ଅବସୋସ
ଲାବଣ୍ୟ ନାୟକ
ଧାନଉଁଷା ହାଣ୍ତି,
ବାଉଁଶ ପତ୍ର,
ଆମ୍ବ ବଗିଚା,
ଖଜୁରୀ ବଣ,
ବର ଓହଳ…!
ଏଇସବୁ ଭିତରେ
ଭାଗ୍ୟକୁ ଅଣ୍ତାଳୁଥିଲି ଦିନେ ।
କିନ୍ତୁ
ମିଳିଲା ଯାହା
ଫାଳେ କାନ୍ଥ ନଥିବା ଚାଳଘର,
ବାଡ଼ି ଆଡେ ଖଣ୍ତିଆ କୁଅ,
କଦଳୀବଣ,
ଅପରାଜିତା ଫୁଲ,
ଆଉ ତା ସାଥେ
ନଇଁ ପଡିଥିବା ମୋ ଭବିଷ୍ୟ ।
ଭାଗ୍ୟ…!
ଠିକ୍ କେନାକେନା
ଫଟା କଦଳୀପତ୍ର ପରି;
ଅସୁମାରୀ ସ୍ୱପ୍ନମାନେ
ନଇଁପଡ଼ନ୍ତି
କ୍ଷତାକ୍ତ ହୋଇ,
ଓଦା ପଟି ପରିକା
ଭିଡିଧରନ୍ତି ପାଦକୁ।
ଛାତି ଭିତରେ ଆବଦ୍ଧ
ଟିକି ଟିକି ଦୁଇପତ୍ରିୟା
କଅଁଳ ସ୍ୱପ୍ନ ସବୁ…!
ଚୁପ୍ କିନା ଶୋଇପଡିଥିଲେ
ଅକୁହା ଯେତେ
ସେ ଆଖିର ଭାଷା…
କେତେ ବୁଝିଲି ଭାଗ୍ୟକୁ
କେତେ ନିନ୍ଦିଲି ବି,
ପାଇଲି ବା କଣ,
ଯନ୍ତ୍ରଣାକୁ ଚାପିରଖିବା ଛଡା!
କହିଦେଲେ
ବାହାସ୍ପୋଟର ଧୁଆଁ…!
ଗୁଳିଫୁଟେ କଲିଜାରେ?
ଏପାରିରୁ ସେପାରି ଭେଦ କରେ,
ବାଧ୍ୟ୍ୟ…!!
ଭାଗ୍ୟକୁ ଆଦରି ନେବାକୁ,
କଣ୍ଟାକୁ ଫୁଲ ବୋଲି ମାନିବାକୁ..॥
ଭୁଲ ନକରି ବି
ଦୁଃଖକୁ ଚାପିରଖି ହାର ମାନେ,
ଇଚ୍ଛା ନଥାଇ ବି
ଗରଳକୁ ଅମୃତ ମଣି
ପିଦିଏ ଢକ ଢକ କରି,
ଟଳମଳ ହୁଏନି ଜମା
ଅଣ୍ଟାକୁ ସଳଖେ
ପାଦ ଆଗକୁ ବଢାଏ,
କୁଆଁରୀ ଆଶା ମାନଙ୍କୁ
କଫିନ୍ ଦିଏ ସ୍ୱଇଚ୍ଛାରେ…।
ନିଜ ଅପାରଗତାକୁ
ଓଠରେ ଲିପଷ୍ଟିକ୍ ଭଳି ବୋଳେ,
ଧିକ୍କାରେ ନିଜକୁ ମନେ ମନେ,
କଣ ପାଇଲି ମୁଁ,
ଏମିତି ଗୋଟେ
ଅସମର୍ଥ ଭବିଷ୍ୟତକୁ
କୁଣ୍ଢେଇ ଧରି…।
କେତେଦିନ ଏମିତି
ମିଛ ହସ ହସୁଥିବି!
ଓଡ଼ିଶା ସମ୍ବାଦର ସାହିତ୍ୟ ବିଭାଗକୁ ଲେଖାପଠାଇବାକୁ ଚାହୁଁଥିଲେ ତଳ ଆଇଡିରେ ମେଲ୍ କରନ୍ତୁ:
sahitya.odishasambad@gmail.com
(ଲେଖା ସହିତ ନିଜର ଏକ ଫଟୋ, ଜନ୍ମ ତାରିଖ, ମୋବାଇଲ ନମ୍ବର ପଠାଇବାକୁ ଭୁଲିବେନି)