Latest Odisha News

BREAKING NEWS

‘ଡ୍ରାଏ ଆଇ’ ଠାରୁ ଆଲର୍ଜି ଯାଏଁ: ଆଖିରୁ ଲୁହ ବୋହିବା ପଛର ଅସଲ କାରଣ କ’ଣ?

ନୂଆଦିଲ୍ଲୀ: ଆଖିରୁ ବେଳେବେଳେ ଲୁହ କିମ୍ବା ପାଣି ବାହାରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଏହା ଯଦି ଲଗାତାର ଭାବେ ଘଟୁଥାଏ, ତେବେ ଏହାକୁ ହାଲୁକା ଭାବେ ନେବା ଉଚିତ୍ ନୁହେଁ। ଚିକିତ୍ସା ବିଜ୍ଞାନ ଭାଷାରେ ଅତ୍ୟଧିକ ଲୁହ ବୋହିବାକୁ ‘ଏପିଫୋରା’ବୋଲି କୁହାଯାଏ। ଆଖିରେ କୌଣସି ଅନ୍ତର୍ନିହିତ ସମସ୍ୟା ଥିଲେ ଏହି ସ୍ଥିତି ଉପୁଜିଥାଏ।

ଏହି ସମସ୍ୟା ପଛରେ ଏକାଧିକ କାରଣ ରହିପାରେ। ସବୁଠାରୁ ଆଶ୍ଚର୍ଯ୍ୟଜନକ କାରଣ ହେଉଛି ‘ଡ୍ରାଏ ଆଇ ସିଣ୍ଡ୍ରୋମ୍’ । ଆଖି ଶୁଷ୍କ ହୋଇଗଲେ ଆର୍ଦ୍ରତା ଫେରାଇ ଆଣିବାକୁ ଶରୀର ସ୍ୱତଃପ୍ରବୃତ୍ତ ଭାବେ ଅତ୍ୟଧିକ ଲୁହ ତିଆରି କରିଥାଏ। ଏହା ବ୍ୟତୀତ ଧୂଳି-ଧୂଆଁ କିମ୍ବା ପ୍ରଦୂଷଣ ଯୋଗୁଁ ଆଲର୍ଜି, ଆଖିର ଲୁହ ନଳୀ ବନ୍ଦ ହୋଇଯିବା, କଞ୍ଜକ୍ଟିଭାଇଟିସ୍ ଭଳି ବ୍ୟାକ୍ଟେରିଆଲ୍ ବା ଭାଇରାଲ୍ ସଂକ୍ରମଣ, ଚଷମାର ଭୁଲ୍ ପାୱାର୍ ଏବଂ ଅତ୍ୟଧିକ ସମୟ ମୋବାଇଲ୍ ବା କମ୍ପ୍ୟୁଟର ସ୍କ୍ରିନ୍ ସାମ୍ନାରେ ବିତାଇବା ଯୋଗୁଁ ଆଖିରୁ ପାଣି ବୋହିଥାଏ।

ଯଦି ଆଖିରୁ ପାଣି ବାହାରିବା ସହିତ ଆଖି ଲାଲ୍ ପଡ଼ିବା, ତୀବ୍ର ଯନ୍ତ୍ରଣା କିମ୍ବା ଜଳାପୋଡ଼ା ହେବା, ଆଖିପତା ଫୁଲିଯିବା, ଦୃଷ୍ଟିଶକ୍ତି ଅସ୍ପଷ୍ଟ ହେବା କିମ୍ବା ହଳଦିଆ-ଅଠାଳିଆ ପଦାର୍ଥ ବାହାରିବା ଭଳି ଲକ୍ଷଣ ଦେଖାଯାଏ, ତେବେ ଡେରି ନକରି ତୁରନ୍ତ ଆଖି ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ।

ପ୍ରାଥମିକ ସତର୍କତା ଭାବେ ନିୟମିତ ଥଣ୍ଡା ପାଣିରେ ଆଖି ଧୋଇବା, ଖରାରେ ବାହାରିବା ସମୟରେ ଚଷମା ବ୍ୟବହାର କରିବା ଏବଂ ସ୍କ୍ରିନ୍ ବ୍ୟବହାର ସମୟରେ ମଝିରେ ମଝିରେ ଆଖିକୁ ବିଶ୍ରାମ ଦେବା ଉଚିତ୍ । ବିନା ଡାକ୍ତରୀ ପରାମର୍ଶରେ ମନଇଚ୍ଛା କୌଣସି ଆଇ-ଡ୍ରପ୍ ବ୍ୟବହାର କରିବା ଆଖି ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ।

Leave A Reply

Your email address will not be published.