Latest Odisha News

BREAKING NEWS

ୟୁରିକ ଏସିଡ୍ କମାଇବାର ଘରୋଇ ଉପଚାର: ଆପଣାନ୍ତୁ ଏହି ୫ଟି ଉପାୟ

ଭୁୂବନେଶ୍ୱର:  ବ୍ୟସ୍ତ ବହୁଳ ଜୀବନରେ ଶାରୀରିକ ସୁସ୍ଥତାକୁ ଆମେ ଅନେକ ସମୟରେ ନଜରଅନ୍ଦାଜ କରିଦେଇ ଥାଉ । ପରେ ଏଇ ସାମାନ୍ୟ ତ୍ରୁଟି ପାଇଁ ବଡ ଧରଣର ଅସୁବିଧାକୁ ସାମ୍ନା କରିଥାଉ । ଅନେକ ଶାରୀରିକ ସମସ୍ୟାକୁ ଆମେ ଘରୋଇ ଉପାୟରେ ସମାଧାନ କରିପାରିବା । ହେଲେ ଆମେ ଏହାକୁ ଗୁରୁତ୍ୱ ଦେଇ ନ ଥାଉ । ଯେମିତି ଶରୀରରେ ୟୁରିକ ଏସିଡ ସମସ୍ୟା ।

ଶରୀରରେ ୟୁରିକ ଏସିଡ୍ର ମାତ୍ରା ବଢିବା ଶରୀର ପକ୍ଷେ ଭଲ ନୁହେଁ ।  ଶରୀରରେ ପ୍ୟୁରିନର ମାତ୍ରା ବଢିଲେ ମଧ୍ୟ ୟୁରିକ ଏସିଡ୍ର ମାତ୍ରା ବଢିଥାଏ । ୟୁରିକ ଏସିଡର ସ୍ପଟିକ ଗୁଡିକ ଗଣ୍ଠିରେ ଜମା ରହିଥାଏ । ଯାହାଫଳରେ ହାତ ଗୋଡ ଓ ଆଙ୍ଗୁଠିର ଗଣ୍ଠିରେ ଯନ୍ତ୍ରଣା ହୋଇଥାଏ । ହେଲେ ଏମିତି କିଛି ଫଳ ରହିଛି ଯାହାକୁ ନିୟମିତ ଖାଇଲେ,  ୟୁରିକ ଏସିଡର ସ୍ତରକୁ କମ କରିବା ସହ ଅତିରିକ୍ତ ୟୁରିକ ଏସିଡ୍କୁ ଶରୀରରୁ ବାହାର କରିବାରେ ସାହାଯ୍ୟ କରିବ  । ତେବେ କେଉଁ ଫଳ ସେବନ ଦ୍ୱାରା ୟୁରିକ ଏସିଡ ମାତ୍ରା କମିବ ଆସନ୍ତୁ ଜାଣିବା ।

ଚେରି – ଲାଲ ରଙ୍ଗର ଚେରିରେ ଆଣ୍ଟିଅକ୍ସିଡେଣ୍ଟ ରହିଛି । ଯାହା ଶରୀରର ଗଣ୍ଠି ବିନ୍ଧା କମ କରିବାରେ ସାହାଯ୍ୟ କରିଥାଏ । ଚେରିକୁ ଆପଣ ଜୁସ୍ କରିକି ମଧ୍ୟ ପିଇପାରିବେ ।

କିଓ୍ୱି – ଶରୀର ପ୍ରତି ଭାରି ଲାଭଦାୟକ  କିଓ୍ୱି । ଶରୀରର ବିଭିନ୍ନ ସମସ୍ୟା ଦୂର କରିବା ସହ ୟୁରିକ ଏସିଡ୍ ନିୟନ୍ତ୍ରଣ କରିଥାଏ । କିଓ୍ୱିରେ ଭିଟାମିନ ସି, ଭିଟାମିନ ଇ, ଫୋଲେଡ ଏବଂ ପୋଟାସିୟମ ରହିଥାଏ । ଏହି ଫଳର ଦାମ ଟିକିଏ ଅଧିକ ରହିଥିଲେ ବି ଏହା ଶରୀର ପାଇଁ ଉପକାରୀ ।

କଦଳୀ – ଶରୀରରେ ପ୍ୟୁରିନ ବଢିଲେ ୟୁରିକ ଏସିଡ୍ ବଢିଥାଏ । କିନ୍ତୁ କଦଳୀ ଶରୀରରେ ପ୍ୟୁରିନର ମାତ୍ରା କମ କରିବାରେ ସାହାଯ୍ୟ କରିଥାଏ । ବିଶେଷ କରି ଯଦି ଶରୀରର ଗଣ୍ଠିରେ ଭୀଷଣ ଦରଜ ହେଉଥାଏ ତେବେ କଦଳୀର ସେବନ ଲାଭଦାୟକ ହୋଇଥାଏ ।

ସେଓ – ସେଓରେ ପ୍ରଚୁର ପରିମାଣରେ ଫାଇବର ରହିଥାଏ, ଯାହାକି ୟୁରିକ ଏସିଡ୍କୁ କମ କରିବାରେ ସାହାଯ୍ୟ କରିଥାଏ । ଏହା ସହ ସେଓ ଭିନେଗାର ମଧ୍ୟ ବ୍ୟବହାର କରିପାରିବେ । ଗୋଟିଏ ଗ୍ଲାସ ପାଣିରେ ଏକ ଚାମଚ ସେଓ ଭିନେଗାର ପକାଇ ପିଇ ପାରିବେ ।

କମଳା- ପ୍ରାୟତଃ ସବୁ ସାଇଟ୍ରିକ  ଫଳ ୟୁରିକ ଏସିଡ କମ କରିବାରେ ସାହାଯ୍ୟ କରିଥାଏ । କମଳା ଭିଟାମିନ ସି ଯୁକ୍ତ ହୋଇଥିବାରୁ  ଶରୀରରୁ ୟୁରିକ ଏସିଡ୍ ବାହାର କରିବାରେ ସାହାଯ୍ୟ କରିଥାଏ । ଏହାକୁ  ଜୁସ କରି ମଧ୍ୟ ପିଇ ପାରିବେ ।

ୟୁରିକ ଏସିଡ୍କୁ କମ କରିବାକୁ ହେଲେ କେତେକ ପରିବା ଯେମିତି ବ୍ରୋକଲି, ଗାଜର ଏବଂ କାକୁଡି ସେବନ କରିବା ଉଚିତ ।

Leave A Reply

Your email address will not be published.