ଲକ୍ଷ୍ନୌ: ପାର୍ବଣ ଋତୁ ଆସିଲେ ବଜାରରେ ମିଠାର ଚାହିଦା ବହୁତ ବଢ଼ିଯାଏ । ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ବାସି ତଥା ଭେଜାଲ୍ ମିଠା ବିକ୍ରି କରି ଗ୍ରାହକଙ୍କ ସ୍ୱାସ୍ଥ୍ୟ ସହ ଖେଳିଥାନ୍ତି । ମାତ୍ର ଏବେ ଏଭଳି ବେଆଇନ କାର୍ଯ୍ୟ ଉପରେ ରୋକ୍ ଲଗାଇବାକୁ ଉତ୍ତରପ୍ରଦେଶ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ଅକ୍ଟୋବର ୧୫ ତାରିଖରୁ ରାଜ୍ୟର ସମସ୍ତ ମିଠା ଦୋକାନୀଙ୍କ ପାଇଁ ଏକ ନୂଆ ନିୟମ କଡ଼ାକଡ଼ି ଭାବେ ଲାଗୁ ହେବାକୁ ଯାଉଛି । ନୂଆ ନିୟମ ଅନୁଯାୟୀ, ଏଣିକି ଦୋକାନରେ ଖୋଲାରେ ବିକ୍ରି ହେଉଥିବା ମିଠା ଟ୍ରେ’ ଉପରେ ‘ବେଷ୍ଟ ବିଫୋର୍’ କିମ୍ବା ବ୍ୟବହାରର ଶେଷ ତାରିଖ ଲେଖିବା ବାଧ୍ୟତାମୂଳକ କରାଯାଇଛି ।
ଖାଦ୍ୟ ସୁରକ୍ଷା ଏବଂ ଔଷଧ ପ୍ରଶାସନ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ସାଧାରଣତଃ ପ୍ୟାକେଟ୍ ହୋଇ ଆସୁଥିବା ଖାଦ୍ୟ ସାମଗ୍ରୀରେ ଉତ୍ପାଦନ ଓ ଏକ୍ସପାଏରୀ ତାରିଖ ଲେଖାଥାଏ। କିନ୍ତୁ କାଚ ସୋ-କେସ୍ରେ ଖୋଲାରେ ସଜା ହୋଇ ରଖାଯାଇଥିବା ମିଠା କେବେ ତିଆରି ହୋଇଛି ଏବଂ ତାହା କେତେ ଦିନ ପର୍ଯ୍ୟନ୍ତ ଖାଇବା ଯୋଗ୍ୟ, ସେ ନେଇ ଗ୍ରାହକଙ୍କ ପାଖରେ କୌଣସି ସୂଚନା ନଥାଏ । ଫଳରେ ଅନେକ ସମୟରେ ଲୋକେ ବାସି କିମ୍ବା ଖରାପ ହୋଇଯାଇଥିବା ମିଠା କିଣି ଠକାମିର ଶିକାର ହୋଇଥାନ୍ତି । ବିଶେଷ କରି ଛେନା ଓ ଖୁଆରେ ପ୍ରସ୍ତୁତ ମିଠା ଖୁବ୍ ଶୀଘ୍ର ନଷ୍ଟ ହୋଇଯାଉଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ।
ଆଗକୁ ଦଶହରା ଓ ଦୀପାବଳି ଭଳି ବଡ଼ ପର୍ବ ଆସୁଛି । ଏହି ସମୟରେ ବଜାରରେ ମିଠାର ପ୍ରବଳ ଚାହିଦାକୁ ଦୃଷ୍ଟିରେ ରଖି ଖାଦ୍ୟ ସୁରକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି। ଏଣିକି ପ୍ରତିଟି ମିଠା ଟ୍ରେ’ ଆଗରେ ଏକ ଛୋଟ ବୋର୍ଡ କିମ୍ବା ଟ୍ୟାଗ୍ ଲଗାଯିବ, ଯେଉଁଥିରେ ସ୍ପଷ୍ଟ ଭାବେ ଲେଖାଥିବ ଯେ ଉକ୍ତ ମିଠାଟିକୁ କେଉଁ ତାରିଖ ସୁଦ୍ଧା ଖାଇବା ନିରାପଦ ।
କେବଳ ସେତିକି ନୁହେଁ, ଏହି ନିୟମକୁ କିପରି ଶତ ପ୍ରତିଶତ କାର୍ଯ୍ୟକାରୀ କରାଯିବ, ସେନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି । ଦୋକାନୀମାନେ ନିଜ ନିଜ କର୍ମଚାରୀମାନଙ୍କୁ ମଧ୍ୟ ଏହି ନିୟମ ବିଷୟରେ ସଚେତନ କରିବେ ଏବଂ ପ୍ରତିଦିନ ସନ୍ଧ୍ୟାରେ ମିଠାର ସ୍ଥିତି ଯାଞ୍ଚ କରିବେ। ଆଗାମୀ ଦିନରେ ଏହି ଅଭିଯାନ ଅଧୀନରେ ବିଭିନ୍ନ ମିଠା ଦୋକାନରେ ଅଚାନକ ଚଢ଼ାଉ କରାଯାଇ ଖାଦ୍ୟର ଗୁଣବତ୍ତା ଓ ତାରିଖ ଯାଞ୍ଚ କରାଯିବ ।
ସରକାରଙ୍କ ଏହି ପଦକ୍ଷେପକୁ ସାଧାରଣ ଗ୍ରାହକ ମହଲରେ ବେଶ୍ ସ୍ୱାଗତ କରାଯାଇଛି। ନିୟମ ଉଲ୍ଲଂଘନ କଲେ ବା ତାରିଖ ନଦର୍ଶାଇଲେ ସମ୍ପୃକ୍ତ ଦୋକାନୀଙ୍କ ବିରୋଧରେ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆବଶ୍ୟକ ପଡ଼ିଲେ ମୋଟା ଅଙ୍କର ଜୋରିମାନା ଆଦାୟ ହେବା ସହ ଦୋକାନର ଲାଇସେନ୍ସ ମଧ୍ୟ ବାତିଲ୍ କରାଯାଇପାରେ ବୋଲି ବିଭାଗ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି ।

