Latest Odisha News

BREAKING NEWS

କବିତା : ଶୂନ୍ୟତା

ସୁଷମା ପରିଜା

ଇଏ କେମିତି ସମୟ!
ସବୁ ଲାଗେ ଅଳିକ ଅଳିକ
ସତ୍ୟ , ଏକ ମାତ୍ର ସତ୍ୟ କେବଳ
ନିତ୍ୟ ଧାବମାନ ମୃତ୍ୟୁର କରାଳ ପଞ୍ଝା ।

ମନ ଭିତରେ କେମିତି ଗୋଟେ
ଘମାଘୋଟ ଲଢେଇର ବେଳା,
ଚାରିଆଡେ ଉଥଳ ପୁଥଳ,
ସତେ କି ଚକ୍ରବାତ ଚାଲିଛି ଏଠି,
ଖାଲି ଢେଉ ଆଉ ଢେଉ , ଦିଗହରା ଜୀବନ,
କେଉଁଠି ମୋ’ ପୃଥିବୀ? କେଉଁଠି ମୁଁ ? କେଉଁଠି?
ଚାହିଁଲେ ବି ମନକୁ ଉତାରି ପାରୁନି ଶବ୍ଦଟିଏ,
ଥମି ଯାଉଛି କଲମ ଧରା ହାତ,
ଛାତି ଭିତରେ ଖାଲି ହାହାକାର ଭରା,
ଭାବ ନାହିଁ, ଭାଷା ନାହିଁ, ସବୁଠି ଶୂନ୍ୟତା !

କେଉଁଠି ବି ଟିକିଏ ହେଲେ ଲାଗୁନି ମନ,
ନା’ ଲେଖାରେ , ନା’ ପଢାରେ , ନା’ ଟିଭି ପରଦାରେ,
ଇଏ କ’ଣ କେଉଁ ଝଡ ଆସିବା ପୂର୍ବର ନୀରବତା ?
ଇଏ କ’ଣ ମଧ୍ୟାନ୍ତରର ବେଳା ??
ନା’ ସବୁକିଛି ସମାପ୍ତ ହୋଇଯିବାର ପୂର୍ବାଭାଷ ???

ନୂଆବଜାର କଟକ

Leave A Reply

Your email address will not be published.