Latest Odisha News

BREAKING NEWS

ଆଜି ପବିତ୍ର ଅକ୍ଷୟ ତୃତୀୟା; ଓଡ଼ିଆ ଚାଷୀଙ୍କ ଅଖିମୁଠି ଅନୁକୂଳ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଆଜି ପରି ପବିତ୍ର ଦିନରେ ଓଡ଼ିଆ ଚାଷୀମାନେ ଅଖିମୁଠି ଅନୁକୂଳ କରିବା ସହିତ ଚାଷକାର୍ଯ୍ୟ ଆରମ୍ଭ କରିଥାଆନ୍ତି । ଓଡ଼ିଶା ସମେତ ସାରା ବିଶ୍ୱରେ ଏବେ କରୋନା ମହାମାରୀ ଦାଉ ସାଧିଥିବା ବେଳେ ଓଡ଼ିଆ କୃଷକମାନେ ନିରାଡ଼ମ୍ବର ଭାବେ ଏହି ପବିତ୍ର ପାରମ୍ପରିକ ଉତ୍ସବ ପାଳନ କରୁଛନ୍ତି । ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବା ବେଳେ ଧାନ ଚାଷ ହିଁ ଏହି ରାଜ୍ୟର ପ୍ରଧାନ ଉତ୍ପାଦନକାରୀ ଫସଲ । ଓଡ଼ିଶାର କୃଷକମାନେ ବର୍ଷକ ଲାଗି ଯେଉଁ ଚାଷ କରିବେ ଆଜି ଧାନବିଲରେ ପାରମ୍ପରିକ ଭାବେ ପୂଜା କରି ଚାଷ ଆରମ୍ଭ କରିବାର ବିଧି ରହିଛି ।

କରୋନା ପ୍ରକୋପ ଯୋଗୁଁ ଲକ୍‌ଡାଉନ୍ ଚାଲିଛି ଓଡ଼ିଶାରେ । ତେବେ ଚାଷକାର୍ଯ୍ୟ ଲାଗି ଏବର୍ଷ ପାଗ ବେଶ୍ ଅନୁକୂଳ ମଧ୍ୟ ରହିଛି । ଅକ୍ଷୟ ତୃତୀୟା ପୂର୍ବରୁ ରାଜ୍ୟର ଅଧିକାଂଶ ସ୍ଥାନରେ ଚାଷ ଅନୁକୂଳ ବୃଷ୍ଟିପାତ ହୋଇଥିବା ଯୋଗୁଁ ଓଡ଼ିଶାର ଚାଷୀ ବେଶ୍ ଉତ୍ସାହିତ ହୋଇପଡ଼ିବା ସ୍ୱାଭାବିକ । ମଧ୍ୟମ ଧରଣର ବୃଷ୍ଟିପାତ ହୋଇଥିବା ଯୋଗୁଁ ଧାନବିଲ ହଳ କରିବା ମଧ୍ୟ ସହଜ ।

ସବୁକିଛି ଠିକ୍ ଠାକ୍ ରହିଥିବା ବେଳେ କରୋନା ମହାମାରୀ ଏବଂ ଲକ୍‌ଡାଉନ୍ ପରିସ୍ଥିତି ଚାଷକାର୍ଯ୍ୟ ଲାଗି ବାଧକ ସାଜିଛି । ଏଥିଲାଗି ସରକାରଙ୍କ ପକ୍ଷରୁ ଚାଷୀଙ୍କ ନିକଟରେ ବିହନ ପହଞ୍ଚିପାରିନାହିଁ । କରୋନା ମହାମାରୀ ଯୋଗୁଁ ଚାଷକାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଛି ।

ତେବେ ଯାହାବି ହେଉ ଆଗକୁ କ’ଣ ହେବ ତାହାକୁ ଦୃଷ୍ଟିରେ ନ’ରଖି ସ୍ୱାଭାବିକ ଭାବେ ଓଡ଼ିଶାର କୃଷକମାନେ ଆଜିର ଏହି ପବିତ୍ର ଦିନରେ ପାରମ୍ପରିକ ଭାବେ ଅକ୍ଷୟ ତୃତୀୟା ପର୍ବ ପାଳନ କରିବାକୁ ମନସ୍ଥ କରିଛନ୍ତି ।

Leave A Reply

Your email address will not be published.