ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହା ଫଳରେ ଆଗାମୀ ଏକ ସପ୍ତାହ ମଧ୍ୟରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)
ପାଣିପାଗ ବିଭାଗ ଅନୁଯାୟୀ କେନ୍ଦ୍ରୀୟ ମିଆଁମାର ଏବଂ ପଡ଼ୋଶୀ ଅଞ୍ଚଳରେ ଉପର ବାୟୁ ଘୂର୍ଣ୍ଣିବଳୟ ବର୍ତ୍ତମାନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳର ଉତ୍ତର ବଙ୍ଗୋପସାଗର ଉପରେ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସେହି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।
ଏହି ଲଘୁଚାପ ପ୍ରଣାଳୀ ଯୋଗୁଁ ଅଗଷ୍ଟ ୨୯ ସକାଳ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ବଜ୍ରପାତ ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଆଇଏମଡି ବିଭିନ୍ନ ଜିଲ୍ଲା ପାଇଁ କମଳା ଏବଂ ହଳଦିଆ ଚେତାବନୀ ଜାରି କରିଛି।
ପାଣିପାଗ ବିଭାଗ ମତ୍ସ୍ୟଜୀବୀ ଏବଂ ତଳିଆ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ସେହିପରି ପାଣିପାଗ କେନ୍ଦ୍ର ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ, କୋରାପୁଟ, ଏବଂ ଗଜପତି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ନେଇ କମଳା ଚେତାବନୀ ଜାରି କରିଛି।
ସେହିଭଳି ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନାଗିରି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡା ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି।

