସ୍ତୃତ ଭୂମିକୁ ମାନବୀୟ ସଂପର୍କର ସେତୁ ରୂପରେ l ଏବଂ ସେହି ପ୍ରେମ ଯେତେବେଳେ ପରାହତ ହୁଏ ,ତା ଭିତରୁ ଜନ୍ମନିଏ ବିଦ୍ରୋହ l ତେଣୁ ପ୍ରେମ ଓ ବିଦ୍ରୋହ ହିଁ କବିତାର ଏବେ ଦୁଇଟି ମୂଖ୍ୟ ସ୍ବର, ପ୍ରେମ ସର୍ବକାଳୀନ ଓ ବିଦ୍ରୋହ ସାମ୍ପ୍ରତିକ l

   

୮. ଯଦି ପାଠକ ନକରାତ୍ମକ ମତ ରଖନ୍ତି ଆପଣଙ୍କ ପ୍ରତିକ୍ରିୟା କଣ ହେବ ?

ଉତ୍ତର: କବିତା ପାଠକୁ ହାତକୁ ଚାଲିଯିବା ପରେ ତାହା ପାଠକର ସମ୍ପତି l ତାକୁ ସେ କେଉଁ ଦୃଷ୍ଟିରେ ଦେଖିବ, କେମିତି ତାର ସ୍ବାଦ ନେବ ତାହା ନିର୍ଭର କରେ ପାଠକର ମନନଶକ୍ତି ଓ ମନୋଦଶା ଉପରେ l ଏହାହଁ କବିତାର ଭାଗ୍ୟ l କବିତା ତାର ଅଭିବ୍ୟକ୍ତିର ଶକ୍ତିକୁ ନେଇ ବଞ୍ଚେ l ଏଠି କବିର ପ୍ରତିକ୍ରିୟା ଅଯୌକ୍ତିକ, ଅନାବଶ୍ୟକ ଓ ଅର୍ଥହୀନ l

୯ ଆଜିକାଲି କବିତାରେ ଅଶ୍ଲୀଳତା ପଶିଲାଣି ବୋଲି ପାଠକ ମତ ଦିଅନ୍ତି । ସେ ବିଷୟରେ କ’ଣ କହିବେ ?

ଉତ୍ତର : କବିତାରେ ଅଶ୍ଳୀଳତା ବୋଲି କିଛି ନଥାଏ l ଯେଉଁଠି ଅଛି ବା ଲାଗୁଛି ତାହା କବିତା ନୁହେଁ l ଅଶ୍ଳୀଳତା ଶବ୍ଦରେ ନଥାଏ, ଦୃଶ୍ୟରେ ନଥାଏ, ଥାଏ ଦୃଷ୍ଟିରେ, ମନରେ l ଅଶ୍ଳୀଳତା ଏକ ମାନସିକତା l ଯାହା ଆମକୁ ବାହାରେ ଅଶ୍ଳୀଳ ମନେହୁଏ ତାର ଶୀକାର ହୋଇ ଆମେ ରହିଥାଉ ଭିତରେ l କହିଦେଲେ ସତେ ଯେମିତି ସେ ଭାବଟି ଶବ୍ଦରେ ମାରା ହୋଇଯାଏ l ମୋ ଦୃଷ୍ଟିରେ ତ ଘୃଣା ଓ କ୍ରୁରତାଠୁ ବଳି ଅଶ୍ଳୀଳ ବା ଅରୁଚିକର କିଛିନାହିଁ l

୧୦. ଓଡ଼ିଆ ସାହିତ୍ୟର ଭବିଷ୍ୟତକୁ ଆପଣ କିପରି ଭାବରେ ଦେଖନ୍ତି ?

ଉତ୍ତର : ମୁଁ ଜ୍ୟୋତିଷ ନୁହେଁ କି ଭବିଷ୍ୟତ ବକ୍ତା ନୁହେଁ l ବର୍ତ୍ତମାନ ମୋ ପାଇଁ ସବୁକିଛି l ଭବିଷ୍ୟତ କେବଳ କଳ୍ପନା ମାତ୍ର l ତେବେ ଭବିଷ୍ୟତ ହେଉଛି ବର୍ତ୍ତମାନର ସନ୍ତାନ l ତେଣୁ ଆଜିର ସାହିତ୍ୟକୁ ଆମେ କେତେ ଶକ୍ତିଶାଳୀ ଓ ସାର୍ବଜନୀନ କରି ପାରିବା ତା ଉପରେ ନିର୍ଭର କରେ ତାର ଭବିଷ୍ୟତ l ସାହିତ୍ୟିକମାନେ ତେଣୁ ଭବିଷ୍ୟତର ସ୍ବପ୍ନ ନଦେଖି ସାଧନାରେ ଧ୍ୟାନ ଦେବା ଦରକାର l ତେବେ ଆଶାବାଦୀ ହେବାରେ କିଛି କ୍ଷତି ନାହିଁ, କାରଣ ବିବର୍ତ୍ତନ ମାତ୍ରେଇ ଅଗ୍ରଗତି, ପଶ୍ଚାତଗତି ନୁହେଁ l

୧୧. ଏବେ ଇ-ପତ୍ରିକା ସବୁ ପ୍ରକାଶିତ ହେଉଛି । ସେ ବିଷୟରେ ଆପଣଙ୍କ ମତ କଣ ?

ଉତ୍ତର : ପାଠକ ପାଖରେ ଶୀଘ୍ର ପହଁଞ୍ଚିବା ପାଇଁ ଏହା ସବୁଠୁ ସହଜ ଓ ଶସ୍ତା ମାଧ୍ୟମ l ତେଣୁ ସ୍ବାଗତଯୋଗ୍ୟ ନିଶ୍ଚୟ l ତେବେ ଏଇ ତୀବ୍ର ଯାନ୍ତ୍ରିକ ଅଗ୍ରଗତି ଓ ଶକ୍ତି ସମ୍ଭାବନାର ସୂଚନା ଦେଉଛି ତାହା ଆଦୌ ଆଶଙ୍କା ଓ ଭୟମୁକ୍ତ ନୁହେଁ l ଯନ୍ତ୍ର ଧୀରେ ଧୀରେ ମଣିଷର ସ୍ଥାନ ନେବାକୁ ଯାଉଛି l କୃତ୍ରିମ ବୁଦ୍ଧିମତ୍ତା (Artificial Intelligence) ମଣିଷ ପରି କବିତା ଓ ସଙ୍ଗୀତ ସୃଷ୍ଟି କରିବାରେ ସଫଳ ହେଲାଣି l ଖୁବ୍ ଶୀଘ୍ର ଯନ୍ତ୍ରମଣିଷ ସ୍ବୟଂସଂପୂର୍ଣ୍ଣ ଓ ଆତ୍ମନିର୍ଭରଶୀଳ ହେବାର ଆଶଙ୍କା ଦେଖାଗଲାଣି l ଏହା ଉପରେ ଚିନ୍ତା କରିବା ସମୟ ଉପଗତ l

୧୨. ନୂଆ ଲେଖକଙ୍କ ପାଇଁ ଆପଣଙ୍କ ବାର୍ତ୍ତା କଣ ?

ଉତ୍ତର : କବିତାର ଚିରସ୍ରୋତା ନଦୀରେ ପ୍ରଥମେ ଯିଏ ବୁଡ଼ ପକାଏ ସେ କବି l ତାପରେ ବାରମ୍ବାର ବୁଡ଼ ପକାଏ, ବୁଡ଼ି ରହେ l ସେଇଠି ତିଆରି ହୁଏ ଘାଟ , ଯେଉଁଠି ଗାଧେଇବାକୁ ଆସନ୍ତି ପାଠକମାନେ l ବିଗତ ଆଗତ ଅଧୁନା ସମସ୍ତ ଲେଖକ ଗୋଟେ ଗୋଟେ ଘାଟ ପାଠକ ମାନଙ୍କ ଭାବସ୍ନାନ ପାଇଁ କବିତାର ନଦୀରେ l ସାନ ବଡ଼ ନୂଆ ପୁରୁଣା ମାନସିକତା ବ୍ୟକ୍ତିର l କାହାର ଘାଟର ସ୍ରୋତ କେତେ ଗଭୀର, ପ୍ରଖର ଓ ପ୍ରଶସ୍ତ ତାହା ନିର୍ଭର କରେ କବିର ସାଧନା ଓ ସୃଜନ ଶକ୍ତି ଉପରେ l ଆମ ପର ପିଢ଼ିର ଅନେକ କବି ଆମଠୁ ଯଥେଷ୍ଟ ଶକ୍ତିଶାଳୀ ଏହାର ପ୍ରମାଣ ସେମାନେ ଦେଲେଣି l ନୂଆ କବିମାନେ ସେମାନଙ୍କଠୁ ଆହୁରି ଅଧିକ ଶକ୍ତିଶାଳୀ ହେବେ ଏ ବିଶ୍ବାସ ରହିଛି l ତେଣୁ ବାର୍ତ୍ତା ନୁହେ, ସୁମନାସ କେବଳ , ସାଧନା ଜାରିରହୁ ଅବିରାମ, ଜାରିରହୁ କବିତାର ନଦୀରେ ଭାବସନ୍ତରଣ l

Comments are closed.