Latest Odisha News

କବିତା : ସାହିତ୍ୟ ମାଧୁର୍ଯ୍ୟ

ଦେବାଶିଷ ସେନାପତି 

ସାହିତ୍ୟ ସୁଶବ୍ଦ ମାଧୁର୍ଯ୍ୟ
କବିଙ୍କୁ କରାଏ ଅଧୈର୍ଯ୍ୟ
କିଏ ଲେଖେ ଏଠି ଶାନ୍ତିର ଗାଥା
ଗଢିକାକୁ ସୁଖ ସମାଜ
ବୁଝାଏ କେ କେତେ ତାତ୍ପର୍ଯ୍ୟ
କିଏସେ ଝରାଏ ଭାବ ଭାଷାରସ
ପାଠକ ହୁଅନ୍ତି ଆଶ୍ଚର୍ଯ୍ୟ ।।

ଆଙ୍କିଦିଏ କିଏ ଲେଖନୀ ମୁନରେ
ଶୀତ ସକାଳର ସୂର୍ଯ୍ୟ
ଲେଖିଦିଏ କିଏ ଶବ୍ଦକୋଷ ଯୋଡି
ଗାଁ ଗୋଧୂଳିର ସଞ୍ଜ
ଲାବଣ୍ୟବତୀର ଲାଜ
ଛନ୍ଦ ଅଳଙ୍କାରେ କବିତା ଲେଖନ୍ତି
ଉତ୍କଳୀୟ କବି ଭଞ୍ଜ ।।

କିଏ ଲେଖେ କଥା କିଏ ଲେଖେ ଗାଥା
କିଏ ଲେଖେ କ୍ଷୁଦ୍ର ଗଳ୍ପ
କିଏ ଇତିହାସ କିଏ ଉପନ୍ୟାସ
କବିତାର ଭାବକଳ୍ପ
ସମୟ ତ ଏଠି ସ୍ବଳ୍ପ
ତଥାପି କମୁନି ଲେଖିବା ଆଗ୍ରହ
ଲେଖୁଛନ୍ତି ଅଳ୍ପ ଅଳ୍ପ ।।

କିଏ ଲେଖେ ଛନ୍ଦି ଛାନ୍ଦ ଚଉପଦୀ
ଚଉତିଶା ଚମ୍ପୂ ଓଡିଶୀ
ମଙ୍ଗଳାଚରଣ ପୂରୁବ ପୁରାଣ
ରସକାବ୍ୟକୁ ପ୍ରଶଂସି
ପୁରାତନ ରୂପେ ରସି
ନାହିଁ ଆଉ ସେହି ଭାଷାର ଚମକ
ଆଧୁନିକ ଉଠେ ଶଶି।

କାହାର ଲେଖାରେ ଭରିଛି ଚାତୁରୀ
ପ୍ରତିଭା ପଡୁଛି ଉତୁରି
ଝରାଉଛି କିଏ ଭକ୍ତି ରସାତ୍ମକ
ଭାବଜଳେ ଯାଏ ବତୁରି
ଦେଖାଉଛି କିଏ ଖାତିରି
କିଏ ଲେଖିଦିଏ ମନଖୋଲା କଥା
କିଏ ପୁଣି ଲେଖେ ଭିତିରି।।

କିଏ ପଠାଉଛି ନିବେଦନ ପତ୍ର
ପ୍ରେମ ପାଗଳିନୀ ପାଇଁ
କିଏ ଛୁଟାଉଛି ବିରହ ବେଦନା
ଲେଖନୀରେ ଲୁହ ନଇ
ହୃଦୟ ଭାଷାକୁ ଦେଇ
କିଏ ଲେଖୁଅଛି ପ୍ରେମ ପରିଭାଷା
ପ୍ରେମିକା ମନକୁ ଛୁଇଁ ।।

ସୁଖ ସମୃଦ୍ଧିକୁ ସାଉଁଟି ସାଉଁଟି
କିଏ ଗଢେ ସଙ୍କଳନ
ଦୁଖଃ ଦାରିଦ୍ର୍ୟରେ ଲୋଟି ଲୋଟି କିଏ
ଲେଖୁଅଛି ଅଭିଧାନ
ସାହିତ୍ୟରେ ଦେଇ ଧ୍ୟାନ
କିଏ ଲେଖେ ଗୀତ ସରସ ଲଳିତ
ଆକର୍ଷଣ କରେ ମନ ।।

କିଏ ଶୁଣାଉଛି ରୂପରସ କଥା
ଯୌବନର ମାଦକତା
କିଏ ରଚିଯାଏ ଲାଳିତ୍ୟ ଭାଷାରେ
ବାଲ୍ୟର ସେ ଚପଳତା
ଜରା ବ୍ୟାଧି ବାର୍ଦ୍ଧକ୍ୟତା
କିଏ ଦର୍ଶାଉଛି ମୃତ୍ୟୁର ରହସ୍ୟ
ମୋକ୍ଷ ପ୍ରାପ୍ତିର ପନ୍ଥା ।।

ଜଳାଉଛି କିଏ ଶିକ୍ଷାର ପ୍ରଦୀପ
ଏ ଦେଶ ତିମିର ତଳେ
ଚଳାଉଛି କିଏ ଲେଖନୀର ମୁନ
ଜନ ସମାଜ ମଙ୍ଗଳେ
ସାହିତ୍ୟ ମାଧୁର୍ଯ୍ୟ ବଳେ
କଳା ସାହିତ୍ୟକୁ ଉତ୍କଳ ଜନନୀ
ସ୍ନେହେ ଧରିଅଛି କୋଳେ ।।

ଲେଖି ଲେଖି କେବେ ରାତି ପାହିଯାଏ
କେବେ ଉଇଁଆସେ ଦିନ
ତାଙ୍କ ଲେଖା କିଏ ପଢୁ ବା ନପଢୁ
ନଥାଏ ତାଙ୍କର ଧ୍ୟାନ
ଲେଖିବାରେ ଥାନ୍ତି ମଗ୍ନ
ଲେଖି ଲେଖି ସରେ ଲେଖନୀର କାଳି
ତଥାପି ପୁରେନା ମନ।

ଜନ୍ମଭୂମି ମୋର ଜଗତସିଂହପୁର
ସାରଳା ମାର କୋଳ
ତାର କୃପାବାରି ଝରଝର ଝରି
ଦେଇଛି ମୋ ଦେହେ ବଳ
ଶରଣ ତା, ପାଦ ଯୁଗଳ
ମାଗେ ଦେବାଶିଷ ଦିଅ ହେ ଆଶିଷ
ଉତ୍କଳୀୟ କବିକୁଳ ।।

ଜଗତସିଂହପୁର , ବାଲିକୁଦା , ଅନନ୍ତପୁର

Comments are closed.