Adulterated Paneer: ଏବେ ଖାଇବେ କ’ଣ…କ’ଣ କିଣିବେ? ଭେଜାଲ ପନିର ନେଇ ତନାଘନା, ଓଡ଼ିଶାରେ ୪୦୦ କେଜି ଛେନା-ପନିର ନଷ୍ଟ
ଭୁବନେଶ୍ୱର: ଆଜିକାଲି ବଜାରରୁ କ’ଣ କିଣିବେ, କ’ଣ ଖାଇବେ, ତାକୁ ନେଇ ଗ୍ରାହକଙ୍କ ଚିନ୍ତା ବଢ଼ୁଛି। ପ୍ୟାକେଜଡ୍ ଆଉ ପ୍ରୋସେସଡ୍ ଭୁଡ୍ ଜୀବନ ପାଇଁ ବିଷ ପାଲଟିଥିବା ବେଳେ ଦୁଗ୍ଧ, ଛେନା, ପନିର ଭଳି ଦୈନନ୍ଦିନ ଖାଦ୍ୟରେ ଭେଜାଲ ନେଇ ଅଭିଯୋଗ ମଧ୍ୟ ଆସୁଛି। ଏହି ଚିନ୍ତା ମଧ୍ୟରେ ଓଡ଼ିଶାରେ ଭେଜାଲ ଦୁଗ୍ଧଜାତ ଖାଦ୍ୟ ବିରୋଧରେ ଜୋରଦାର ଚଢ଼ାଉ ଆରମ୍ଭ ହୋଇଛି।
ଭୁବନେଶ୍ୱର ମହାନଗର ନିଗମର ଫୁଡ୍ ସେଫ୍ଟି ବିଭାଗ ପକ୍ଷରୁ ବିଭିନ୍ନ ହୋଟେଲ, ଦୋକାନ ଓ ପନିର ତିଆରି ୟୁନିଟ୍ରେ ଚଢ଼ାଉ କରାଯାଇଛି। ଶୁକ୍ରବାର ସୁଦ୍ଧା ଚଢ଼ାଉ ସମୟରେ ପ୍ରାୟ ୪୦୦ କେଜି ଭେଜାଲ ପନିର, ଛେନା, ଖୁଆ, ରାବିଡି ଏବଂ ମିଆଦ ପୂର୍ଣ୍ଣ କ୍ଷୀର ପ୍ୟାକେଟ୍ ଜବତ କରାଯାଇ ନଷ୍ଟ କରାଯାଇଥିବା ଅଧିକାରୀମାନେ କହିଛନ୍ତି। ଗିରିଜା ରେଷ୍ଟୁରାଣ୍ଟରେ ଯାଞ୍ଚ ବେଳେ ପ୍ରାୟ ୧୦ କେଜି ବାସି ଖାଦ୍ୟ ଓ ଭେଜାଲ ପନିର ମିଳିଥିଲା। ଏହାକୁ ଘଟଣାସ୍ଥଳରେ ନଷ୍ଟ କରାଯିବା ସହ ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ ପାଇଁ ପ୍ରତିଷ୍ଠାନକୁ ୧୨ ହଜାର ଟଙ୍କା ଜରିମାନା କରାଯାଇଥିବା ସୂଚନା ମିଳିଛି। ଏହି ଯାଞ୍ଚ କେବଳ ଭୁବନେଶ୍ୱରରେ ସୀମିତ ନରହି ଅନ୍ୟ ଜିଲ୍ଲାକୁ ମଧ୍ୟ ବଢ଼ାଯାଉଛି।
ପନିର ଆଜି ଅନେକ ପରିବାରର ନିୟମିତ ଖାଦ୍ୟର ଅଂଶ। ତେଣୁ ବଜାରରେ ଭେଜାଲ ପନିର ମିଳିବା ଖବର ଗ୍ରାହକଙ୍କ ଚିନ୍ତା ବଢ଼ାଇବା ସ୍ୱାଭାବିକ। କିନ୍ତୁ କେବଳ ଦେଖି କିମ୍ବା ହାତରେ ଧରି ନିଶ୍ଚିତ ଭାବେ ଅସଲି-ନକଲି ପନିର ଚିହ୍ନିବା ସବୁବେଳେ ସମ୍ଭବ ନୁହେଁ। ରଙ୍ଗ, ନରମପଣ କିମ୍ବା ଗନ୍ଧ ଭଳି ଲକ୍ଷଣ କେବଳ ପ୍ରାଥମିକ ସଙ୍କେତ ଦେଇପାରେ, ନିଶ୍ଚିତ ନିର୍ଣ୍ଣୟ ପାଇଁ ଲାବରେଟୋରୀ ପରୀକ୍ଷା ହିଁ ଭରସାଯୋଗ୍ୟ।
ଖାଦ୍ୟ ଭେଜାଲ ଚିହ୍ନଟ ପାଇଁ FSSAIର DART (Detect Adulteration with Rapid Test) ଗାଇଡ୍ରେ ଛେନା, ପନିର ଓ ଖୁଆରେ ଷ୍ଟାର୍ଚ୍ଚ ମିଶିଛି କି ନାହିଁ, ତାହା ଯାଞ୍ଚ କରିବାର ସରଳ ପରୀକ୍ଷା ଦିଆଯାଇଛି। ନମୁନାକୁ ଗରମ କରି ଥଣ୍ଡା କରିବା ପରେ ଆୟୋଡିନ୍ ଦ୍ରବଣ ଦେଲେ ନୀଳ ରଙ୍ଗ ଦେଖାଗଲେ ଷ୍ଟାର୍ଚ୍ଚ ଥିବାର ସଙ୍କେତ ମିଳେ। ତେବେ ଏହାକୁ ‘ପନିର ନକଲି’ ବୋଲି ପ୍ରମାଣ ଭାବେ ଧରିବା ଠିକ୍ ନୁହେଁ। ଏହି ପରୀକ୍ଷା ବିଶେଷ ଭାବରେ ଷ୍ଟାର୍ଚ୍ଚ ଚିହ୍ନଟ କରିବା ପାଇଁ। ଅନ୍ୟ ପ୍ରକାରର ଭେଜାଲ କିମ୍ବା ଖରାପ ଜିନିଷ ମିଶିଥିବା ଜାଣିବା ପାଇଁ ଲାବ୍ ପରୀକ୍ଷା ଆବଶ୍ୟକ।
ପନିର କିଣିବାବେଳେ ଏସବୁ ନିଶ୍ଚୟ ଦେଖନ୍ତୁ…
- ସମ୍ଭବ ହେଲେ ପ୍ୟାକେଟ୍ରେ FSSAI ଲାଇସେନ୍ସ/ରେଜିଷ୍ଟ୍ରେସନ୍, ଉତ୍ପାଦନ ଓ ମିଆଦ ତାରିଖ ଯାଞ୍ଚ କରନ୍ତୁ। FSSAIର FoSCoS ବ୍ୟବସ୍ଥାରେ ଲାଇସେନ୍ସର ସତ୍ୟତା ମଧ୍ୟ ଯାଞ୍ଚ କରାଯାଇପାରେ।
- ପ୍ୟାକେଟ୍ ଫୁଲିଯାଇଥିଲେ, ଲିକ୍ ହେଉଥିଲେ କିମ୍ବା ମିଆଦ ପୂର୍ଣ୍ଣ ହୋଇଥିଲେ କିଣନ୍ତୁ ନାହିଁ।
- ଖୋଲା ପନିର କିଣୁଥିଲେ ଦୋକାନର ସଫାସୁତରା, ଥଣ୍ଡା ରଖିବା ବ୍ୟବସ୍ଥା ଓ ସଂରକ୍ଷଣ ପ୍ରଣାଳୀ ଦେଖନ୍ତୁ।
- ଅସ୍ୱାଭାବିକ ଗନ୍ଧ, ଅତ୍ୟଧିକ ଚିପିଚିପା ଅବସ୍ଥା କିମ୍ବା ଅସାମାନ୍ୟ ରଙ୍ଗ ଦେଖାଗଲେ ନକିଣିବା ଭଲ।
- ସନ୍ଦେହଜନକ ଖାଦ୍ୟ ମିଳିଲେ ନିଜେ ନିଷ୍କର୍ଷ ନେବା ବଦଳରେ ଖାଦ୍ୟ ସୁରକ୍ଷା ବିଭାଗକୁ ଜଣାଇପାରିବେ। FSSAI ଅନୁସାରେ ଗ୍ରାହକମାନେ ନୋଟିଫାଏଡ୍ ଲାବରେଟୋରୀରେ ଖାଦ୍ୟ ନମୁନା ପରୀକ୍ଷା କରାଇବାର ସୁଯୋଗ ମଧ୍ୟ ପାଇପାରନ୍ତି।
ବଜାରରେ ଭେଜାଲ ଖାଦ୍ୟ ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ ଏହି ଚଢ଼ାଉ ଏକ ବଡ଼ ସତର୍କବାର୍ତ୍ତା। ଆଖି ବୁଜି କିଣିବା ନୁହେଁ, ଆଖି ଖୋଲି ଖାଇବା, ଏବେ ଗ୍ରାହକଙ୍କ ପାଇଁ ଏହା ହିଁ ସବୁଠୁ ବଡ଼ ସୁରକ୍ଷା। ତେବେ ‘ସବୁ ଖାଦ୍ୟରେ ବିଷ’ ବୋଲି ଭୟଭୀତ ହେବା ମଧ୍ୟ ଠିକ୍ ନୁହେଁ, ବରଂ ସଚେତନ ହୋଇ ଭରସାଯୋଗ୍ୟ ଉତ୍ସରୁ ଖାଦ୍ୟ କିଣିବା ଏବଂ ସନ୍ଦେହ ହେଲେ ଅଧିକୃତ ଯାଞ୍ଚ କରାଇବା ହିଁ ଠିକ୍ ପଦକ୍ଷେପ।

