ବିଜୟ କୁମାର ପାତ୍ର
ଆସ ପୁଣି ବସି ଯିବା
ଛାଇର ଦୂରତା ମାପି
ଛୋଟ ଗଛ ତଳେ,
ଭାଷା ଶୂନ୍ୟ ଶବ୍ଦହୀନ
କଥା କିଛି କଥା ହେବା
ପୁଣି ଏକ ସଞ୍ଜ ନଇଁ ଯିବ
ଛାଇ ଗୁଡା ଅପସରି ଯିବେ,
ଯେଝା ଯେଝା ବାଟେ ।
କହିନି ତ ମନ କଥା
କାହା ଆଗେ ମୁଁ,
ନିଶ୍ୱାସକୁ ଚାପି ଚାପି
କେତେ ମୁଁ ଜଗିଛି,
କାଳେ କିଛି କହିଦେବ ବୋଲି,
ତଥାପି ବି ବଦନାମ !
ହଁ ଦିନେ,
ନିରୋଳାରେ “ଆହା “କହିଥିଲି
ତୁମେ ଟିକେ ଝୁଣ୍ଟି ଥିଲ ବୋଲି !
ଜହ୍ନକୁ ମୁଁ ଦେଇଥିଲି ରାଣ
ଏ ରାସ୍ତାରେ ନ ଆସିବା ପାଇଁ
ତମ ଘର ଡେଇଁ,
ଲେଖନୀକୁ ରଖିଥିଲି ସୁପ୍ତ
ଧାଡ଼ିଟିଏ ନ ଲେଖିବା ପାଇଁ,
ସେଦିନର ଭଅଁରଟା
ଧୋକାବାଜ ଥିଲା,
କହିଦେଲା ସାହି ପଡ଼ିଶାରେ ।
ନିରବ ଯନ୍ତ୍ରଣା ବେଳେ
ସ୍ପନ୍ଦନର ଗତି,
କେତେ ଯେ ଆଲୋକବର୍ଷ
ଅତିକ୍ରାନ୍ତ କରେ,
ଝିଟିପିଟି ଶବ୍ଦରେ ଭାଙ୍ଗିଯାଏ ସ୍ବପ୍ନ,
ଜଣାପଡେ କେହି ଜଣେ
ଡାକୁଥିଲା ଅତି ନିକଟରୁ,
ମିଛେ କିଆଁ ଗଲ ଏତେ ବାଟ
ଜାଣିକି ପାରୁନ !
କେବେ ଠାରୁ “ଅଛି ମୁଁ ଭିତରେ “।
ଚୋୖଦ୍ୱର, କଟକ
Comments are closed.