Latest Odisha News

BREAKING NEWS

ବିଲ ଗେଟସ୍ ଙ୍କ ପରାମର୍ଶ: କୃଷି କ୍ଷେତ୍ରରେ ବ୍ୟବହାର ହେଉ ରିମୋଟ ସେନସିଂ ଓ ସ୍ପେସ ଆପ୍ଲିକେସନ

ଭୁବନେଶ୍ଵର: ରାଜ୍ୟର କୃଷି କ୍ଷେତ୍ର ଉନ୍ନତି ପାଇଁ ରିମୋଟ ସେନ୍ସିଂ ଓ ସ୍ପେସ ଆପ୍ଲିକେସନ ବ୍ୟବହାର କର । ଆଜି କୃଷି ଭବନରେ କୃଷି ସମୀକ୍ଷା କେନ୍ଦ୍ର ପରିଦର୍ଶନ ସମୟରେ ରାଜ୍ୟ କୃଷି ବିଭାଗକୁ ଏଭଳି ପରାମର୍ଶ ଦେଇଛନ୍ତି ଅରବପତି ବିଲ ଗେଟସ୍ । କୃଷି ସମୀକ୍ଷା କେନ୍ଦ୍ରକୁ ବିଲ ଗେଟସଙ୍କ ପରିଦର୍ଶନ ପରେ କୃଷି ସଚିବ ଅରବିନ୍ଦ ପାଢୀ ଏହି ସୂଚନା ଦେଇଛନ୍ତି।

କୃଷି ସଚିବ କହିଛନ୍ତି, ବିଲ ଗେଟସ୍ କୃଷି ଭବନ ଆସିଥିଲେ । ୨୦୧୭ ରୁ ଗେଟସ ଫାଉଣ୍ଡେସନ ସହ ଚୁକ୍ତିନାମା ଅନୁସାରେ କୃଷକ ମାନଙ୍କ କଲ୍ୟାଣ ପାଇଁ ଜ୍ଞାନକୌଶଳ ବ୍ୟବହାର କରାଯାଇ ନିକଟରେ କୃଷି ଭବନରେ କୃଷି ସମୀକ୍ଷା କେନ୍ଦ୍ର ଖୋଲାଯାଇଛି । ଏହା ଦ୍ବାରା କିଭଳି ଚାଷୀଙ୍କ ପାଖକୁ ସୂଚନା ଆଦାନ ପ୍ରଦାନ ହେଉଛି, ସେ ତାହା ବୁଝିଥିଲେ । ଏନେଇ ତାଙ୍କୁ ପ୍ରେଜେଣ୍ଟେସନ ଦିଆଯାଇଥିଲା । ଏହା କିଭଳି କାମ କରୁଛି, ସେନେଇ ବିଲ ଗେଟସ୍ ଅନେକ ପ୍ରଶ୍ନ ମଧ୍ଯ ପଚାରିଥିଲେ । ଆମ ଟିମ ତାଙ୍କୁ ସବୁ ପ୍ରଶ୍ନର ଉତ୍ତର ରଖିଥିଲେ । ରାଜ୍ୟର ଏହି ବ୍ୟବସ୍ଥାକୁ ସେ ପ୍ରଶଂସା କରିଥିଲେ ।

ଆମ ରାଜ୍ୟରେ ୭୦ ଲକ୍ଷରୁ ଅଧିକ ଚାଷୀଙ୍କ ରେଜିଷ୍ଟ୍ରି ଅଛି । ଆମ କୃଷି କାର୍ଯ୍ୟକ୍ରମ ଜରିଆରେ ସେଥିରେ ଚାଷୀଙ୍କୁ ସେମାନଙ୍କ ଆବଶ୍ୟକତା ଅନୁସାରେ କଷ୍ଟମାଇଜଡ ସେବା ଯୋଗାଇ ଦିଆଯାଉଛି । ଡିଜିଟାଲ ଏଗରିକଳଚର୍ ଟୁଲ ବ୍ୟବହାର କରି ଚାଷୀଙ୍କ ପାଖରେ ବିଭିନ୍ନ ସେବା ଓ ଯୋଜନା ପହଞ୍ଚାଯାଉଥିବାରୁ ବିଲ ଗେଟସ୍ ତାହାର ପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାରେ ସ୍ବାବଲମ୍ବୀ ହୋଇଥିବା କିଛି ମହିଳା ଚାଷୀଙ୍କ ସହ ସେ କଥା ହୋଇଥିଲେ । ମିଲେଟ ମିଶନ କାଫେ ବୁଲି ଦେଖିଥିଲେ ଓ ତାଙ୍କୁ ମିଲେଟ୍ ମିଶନ ସମ୍ପର୍କରେ ଅବଗତ କରାଯାଇଥିଲା । କୃଷି କ୍ଷେତ୍ରରେ ରିମୋଟ ସେନ୍ସିଂ ଓ ସ୍ପେସ ଆପ୍ଲିକେସନ ବ୍ୟବହାର ପାଇଁ ସେ ଦେଇଥିବା ପରାମର୍ଶକୁ ଗ୍ରହଣ କରାଯିବ ବୋଲି କୃଷି ସଚିବ କହିଛନ୍ତି ।

Leave A Reply

Your email address will not be published.