ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩
ମୂଳ ହିନ୍ଦୀ: ଗୁଲଜାର
ଓଡ଼ିଆ ରୂପାନ୍ତରଣ: ସୁଭାଷ ଶତପଥୀ
ମୁଁ ଜାଣି ପାରେନି, ଦର୍ଶନ ସିଂହ କେମିତି ପାଗଳ ହୋଇ ଯାଇନଥିଲା! ତା’ ବାପା ଘର ଭିତରେ ଥାଇ ମଲା । ତା’ ମା’ ଗୁରୁଦ୍ୱାରାର ସେଇ ଧ୍ୱଂସସ୍ତୂପ ଭିତରେ କୁଆଡ଼େ ହଜି ଯାଇଥିଲା । ସିଏ ଜାଣିପାରୁ ନଥିଲା, ହସିବ ନା କାନ୍ଦିବ । ବିଧାତା ତା’ ସାଥିରେ ଏମିତି ଗୋଟିଏ ପରେ ଗୋଟିଏ ବିଚିତ୍ର ଖେଳ ଖେଳି ଚାଲିଥିଲା । ତାକୁ ଗୋଟିଏ ପଟେ କିଛି ଦେଇ ଅନ୍ୟ ପଟେ ସବୁ ନେଇ ଚାଲିଥିଲା ।
ସେମାନେ ଶୁଣୁଥିଲେ ଯେ ସ୍ୱାଧୀନତା ଆସୁଛି । ହେଲେ ସ୍ୱାଧୀନତା କେବେ ଆସି ଲିଆଲପୁରରେ ପହଞ୍ଚିବ ସେ କଥା ସେମାନଙ୍କୁ କାହାକୁ ଜଣା ନଥିଲା । ଏବେ ଉଭୟ ହିନ୍ଦୁ ଓ ଶିଖ ଲୋକମାନେ ଗୁପ୍ତରେ ଯାଇ ଗୁରୁଦ୍ୱାରା ଭିତରେ ରୁଣ୍ଡ ହେଉଥିଲେ । ସେତେବେଳକୁ ଶାହ୍ନୀର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇସାରିଥାଏ । ଓଃ ଅସମ୍ଭବ ସେ ଯନ୍ତ୍ରଣା । ଦିନରାତି ଲାଗି ରହିଥାଏ । ପ୍ରଥମ ଗର୍ଭ । ପ୍ରସବ ପୂର୍ବର ଯନ୍ତ୍ରଣା ।
ଦର୍ଶନ ସିଂହ ମଝିରେ ମଝିରେ ଆଉ କେଉଁ କେଉଁ ସ୍ଥାନରେ ଦଙ୍ଗା ଆରମ୍ଭ ହୋଇଗଲାଣି, ସେ ଖବର ଆଣି ସମସ୍ତଙ୍କୁ ଜଣାଉଥାଏ । ଭାପା’ଜୀ ତାକୁ ବୋଧଶୋଧ କରି କହୁଥାନ୍ତି , ‘ମୁଁ ତତେ କହୁଛି ପରା, ତୋର କିଛି ଅନିଷ୍ଟ ଘଟିବନିରେ ପୁଅ । କିଛି ବୋଲି କିଛି ଘଟିବନି । ଆଚ୍ଛା ତୁ କହିଲୁ, ଆମର କାହାର ଗୋଟିଏ ହେଲେ ହିନ୍ଦୁ କି ଶିଖ୍ ଘର ଉପରେ କିଏ ଢେଲାଟିଏ ଭଲା ପକେଇଛି ?’
‘ହେଲେ ଭାପା’ଜୀ, ଗୁରୁଦ୍ୱାରା ଉପରେ ତ ସେମାନେ ଆକ୍ରମଣ କଲେଣି । ନା ନୁହେଁ? ଦି’ଦି’ଥର ଗୁରୁଦ୍ୱାରାରେ ନିଆଁ ଲଗେଇ ସାରିଲେଣି ।’ ‘ତା’ହେଲେ ତୁମେସବୁ ପୁଣି ସେଠି କେମିତି ଏକାଠି ହେଉଛ?’ ଏପରି ପ୍ରଶ୍ନର ଦର୍ଶନ ସିଂହ କିଛି ନିର୍ଦ୍ଦିଷ୍ଟ ଜବାବ ଦେଇପାରେନି ।
ଲୋକମାନେ ନିଜ ନିଜ ଘରଦ୍ୱାର ଛାଡ଼ି ଆସି ଏଇ ଗୁରୁଦ୍ୱାରା ଭିତରେ ଆଶ୍ରୟ ନେଉଥିଲେ । ‘ଭାପା’ଜୀ, ଏକାଠି ରହିଲେ ଲୋକମାନେ ନିଜକୁ ନିରାପଦ ମଣନ୍ତି । ଆମ ଗଳିରେ ତ ଆଉ ଜଣେ ହେଲେ ହିନ୍ଦୁ କି ଶିଖ ନାହାନ୍ତି । ଆମେ ସମସ୍ତେ ଏଇଠିକି ପଳେଇ ଆସିଚୁ ।’ ଦଶ ପନ୍ଦରଦିନ ତଳେ, ହଠାତ୍ ସେମାନଙ୍କ କାନରେ ପଡ଼ିଲା, ଭାପା’ଜୀ ରାତିରେ ଅଗଣା ଭିତରେ କଚାଡ଼ି ହୋଇ ପଡ଼ିଲେ । ସମସ୍ତେ ତତକ୍ଷଣାତ୍ ଚମକି ଉଠି ଆସି ସେଠାରେ ପହଞ୍ଚିଲେ ।
ଗୁରୁଦ୍ୱାରା ଦିଗରୁ ‘ଜୋ ବୋଲେ ସୋ ନିହାଲ’ ସମବେତ କଣ୍ଠସ୍ୱର ସେମାନଙ୍କ କାନରେ ପଡ଼ୁଥିଲା । ଏଇ ଶବ୍ଦ ଭାପା’ଜୀଙ୍କ କାନରେ ପଡ଼ିବା ମାତ୍ରେ ସେ ବାଲକୋନୀ ଉପରକୁ ଉଠିଯାଇ ଘଟଣା କ’ଣ ବୋଲି ଜାଣିବାକୁ ଚେଷ୍ଟାକଲେ । ଉପର ମହଲାର ସିଢ଼ିରୁ ତଳକୁ ଓହ୍ଲେଇଲାବେଳେ ପାଦ ଖସି ଯାଇଥିଲା ଓ ସେ ଗଡ଼ିଗଡ଼ି ଆସି ତଳେ ପଡ଼ିଥିଲେ । ଦୁର୍ଯୋଗକୁ ତାଙ୍କ ମୁଣ୍ଡ ବାଜିଥିଲା କଡ଼ରେ ଥୁଆ ହୋଇଥିବା ଟାଙ୍ଗିଆଟି ଦେହରେ । ବାସ୍, ସବୁ ଶେଷ ।
ଯେମିତି ପ୍ରକାରେ ହେଉ, ସଭିଏଁ ମିଶି ଭାପା’ଜୀଙ୍କ ଶେଷକୃତ୍ୟ ସାରିଥିଲେ । ତା’ପରେ ଘରର ସବୁ ଆସବାବପତ୍ର ଛାଡ଼ି, କେବଳ କେଇ ଖଣ୍ଡ ସୁନାଗହଣାକୁ ଗୋଟିଏ ତକିଆଖୋଳ ଭିତରେ ପୁରେଇ ପରିବାରସାରା ପଳେଇ ଆସିଥିଲେ ଗୁରୁଦ୍ୱାରାକୁ । ସେଇଠି ରହିଲେ ନିରାପଦ ବୋଲି ସେମାନଙ୍କ ମନରେ ଧାରଣା ଥିଲା । ସେତେବେଳେକୁ ତାଙ୍କରି ଭଳି ଆହୁରି ଅନେକ ଲୋକ ଗୁରୁଦ୍ୱାରା ଭିତରେ ଆସି ଆଶ୍ରୟ ନେଇ ସାରିଥିଲେ । ଏତେ ଲୋକଙ୍କୁ ଦେଖି ସେମାନଙ୍କ ମନରେ ବି ଦମ୍ଭ ଆସିଥିଲା । ଦର୍ଶନ ସିଂହ ନିଜକୁ ଅସହାୟ ମଣି ନଥିଲା ।
ଦର୍ଶନ ସିଂହ ନିଜ ପତ୍ନୀକୁ ସାହସ ଦେଇ କହିଥିଲା, ‘ଆମେ ତ ଆଉ ଏକୁଟିଆ ନାହେଁ । ଯେତେହେଲେ ବାହେଗୁରୁ ପରା ଆମ ସାଥିରେ ଅଛନ୍ତି ।’
ପଞ୍ଝାଏ ଯୁବ ସ୍ୱେଚ୍ଛାସେବୀ ଦିନରାତି କାମରେ ଲାଗିଥାନ୍ତି । ଯାହା ଘରେ ଯାହା କିଛି ଅଟା, ଡାଲି କିମ୍ବା ଘିଅ ଥିଲା ସେମାନେ ସମସ୍ତେ ସେସବୁକୁ ସାଙ୍ଗରେ ଆଣି ଆସିଥିଲେ । ଦିନରାତି ଖନ୍ଦା ଜଳୁଥିଲା ଓ ରୋଷେଇ ଚାଲିଥିଲା । ପଙ୍ଗତ କରେ ପଙ୍ଗତ ଲୋକ ଖାଉଥାନ୍ତି । ହେଲେ ଏମିତି କେତେଦିନ ଅବା ସେମାନେ ସେଠି ରହିପାରିବେ? ଏଇ କଥା ସମସ୍ତେ ମନେ ମନେ ଭାବୁଥାନ୍ତି । ସମସ୍ତଙ୍କର ଆଶା ଖୁବ୍ ଶୀଘ୍ର ସରକାର କିଛି ନା କିଛି ସାହାଯ୍ୟ ପଠାଇବେ ।
‘ହେଲେ କୋଉ ସରକାର?’ କେହି ଜଣେ ପଚାରିଥିଲା, ‘ ଗୋର ସରକାର ତ ଏ ଦେଶ ଛାଡ଼ି ପଳେଇଲେଣି ।’ ‘ପାକିସ୍ତାନ ବି ଗଢ଼ା ସରିଲାଣି । ହେଲେ ପାକିସ୍ତାନରେ ସରକାର ଗଢ଼ା ହେବାକୁ ଏବେ ବାକି ଅଛି ।’
‘ମୁଁ ତ ଶୁଣିଚି ଯେ ଚାରିଆଡ଼େ ଫଉଜ ବ୍ୟାପିଗଲେଣି । ସେଇମାନେ କାଳେ ଶରଣାର୍ଥୀମାନଙ୍କୁ ନେଇ ସୀମା ପାର କରେଇ ଦେଇ ଆସୁଛନ୍ତି ।’
‘ଶରଣାର୍ଥୀ ? ସିଏ ପୁଣି କିଏ ?’
‘ଆରେ, ସେମାନେ ହେଲେ ରିଫ୍ୟୁଜି ।’
‘ଏମିତିଆ ଶବ୍ଦ ତ ମୁଁ କାନ ଉଠିଲା ଦିନୁ ଶୁଣିନି ।’
ଦି’ତିନୋଟି ପରିବାରର ଲୋକେ ଏମିତି ହୋହଲ୍ଲା ଭିତରେ ଆଉ ସେଠାରେ ରହି ପାରିଲେନି । ‘ଆମେ ଷ୍ଟେସନ ଚାଲିଲୁ । ଆମେ ଶୁଣିଲୁଣି ଯେ ଟ୍ରେନସବୁ ପୁଣି ଚଳାଚଳ ଆରମ୍ଭ କଲାଣି । ଆମକୁ ଟିକେ ସାହସର ସହ ସବୁ କାମ କରିବାକୁ ପଡ଼ିବ । ବସି ରହିଲେ ତ ଆଉ ବାହେଗୁରୁ ଆସି ଆମକୁ କାନ୍ଧରେ ବସେଇ ଛାଡ଼ି ଦେଇ ଆସିବେନି ।’
ଏତିକିବେଳେ ସେମାନଙ୍କ ଭିତରୁ କେହି ଜଣେ ବଡ଼ ପାଟିରେ ଚିତ୍କାର କରି ଉଠିଲା, ‘ନାନକ ନାମ୍ ଜହାଜ୍ ହୈ, ଜୋ ଚଢ଼େ ସୋ ଉତ୍ରେ ପାର୍ ।’
ସେମାନେ ଗୁରୁଦ୍ୱାରା ଛାଡ଼ି ଚାଲିଯିବା ପରେ ସେଠାରେ କିଛିଟା ଶୂନ୍ୟତା ସୃଷ୍ଟିହେଲା । ପୁଣି କିଛି ସମୟ ପରେ ଆଉ କିଛି ନୂଆ ଲୋକ ଆସି ଗୁରୁଦ୍ୱାରାରେ ପହଞ୍ଚିଲେ । ବାହାରେ କ’ଣ ସବୁ ଘଟୁଛି ସେ ବିଷୟରେ ସେମାନଙ୍କ ତୁଣ୍ଡରୁ ନୂଆ ନୂଆ ଖବରମାନ ଶୁଣିବାକୁ ମିଳିଲା ।
‘ଷ୍ଟେସନରେ ଆସି ହଜାର ହଜାର ଲୋକ ରୁଣ୍ଡ ହେଲେଣି ।’ ‘କିଛି ଲୋକ ଭୋକରେ ଛଟପଟ ହୋଇ ମଲେଣି । ଆଉ କିଛି ଲୋକ ଅଧିକା ଗିଳି ଝାଡ଼ାବାନ୍ତିରେ ଯମପୁର ଦେଖିଲେଣି । କେଉଁଠି କେଉଁଠି ମହାମାରୀ ବି ଆରମ୍ଭ ହୋଇଗଲାଣି ।’
‘ପାଞ୍ଚଦିନ ତଳେ ଯାହା ଏଇପଟ ଦେଇ ଟ୍ରେନଟିଏ ଯାଇଥିଲା । ହେଲେ ସେଥିରେ ଏତେ ଲୋକ ଖୁନ୍ଦି ହୋଇଥିଲେ ଯେ ସୋରିଷଟିଏ ପକେଇବାକୁ ସୁଦ୍ଧା ଜାଗା ନଥିଲା । ଶହ ଶହ ଲୋକ ତ ଟ୍ରେନ ଛାତ ଉପରେ ବସି ଯାଉଥିଲେ ।’
ସେଦିନ ସଂକ୍ରାନ୍ତି ଥାଏ । ଗୁରୁଦ୍ୱାରା ଭିତରେ ସକାଳୁ ସକାଳୁ ଶବଦ କୀର୍ତ୍ତନ ଆରମ୍ଭ ହୋଇ ରାତି ଅଧ ପର୍ଯ୍ୟନ୍ତ ଚାଲିଥିଲା । ସେଇ ଅଶୁଭ ଦିନରେ ସାହ୍ନୀ ଯାଆଁଳା ପୁଅଙ୍କୁ ଜନ୍ମ ଦେଥିଲା । ଦିଓଟି ଶିଶୁଙ୍କ ଭିତରୁ ଗୋଟିଏ ଖୁବ୍ ଦୁର୍ବଳ ଲାଗୁଥିଲା । ଏତେ ଦୁର୍ବଳ ଯେ ବଞ୍ଚିବ କି ନବଞ୍ଚିବ କେହି ଠିକ୍ଭାବେ ଠଉରାଇ ପାରୁନଥିଲେ । ତାକୁ ବଞ୍ଚେଇ ରଖିବା ଲାଗି ସାହନୀର ଯେଉଁ ପ୍ରଚେଷ୍ଟା ତାକୁ ନ ଦେଖିଲେ କେହି ବିଶ୍ୱାସ କରିବେନି ।
ସେହିଦିନ ରାତିରେ କେହି ଜଣେ ଆସି ଖବର ଦେଲା, ‘ଶରଣାର୍ଥୀମାନଙ୍କୁ ନେଇଯିବା ଲାଗି ଗୋଟିଏ ସ୍ୱତନ୍ତ୍ର ଟ୍ରେନ ଆସି ପହଞ୍ଚୁଛି । ଚାଲ, ଆଉ ଡେରି ନକରି ସେଥିରେ ବସି ଭାରତ ପଳେଇବା ।’ ଏ ଖବର ପାଇବା ମାତ୍ରେ ପଞ୍ଝାଏ ଲୋକ ଏକା ସାଙ୍ଗରେ ଗୁରୁଦ୍ୱାରାରୁ ବାହାରି ଗାଡ଼ିରେ ବସି ଷ୍ଟେସନମୁହାଁ ଚାଲିଲେ । ସେମାନଙ୍କ ଭିତରେ ଦର୍ଶନ ସିଂହ ବି ଥିଲା । ସାହ୍ନୀ ଦିଓଟି ପିଲା ପ୍ରସବ କରି ଖୁବ୍ ଦୁର୍ବଳ ହୋଇ ପଡ଼ିଥିଲା । ତଥାପି ଦିଓଟି ସଦ୍ୟଜାତ ଶିଶୁଙ୍କୁ ଦି’କାଖରେ ଧରି ସେ ତୁରନ୍ତ ବାହାରି ପଡ଼ିଥିଲା । ସେଇମାନଙ୍କ ପ୍ରାଣ ବଞ୍ଚାଇବା ଲାଗି ତ ଯିବାକୁ ପଡ଼ିବ । ହେଲେ ଦର୍ଶନ ସିଂହର ମା’ଗୁରୁଦ୍ୱାରାରୁ ପାଦେ ବି ଚଙ୍କି ନଥିଲା ।
‘ମୁଁ ପଛ ଗାଡ଼ିରେ ଯିବିରେ ପୁଅ । ତୁ ପିଲାମାନଙ୍କୁ ନେଇ ଆଗରେ ପଳେଇ ଯା’ ।’
ଦର୍ଶନ ସିଂହ ମା’ ସାଙ୍ଗରେ ରୀତିମତ ଝଗଡ଼ା କରିଥିଲା । ଏପରିକି ଗୁରୁଦ୍ୱାରା ଗ୍ରନ୍ଥୀ ବି ବୁଢ଼ୀକୁ ଯିବାଲାଗି ବୁଝେଇଥିଲେ ।
ହେଲେ ସେ କାହାରି କଥା ଶୁଣି ନଥିଲା । ଶେଷରେ ସ୍ୱେଚ୍ଛାସେବୀମାନେ ଦର୍ଶନ ସିଂହକୁ ବୁଝେଇ କହିଥିଲେ, ‘ତୁମେ ଆଗରେ ପଳେଇଯାଅ । ଆମେ ସମସ୍ତେ ଅଳ୍ପ ଅଳ୍ପ ହୋଇ ସୀମା ପାଖରେ ପହଞ୍ଚିବୁ । ସେତେବେଳେ ଆମେ ତୁମ ମା’ଙ୍କୁ ସାଙ୍ଗରେ ନେଇଯିବୁ ।’
ଶେଷରେ ସମସ୍ତଙ୍କ କଥା ମାନି ଦର୍ଶନ ସିଂହ ନିଜ ପତ୍ନୀ ଓ ଛୁଆ ଦିଓଟିଙ୍କୁ ଧରି ଷ୍ଟେସନ ଅଭିମୁଖେ ଯାଇଥିଲା । ଛୁଆ ଦି’ଜଣଙ୍କୁ ବେତ ଟୋକେଇଟିରେ ଶୁଆଇଦେଇ ତାକୁ ସେ ମୁଣ୍ଡେଇଲା । ଏଇ ତ ତା’ର ସବୁଠୁ ବଡ଼ ସମ୍ପଦ । ସେମାନେ ଷ୍ଟେସନରେ ପହଞ୍ଚିବା ବେଳକୁ ଟ୍ରେନଟା ସେଠାରେ ଅଟକିଥାଏ । ହେଲେ ସବୁ ବଗିରେ ଲୋକ ଖୁନ୍ଦାଖୁନ୍ଦି ହୋଇ
ବସିଥାନ୍ତି । ଡବା ଛାତ ଉପରେ ବସିଥିବା ଲୋକମାନେ ସତେକି ଖସି ପଡ଼ିବା ପରି ଲାଗୁଥାନ୍ତି । ତଥାପି ଦର୍ଶନ ସିଂହ ସ୍ତ୍ରୀର ଏପରି ଦୁର୍ବଳ ଚେହେରା ଓ ସଦ୍ୟଜାତ ଶିଶୁଙ୍କୁ ଦେଖି ଲୋକମାନଙ୍କ ମନରେ ଦୟା ଆସିଲା ଓ ସେମାନେ ତାକୁ ଛାତ ଉପରେ ନେଇ ବସେଇଲେ ।
ପ୍ରାୟ ଧାସ ଘଣ୍ଟା ପରେ ଟ୍ରେନଟା ଆଗକୁ ଗଡ଼ିବାକୁ ଆରମ୍ଭ କଲା । ସନ୍ଧ୍ୟା ଆକାଶଟା ଗୋଟାପଣେ ଲାଲ୍ ଦିଶୁଥିଲା । ଚାରିଆଡ଼ ଖୁବ୍ ଗରମ ବି ଲାଗୁଥିଲା । ସାହ୍ନୀର ଶୁଖିଲା ଥନ ଦି’ଟାକୁ ଦିଓଟିଯାକ ଶିଶୁ ଟାଣି ଟାଣି ଆହୁରି ଶୁଷ୍କ କରି ଦେଇଥାନ୍ତି । ତଥାପି ଛୁଆ ଦିଓଟିଙ୍କୁ ଛାତିରେ ଜାବୁଡ଼ି ଧରି କ୍ଷୀର ଖାଇବାକୁ ଦେବାଲାଗି ସେ ଚେଷ୍ଟା କରୁଥାଏ । ହେଲେ ସେ ଥନର କ୍ଷୀର ଯେମିତି କେତେବେଳୁ ଶୁଷ୍କ ହୋଇଯାଇଥାଏ । ଛୁଆ ଦିଓଟି ବି ଯୋଡ଼ିଏ କନାପୁଡ଼ା ପରି ସାହ୍ନୀର ଦି’କାଖରେ ଲାଖି ରହିଥାନ୍ତି । ଟ୍ରେନଟା ଧକେଇ ଧକେଇ ଆଗକୁ ଚାଲିଥାଏ । କେଇ ଘଣ୍ଟା ପରେ ଦର୍ଶନ ସିଂହ ଲକ୍ଷ୍ୟକଲା, ସାହନୀ କାଖରେ ଯୋଡ଼ିଏ ପିଲାଙ୍କ ଭିତରୁ ଗୋଟିଏ ପିଲାର ହାତଗୋଡ଼ ମଝିରେ ମଝିରେ ହଲିଯାଉଛି ଓ ବେଳେବେଳେ ସେ କାନ୍ଦୁଛି । କିନ୍ତୁ ଆର ଶିଶୁଟି ସମ୍ପୂର୍ଣ୍ଣ ନିଶ୍ଚଳ । ଯେତେବେଳେ ସେ ତା’ଦେହରେ ହାତ ଥାପିଲା, ତା’ ହାତ ସତେ ଯେପରି ଗୋଟିଏ ନିର୍ଜୀବ କାଲୁଆ ବସ୍ତୁଟିଏ ଉପରେ ଥୋଇବା ପରି ଲାଗିଲା । ଦର୍ଶନ ସିଂହର ଆଉ ବୁଝିବାକୁ ବାକି ରହିଲାନାହିଁ ଯେ ଏ ପିଲାଟି କେତେବେଳୁ ମରି ସାରିଥିଲା ।
ହଠାତ୍ ଏକ ବିକଟାଳ ରଡ଼ି ଛାଡ଼ି ଦର୍ଶନ ସିଂହ କାନ୍ଦିଉଠିଲା । ତା’ଚାରିକଡ଼େ ବସିଥିବା ଲୋକମାନେ ଠଉରାଇ ନେଲେ, କିଛି
ଗୋଟିଏ ଅଘଟଣ ଘଟିଲା ବୋଲି । ସେମାନେ ସାହ୍ନୀ କୋଳରୁ ନିର୍ଜୀବ ଛୁଆଟିକୁ ନେଇ ଯିବାକୁ ଚେଷ୍ଟାକଲେ । କିନ୍ତୁ ସାହନୀ ତା’ଛୁଆକୁ କୋଳରୁ ମୂର୍ଚ୍ଛିବାକୁ ନାରାଜ ।
ମଝିରେ ମଝିରେ କେଇଟି ଜାଗାରେ ଟ୍ରେନଟି କିଛି ସମୟ ଅଟକିରହି ପୁଣି ଆଗକୁ ଚାଲିଥାଏ । ରାତି ଅନ୍ଧାରରେ ଲୋକମାନେ କେବଳ ଅନୁମାନ କରୁଥାନ୍ତି ସେମାନେ ଆସି କେଉଁଠି ପହଞ୍ଚିଲେ ।
‘ଆମେ ଖୈରାବାଦ ପାର ହୋଇଗଲେଣି ।’ ‘ନା, ମୋତେ ତ ଲାଗୁଚି ଏଇଟା ଗୁଜରାନୱାଲା କି କ’ଣ ।’ ‘ଅତି ବେଶୀରେ ଆଉ ଘଣ୍ଟାଏ ଖଣ୍ଡେ ଲାଗିବ । ଲାହୋର ପରେ ପରେ ହିନ୍ଦୁସ୍ତାନ ଆସିଯିବ ।’
ହିନ୍ଦୁସ୍ତାନ ପାଖେଇ ଆସିବା କଥା ଶୁଣିବା ପରେ ମନରେ ସାହସ କୁଳେଇ କେଇଜଣ ଚିତ୍କାର କରିଉଠିଲେ ।
‘ହର୍ ହର୍ ମହାଦେବ!’
‘ଜୋ ବୋଲେ ସୋ ନିହାଲ୍!’
ଆଗରେ ଗୋଟିଏ ବିରାଟ ପୋଲ । ପୋଲ ପାଖରେ ଟ୍ରେନଟି ପହଞ୍ଚିଲା ମାତ୍ରେ ଲୋକମାନଙ୍କ ଭିତରେ ହଠାତ୍ ଏକ ବିଚିତ୍ର ଉନ୍ମାଦନା ପ୍ରକାଶ ପାଇଲା ।
‘ଆରେ, ଆମେ ରାବୀ ନଦୀ ପାଖରେ ପହଁଞ୍ଚି ଗଲେ ।’ ‘ହଁ, ଏଇ ତ ରାବୀ ନଦୀ । ଆମେ ଲାହୋର ପହଁଞ୍ଚି ଗଲେ ।’
ଏଇ ଆଶା ଆଶଙ୍କା ଭିତରେ କେହି ଜଣେ ଦର୍ଶନ ସିଂହ କାନରେ ଫିସ୍ଫିସ୍ କରି କହିଦେଲା, ‘ସର୍ଦ୍ଦାରଜୀ, ମଲା ଛୁଆଟାକୁ ଏଇ ନଈ ଭିତରକୁ ଫିଙ୍ଗିଦିଅ । ତା’ ଆତ୍ମା ବି ମୁକ୍ତି ପାଇଯିବ । କାଇଁ ଭଲା ମଲା ଛୁଆଟାକୁ ଧରି ତୁମେ ହିନ୍ଦୁସ୍ତାନକୁ ଯିବ?’ ଦର୍ଶନ ସିଂହ ଭାବାବେଗରେ ସାହ୍ନୀ କୋଳରୁ ଛୁଆଟିକୁ ଭିଡ଼ିନେଇ ପର ମୁହୂର୍ତ୍ତରେ ତାକୁ ଅନ୍ଧାରରେ ନଦୀ ଗର୍ଭକୁ ଫିଙ୍ଗିଦେଲା । ତା’ପାଟିରୁ ବାହାରି ଆସିଲା, ‘ବାହେଗୁରୁ!’ ହେଲେ ସେଇ ଅନ୍ଧାର ଭିତରେ ତା’ କାନରେ ମୁହୂର୍ତ୍ତଟିଏ ପାଇଁ ଗୋଟିଏ ଶିଶୁର ନିଷ୍ପ୍ରଭ କାନ୍ଦଣା ପଡ଼ି ପୁଣି ମିଳାଇଗଲା । ଭୟ ପାଇ ସେ ଚାହିଁଲା ସାହ୍ନୀ ମୁହଁକୁ । ସାହ୍ନୀ ତା’ଠାରୁ ଅଧିକ ଭୟାର୍ତ୍ତ ହୋଇ ମୃତ ଶିଶୁଟିକୁ ଆହୁରି ଜୋରରେ ନିଜ କୋଳରେ ଜାକି ଧରିଥାଏ । ପଞ୍ଝାଏ ଲୋକ ଏକ ସାଙ୍ଗରେ ଚିତ୍କାର କରି ଉଠିଲେ, ‘ୱାଘା, ୱାଘା । ହିନ୍ଦୁସ୍ତାନ ଜିନ୍ଦାବାଦ୍ ।’
ଓଡ଼ିଆ ରୂପାନ୍ତରଣ: ସୁଭାଷ ଶତପଥୀ