ମିରିନା ମହାନ୍ତି
ଯେତେବେଳେ ମୁଁ ଅନ୍ଧାରକୁ
ଫୁଲଟିଏ ଫିଙ୍ଗିଲି
ହଜାଇ ବସିଲି,
ନିଃଶ୍ବାସ, ବିଶ୍ବାସ। ।
ଚଉଦିଗ ମହମହ ବାସୁଥିଲା।
ମଧୁମାଳତୀର ବାସ
ଗୋଳେଇ ହୋଇ ଯାଉଥିଲା
ଶୂନ୍ଯତାରେ।
ତୁମ ନରମ ଆଲିଙ୍ଗନର ମତୁଆଲା ପଣରେ
ହାରିଯାଉଥିଲା ପବନ।
ଆକାଶ ଭର୍ତ୍ତି ତାରା,ପଣତରେ ମୋର
ଅଥଚ ଗଙ୍ଗଶିଉଳୀର ଆୟୁଷ !
ମାୟାମୃଗ ସଦାକାଳେ ରଚୁଥାଏ ପ୍ରହେଳିକା।
କେଉଁ ମାଲ୍ଯାଣୀର ମାୟାମନ୍ତ୍ରରେ
ମେଣ୍ଢା ପାଲଟିଯାଏ
ମୋର ପ୍ରାପ୍ତି, ମୋର ବିହଙ୍ଗମ ପଣ।।
ସମୁଦ୍ରେ ଶୋଷ ନେଇ
ଶୋକ ସନ୍ତାପିତ ହୃଦୟରେ
ତୁମ ଓଠର ସ୍ପର୍ଶ
କଡ ଲେଉଟାଉ ଥାଏ, ଜହ୍ନର ଛାଇରେ। ।
ସ୍ବପ୍ନ ବିଭୋର ମୁହୂର୍ତ୍ତମାନଙ୍କୁ ବିଦାୟ ଦେବାକୁ ହୁଏ।
କେରି କେରି ନିଃଶ୍ବାସର
ଅସହାୟତା।
ପକ୍ଷୀଟିଏ ମୁଁ
ପିଞ୍ଜରା ଭିତରେ ।
ଡେଣା ଫଡଫଡର ବିରାମ କାହିଁ ?
Comments are closed.