Latest Odisha News

ପାଲା ଆକାଶର ଉଜ୍ୱଳ ନକ୍ଷତ୍ର: ଗାୟକ ସରୋଜ ଅନନ୍ତ ଚରଣ ମହାପାତ୍ର

ପାଲା ଆକାଶର ଉଜ୍ୱଳ ନକ୍ଷତ୍ର ଗାୟକ ସରୋଜ ଶ୍ରୀଯୁକ୍ତ ଅନନ୍ତ ଚରଣ ମହାପାତ୍ର । ମାଆ ସାରଳାଙ୍କ ବରପୁତ୍ର ଶ୍ରୀଯୁକ୍ତ ମହାପାତ୍ର ରାଜ୍ୟର ପୁରପଲ୍ଲୀରେ ପ୍ରତିଷ୍ଠା ଅର୍ଜନ କରିବା ସହ ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ, ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁ, ଲାଲବାହାଦୂର ଶାସ୍ତ୍ରୀ, ଇନ୍ଦିରା ଗାନ୍ଧୀଙ୍କ ଆଗରେ ପାଲା ପରିବେଷଣ କରି ସେମାନଙ୍କର ଶ୍ରଦ୍ଧାଭାଜନ ହୋଇପାରିଥିଲେ । ଅତି ଚମତ୍କାର ଭାବେ ମନ୍ଦିରା ବାଦନ କରିବାରେ ସେ ଥିଲେ ଅଦ୍ୱିତୀୟ ।

କଟକ ଜିଲ୍ଲା ବାଙ୍କୀ ସବଡିଭିଜନ ଅନ୍ତର୍ଗତ ରତାଗଡ ଗ୍ରାମରେ ଅନନ୍ତ ଚରଣ ମହାପାତ୍ର ଜନ୍ମଗ୍ରହଣ କରିଥିଲେ । ୧୯୨୩ ମସିହାରେ ବାପା ରଥ ରଣା ଓ ମାଆ ମହାଦେଇ ରଣାଙ୍କ କୋଳମଣ୍ଡନ କରିଥିଲେ ଅନନ୍ତ । ଗାଁ ଚାହାଳିରେ ପ୍ରାଥମିକ ଶିକ୍ଷା ଶେଷ ପରେ ଅନନ୍ତ ଚାହୁଁଥିଲେ ଅଧିକ ପଢିବା ପାଇଁ, କିନ୍ତୁ ସେତେବେଳେ ପରିବାରର ଆର୍ଥିକ ସ୍ଥିତି ସେଥିରେ ବାଧକ ହୋଇଥିଲା ।

ପିଲାଟି ଦିନରୁ ଓଡିଆ ସାହିତ୍ୟ ଏବଂ ପୌରାଣିକ ଉପାଖ୍ୟାନ ପ୍ରତି ଅନନ୍ତଙ୍କର ଦୁର୍ବଳତା ରହିଥିଲା । ଏହାସହ ଛାନ୍ଦ,ଚମ୍ପୁ ଓ ସଙ୍ଗୀତ ପ୍ରତି ତାଙ୍କର ଗଭୀର ଅନୁରାଗ ଥିଲା । ଯେତେବେଳେ ଅନନ୍ତଙ୍କୁ ୧୫ ବର୍ଷ ବୟସ ହୋଇଥିଲା ସେ ନିକଟସ୍ଥ ଗ୍ରାମକୁ ବାଦୀପାଲା ଦେଖିବାକୁ ଯାଇଥିଲେ,ସେଠାରେ ଉଭୟ ଗାୟକଙ୍କ ପାଲା ତାଙ୍କୁ ଏଭଳି ଆକୃଷ୍ଟ କରିଥିଲା ଯେ,ସେ ନିଜେ ଜଣେ ଗାୟକ ହେବାକୁ ସ୍ଥିର କଲେ । ଏହାପରଠାରୁ ସେ ଅମରକୋଷ,ଧ୍ୱନିମଞ୍ଜରୀ,ଏକାକ୍ଷର କୋଷ, ଗୀତା ଆଦି ପଢିବାକୁ ଲାଗିଲେ । ୧୯୩୮ ମସିହାରେ ସେ ବିଖ୍ୟାତ ପାଲା ଗାୟକ ତାରେଶ୍ୱର ମହାପାତ୍ରଙ୍କୁ ଗୁରୁ କରି ତାଙ୍କଠାରୁ ଚାମର ଗ୍ରହଣ କଲେ । ଏଥିସହ ନିକଟସ୍ଥ ଗ୍ରାମର କୁଞ୍ଜବିହାରୀ ମହାପାତ୍ରଙ୍କଠାରୁ କେତେକ ଛାନ୍ଦ,ଚଉପଦୀ ସଂଗ୍ରହ କଲେ । ଡମପଡାର ବିଶିଷ୍ଟ କବି ନଟବର ଧଳଙ୍କଠାରୁ ମଧ୍ୟ ଅନେକ କାବ୍ୟ,କବିତା ଆଣି କଣ୍ଠସ୍ଥ କଲେ ।

ମାଆ ସାରଳାଙ୍କ ଆଶୀର୍ବାଦ ଲାଭ କରିବାକୁ ସେ ନିଜ ଗ୍ରାମରୁ ଚାଲିଚାଲି ଝଙ୍କଡ଼ ଯାଇଥିଲେ । ସେଠାରେ ଅଧିଆ ପଡି ମାଆଙ୍କ କୃପାଲାଭ କଲେ । ଶ୍ରୀଯୁକ୍ତ ମହାରଣା ପ୍ରଥମେ ବାଙ୍କୀରେ ଆୟୋଜିତ ଏକ ଉତ୍ସବରେ ପାଲା ପରିବେଷଣ କରିଥିଲେ । ଏହି ଉତ୍ସବରେ ଅନ୍ୟ କୃତି କଳାକାରଙ୍କ ସହ ଅନନ୍ତ ମହାପାତ୍ରଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା । ପ୍ରଥମ ପାଲାରୁ ନିଜ ପ୍ରତିଭାର ପରିଚୟ ଦେଇଥିଲେ ଶ୍ରୀଯୁକ୍ତ ମହାପାତ୍ର ।

୧୯୫୦ ମସିହାରେ ଅନନ୍ତ ମହାପାତ୍ର କଟକ ରେଭେନ୍ସା କଲେଜରେ ବିଖ୍ୟାତ ପାଲା ଗାୟକ ବିଶ୍ୱନାଥ ପଟ୍ଟଯୋଶୀଙ୍କ ସହ ୫ଦିନ ପାଲା ପରିବେଷଣ କରି କୁଳପତିଙ୍କଠାରୁ ପ୍ରଶଂସାପତ୍ର ଲାଭ କରିଥିଲେ । ୧୯୫୧ ମସିହାରେ କଟକ ପୁରୁଣା ସେକ୍ରେଟାରୀଏଟରେ ପାଲା ପରିବେଷଣ କରି ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ତତ୍କାଳୀନ ରାଜ୍ୟପାଳଙ୍କ ସହ ହରେକୃଷ୍ଣ ମହତାବ, ଆର୍ତ୍ତବଲ୍ଲଭ ମହାନ୍ତି, ବିଚ୍ଛନ୍ଦଚରଣ ପଟ୍ଟନାୟକ, କଳୀଚରଣ ପଟ୍ଟନାୟକ, ସଦାଶିବ ତ୍ରିପାଠୀ, ଲିଙ୍ଗରାଜ ମିଶ୍ର, ପବିତ୍ର ମୋହନ ପ୍ରଧାନ, ପ୍ରାଣନାଥ ମହାନ୍ତି ପ୍ରମୁଖ ବିଶିଷ୍ଟ ରାଜନେତା, ସାହିତ୍ୟିକ ଓ ପ୍ରଶାସନିକ ଅଧିକାରୀଙ୍କ ସହିତ ଶହଶହ ଦର୍ଶକ ପାଲାକୁ ଉପଭୋଗ କରିଥିଲେ । ପାଲାର ବିଷୟବସ୍ତୁକୁ ଇଂରାଜୀରେ ଅନୁବାଦ କରି ବୁଝାଇଥିଲେ ପ୍ରାଣନାଥ ମହାନ୍ତି । ଶିକ୍ଷା ବିଭାଗର ଦୁଇ ମନ୍ତ୍ରୀ ଉଭୟ ପାଲା ଗାୟକଙ୍କୁ ପୁରସ୍କୃତ କରିଥିଲେ ।

ଚୀନ ଓ ପାକିସ୍ତାନ ସହ ଯୁଦ୍ଧ ସମୟରେ ଲୋକଙ୍କ ହୃଦୟରେ ଜାତୀୟତା ଭାଗ ଜାଗ୍ରତ କରିବା ପାଇଁ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଦେଶାତ୍ମବୋଧକ ପାଲା ପରିବେଷଣ କରିଥିଲେ ଶ୍ରୀଯୁକ୍ତ ଅନନ୍ତ ମହାପାତ୍ର ।

ହୀରାକୁଦ ନଦୀବନ୍ଧ ପ୍ରତିଷ୍ଠା ଦିବସ ଉପଲ୍ଲକ୍ଷେ ଆୟୋଜିତ ପାଲା ସମ୍ମିଳନୀରେ ତତ୍କାଳୀନ ସମୟର ୫ ଜଣ ବିଶିଷ୍ଟ ଗାୟକଙ୍କ ମଧ୍ୟରେ ସେ ପାଲା ପରିବେଷଣ କରିଥିଲେ । ୧୯୬୨ ମସିହା ସ୍ୱାଧୀନତା ଦିବସ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଲ୍ଲୀ ଯାଇ ପାଲା ପରିବେଷଣ କରିଥିଲେ ଶ୍ରୀଯୁକ୍ତ ଅନନ୍ତ ମହାପାତ୍ର ।
୧୯୬୪ ମସିହାରେ ଭୁବନେଶ୍ୱରରେ ଆୟୋଜିତ କଂଗ୍ରେସ ଅଧିବେଶନରେ ସେ ୭ ଦିନ ଧରି ପାଲା ଗାୟନ କରିଥିଲେ । ୧୯୭୬ରେ ଭାରତ ସରକାରଙ୍କ କ୍ଷେତ୍ର ପ୍ରଚାର ସଂସ୍ଥା ତରଫରୁ ଆହ୍ଲାବାଦରେ ଆୟୋଜିତ କୁମ୍ଭମେଳାରେ ସେ ଦୀର୍ଘ ୨୫ ଦିନ ଧରି ଭାରତୀୟ ସଂସ୍କୃତିର ମହିମା ଗାନ କରିଥିଲେ । ୧୯୮୯ ମସିହାରେ ମଧ୍ୟ ପୁଣିଥରେ ଆକାଶବାଣୀ ତରଫରୁ ସେ କୁମ୍ଭମେଳାକୁ ଯାଇଥିଲେ ।

ଉଭୟ ଆକାଶବାଣୀ ଓ ଦୂରଦର୍ଶନର ସେ ଜଣେ ସ୍ୱୀକୃତିପ୍ରାପ୍ତ ବିଶିଷ୍ଟ କଳାକାର ଥିଲେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେ ୧୯୫୫ ମସିହାରୁ ତତ୍କାଳୀନ ୧୩ଟି ଜିଲ୍ଲାରେ ପାଲା ମାଧ୍ୟମରେ ସରକାରୀ ଯୋଜନାର ପ୍ରଚାର ପ୍ରସାର କରିଥିଲେ ।

ମନ୍ଦିରା ବାଦନରେ ଓଡିଶାରେ ଅଦ୍ୱିତୀୟ ଥିଲେ ଅନନ୍ତ ମହାପାତ୍ର । ଏହି ମନ୍ଦିରା ମାଧ୍ୟମରେ ଅନେକ ରାଗରାଗିଣୀ ଗାନ ଦ୍ୱାରା ସେ ଜନମାନସକୁ ମନ୍ତ୍ରମୁଗ୍ଧ କରିବାରେ ଥିଲେ ସିଦ୍ଧହସ୍ତ । ଭଞ୍ଜ ସାହିତ୍ୟ, ଛାନ୍ଦ,ଚଉପଦୀ ଆଦି ପରିବେଷଣ କରିବାରେ ସେ ଥିଲେ ପ୍ରବୀଣ । ତାଙ୍କର କାରୁଣ୍ୟ ରସ ପରିବେଷଣ ଶୈଳୀ ଏତେ ହୃଦୟସ୍ପର୍ଶୀ ହେଉଥିଲା ଯେ,ଲୋକଙ୍କ ଆଖିଲୁ ଲୁହ ଝରିଯାଉଥିଲା ।

ରାଜ୍ୟର ପୁରପଲ୍ଲୀରୁ ଅନନ୍ତ ମହାପାତ୍ର ଅନେକ ପୁରସ୍କାର,ଉପାଧି ଲାଭ କରିଥିଲେ । ହିନ୍ଦୋଳର ରାଜା ସାହେବ ତାଙ୍କୁ ଗାୟକ ରତ୍ନ ଉପାଧି ପ୍ରଦାନ କରିଥିବା ବେଳେ ସୁବର୍ଣ୍ଣପୁର ପାଲା ସମ୍ମିଳନୀରେ ତାଙ୍କୁ ଗାୟକ ସରୋଜ ଉପାଧିରେ ସମ୍ମାନୀତ କରାଯାଇଥିଲା । ପୂର୍ବତନ ରାଷ୍ଟ୍ରପତି ରାଧାକ୍ରିଷ୍ଣନ,ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ, ଲାଲବାହାଦୂର ଶାସ୍ତ୍ରୀଙ୍କଠାରୁ ଇନ୍ଦିରା ଗାନ୍ଧୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପର‌୍ୟ୍ୟନ୍ତ ବହୁ ଜ୍ଞାନୀ,ଗୁଣୀମାନଙ୍କର ମନ ଜିଣିବାରେ ସଫଳ ହୋଇଥିଲେ ଶ୍ରୀଯୁକ୍ତ ମହାପାତ୍ର ।

ଉତ୍କଳ ଜନନୀରେ ଏହି ସୁଯୋଗ୍ୟ ସନ୍ତାନ ୨୦୦୭ ମସିହା ଫେବ୍ରୁଆରି ୧୮ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

Leave A Reply

Your email address will not be published.