ଅମ୍ବା
ଭାସ୍ୱତୀ ବସୁ
ମୁଁ ସାଦରେ ଗ୍ରହଣ କଲି
ତୁମ ଆତ୍ମହତ୍ୟାର ଦାୟ।
ଯୁଦ୍ଧକ୍ଷେତ୍ରେ ଅସ୍ତ୍ରତ୍ୟାଗ କରିଥିବା
ତୁମ ଅହଂକାର ଯେ କେତେ ଅସହାୟ
ମୋ ଛଡ଼ା ଅଧିକ କିଏ ଜାଣିଛି?
ମୁଁ ହିଁ ଜାଣିଛି
ଶିଖଣ୍ଡୀ ନୁହଁ
ତୁମ ପରାଜୟ କେବଳ ଅମ୍ବା ପାଖରେ।
ଆଜି ବି ତୁମ ଆଗରେ ସେଇ ନାରୀ
ଯିଏ ଦିନେ
ତୁମ ପାଇଁ ଅବହେଳାରେ ଉଡ଼େଇ ଦେଇଥିଲା
ନାରୀତ୍ୱର ଲଜ୍ଜାବସ୍ତ୍ର।
ସେଦିନ ବି ମୁଁ ନୁହେଁ, ତୁମେ ହିଁ
ନୁଏଇଁଥିଲ ଆଖି।
ଆଜି ମଧ୍ୟ ତୁମ ଆତ୍ମଗ୍ଳାନି
ଅହଂକାରର ବର୍ମ ପିନ୍ଧିଥିଲା।
ମୁଁ ତୁମର ଶତ୍ରୁ ନୁହେଁ, ଇଏ ମୋର
ପ୍ରତିଶୋଧ ବି ନୁହଁ।
ମୁଁ କେବଳ
ଭୀଷ୍ମତ୍ୱର ଅଭିଶାପରୁ ମୁକ୍ତି ଦେଇ
ମୋ ପ୍ରେମକୁ ମୁକ୍ତ କରିଦେଲି।
ହଁ
ତୁମ ଶରୀର ମତେ ଲୁବ୍ଧ କରେ।
ବର୍ଷାସ୍ନାତ ରାତି
କିମ୍ବା ଧୁ ଧୁ ଜଳୁଥିବା ଖରାବେଳ
ସବୁଠି
ଗୋଧୂଳିର ଆଲୋକ ପକେଇ ପାରେ
ତୁମ ବିଷଣ୍ଣ ଶରୀର।
ଭାରି ମାଦକ ତୁମ ସୁଗନ୍ଧ।
ବିଷାଦ ବେଳାରେ ଫୁଟିଥିବା ଫୁଲ ପରି।
ମୁଁ କି ଜାଣେ
ତୁମେ ସତ୍ୟବତୀଙ୍କୁ କଣ କଥା ଦେଇଥିଲ,
ତୁମ ପ୍ରତିଜ୍ଞାରେ
ମୋର ଯାଏ ଆସେ କେତେ।
ମୁଁ କେବଳ
ଅକାତ କାମନା ନେଇ ତୁମକୁ ଛୁଇଁବାକୁ ଚାହେଁ।
ତୁମ ଓଠ,
ଯେଉଁ ଓଠ ପ୍ରେମ କରି ଜାଣେନା
ତୁମ ସେଇ ଘନ ସନ୍ନିବଦ୍ଧ ଓଠକୁ ମୋ ଓଠରେ
ଖୋଲିବାକୁ ଚାହେଁ।
ମୁଁ ତୁମକୁ ଯେବେ ବି ଦେଖେ
କରୁଣାର୍ଦ୍ର ହେଇ ଉଠେ ମନ।
ତୁମେ ତ ଜାଣ
ମୋ ସହିତ ମୃତ୍ୟୁକୁ ନ ବରିବା ଯାଏଁ
ଇଚ୍ଛାମୃତ୍ୟୁର ଜଡ଼ତ୍ୱରୁ ତୁମର ମୁକ୍ତି ନାହିଁ।
ତେଣୁ
ମତେ ଛୁଇଁବାକୁ ଦିଅ ତୁମ ଶରୀର।
ମୁଁ ତୁମକୁ ଶାପମୁକ୍ତ କରେ।
ନିର୍ବେଦ ସ୍ଥାଣୁତ୍ୱକୁ ଚେତନା ଫେରେଇ ଦେଇ
ଉନ୍ମୁକ୍ତ କରେ।
……………..
ମୋ: ୯୯୩୮୭୧୩୩୪୬
Comments are closed.