Latest Odisha News

ନସରଲ୍ଲା ପରେ କ’ଣ କରିବ ହିଜବୋଲ୍ଲା ?

ନୂଆଦିଲ୍ଲୀ: ଏନିମି ନମ୍ବର ୱାନ୍ ହସନ ନସରଲ୍ଲାକୁ ନିପାତ କଲା ପରେ ଶତ୍ରୁରାଷ୍ଟ୍ରଙ୍କୁ କଡା ସନ୍ଦେଶ ଦେଇଛି ଇସ୍ରାଏଲ୍ । ୩୦ ବର୍ଷରୁ ଅଧିକ ସମୟ ଧରି ହଜବୋଲ୍ଲା ମୁଖ୍ୟ ଭାବେ ହସନ ନସରଲ୍ଲା ଥିଲା ଇସ୍ରାଏଲର ସବୁଠାରୁ ବଡ ଶତ୍ରୁ । ନସରଲ୍ଲା ନେତୃତ୍ୱରେ ଇସ୍ରାଏଲକୁ ନାକେଦମ୍ କରି ରଖିଥିଲା ହିଜବୋଲ୍ଲା । ନସରଲ୍ଲାର ମୃତ୍ୟୁ ଇସ୍ରାଏଲ ପାଇଁ ବିରାଟ ସଫଳତା କୁହାଯାଉଥିବା ବେଳେ ହିଜବୋଲ୍ଲା ଓ ଏହାର ସମର୍ଥକ ଇରାନର ରଣନୀତି ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା ।

ହିଜବୋଲ୍ଲାର ନୂଆ ମୁଖିଆ ନିଯୁକ୍ତ

ହିଜବୋଲ୍ଲା ମୁଖ୍ୟ ହସନ ନସରଲ୍ଲା  ଇସ୍ରାଏଲ ବୋମା ମାଡରେ ନିହତ ହେବା ସଂଗଠନ ପାଇଁ ବିରାଟ କ୍ଷତି ବୋଲି କୁହାଯାଉଛି । ନସରଲ୍ଲାର ମୃତ୍ୟୁ ହିଜବୋଲ୍ଲାର ମନୋବଳ ଭାଙ୍ଗିବ ନିଶ୍ଚୟ । ହେଲେ ଇସ୍ରାଏଲ ବିରୋଧରେ ସଂଘର୍ଷ ଜାରି ରହିବ ବୋଲି ଘୋଷଣା କରିଛି ହିଜବୋଲ୍ଲା । ସଂଗଠନର ନୂଆ ମୁଖିଆ ଭାବେ ହାସିମ୍ ସଫିଦ୍ଦିନଙ୍କୁ ନିଯୁକ୍ତ କରାଯାଇଛି । ହିଜବୋଲ୍ଲାର ନୂଆ ମୁଖ୍ୟ ମଧ୍ୟ ନସରଲ୍ଲା ଭଳି ଜଣେ ମୌଲବୀ । ନସରଲ୍ଲାର ସେ ସଂପର୍କୀୟ ଭାଇ । ନସରଲ୍ଲା ଅମଳରେ ହାସିମ ସଫିଦ୍ଦିନକୁ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା । ହାସିମ ସଫିଦ୍ଦିନ ହିଜବୋଲ୍ଲାର ରାଜନୈତିକ ବ୍ୟାପାର ବୁଝୁଥିଲା । ସଂଗଠନର କାର୍ଯ୍ୟକାରୀ ପରିଷଦର ମୁଖ୍ୟ ଥିଲା ସଫିଦ୍ଦିନ । ହିଜବୋଲ୍ଲାର ମିଲିଟାରୀ ଅପରେସନର ପ୍ଲାନିଂ କରୁଥିବା ଜିହାଦ କାଉନସିଲର ଅଧ୍ୟକ୍ଷ ମଧ୍ୟ ଥିଲା ସଫିଦ୍ଦିନ । ୨୦୧୭ରେ ସଫିଦ୍ଦିନକୁ ଆତଙ୍କବାଦୀ ଘୋଷଣା କରିଥିଲା ଆମେରିକା ।

ହିଜବୋଲ୍ଲା ପାଇଁ ଚ୍ୟାଲେଞ୍ଜ

ଇସ୍ରାଏଲ ସହ ବର୍ତ୍ତମାନର ଲଢେଇରେ ହିଜବୋଲ୍ଲାର ଅଧିକ କ୍ଷତି ହୋଇଛି । ମୁଖ୍ୟ ନସରଲ୍ଲା ସହ ସଂଗଠନର ଅନେକ କମାଣ୍ଡର୍ ଇସ୍ରାଏଲ ବୋମାମାଡରେ ନିହତ ହୋଇଛନ୍ତି । ହିଜବୋଲ୍ଲାର କମାଣ୍ଡ୍ ଢାଂଚାକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଛି ଇସ୍ରାଏଲ୍ । ଲଢେଇରେ ହିଜୋବୋଲ୍ଲାର ଅନେକ ଅସ୍ତ୍ରଶସ୍ତ୍ର ମଧ୍ୟ ନଷ୍ଟ ହୋଇଛି । ହିଜବୋଲ୍ଲାର ମନୋବଳ ନିଶ୍ଚିତ ଭାବେ ହ୍ରାସ ପାଇଥିଲେ ମଧ୍ୟ ସଂଗଠନ ଲଢେଇ ବନ୍ଦ ରଖି ଇସ୍ରାଏଲ ସର୍ତ୍ତରେ ଶାନ୍ତି ପାଇଁ ଆଗେଇ ଆସିବ ବୋଲ୍ ଭାବିବା ଭୁଲ ବୋଲି କିଛି ବିଶେଷଜ୍ଞ ମତ ଦେଇଛନ୍ତି । ନସରଲ୍ଲାର ମୃତ୍ୟୁ ପରେ ସଂଗଠନରେ କିଛି ସମୟ ପାଇଁ ଅସ୍ଥିରତା ଆସିପାରେ । କିନ୍ତୁ ହିଜବୋଲ୍ଲା ପରାଜୟ ସ୍ୱୀକାର କରିବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି । କିନ୍ତୁ ହିଜବୋଲ୍ଲା ନୂଆ ରଣନୀତି ଆପଣାଇପାରେ । ହିଜବୋଲ୍ଲା ପାଖରେ ଅଭିଜ୍ଞ ଯୋଦ୍ଧା ଅଛନ୍ତି । ଏବେ ବି ସଂଗଠନ ପାଖରେ ମିସାଇଲ ମହଜୁଦ ରହିଛି । ପ୍ରତିଶୋଧ ନେବା ପାଇଁ ହିଜବୋଲ୍ଲା ଇସ୍ରାଏଲ ଉପରେ ଜୋରଦାର ଆକ୍ରମଣ କରିପାରେ । ଇସ୍ରାଏଲର ସାଧାରଣ ନାଗରିକଙ୍କୁ ଯଦି ସଂଗଠନ ଟାର୍ଗେଟ କରିବ, ତାହା ହେଲେ ଇସ୍ରାଏଲ ମଧ୍ୟ କଡା ଜବାବୀ ଆକ୍ରମଣ ପାଇଁ ପଛାଇବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ତେଣୁ ହିଜବୋଲ୍ଲା ପାଇଁ ଆଗକୁ ରାସ୍ତା ବଡ କଠିନ ମନେ ହେଉଛି ।

ଇରାନ୍ ପାଇଁ ଜଟିଳ ସ୍ଥିତି

ହସନ ନସରଲ୍ଲାର ମୃତ୍ୟୁ ଇରାନ ପାଇଁ ବି ଶକ୍ତ ଧକ୍କା । ଇରାନ୍ ହିଜବୋଲ୍ଲାର ପୃଷ୍ଠପୋଷକ ଭାବେ ଜଣାଶୁଣା । ତେଣୁ ନସରଲ୍ଲାର ମୃତ୍ୟୁ ଇରାନ ପାଇଁ ବି ଏକ ବିରାଟ ସାମରିକ କ୍ଷତି । ନସରଲ୍ଲାକୁ ଇସ୍ରାଏଲ ହତ୍ୟା କରିବା ପରେ ଇରାନ ଏବେ ସତର୍କ । ଦେଶର ସର୍ବୋଚ୍ଚ ଧର୍ମଗୁରୁ ଆୟୋତୋଲ୍ଲା ଅଲ୍ଲୀ ଖୋମେନେଇଙ୍କୁ ଅଜଣା ସ୍ଥାନରେ ସୁରକ୍ଷିତ ରଖିଛି ଇରାନ୍ । ଜୁଲାଇ ମାସରେ ତେହେରାନର ଏକ ଗେଷ୍ଟ୍ ହାଉସରେ ହମାସର ପଲିଟିକାଲ ଚିଫ୍ ଇସମାଇବ ହନିଆକୁ ହତ୍ୟା କରିଥିଲା ଇସ୍ରାଏଲ । ଏହା ଇରାନ ପାଇଁ ଅପମାନଜନକ ସାବ୍ୟସ୍ତ ହୋଇଥିଲା । ଇରାନ ଜବାବୀ କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ୍ ରହିଛି । ଏବେ ନସରଲ୍ଲାର ହତ୍ୟା ଇରାନ ପାଇଁ ଆହୁରି ଅପମାନଜନକ ହୋଇଛି । ଇରାନ ସିଧାସଳଖ ଇସ୍ରାଏଲ ଉପରେ ଆକ୍ରମଣ କରିବା ସ୍ଥିତିରେ ନାହିଁ । କିନ୍ତୁ ମଧ୍ୟପ୍ରାଚ୍ୟରେ ନିଜର ବନ୍ଧୁଦେଶଗୁଡିକରେ ସକ୍ରିୟ ସଶସ୍ତ୍ର ସଂଗଠନଗୁଡିକୁ ଇସ୍ରାଏଲ ବିରୋଧରେ ଲଢିବା ପାଇଁ ନିର୍ଦ୍ଦେଶ ଦେଇପାରେ ।

 

Leave A Reply

Your email address will not be published.